Unknown

 

 

 

 

 

 

 

 

 

 

 

ମମତାର ମାୟା

କାହ୍ନୁଚରଣ ମହାନ୍ତି

 

ଲବ୍ଧ ପ୍ରତିଷ୍ଠିତ

କବି, ଗାଳ୍ପିକ ଓ ଔପନ୍ୟାସିକ

ମୋର ପରମବନ୍ଧୁ

ଶ୍ରୀଯୁକ୍ତ ଅନନ୍ତପ୍ରସାଦ ପଣ୍ଡାଙ୍କ

କରକମଳରେ

 

ରାଜାବଗିଚା

କାହ୍ନୁଚରଣ

କଟକ-୯

୧୩ । ୨ । ୭୨ ଶିବରାତ୍ରି

✽✽✽

 

ସୂଚୀପତ୍ର

 

୧.

ମମତାର ମାୟା

୨.

ମାନମୟୀ

୩.

ଶସ୍ତା ଓ ସୁବିଧା

୪.

ଗୋଟିଏ ଭୁଲ୍

୫.

ସେ ଆଜି ସାତ ସପନ

✽✽✽

 

ମମତାର ମାୟା

 

ମୁଦିଟି ବେଶ୍ ସୁନ୍ଦର । ମଝିରେ ଗୋଲାପୀ ରଙ୍ଗରେ ପଥରଟି ସେହି ମୁଦିର ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଉଥିଲା । ଭାରତୀ ନିଜ ହାତରେ ତାକୁ ମମତାର ଡାହାଣ ହାତର ପରି-ଆଙ୍ଗୁଠିରେ ପିନ୍ଧାଇଦେଲେ । ମମତାର ଚିବୁକ ଧରି ତା’ର ଲାଜ ଲାଜ ପାନପତର ପରି ସ୍ୱାସ୍ଥ୍ୟ ଭରପୁର ସୁନ୍ଦର ମୁହଁଟିକୁ ଅଳପ ଟେକିଲେ । ଆନନ୍ଦ ଓ ସନ୍ତୋଷରେ ତାଙ୍କର ମୁହଁ ଉଜ୍ଜ୍ୱଳି ଉଠିଲା-

 

ଏଇ ପିଲାଟି ହେବ ତାଙ୍କର ପ୍ରଥମ କୁଳବଧୂ । ସରସ୍ଵତୀ ପରି ରୂପବତୀ । ନିଖୁଣ ମୁହଁ-। ବାଛିବାକୁ କିଛି ନାହିଁ । ଜାତକ ଦେଖି ପଣ୍ଡିତମାନେ କହିଛନ୍ତି, ଯେଉଁ ଘରେ ସେ ପାଦ ଦେବ ସେ ଘରେ ଧନଧାନ୍ୟ ଗୋପଲକ୍ଷ୍ମୀ ପରିପୂର୍ଣ୍ଣ ହେବ । ସ୍ୱାମୀର ପଦୋନ୍ନତି ସୁନିଶ୍ଚିତ । ସୁଲକ୍ଷଣା ଝିଅଟିର ଚାରିପୁଅ ଓ ଗୋଟିଏ ଝିଅ ହେବ ।

 

କେତେ ଝିଅ ଦେଖି, ସେମାନଙ୍କର ଚରିତ୍ର-ସ୍ଵଭାବ ଓ ଢଙ୍ଗଢ଼ାଙ୍ଗ ସମ୍ବନ୍ଧରେ ଯଥାସମ୍ଭବ ଗୁପ୍ତ-ଅନୁସନ୍ଧାନ କରି ଶେଷକୁ ସୁଦର୍ଶନବାବୁଙ୍କର ଏକମାତ୍ର କନ୍ୟା ମମତା ତାଙ୍କର ମନୋନୀତ ହୋଇଥିଲା । ଏକା ସେ ନୁହନ୍ତି, ତାଙ୍କର ସ୍ୱାମୀ ପରେଶବାବୁ, କନ୍ୟାମାନେ, ପୁଅମାନେ ଓ ବିଶେଷତଃ ବଡ଼ପୁଅ ମନୋଜ ମମତାକୁ ଦେଖିଥିଲେ, କଥାଭାଷା ହୋଇଥିଲେ । ସୁଦର୍ଶନବାବୁ ଓ ତାଙ୍କର ସ୍ତ୍ରୀ ସୁରଭୀ ସେଥିପାଇଁ ଆପତ୍ତି କରିନଥିଲେ । ବିଶେଷ ଆଗ୍ରହ ବି ପ୍ରକାଶ କରିନଥିଲେ ।

 

ସେମାନଙ୍କର ଝିଅ ମମତାର ରୂପରେ, ଗୁଣରେ କୌଣସି ଖୁଣ ନଥିଲା । ସହରର ଏକମାତ୍ର ଉଚ୍ଚ ବିଦ୍ୟାଳୟରେ ଅନ୍ୟାନ୍ୟ ଝିଅଙ୍କ ସଙ୍ଗେ ସେ ପାଠ ପଢ଼ୁଥିଲା । ସ୍କୁଲର ଛାତ୍ର ସଂଖ୍ୟାର ତିନିଭାଗ ହେବେ ପୁଅପିଲା । ବାକି ଭାଗକ ଝିଅ । ସବୁ ଶିକ୍ଷକ ପୁରୁଷ । ପୂର୍ବକାଳ ପରି ଝିଅପିଲାଏ ଓଢ଼ଣା ଦେଇ ଘରକୋଣରେ ଲୁଚୁନାହାନ୍ତି । ପାଠ ପଢ଼ିବାକୁ ସେମାନେ ପଦାକୁ ବାହାରିଲେଣି । ସମସ୍ତେ ଦେଖୁଛନ୍ତି । ଘରକୁ ଆସି ଯେଉଁମାନଙ୍କର ଆହୁରି ଦେଖିବାର ଇଚ୍ଛା ଦେଖନ୍ତୁ । ଝିଅ ଥିଲେ, ପୁଅ ଥିଲେ କେତେ କୁଆଡ଼ରୁ ପ୍ରସ୍ତାବ ଆସେ । ଯେଉଁଠି ହେବାର ଥାଏ ହୁଏ, ବାକିସବୁ ଯାଏ ଫସରଫାଟି ।

 

ଏକା ସହରର ଦିଓଟି ଛଡ଼ା ଛଡ଼ା ବସ୍ତିରେ ପରେଶବାବୁ ଓ ସୁଦର୍ଶନବାବୁଙ୍କ ଘର । ଘନିଷ୍ଠତା ନଥିଲା, କିନ୍ତୁ ସେମାନେ ଚିହ୍ନାଜଣା ଥିଲେ । ପରେଶବାବୁ ଉଦଯୋଗୀ ପୁରୁଷ । ପାଠ ଅଧିକ ପଢ଼ିନଥିଲେ । ନିଜ ଶିଙ୍ଗରେ ମାଟି ଖୋଳି, ବିଭିନ୍ନ ଧନ୍ଦାରେ ନେଇଆଣି ଥୋଇ ସେ ଭଲ ସମ୍ପତ୍ତି କରିପାରିଛନ୍ତି । ସହରର ଗଣ୍ୟମାନ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ସେ ଗଣା । ପୁଅ ଝିଅମାନେ ଏବେବି ସ୍କୁଲ କଲେଜରେ ପାଠ ପଢ଼ୁଛନ୍ତି । ଏକା ବଡ଼ପୁଅ ମନୋଜ କୌଣସି ମତେ ଏମ୍. ଏ. ପାଶ କରି, ଡି. ଇଡି. ପଢ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଛି ।

 

ପରେଶବାବୁଙ୍କର ଜଟିଳ ଧନ୍ଦାଗୁଡ଼ିକରେ ମନୋଜ ପରି ଶାନ୍ତଶିଷ୍ଟ, ସତ୍ୟନିଷ୍ଠ, ପରଦୁଃଖ-କାତର ପିଲାଟି ମନ ପୂରାଇ ପାରିଲା ନାହିଁ । ପରେଶବାବୁଙ୍କର ସବୁ ଚେଷ୍ଟା ବିଫଳ ହେଲା । ସେ ବୁଝିଲେ, ମନୋଜ ହାତରେ ବେପାର ବାଣିଜ୍ୟ ହୋଇପାରିବ ନାହିଁ । ସେ ହଜିଲା ପାଣିକି ଗୋଡ଼ ବଢ଼ାଇପାରିବ ନାହିଁ । କଳାକୁ ଧଳା, ଧଳାକୁ କଳା ପ୍ରମାଣ କରିବାର ଦକ୍ଷତା ତା’ର ନାହିଁ । ତୁଣ୍ଡରୁ ପଦେ ଟାଣ କଥା ବାହାରିପାରିବ ନାହିଁ । ସିଧା ବାଟରେ ଚାଲିବା ପିଲା ସେ ମନୋଜ । ତା’ ପାଇଁ ମାଷ୍ଟରୀ ଚାକିରି ଭଲ ।

 

ସୁଦର୍ଶନଙ୍କ ପୂର୍ବ-ପୁରୁଷ କୁଆଡ଼େ ଧନୀ ଥିଲେ । ଜମିଦାରୀ ଥିଲା ଯେ ସେମାନେ ମଣିଷ ଚରାଉଥିଲେ । ହୋଇଥିବ ସତ, କିନ୍ତୁ ତାଙ୍କ ଜାଣିବାରେ ତାଙ୍କ କୁଟୁମ୍ବ ଅନ୍ତତଃ ତିନିପୁରୁଷ ହେଲା ଅଭାବୀ । ଯତ୍ରେ କତ୍ରେ କୁଟୁମ୍ବ ଚଳାଇବା କଥା । ତେବେ, ଦିନେ ଯେ ସେମାନେ ଧନୀ ଜମିଦାର ବଂଶର ଥିଲେ, ଏ ଧାରଣା ତିନିପୁରୁଷ ହେଲା ଗଡ଼ି ଆସୁଛି । ଆଉତ ଭବିଷ୍ୟତରେ ଜମିଦାର ହୋଇ ସେକାଳ ଗୌରବକୁ ଫେରାଇ ଆଣିବାର ସମ୍ଭାବନା ନାହିଁ, ଖାନଦାନ ବଂଶର ବୋଲି ଝିଅଟିମାନେ ଭଲ ଭଲ ଘରର ବୋହୂ ହେବାର ସୌଭାଗ୍ୟ ଲାଭ କରନ୍ତି ।

 

ସୁଦର୍ଶନଙ୍କର ଅନ୍ୟାନ୍ୟ ଭାଇ-ବିରାଦର ଏବଯାଏଁ ସେମାନଙ୍କର ସଂସାର କୌଣସି ମତେ ଚଳାଉଛନ୍ତି । ସୁଦର୍ଶନ ବହୁକଷ୍ଟ ସହି ପାଠ ପଢ଼ିଥିଲେ । ଭଲରେ ଭଲରେ ମାଟ୍ରିକ୍ୟୁଲେସନ ଖଣ୍ଡିକ ପାଶ୍ କରିଥିଲେ । ବହୁ ଅନୁସରଣ କରି କିଲଟରୀରେ ଠିକା ଚାକିରି ଖଣ୍ଡିଏ ଯୋଗାଡ଼ କରିପାରିଥିଲେ । ବିନୟୀ, ଭଦ୍ର ଓ ପରିଶ୍ରମୀ ସେ ଥିଲେ । ସମସ୍ତଙ୍କର ସବୁକାମ କରିବାକୁ ସେ କୁଣ୍ଠିତ ହେଉନଥିଲେ । ଗାଳି ଗୁଜବ ସେ ମୁଣ୍ଡ ନୋଇଁ ସହୁଥିଲେ ।

 

କାଳକ୍ରମେ ସେ ପକ୍କା-କିରାଣି ହେଲେ । ପଞ୍ଚତିରିଶ ବର୍ଷ କାର୍ଯ୍ୟ କରି ତିନିବର୍ଷ ତଳେ ସେ ଅବସର ନେଲେ । ଏବେ ମଧ୍ୟ କେଉଁ କାନ୍ତରାଟଙ୍କର ଗୁମାସ୍ତା-କାମ କରୁଛନ୍ତି । ବେଶ୍ ସବଳ ଓ ସୁସ୍ଥ ଅଛନ୍ତି । ଚାକିରିକାଳ ମଧ୍ୟରେ ଭଉଣୀମାନଙ୍କୁ ଦେଇ ନେଇ ଭଲ ଭଲ ଘରର ବୋହୂତ କରିପାରିଛନ୍ତି, ନିଜର ଅବସ୍ଥା ମଧ୍ୟ ସୁଧାରି ପାରିଛନ୍ତି । ପୁରୁଣା ଖତରା ଘର ଭଙ୍ଗାଇ, ଆଖି ଦୁରୁଶିଆ ସୁନ୍ଦର ଏକତାଲା କୋଠା ତୋଳିଛନ୍ତି । ସେଥିରେ ବିଜୁଳି ଆଲୁଅ, ପଙ୍ଖା ଓ ପାଣିକଳ ଖଞ୍ଜି ଦେଇଛନ୍ତି । ଆଉ ଖଣ୍ଡିଏ ବଡ଼ ଜାଗା ବି ସହରରେ କେଉଁଠି ଖରଦି କରିସାରିଛନ୍ତି । ହାତରେ ନିଶ୍ଚୟ କିଛି ସଞ୍ଚିତ ଧନ ଅଛି ।

 

ବଡ଼ପୁଅ ସୁକୁମାର ସ୍କୁଲ-ଜୀବନରେ ଭଲ ଛାତ୍ର ଥିଲା । କଲେଜକୁ ଯାଇ ସେ ଉଧେଇପାରିଲା ନାହିଁ । ବାରମ୍ବାର ବି. ଏ. ଫେଲ ହୋଇ ବିରକ୍ତ ହୋଇ ସେ କଲେଜ ଛାଡ଼ିଲା । ଟାଇପ୍ ଶିଖି ସେ ପଶିଲା ସେକ୍ରେଟେରୀଏଟରେ । ସେଇଠି ତା’ର ବୁଦ୍ଧି ସଙ୍ଗେ ସଙ୍ଗେ ଭାଗ୍ୟ ବି ଫେରିଲା । କେତେବର୍ଷ ହେଲା ସେ ସହକାରୀ ପଦକୁ ଉନ୍ନିତ ହୋଇ ଆଗେଇଚାଲିଛି । ସେ ଏବେ ପ୍ରଚାର କରିବାକୁ ସାହସ କଲାଣି ଯେ ସେ ସରକାରଙ୍କର କଳ ଚଳାଉଛି । ଯାହା ଲେଖିଦେବ ସେଇଆ । ଦିନେନା ଦିନେ ସେ ନିଶ୍ଚୟ ଜଣେ ଅଣ୍ଡର-ସେକ୍ରେଟେରୀ ହେବ ।

 

ସାତବର୍ଷ ବଞ୍ଚି ରହିଲା ପରେ ସୁରଭୀଙ୍କର ପ୍ରଥମ ସନ୍ତାନ ହୋଇ ସେ ଜନମିଥିଲା । ପାଞ୍ଚବର୍ଷ ତଳେ ସୁଦର୍ଶନ ପୁଅକୁ ବାହା କରାଇଥିଲେ । ରଙ୍ଗ ସାମାନ୍ୟ ଉଣା ହେଲେ ବି ବୋହୂ ଲତିକାର ଗଠଣ ସୁନ୍ଦର । ବେଶ୍ କାମିକା ଝିଅ । ବଡ଼ ନାତି ଡାଳିଆକୁ ତିନିବର୍ଷ ପୂରିଲାଣି । ସାନଟିର ନାମ ଜଳିଆ । ଦଶ ମାସର ପୁଅ । ମମତାକୁ ବେଶୀ ଆଦରିଛି । ବୋହୂ ଅଧେଦିନ ଭୁବନେଶ୍ୱରରେ ରହିଲେ, ବାକି ଅଧେ ରହନ୍ତି ଘରେ । ତିନିମାସ ତଳେ ଆସିଛନ୍ତି ।

 

ସୁକୁମାର ତଳେ ମମତାର ଜନ୍ମ । ବାରବର୍ଷ ଛାଡ଼ ପରେ ପୁଣି ସୁରଭୀଙ୍କର ସନ୍ତାନ ହେବ, ଏକଥା କିଏ ବା ଆଶା କରନ୍ତା ? ମମତା ଆସିଲା । ସେତେବେଳେ ସୁକୁମାର ସ୍କୁଲରେ ନାମ ଲେଖାଇ ସାରିଥିଲା । ଟିକି ଭଉଣୀଟି ହୋଇଥିଲା ତା’ର ଖେଳ-କଣ୍ଢେଇ । ସାତବର୍ଷ ପରେ ସୁଶୀଳାର ଜନ୍ମ । ସୁଦର୍ଶନଙ୍କ ଦ୍ୱିତୀୟ ପୁତ୍ର । ସୁନ୍ଦର ସ୍ୱାସ୍ଥ୍ୟବାନ ପିଲାଟିକୁ ଏବେ ଦଶବର୍ଷ ହେଲାଣି । ସାହି ପଡ଼ିଶାରେ ମାଇପେ ସୁରଭିଙ୍କୁ ଚଳାଇ କହନ୍ତି; ସୁଶୀଳାକୁ ବାରବର୍ଷ ନ ଡେଇଁଲେ, ତମ ପୋଥିରେ ଡୋରି ବନ୍ଧା ହେଲାବୋଲି ଏବେ କିଏ କହିପାରିବ ଗୋ, ଡୋଲିରୁ ଓହ୍ଲାଇଲା ପରିତ ଦିଶୁଛ !

 

ସୁଦର୍ଶନଙ୍କର ଛୋଟ ସଂସାର । ପରେଶ ବାବୁଙ୍କ ଧାନ ଡାଉଲଟାକୁ ଚାହିଁଲେ, ଯିଏ କିହବ ସୁଦର୍ଶନଙ୍କର ସଂସାରଟି ଖୁସିବାଶିଆ । ପରେଶବାବୁ ଖାନଦାନୀ ଓ ରୂପ ଅପେକ୍ଷା ଧାନରୁ ଅଧିକ ସମ୍ମାନ ଦିଅନ୍ତି । ପୁଅ ବାହାଘରର ସମ୍ବନ୍ଧ ଆସିଲେ ସେ ସଫା ମୁହଁ ଖୋଲି ନିର୍ଲଜ୍ଜପଣରେ ପଚାରନ୍ତି, କ’ଣ କ’ଣ ଦେବାନେବା କରିବେ । କଥା ଆଗେଇଚାଲେ । ଜାତକର କେଁକୁ ହାତର ପାଞ୍ଚ କରି ରଖିଥାଆନ୍ତି । କେଉଁଠି ପକ୍କା ଜବାବ ଦିଅନ୍ତି ନାହିଁ । ଅନ୍ୟଆଡ଼େ ଆଖି ବୁଲାଉଥାନ୍ତି । ଶେଷକୁ ଖବର ପଠାନ୍ତି, ଜାତକ ଭଲ ଶୁଝିଲା ନାହିଁ ।

 

ତାଙ୍କ କୁଟୁମ୍ବର ସମସ୍ତେ ବାରମ୍ବାର ମମତାକୁ ଦେଖିଲେ । ଏପରିକି ମନୋଜ ମଧ୍ୟ ସୁଦର୍ଶନଙ୍କ ଘରକୁ ଯାଇ ମମତାକୁ କେବଳ ଦେଖିଲା ନାହିଁତ, ତା’ ସାଙ୍ଗରେ କଥାଭାଷା ହେଲା । ପଢ଼ାପଢ଼ି କଥା ବୁଝିଲା । କାହିଁକି ସେ ଅଙ୍କରେ ଭଲ କରୁ ନାହିଁ, ସେ ବିଷୟ ବୁଝି ମମତାକୁ ସୁରଭୀଙ୍କ ଆଗରେ କିପରି ସେ ଭଲ କରିପାରିବ ସେ ସମ୍ବନ୍ଧରେ ଉପଦେଶ ଦେଲା । ଘରକୁ ଫେରି ଭାରତୀଙ୍କ ଆଗରେ ମୁହଁ ଖୋଲି କହିଲା, ପିଲାଟି ଭଲ । ବେଶ୍ ବୁଦ୍ଧିମତୀ ।

 

ସୁଦର୍ଶନ ଭଲ ଦେବେ ନାହିଁ । ନଗଦ ଟଙ୍କା ରାସ୍ତା ଖରଚ ଦେବାର ପ୍ରଶ୍ନ ଉଠୁନାହିଁ, ଏହା ଜାଣି ମଧ୍ୟ ପରେଶ ଖାପଚାରେ ପଡ଼ିଗଲେ । ଟାଳଟୁଳ କରିବାର ସୁଯୋଗ ପାଇଲେ ନାହିଁ । ସମସ୍ତଙ୍କର ଆଗ୍ରହ ସେ ଭାଙ୍ଗିପାରିଲେ ନାହିଁ । ଜବାବ ଦେଲେ । ଯେଉଁଦିନ ଭାରତୀ ଆସି ମମତାର ଆଙ୍ଗୁଠିରେ ସୁବର୍ଣ୍ଣ-ମୁଦ୍ରିକା ପିନ୍ଧାଇ ଦେଇଗଲେ, ପରେଶ୍ ବାବୁ ଆନନ୍ଦରେ ଓ ଆଗ୍ରହରେ ସୁଦର୍ଶନଙ୍କୁ କହିଲେ, ଆମେ ସମସ୍ତେ ଖୁସି । ଜାଣ ଆଜିଠାରୁ ମମତା ମୋର ବୋହୂ ହେଲା ।

 

ସୁଦର୍ଶନ ପଚାରିଲେ, ନିର୍ବନ୍ଧ କେବେ କରିବା ? ବାହାଘରର ଦିନ କେବେ ଧାର୍ଯ୍ୟ କରାହେବ ?

 

ପରେଶ କହିଲେ, ତରତର କାହିଁକି ? ମମତା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛି । ପରୀକ୍ଷା ସରୁ । ଧୀରେ ସୁସ୍ଥେ ନିରବନ୍ଧର ଦିନ ସ୍ଥିର କରିବା । ଠାକୁରଙ୍କ ପବିତ୍ର ପୀଠରେ ବାହାଘରର ଦିନ ଧାର୍ଯ୍ୟ କରିବା । ଆପଣ ଏବହୁଁ ପ୍ରସ୍ତୁତ ହୁଅନ୍ତୁ । ସଂକଳ୍ପ କରାଗଲା । ଜାଣ ମମତା ଆଜିଠାରୁ ମୋର ବୋହୂ ହେଲା । ଶୁଭଦିନ ଦେଖି ବିଭାଘରର ଆଡ଼ମ୍ବରରେ ମୋ ବୋହୂକୁ ମୁଁ ନେଇଯିବି । ହେଲାତ ?

 

ମଝି କବାଟ ଖୋଲାଥିଲା । ପାଖଘରେ ବସି ଭାରତୀ ସୁରଭୀଙ୍କ ସାଙ୍ଗରେ ଖୁସିଗପ କରୁଥିଲେ । ସେମାନଙ୍କ ପାଖରୁ ଅଳ୍ପଦୂର ଛାଡ଼ି ଖଣ୍ଡେ ସପ ଉପରେ ମମତା ପାଖରେ ବସିଥିଲେ ପରେଶଙ୍କର ସାନ ଝିଅ ଦିହେଁ । ତଳ ଉପର ଭଉଣୀ ଦିଓଟି, ଜଣେ ନବମ ଓ ଜଣେ ଦଶମ ଶ୍ରେଣୀରେ, ମମତା ପଢ଼ୁଥିବା ସ୍କୁଲରେ ପଢ଼ନ୍ତି । ସେମାନେ ପରେଶ ବାବୁଙ୍କର କଥା ଶୁଣି କୁରୁଳି ଉଠୁଥାନ୍ତି । ମମତାକୁ ହଲାଇଦେଇ କହୁଥାନ୍ତି, ଶୁଣିଲ ତ ମମତା ଅପା, ବାପା କ’ଣ କହିଲେ ? ତମକୁ ଆଉ ଆମେ ଅପା ବୋଲି ଡାକିବୁ ନାହିଁ ।

 

ମମତା ସାମାନ୍ୟ ହସିଥିଲା । ମନୋଜ ବାବୁଙ୍କ କଥା ସ୍ମରଣ କରୁଥିଲା । ସୁନ୍ଦର କୁଲୁକୁଲିଆ ମୁହଁଟି ତାଙ୍କର । କଅଁଳ ମନଭୁଲା କଥା । କେତେଦିନରୁ ପରିଚିତ ପରି ବୁଝାଇ କହୁଥିଲେ । ତାଙ୍କର ଆଖିର ତେଜରେ ସତେକି ସେ ମମତାର ଆତ୍ମାକୁ ନିଜ ଭିତରକୁ ଟାଣି ନେଉଥିଲେ । ତାଙ୍କର ମୁହଁକୁ ସେ ଚାହିଁ ପାରୁନଥିଲା । କାହିଁକି ତା’ର ବଡ଼ଭାଇ ତାଙ୍କୁ ଘରକୁ ଆସିବାକୁ ନିମନ୍ତ୍ରଣ କରି ଆଣିଥିଲେ, ଷୋହଳ ପୁରି ସତର ବର୍ଷରେ ପାଦ ଥୋଇଥିବା ମମତାକୁ ଅବିଦିତ ନଥିଲା ।

 

ବୋର୍ଡ଼ ପରୀକ୍ଷା ସରିଲା । ମମତା ଭଲ କରିଥିଲା । ମହାପ୍ରସାଦ ନିର୍ବନ୍ଧର ଦିନ ଧାର୍ଯ୍ୟହେଲା । ଏ ମଧ୍ୟରେ ଲତିକା ତାଙ୍କର ପିଲା ଦିଓଟିଙ୍କୁ ନେଇ ସୁକୁମାର ସଙ୍ଗରେ ଭୁବନେଶ୍ୱର ଚାଲି ଯାଇଥିଲେ । ସୁଦର୍ଶନ ନିଜେ ଯାଇ ଛାଡ଼ିଦେଇ ଆସିଥିଲେ ।

 

ଭୁବନେଶ୍ଵର ଯିବା ଆଗରୁ ସେ ଥରେ ପରେଶବାବୁଙ୍କ ଘରକୁ ଯାଇଥିଲେ । ତାଙ୍କର ଝିଅ ଦିହେ ସୁରମା ଓ ସୁଷମା ତାଙ୍କୁ ଫଟୋ ଆଲବମ ଦେଖାଉଥିଲେ । ତା’ ଭିତରେ ମମତାର ଛୋଟ ଫଟୋଟି ରଖା ହୋଇଥିଲା । ତା’ ଭିତରେ ମନୋଜର ଗୁଡ଼ିଏ ଛୋଟ ଫଟୋ ମଧ୍ୟ ଥିଲା । ସେଥିରୁ ଖଣ୍ଡିଏ ଲତିକା ନିଜ ପାଇଁ ମାଗି ଆଣିଥିଲେ । ସେ ଖଣ୍ଡିକ ସେ ଭୁବନେଶ୍ଵର ନେବାକୁ ବୋଧହୁଏ ଜାଣି ଜାଣି ଭୁଲି ଯାଇଥିଲେ । ରଖିଦେଇଥିଲେ ମମତାର ଟେବୁଲର ଡ୍ରଅରରେ ।

 

କେତେଦିନ ଯାଏଁ ମମତା ସେହି ଛୋଟ ଫଟୋ ଖଣ୍ଡିକ ଛୁଇଁଲା ନାହିଁ । ଡ୍ରଅର ଖୋଲିଲେ ଆଖିରେ ପଡ଼େ । ମନକୁମନ ସେ ଲାଜରେ ସଢ଼େ । ତରଙ୍ଗ ତରଙ୍ଗ ହୋଇ କବାଟ ଆଡ଼କୁ ଅନାଏଁ । ଆଉଥରେ ଚାହେଁ । ମନୋଜ ବାବୁଙ୍କର ବଡ଼ ଫଟୋ ଖଣ୍ଡି ହସିଲା ପରି ସେ ମଣେ । ଚାହୁଁ ଚାହୁଁ ଚମକିଉଠେ । ମଝି କବାଟ ବାଟେ କିଏ ଆସି ପଛରେ ଠିଆ ହେଲାପରି ସେ ଅନୁଭବ କରେ । ଧୀରେ ଧୀରେ ଡ୍ରଅର ବନ୍ଦ କରେ । ପଛକୁ ଚାହେଁ ।

 

କେହି ନାହିଁ । ମନର ଦକ ଘୁଞ୍ଚେ ନାହିଁ । ସେ ଉଠେ । ମଝି ଘରକୁ ଯାଏ । ବାରଣ୍ଡାରେ ଉଣ୍ଡେ । ବୋଉ ଘର କାମରେ ବ୍ୟସ୍ତ । ସାନଭାଇ ଦଶବର୍ଷର ପିଲା ଘରେ ନାହିଁ । ସେ ସ୍କାଉଟରେ ଯୋଗଦେଇଛି । ପୋଷାକପତ୍ର ପିନ୍ଧି, ମୁଣ୍ଡରେ ଟୋପି ନାଇ ସାଙ୍ଗ ପିଲାଙ୍କ ସଙ୍ଗେ ସ୍କୁଲକୁ ଯାଇଛି-। ବାପା ଦାଣ୍ଡରେ । କିଏବା ଆସିବ ତା’ର ଛୋଟ ପଢ଼ା ଘରକୁ ?

 

ଦୀର୍ଘଶ୍ୱାସ ପକାଇ ସେ ଫେରେ । ସରୋଜକୁ ତା’ର ବିଶ୍ୱାସ ନାହିଁ । ଯେତେ ମନାକଲେ ସେ ଡ୍ରଅର ଘାଣ୍ଟି ପେନ୍‍ସିଲ ଚୋରି କରେ । ଫଟୋଖଣ୍ଡି ହାବୁଡ଼େ ପଡ଼ିଲେ, ନେଇଯିବ, ୟାକୁ ତାକୁ ଦେଖାଇବ । କ’ଣ ସବୁ ବକିବ । କେଉଁଠି ଫୋପାଡ଼ି ବି ଦେଇପାରେ । ପରର ଫଟୋ, ମାନେ ଭାଉଜଙ୍କର । ସ୍ନେହରେ ସେ ଆଣିଥିଲେ । ଇସ୍, ଯେଉଁ ତ ଫଟୋ, ତାପାଇଁ ପୁଣି ଗେହ୍ଲେଇ ହୋଇ ଭୁବନେଶ୍ଵରରୁ ଚିଠି ଲେଖିଛନ୍ତି ଲଫାପା ଭିତରେ–

 

ଡଲିଆ, ଜଲିଆ ବୋଉକୁ ଓ ତମକୁ ସଦାବେଳେ ଖୋଜୁଛନ୍ତି । ତମେ ଓ ସରୋଜ ସବୁବେଳେ ମୋର ମନେପଡ଼ୁଛ ମମତା, ଭୁବନେଶ୍ଵର ମୁଁ ନ ଆସିଥିଲେ ଭଲ ହୋଇଥାନ୍ତା । ତମ ଭାଇ ଯେମିତି କେଉଁ ମେସରେ ତିନିମାସ କାଳ ଖାଉଥିଲେ, ସେମିତି ସେ ବାହାଘର ଶେଷଯାଏଁ ଚଳିଥାନ୍ତେ । ତାଙ୍କର ତ ଗଧ ଖଟଣି । ସେତକ ସାରି ବସାକୁ ଆସିଲେ ହାଟବଜାର । ରାତି ପହରକ ଯାଏଁ କେଉଁଠି ଗପ, ନୋହିଲେ ତାଆଁସ ଖେଳ । ପିଲାଙ୍କୁ ସମ୍ଭାଳିବି ନା ଘର କାମ କରିବି-? ବାର ହୀନସ୍ତା ହେଉଛି ।

 

ଯତ୍ନକରି ରଖିଥିବ ମମତା, ଭୁଲରେ ତ ଛାଡ଼ି ଆସିଲି । ଏଠି ଆସି ଯେତେ ଖୋଜିଲେ କାହୁଁ ପାଇବି ? ଶେଷକୁ ମନେପଡ଼ିଲା । ନିର୍ବନ୍ଧକୁ ଯିବି, ବାହାଘର ଶେଷ ଯାଏଁ ରହିବି । ଏଠାକୁ ପଠାଇବା ଲୋଡ଼ା ନାହିଁ । ତମ ପାଖରୁ ମୁଁ ନିଜେ ମାଗିନେବି । ତା’ର ମୁହଁ ଖଣ୍ଡିକ, ଆଖି ଦିଓଟି ଓ ଓଠର ହସ ମୋ ମନରେ ଆଙ୍କି ହୋଇଯାଇଛି । ତମର ହାତ ସେ ଧରିବ, ଯାହା କହନ୍ତି, ହାତୀଦାନ୍ତର ସୁନା ଛାଉଣୀ ହେବ । ଠାକୁରେ ଦୀର୍ଘାୟୁ କରନ୍ତୁ । ଏଇ ସୁକଲ୍ୟାଣ ମୁଁ କରୁଛି ।

 

ସେହି ଚିଠି ଖଣ୍ଡି ମମତା ସବୁଦିନେ ଥରେ ଥରେ ପଢ଼େ, ମନୋଜକୁ ମନେପକାଏ । କେମିତି ସେ ଆସିଥିଲେ, ଏଇ ପଢ଼ା ଘରେ ବସିଥିଲେ, ସେହି ବେତ ବୁଣା ଚଉକିରେ । କେମିତି ସେ ଚାହିଁଥିଲେ, ହସ ହସ ହୋଇ ପଚାରିଥିଲେ, ବୁଝାଇଥିଲେ । ପୁଣି ଆସି ବସିଲା ପରି ଦିଶିଯାଉଛି ।

 

ହେଇଟି, ଭାଉଜଙ୍କର ଚିଠି ଖଣ୍ଡିକ । ତାଆରି ସଙ୍ଗେ, ସେହି ଷ୍ଟାମ୍ପମରା ଲଫାପା ଭିତରେ ଛୋଟ ଫଟୋ ଖଣ୍ଡିକ ରଖିଦେଲେ କାହାରି ନଜର ପଡ଼ିବ ନାହିଁ । ମମତା ଭାବିଲା, ଯଥା ସମୟରେ ଯାହାର ଫଟୋ ସେ ତାଙ୍କୁ ଫେରାଇଦେବ ।

 

ନିରୋଳା ରାତିରେ, ଉଜ୍ଜ୍ଵଳ ବିଜୁଳି ଆଲୁଅରେ, ମମତା ଡ୍ରଅର୍ ଖୋଲି ଫଟୋଖଣ୍ଡି ହାତରେ ଉଠାଇଲା । ନିବିଷ୍ଟ ନେତ୍ରରେ ଚାହିଁ ରହିଲା ସେହି ସୌମ୍ୟ-ମୂର୍ତ୍ତିକୁ; ଅଦୂର ଭବିଷ୍ୟତରେ ଯିଏ ହେବେ ତା’ର ଜୀବନ ସର୍ବସ୍ଵ ! ଭାରତୀ ଯେଉଁ ସୁନାର ମୁଦିଟି ତାକୁ ପିନ୍ଧାଇ ଦେଇଥିଲେ ସେଇଟି ଆଜି ଯେପରି ଆହୁରି ଝଟକିଉଠୁଥିଲା । ସାରା ଶରୀରରେ ସେ ଗୋଟିଏ ଅଭିନବ ଆମୋଦପ୍ରଦ ଶିହରଣ ଅନୁଭବ କଲା ।

 

ଚିତ୍ରଟି ସତେକି ଜୀବନ୍ତ ହୋଇଉଠିଲା । ମମତା ଆଉ ଚାହିଁପାରିଲା ନାହିଁ । ଲାଜେଇ ଲାଜେଇ ତାକୁ ସେ ଲତିକାଙ୍କର ପତ୍ର ଭିତରେ ଥାପି ଲଫାପା ଭିତରେ ଭରି ସେହି ଡ୍ରଅରେ ରଖିଲା ।

 

ଦିନଟିଏ କେବେ ବାକି ପଡ଼ି ନାହିଁ । ଥରେ ନୁହଁ, କେତେଥର ସେ ଲତିକାଙ୍କର ସ୍ନେହବୋଳା ପତ୍ର ଖଣ୍ଡି କାଢ଼ି ପଢ଼ିଛି । ଯେଉଁଥିପାଇଁ ପତ୍ରପାଠର ଛଳନା, ତାକୁ ସେ ବାରମ୍ବାର ଚାହିଁଛି । ଭବିଷ୍ୟତ ଜୀବନର କେତେ ରଙ୍ଗୀନ ସୁଖସ୍ଵପ୍ନରେ ଜର ଜର ସେହି ଚାହାଣି ।

 

ବୋର୍ଡ-ପରୀକ୍ଷାର ଫଳ ବାହାରିଲା । ମମତାର ବିଦ୍ୟାଳୟରୁ ପଞ୍ଚସ୍ତରୀ ଜଣ ଛାତ୍ର-ଛାତ୍ରୀ ପରୀକ୍ଷା ଦେଇଥିଲେ । ଉତ୍ତୀର୍ଣ୍ଣ ହେଲେ ତେୟାଳିଶ । ମୋଟେ ଚାରିଜଣ ପ୍ରଥମ ଶ୍ରେଣୀରେ, ପନ୍ଦରଜଣ ଦ୍ୱିତୀୟ ଶ୍ରେଣୀରେ । ଅବଶିଷ୍ଟ ଛାତ୍ର ତୃତୀୟ ଶ୍ରେଣୀରେ । ମମତା ପ୍ରଥମ ଶ୍ରେଣୀରେ କୃତକାର୍ଯ୍ୟ ହୋଇଥିଲା । ପ୍ରଥମ ଦଶଜଣଙ୍କ ମଧ୍ୟରେ ସେ ବିଦ୍ୟାଳୟର କେହିନଥିଲେ ନାହିଁ, ଝିଅ-ପିଲା ହିସାବରେ କେଉଁ କଲେଜରେ ଅଧ୍ୟୟନ କଲେ ମମତା ଯେ ବୃତ୍ତିଟିଏ ପାଇବ, ଏହା ନିଃସନ୍ଦେହ ।

 

ଗ୍ରୀଷ୍ମ ଅବକାଶରେ ଘରକୁ ଆସିଥିବା ମନୋଜ ଏ ବିଷୟ ସମସ୍ତଙ୍କୁ ବୁଝାଇ ଦେଇଥିଲା-। ପରେଶବାବୁ ଓ ସୁଦର୍ଶନବାବୁଙ୍କର ଦିଓଟି କୁଟୁମ୍ବରେ ଆନନ୍ଦର ଢେଉ ଖେଳିଗଲା । ଦିନ ଚାରିଟା ପରେ ମହାପ୍ରସାଦ-ନିର୍ବନ୍ଧ ହେବ, ତଥାପି ତା’ ପୂର୍ବରୁ ଭାରତୀ ଓ ତାଙ୍କର ଦୁଇ କନ୍ୟା ସୁରମା ଏବଂ ସୁଷମାଙ୍କୁ ସେହି ଆନନ୍ଦର ଢେଉ ଠେଲି ଆଣିଥିଲା ସୁରଭୀଙ୍କ ଘରକୁ ।

 

ସେମାନେ ଅଭିନନ୍ଦନ ଜଣାଇଲେ । ଭାରତୀ ତାଙ୍କର ଲକ୍ଷ୍ମୀ-ବୋହୂଟିକୁ ନୂଆ ଆଖିରେ ଦେଖିଲେ । ମମତା ତାଙ୍କୁ ଆହୁରି ସୁନ୍ଦର, ତେଜୀୟାନ ଓ ସ୍ନେହର ପିତୁଳା ପରି ଦିଶିଲା । ତା’ର ହାତଟିଏ ଧରୁଣୁ, ଲାଜରେ ସେ ଲାଜକୁଳୀଲତାଟି ପରି ଝାଉଁଳିଗଲା ।

 

ଭାରତୀ କହିଲେ ସୁରଭୀଙ୍କୁ, ମନୋଜ କହୁଛି, ମମତା କଲେଜରେ ନାମ ଲେଖାଇ ପଢ଼ିବ । ଝିଅଙ୍କ କଲେଜରେ ହଷ୍ଟେଲରେ ରହିବ । ଅସୁବିଧା ହେବ ନାହିଁ ।

 

ସୁରଭୀ କହିଲେ, ପଢ଼ିବାକୁ ଝିଅର ବଡ଼ ଆଗ୍ରହ ଯେ, ତୁମେ ଶାଶୁ ଶଶୁର ଯାହା ବିଚାରିବ ସେଇଆ ହେବ । ମୋ ଝିଅ ଅମାନିଆ ହେବାର ପିଲା ନୁହେଁ ।

 

ଭାରତୀ କହିଲେ, ତା’ ଶଶୁରଙ୍କର ମତ ଅଲଗା । ସେ ମନୋଜକୁ ତିଆରି କହିଲେ, ମୋ ବୋହୂ କ’ଣ ପାଠ ପଢ଼ି କେଉଁଠି ଚାକିରି କରିବ କିରେ ? ପାଠ ପଢ଼ିବାକୁ କେହି ବାରଣ କରୁନାହିଁ । ତୁ ତାକୁ ପାଖରେ ରଖି ଯେତେ ମନ ସେତେ ପଢ଼ା । ମନହେଲେ ବାହାର-ଛାତ୍ରୀ ହୋଇ ପରୀକ୍ଷା ଦେବ, ପାଶ୍ କରିବ ।

 

ସୁରଭୀ କହିଲେ, ସେ ବିଚାର ତମର ସମୁଦୁଣୀ ।

 

ପଢ଼ା ସମ୍ବନ୍ଧରେ ଆଲୋଚନା ସେଇଠି ସରିଲା । ମମତା ଓ ହେବାକୁ ଯାଉଥିବା ତା’ର ଦୁଇଟି ନଣନ୍ଦ ସୁରମା ଓ ସୁଷମା ପାଖରେ ବସି ଶୁଣୁଥିଲେ । କେହି ପାଟି ଖୋଲୁନଥିଲେ ।

 

ଯଥା ସମୟରେ ମହାପ୍ରସାଦ ନିର୍ବନ୍ଧ ଦେବୀଙ୍କ ମନ୍ଦିରରେ ସର୍ବ ଶୁଭରେ ସମ୍ପନ୍ନ ହେଲା-। ନିଜେ ସୁରଭୀ କନ୍ୟାର କପାଳରେ ଦେବୀଙ୍କର ପବିତ୍ର ସିନ୍ଦୁର ଟୋପା ଲଗାଇଦେଲେ-। ଆନନ୍ଦରେ ଦୁଇଆଖିରେ ଲୋତକ ଢଳ ଢଳ ହେଲା । ଯେଉଁ କନ୍ୟାଟି ତାଙ୍କର ଛାତି, କୋଳ, ଆଖି ଓ ପରେ ନୟନ ଏବଂ ମନର ଆନନ୍ଦ ବର୍ଦ୍ଧନ କରୁଥିଲା, ଯିଏ ସବୁବେଳେ କୁହାର ବୋଲର ହୋଇଥିଲା, ଏକା ସେ ନୁହଁନ୍ତି, ବାପ, ଭାଇ, ଭାଉଜ, ଆତ୍ମୀୟମାନେ ଓ ସାହି ପଡ଼ିଶା ଯାହାକୁ କେବେ ପଦେ ଟାଣ କଥା କହିନାହାନ୍ତି, ସେହି ତାଙ୍କର ମମତା ମାସ ତିନୋଟି ନ ପୂରୁଣୁ ପର ଘରକୁ ଚାଲିଯିବ । ସତରଟି ବର୍ଷର ଅର୍ଦ୍ଦଳି ସତର ମୁହୂର୍ତ୍ତ ପରି ଲାଗିବ । ହଁ, ଇଏତ ସଂସାରର କଥା । ଝିଅଜନ୍ମ ପରଘର ପାଇଁ । କର୍ତ୍ତବ୍ୟ ସିନା ବୁଝିବ, ଦେହ ସିନା ସହିବ, ମନ ତ ବୁଝିବ ନାହିଁ, ଓଲେଇ ଆଖି ତ ସହିବ ନାହିଁ । ତାଙ୍କର ମମତା ଏ ଘର ଶୂନ୍ୟ କରି ସେ ଘରକୁ ଚାଲିଗଲା ପରେ ରଜ, ଖୁଦୁରୁକୁଣୀ, କୁଆଁର ପୁନେଇଁ ଏ ଘରେ ହେବ ସାତ ସପନ । ସତେ ମା’ ମଙ୍ଗଳା କରିବେ, ଡଲିଆ ଜଲିଆଙ୍କ ତଳେ ବୋହୂ, ଲତିକାର ଏଇ ଗର୍ଭରୁ ଝିଅଟିଏ ଜନ୍ମିବ !

 

ଲତିକାଙ୍କ ମୁହଁରେ ହସ କିନ୍ତୁ ଆଖି ଛଳଛଳ । ସେ ବି ସେଇଆ ଭାବୁଥିଲେ । ଏ ଘରକୁ ବୋହୂ ହୋଇ ଆସିଲାବେଳେ ତାଙ୍କୁ କୋଡ଼ିଏ ପୁରି ଏକୋଇଶି ଚାଲିଥିଲା । ଏଇ ଝିଅଟା, ସୁନା ଖଡ଼ିକା ପରି ଦେହ । ଚନ୍ଦ୍ର ଉଦିଆ ପରି ମୁହଁ । ଏଗାରବର୍ଷର ଛୁଆ, କାନି ତଳେ ପଶୁଥିଲା । ଭାଇଙ୍କର ଖେଳ କଣ୍ଢେଇ । ଲାଜକୁଳୀ-ଲତାଠାରୁ ବଳି ଲାଜୁକୀ । ଛୁଇଁବା ଲୋଡ଼ା ନାହିଁ । ମୁହଁକୁ ହସିଲା–ଆଖିରେ ନିରେଖି ଚାହିଁଲେ ହାତ ପାପୁଲିରେ ମୁହଁ ଘୋଡ଼ାଏ । ଦେହରେ ଟିପ ଛୋଇଁଲେ କାନିର ଆଭରଣ ଖୋଜେ । ନିଜେ ତ ପିନ୍ଧିଥାଏ ଫ୍ରକ୍ ଖଣ୍ଡିଏ ।

 

ମମତା ନଣନ୍ଦ ହୋଇପାରିନଥିଲା । ସାନ ଭଉଣୀ ଓ କନ୍ୟାର ସରାଗ ସେ ଖୋଜିଥିଲା । ପାଇଥିଲା । ତିନୋଟି ମାସ ପୂରିବା ଆଗରୁ ମନୋଜର ହାତଧରି, ତାଙ୍କୁ ସାତପର ସାତ ସପନ କରି ସେ ଚାଲିଯିବ । ହଉ, ଠାକୁରେ ତାକୁ ସୌଭାଗିନୀ, ପତିସୋହାଗିନୀ କରନ୍ତୁ । ସୁଖରେ ଥାଉ ।

 

ମମତାର ଗଣ୍ଡ ପ୍ଲାବନ କରିଥିଲା ଲୁହଧାର ।

 

ସେ ଲୋତକ ଆଉ ଶୁଖିଲା ନାହିଁ । ସମସ୍ତେ ଆଶ୍ଚର୍ଯ୍ୟ ହେଲେ । କ’ଣ ହୋଇଛି ଝିଅର-। ଦୁଇଦିନ ଦୁଇରାତି କଟିଲାଣି । ତା’ର ସେହି ପଢ଼ାଘରର ଛୋଟ ଖଟ ଖଣ୍ଡିକରୁ ସେ କ୍ୱଚିତ୍ ଓହ୍ଲାଉଛି । ନିତ୍ୟକର୍ମ ପାଇଁ ଖିଆପିଆ ପାଇଁ ଓ ପ୍ରସାଧନ ପାଇଁ ଯେବେ ସେ ପଦାକୁ ବାହାରୁଛି, କିପରି ଟଳି ଟଳି ଚାଲୁଛି । କେବଳ ଡଲିଆ ଓ ଜଲିଆକୁ କୋଳରେ ଧରିଲେ, ତାଙ୍କୁ ଖେଳାଇ ହସାଇ ତାଙ୍କ ସଙ୍ଗେ କଥାଭାଷା ହେଲେ ସେ ଖସି ରହୁଛି । ସାନ ଭାଇ ସରୋଜର ହୁମ୍‍ଦୁମ୍ ସେ ସହିପାରୁ ନାହିଁ ।

 

ଲତିକା ପଚାରିଲେ ଶାଶୁ ସୁରଭୀଙ୍କୁ, ମମତାର ମନରେ କି ଦୁଃଖ ହୋଇଛି ବୋଉ, ଯେତେ ବାଆଁରେଇ ପଚାରିଲେ ସେ କିଛି କହୁନାହାନ୍ତି । ହସି ଦେଉଛନ୍ତି ।

 

ଆଲୋ ମା’, ବାହାହେବାକୁ ଯାଉଥିବା ଝିଅ, ବଡ଼ ହେଲାଣି, ପାଠ ପଢ଼ିଛି, ସବୁ ଜାଣୁଛି ଶୁଣୁଛି, ଏ ଘରର ସ୍ନେହ-ମମତାର ଡୋର ଛିଣ୍ଡାଇ ପର ଘରକୁ ଯିବା, ମନ ଦୁଃଖ କରିବା, ଟିକିଏ କାନ୍ଦିବା ଅତି ସ୍ୱାଭାବିକ । ଆମ ଅମଳରେ, ମା’-ଖୁଡ଼ି । ବତାଇ ଦିଅନ୍ତି । କହନ୍ତି, ନ କାନ୍ଦିଲେ ସାହିପଡ଼ିଶାର ମାଇପେ ମୁହଁ ମୋଡ଼ିବେ । କୁହାକୁହି ହେବେ; କେଡ଼େ ଅଲାଜୁକୀ ଝିଅଟା, ବାହାହେବାକୁ ହମହମ ହେଉଛି । ଶାଶୁ ଘରକୁ ଯିବାକୁ ତା’ ଗୋଡ଼ ଟେକି ବସିଛି ସେ ନାଁ-ପକେଇ-

 

ଲତିକା ଶାଶୁଙ୍କ ସଙ୍ଗେ କଥା କଟାକଟି କଲେ ନାହିଁ । ଓଲଟ ଜବାବ ଦେବା ତାଙ୍କର ପ୍ରକୃତି ନୁହେଁ, କିନ୍ତୁ ତାଙ୍କର ମନ ମାନିଲା ନାହିଁ । ବିଚାରିଲେ, ମମତା ସେ–ଜାତିଆ ଝିଅ ନୁହେଁ । କେଜାଣି କେଉଁଠୁ ମନୋଜର ନାମରେ କ’ଣ ଶୁଣିଥିବ । ହିଂସୁକୀଙ୍କର ଅଭାବ ନାହିଁ । ବାଗଉଣ୍ଡି ମନୋଜର ନାମରେ କିଏ କ’ଣ ଫୋଡ଼ିଥିବ ତା’ର କାନରେ । ନିଶ୍ଚୟ ଭାରି ଅସନା କଥା, ନୋହିଲେ ମମତା ତାଙ୍କ ମନକୁ ଲତିକାଙ୍କ ଆଗରେ ପ୍ରକାଶ କରିଥାଆନ୍ତେ ।

 

ଚାରିଦିନ ପରେ, ଆଜି ମମତାର ଢଙ୍ଗ ବଦଳିଛି । ସେ ଯା-ଆସ କରୁଛନ୍ତି । ପିଲାଙ୍କ ସାଙ୍ଗରେ ହସି ହସି ଖେଳୁଛନ୍ତି । ଗପ ବହିଟିଏ ଧରି ପଢ଼ୁଛନ୍ତି । ବେଳେବେଳେ ଅବଶ୍ୟ କେଉଁ ଅଜଣା ବେଦନାରେ ମୁହଁ ବିକୃତ କରି ଭିଡିମୋଡ଼ି ହେଉଛନ୍ତି । ବାମ ଗୋଡ଼ଟିକୁ ଧୀରେ ଧୀରେ ଚଉକି ଉପରକୁ ଉଠାଉଛନ୍ତି । ଲୁଗା ଭିତରେ ହାତ ଭରି ସେଇ ଗୋଡ଼ଟି ଧରୁଛନ୍ତି । ତଳକୁ ଗୋଡ଼ ଲମ୍ବାଇ ବହୁ ସମୟ ଗୋଟିଏ ଜାଗାରେ ବସିଲେ, ଅଣ୍ଟାପିଠି ଲାଗିଯାଏ । ଗୋଡ଼ ଘୋଳିହୁଏ । ନୂଆ କଥା କିଛି ନାହିଁ ।

 

ପିଲା ଦିଓଟି ରାତିରେ ଶୋଇପଡ଼ିଥାନ୍ତି । ଲତିକା ମମତା ପାଖକୁ ଆସିଲେ । ଖଟଉପରେ ବସିଲେ । ଏଣୁତେଣୁ କଥାଭାଷା ହେଲେ । ନଣନ୍ଦର ମନ ମଜାଇ ଗେହ୍ଲେଇ ପଚାରିଲେ, ମମତା ଗୋ, ମୋ ସୁନା ଭଉଣୀଟି, ପଚାରିବି ସତ କହିବ ?

 

ମମତା ଗଳ୍ପ ବହି ଉପରୁ ମୁହଁଟେକି, ଓଠରେ ହସ ବିକଶାଇ କହିଲା, ତମ ଆଗରେ ମୁଁ କେବେ ମିଛ କହିବାର ଜାଣିଛକି ଭାଉଜ ! ଏମିତି ପ୍ରଶ୍ନ ତମେ ପଚାରି ମୋ ମନରେ ଦୁଃଖ ଦେଉଛ କାହିଁକି ?

 

ଲତିକା ତା’ର ହାତଟି ଧରି ଟେକିଲେ । ଯେଉଁ ହାତରେ ସେ ଭାରତୀ ଦେଇଥିବା ସୁନା ମୁଦିଟି ନାଇଥିଲା, ତାକୁ ଧୀରେ ଆଉଁସି କହିଲେ, ସେମିତି ପଚାରିବା ମୋର ସତେ ଭୁଲ୍ ହୋଇଛି-। ତମ ପରି କ’ଣ ମୁଁ ଏତେ ପାଠ ପଢ଼ିଛି ଯେ ମାପିଚୁପି କହିପାରିବି ?

 

ମତେ ଆଉ ଲାଜ ଦିଅ ନାହିଁ ଭାଉଜ । ସ୍ନେହ, ଶ୍ରଦ୍ଧା, ଭକ୍ତି, ସହଣୀ ପଣରେ ମୋର ଯେଉଁ ଲକ୍ଷ୍ମୀ ଭାଉଜଟିର ମନଟି ଗଢ଼ା, କେଉଁ ଗୁଣରେ ତା’ର ପାଦ ତଳକୁ ମୁଁ ସରିହେବି ଯେ ଚାରିପଦ ପାଠର ବଡ଼େଇ କରିବି ? କ’ଣ ପଚାରିବ ପଚାର । କିଛି ଲୁଚାଇବି ନାହିଁ । ସବୁ କହିବି-

 

ଲତିକା ପଚାରିଲେ, ଆମ ଜାଣିବା ଶୁଣିବାରେ ମନୋଜ ବାବୁଙ୍କ ପରି ସାଧୁ ଚରିତ୍ରବାନ ପିଲା ଏ ଯୁଗରେ ବିରଳ । ମୁହଁ ତଳକୁ କରି ବାଟ ଚାଲନ୍ତି । ସମସ୍ତେ ତାଙ୍କୁ ପ୍ରଶଂସା କରନ୍ତି । ବେଶୀ ତ ଜାଣନ୍ତି ତମର ଭାଇ । କହନ୍ତି, ଚାରି ମାଡ଼ ମାଇଲେ ମନୋଜ ହସି ହସି ସହିବ ପଛେ, ମୁହଁ ହୁଡ଼ି ଟାଣ ପଦେ ଓଲଟି କହିବ ନାହିଁ । ବାପଙ୍କର ଓଲଟା । ମିଛ ହିସାବ ଲେଖି ଆସେ ନାହିଁ । ବେପାରରେ କଳାବଜାର କରି ଜାଣେ ନାହିଁ । ତମ ଭାଇ କହନ୍ତି, ସେଇଥିପାଇଁ ବେପାର ନ କରି ସେ ମାଷ୍ଟର ଚାକିରି କଲେ । କୁଆଡ଼େ ନିଜ ଆଦର୍ଶରେ ଏବକାର ଚଗଲା ପିଲାଙ୍କୁ ସୁଧାର କରିବେ-

 

ମମତା ହସିଲା । କହିଲା, କଲେ ତାଙ୍କ ସ୍କୁଲର ପିଲାମାନଙ୍କୁ ସେ ସୁଧାର କରୁଥିବେ । ସୁରମା କହୁଥିଲା, ତା’ ଭାଇଙ୍କ ସ୍କୁଲରୁ ଶହେ ବାରଜଣ ପିଲା ପରୀକ୍ଷା ଦେଇଥିଲେ ଯେ ସତାଅଶୀ ଜଣ ପାଶ୍ କରିଛନ୍ତି । ଏଗାରଜଣ ପ୍ରଥମ ଶ୍ରେଣୀ ପାଇଛନ୍ତି । ପ୍ରଥମ ଦଶଜଣଙ୍କ ମଧ୍ୟରେ ସେ ସ୍କୁଲରୁ ଦୁଇଜଣ ଅଛନ୍ତି ।

 

ଦେଖିଲା ମମତା, ମନୋଜ ଆମର କେମିତିକା ମାଷ୍ଟର ? ଆସନ୍ତା ଯଦି ବଦଳିହୋଇ ଆମର ଏଇ ସ୍କୁଲକୁ, ଏଠାକାର ଚଗଲା ଟୋକାଗୁଡ଼ାକ ସାଧ୍ୟ ହୁଅନ୍ତେ । ଯେଉଁ ହୁରୁହୁରୁ କରୁଛନ୍ତି; ଶ୍ରୀ ପଞ୍ଚମୀ ଓ ଗଣେଶ ଚତୁର୍ଥୀରେ ରାତି ପାହାନ୍ତାରେ ଭଦ୍ରଲୋକଙ୍କ ବାରିରେ ପଶି ଫୁଲ ଚୋରି କଲ ତ କଲ, ଫୁଲକୁଣ୍ଡ ଚୋରିକରି ବଗିଚାକୁ ଧ୍ଵଂସନାଶନ କରି ପଳାଉଛନ୍ତି । ବାରିରେ କସି କଦଳୀ କାନ୍ଦିବି ରହୁନାହିଁ । ଗତବର୍ଷ ଦଶହରାକୁ ମହାଷ୍ଟମୀ ରାତିରେ ପରା କେଉଁ ଭଦ୍ରଲୋକଙ୍କର କୁକୁଡ଼ା ଘର ଭାଙ୍ଗି କୁକୁଡ଼ାତକ ଚୋରି କରିନେଲେ ?

 

ହଁ ଭାଉଜ, ପରେ ଜଣାପଡ଼ିଲା ଯେ ସେମାନଙ୍କ ଭିତରେ ସହରର କେତେ ଗୁଣ୍ଡା-ଶ୍ରେଣୀର ଲୋକ ବି ଥିଲେ । କେଉଁ ଦୂର ବଗିଚାରେ ଫିଷ୍ଟ କରି ଖାଇଲେ । ସେମାନଙ୍କ ଜ୍ୱାଳାରେ ଝିଅପିଲାଏ ଏକୁଟିଆ ବାଟରେ ଯିବାକୁ ଡରିଲେଣି । ପଛରେ ଥାଇ ଅଭଦ୍ର ଭାଷାରେ କ’ଣ ସବୁ କହିଛନ୍ତି । କେହି କେହି ତରତର ହୋଇ କଡ଼େଇ ଯାଉଣୁ ଲୁଗାର ପଣତ, ମୁଣ୍ଡର ବେଣୀ ଟାଣି ଦେଉଛନ୍ତି । ଏଡ଼େ ଅଭଦ୍ର ହେଲେଣି !

 

ଲତିକା କହିଲେ, ମନୋଜ ଯଦି ଏଠିକି ଆସନ୍ତେ–

 

ଓଲଟା କେଉଁଠି ଅନ୍ଧାରି ଗଳିରେ ତାଙ୍କର ହାଡ଼ ଗୋଡ଼ ଛେଚି ଦିଅନ୍ତେ ଭାଉଜ ! ଶୁଣିନ, ଟେଷ୍ଟ ପରୀକ୍ଷାରେ କପି ଧରିଲେ ବୋଲି ନଗେନ ସାର୍‍ଙ୍କର କି ଅବସ୍ଥା ହେଲା ? କପି ଧରିବାକୁ ମାଡ଼ ଡରରେ ଆଉ କୌଣସି ମାଷ୍ଟର ସାହସ କଲେନାହିଁ । ଗଦାଏ ଫେଲ୍ ହୋଇଛନ୍ତି । ଏଥର ତାଙ୍କର ମୁରବିମାନେ ବୁଝାନ୍ତୁ । ମାଷ୍ଟରମାନଙ୍କର କି ଥାଏ ? ସେମାନେ ଦରମା ପାଉଛନ୍ତି, ଘରେ କେହି କେହି ଚାହାଳି ଖୋଲି ଟିଉସନ୍ କରୁଛନ୍ତି ଯେ ଗଦାଗଦା ଟଙ୍କା ଅର୍ଚ୍ଚନା କରୁଛନ୍ତି । ତମେ ପିଲାଏ ପାଠ ପଢ଼ିଲେ ପଢ଼, ନ ହେଲେ ନାହିଁ । ପାସ୍ କଲେ କର, ନ କଲେ ନାହିଁ ।

 

ବୁଝିଲି ମମତା, ଆମ ମନୋଜ ସେଇଠି ଥାଉ, ଏଠିକି ଆସିବ କାହିଁକି, ମାଡ଼ ମୁଲେଇବ କାହିଁକି ? ମୁଁ ଭାବୁଛି, ନିମିତ୍ୟ ସରିଲେ ଆମ ସରୋଜଙ୍କୁ ମନୋଜ ପାଖକୁ ପଠାଇଦେବା । ଏଠି ସେ ଦୁଷ୍ଟ ହୋଇଯିବ । ବାପା ବୋଉ କ’ଣ ଛାଡ଼ିବେ ତାଙ୍କର ଆଖିର ପିତୁଳାକୁ, ଭାଇଙ୍କ ସଙ୍ଗରେ ଭୁବନେଶ୍ଵର ନ ଛାଡ଼ିଲେ ନାହିଁ ।

 

ଏଣୁତେଣୁ କେତେ ଗପ ହୋଇଗଲା ଭାଉଜ, ନିଦ ମାଡ଼ିଲାଣି । କ’ଣ ପଚାରୁଥିଲ ପରା ?

 

ଲତିକା କହିଲେ, ଆରେ ହଁ, କ’ଣ ପଚାରିଥିଲି କି, ଏ ସାହିର ହିଂସୁକୀ-ନାନ୍ଦୁରୀଙ୍କ କଥା ତ ଜାଣିଛ । ବାହାଘରରେ ବିଘ୍ନ ଘଟାଇବାକୁ ସେମାନେ ଆସି ଗୋଟାଛାଏଁ ଆପଣାର ହୋଇଯିବେ-। ତମକୁ ପ୍ରଶଂସା କରି ସ୍ଵର୍ଗକୁ ଟେକିଦେବେ । ପିଠି ଆଉଁସି ଗେହ୍ଲା କରିବେ ଯେ ତମେ କିଣି ହୋଇଯିବ । ସେଇଠୁ ଅତି ଗୁପ୍ତରେ ତୁନିତୁନି କରି ତମ କାନରେ ବିଷ ଢାଳିଦେଇ ଯିବେ-। ଆସୁଛନ୍ତି ତ କେହି କେହି ।

 

ହଁ ଭାଉଜ, ଆସୁଛନ୍ତି । କାହାକୁ କିଏ ମନାକରିବ ?

 

ଲତିକା ମୁଣ୍ଡ ହଲାଇ ଖୁସିହୋଇ କହିଲେ, ମୁଁ ଜାଣେ ପରା, ମୋର ଅନୁମାନ ସତ ଫଳିଛି । ନିଶ୍ଚେ ସେମିତିକା କେହି ଆସି କେବେ ତା’ ନାମରେ ତମ କାନରେ କ’ଣ ସବୁ ଫୁଙ୍କି ଦେଇଯାଇଛି ।

 

ଭୟରେ ମମତା ଚିହିଙ୍କି ଉଠିଲା । ଡରରେ ସାମାନ୍ୟ ଥରିଲା ସ୍ଵରରେ ସେ ପଚାରିଲା, କାହା ନାମରେ ଭାଉଜ ! ମୋ ଆଗରେ କେହି ତ କିଛି ସେପରି କେବେ କହିନାହିଁ । କାହା ନାମରେ– ?

 

ଲତିକା ମମତାର ମୁହଁର ବିଷଣ୍ଣତା ଦେଖି ନିଜର ଭ୍ରମ ବୁଝିଲେ । ସେ ଜାଣିଲେ ଯେ ତାଙ୍କର ଶାଶୂଙ୍କର କଥା ହିଁ ଠିକ୍ । ମହାପ୍ରସାଦ ନିର୍ବନ୍ଧ ପରେ ଝିଅମାନେ ପରଘରକୁ ଅଦୁର ଭବିଷ୍ୟତରେ ଯିବେ, ବାପ ଘରର ସବୁ ସ୍ନେହ ମମତାର ଡୋର ଛିନ୍ନ ହେବ, ଏହି ଭାବନାରେ ଅସ୍ଥିର ହୋଇ ଲୁଚାଇ ଲୁଚାଇ କାନ୍ଦନ୍ତି । ମମତାଙ୍କର ତାହାହିଁ ହୋଇଛି । ସେହି ଭାବନାର ଘନଘଟା ଆଜିଯାଏଁ ତାଙ୍କର ମୁହଁରୁ ଅପସରି ନାହିଁ ।

 

ଲତିକା ହସ ହସ ହେଲେ । ମମତାର ଚିବୁକ ଧରି ମୁହଁଟିକୁ ଟେକିଧରିଲେ । କହିଲେ, ତମେ ଏମିତି ଡରିଯାଉଛ କାହିଁକି ? ମୁଁ ନିଜେ ଭୁଲ୍ ବୁଝିଥିଲି । ମନରୁ ସବୁ ଦୁଶ୍ଚିନ୍ତା ପୋଛି, ତମେ ଆଲୁଅ ଲିଭାଇ ଶୋଇପଡ଼ିବଟି । ତମକୁ ଭାରି ନିଦମାଡ଼ୁଛି–

 

ମମତାର ଆଖିରୁ ଲୁହ ଠୋପା ଗଳିପଡ଼ିଲା । ସେ ଲତିକାଙ୍କ ହାତରୁ ମୁହଁ ପଛେଇନେଲା । ଦୀର୍ଘଶ୍ୱାସ ଛାଡ଼ି ସେ କହିଲା, ନ କହିଲେ ନାହିଁ । ସାନ ଭଉଣୀଠାରୁ ବଳି ଅଧିକ ସ୍ନେହ କରୁଥିଲ । କପଟ କରୁଛ, କଥା ଲୁଚାଉଛ ? ଭାଉଜ ଗୋ, ଯାହାସବୁ ଏବେ ଜାଣିଲ, ତମମାନଙ୍କର ଆଗରୁ ଅନୁସନ୍ଧାନ କରି ଜାଣିବା ଉଚିତ ଥିଲା ।

 

ପାଗଳୀଙ୍କ ପରି ଏଣୁତେଣୁ କ’ଣ ଗପୁଛ ମମତା ?

 

କେବେ ଏପରି ଦୁଃସାହସ କରିନଥିଲି ଭାଉଜ ! ମତେ ତମେ ନିର୍ଲଜ୍ଜୀ କହିଲେ କହ । ମୋର ଆଜି ଗପିବାକୁ ମନହେଉଛି । ଆଉ କେବେ ସୁଯୋଗ ନ ମିଳିପାରେ । ବଦଳାଇ ହେବ ନାହିଁ ଭାଉଜ, ନେଡ଼ିଗୁଡ଼ କହୁଣୀକୁ ବୋହିସାରିଛି ।

 

କେଉଁ ଅଶୁଭ ଆଶଂକା ? ଏ କାଳକୁ ସବୁ ଅସମ୍ଭବ ସମ୍ଭବ ହେଉଛି । ଲୋକଙ୍କର ବାହାର ଦେଖି ଭିତର କଳନା କରିହେବ ନାହିଁ । ସମସ୍ତେ ମଉନମୁହାଁ, ଚୁପ୍‍ସଇତାନ । ବଢ଼ିଲା ଝିଅ, ବାହାରକୁ ଯା-ଆସ କରୁଥିଲେ । କି ବିଡ଼ମ୍ବନା ଘଟିଥାଇପାରେ ?

 

ଡରି ଡରି ଲତିକା ସ୍ୱର୍ଗତୋକ୍ତି କଲେ, ନେଡ଼ିଗୁଡ଼ କହୁଣୀକୁ ବହିଯାଇଛି ?

 

ନୁହେଁ ତ ଆଉ କ’ଣ ? ସେମାନଙ୍କୁ ଆଗରୁ ମୁଁ କେବେ ଜାଣିନଥିଲି । ଛଅମାସ କି ଆଠମାସ ହେବ, ସେମାନେ ବାରମ୍ବାର ଆମ ଘରକୁ ଆସିଲେ । ଗାଈ ବାଛୁରୀ ଦେଖିଲା ପରି ମତେ ଦେଖିଲେ । ଶେଷକୁ ତାଙ୍କୁ ବି ଗୋଟାଏ ଆରରେ ଘରକୁ ଧରିଆଣିଲା । ଯାହା ସବୁ ଘଟିଲା ଜାଣିଛ । ଏଇ ଦେଖ ମୋ ହାତର ଏ ମୁଦି । ତମର ଚିଠି, ଆଉ ତମେ ଛାଡ଼ି ଯାଇଥିବା ଫଟୋ ଖଣ୍ଡିକ ବି ମୁଁ ଯତ୍ନରେ ସାଇତି ରଖିଛି । ସେଇଠୁ ନିର୍ବନ୍ଧ । ମୋ କପାଳରେ ସିନ୍ଦୁର ଠୋପା । ସେ ଲିଭିଛି । କିନ୍ତୁ ସେ ଠୋପାଟି ଯାଇ ମୋ ଆତ୍ମାରେ ଲାଗିଛି । ତମେ କହ ଭାଉଜ, ଆଉ ବଦଳିବ କେମିତି ? ତାଙ୍କ ନାମରେ ତମେ ଯେଉଁଠୁ ଯାହା ଶୁଣିଥିବ ଭାଉଜ, ଆଉ କହ ନାହିଁ । ଜାଣିଲ ତ ଏବେ ନେଡ଼ିଗୁଡ଼–

 

ଗଭୀର ଅନୁଶୋଚନା ଓ ଆତ୍ମଲାଞ୍ଛନାରେ ଲତିକା କାନ୍ଦିଉଠିଲେ । ମମତାର ହାତ ଦୁଇଟି ଧରି କଇଁକଇଁ ହୋଇ ସେ କହିଉଠିଲେ, ମତେ ଠାକୁରଙ୍କରାଣ, ମୁଁ ମନୋଜ ନାମରେ କେବେ କାହାରି ମୁହଁରୁ ଦୁର୍ନାମ ଶୁଣିନାହିଁ । ସେ ନିଷ୍କଳଙ୍କ ପୁରୁଷ ଗୋ ମମତା-ରାଣୀ, ତମର ଭାଇ ସେଇଆ କହନ୍ତି । କିଏ କାଳେ ତମ କାନରେ କ’ଣ ବିଷ ଢାଳିଥିବ ବୋଲି ପଚାରିଲି, ଟିକିଏ ତମକୁ ସାବଧାନ କରିଦେବାକୁ ।

 

ମୋ ଦୋଷ କ୍ଷମାକର ଭାଉଜ !

 

ତମର କି ଦୋଷ ? ବେଶୀ ପାଠ ପଢ଼ିନାହିଁ; ମତେ କଥା କହି ଆସେ ନାହିଁ । ନିର୍ବନ୍ଧ ପରେ ତମେ ଘରୁ ଉଠିଲ ନାହିଁ । ଆଡ଼ବାଇଆଣୀ ପରି ହେଲ । ଲୁଚାଇ ସବୁବେଳେ କାନ୍ଦିଲ । ମୁଁ ଭାବିଲି, ତମ କାନରେ ମନୋଜ ନାମରେ କିଏ କ’ଣ କହିଲା କି ? ସେଇଥିପାଇଁ ମୋ ମତି ସ୍ଥିର ରହିଲା ନାହିଁ । ତମର ଢଙ୍ଗ ଦେଖି ମୁଁ ଧନ୍ଦିହେଲି । ଲୁଚେଇ ଲୁଚେଇ କାନ୍ଦିଲି । ଚିଡ଼ିମାଡ଼ିଲା । ଡାଳିଆକୁ ମାଇଲି । ଜଲିଆ ଅଜଟ ହେଲାରୁ ତାକୁ ତଳେ କଚିଦେଲି ।

 

କାହିଁକି ସେମିତି କଲ ?

 

କରନ୍ତି ନାହିଁ ? ଯେଉଁ ଦୁଇଟାଙ୍କୁ ତମେ ପିଠିରେ କୋଳରେ ବସାଅ, ଗାଧୋଇଦିଅ, ନିଜ ହାତରେ ସଜାଇ ଦିଅ, ସାନଟାକୁ କୋଳରେ ବସାଇ ଝୁଲାଉଥାଅ, ରେଡ଼ିଓ ବଜାଇ ଧେଇ-ନାଟ କର, ସେମାନଙ୍କୁ ତମେ ପାଖରେ ପୂରାଇଲ ନାହିଁ । ମୁଁ ଭାବିଲି, ତମେ ନିଶ୍ଚୟ ମୋ ଉପରେ ରାଗିଛ । ଭାବିଲି, କାହିଁକି ରାଗିଥିବ ? ମନେପଡ଼ିଗଲା ।

 

କ’ଣ ମନେପଡ଼ିଲା ଭାଉଜ ?

 

ମନୋଜକୁ ପ୍ରଶଂସା କରି ତମ ପାଖକୁ ତ ଚିଠି ଲେଖିଥିଲି । ତମରି ପାଇଁ ତାଙ୍କ ଘରୁ ମନୋଜର ଟିକି ଫଟୋ ଖଣ୍ଡିଏ ଆଣି ତମର ଡ୍ରଅରରେ ରଖିଯାଇଥିଲି । ତା’ପ୍ରତି ତମର ମନକୁ ଢଳାଇବା ଥିଲା ମୋର ଉଦ୍ଦେଶ୍ୟ । ମୋର ମନରେ ଧାରଣା ହୋଇଥିଲା ମମତା, ତମେ ତାକୁ ଭଲପାଇଛ । ସେ ତମକୁ ଭଲପାଏ । ସେଦିନ ତମକୁ ସେ ପାଠ ବୁଝାଉଥିଲାବେଳେ ତା’ର ମୁହଁ, ତା’ର କଅଁଳ ଗେହ୍ଲାଳିଆ କଥା, ଆଉ ତା’ର ଆଖିରେ ଆଗ୍ରହ ଜରଜର ଚାହାଣିରୁ ମୁଁ ବୁଝିସାରିଥିଲି-। ତେବେ କ’ଣ ଘଟିଲା ଯେ ନିର୍ବନ୍ଧ ଆଗରୁ ତମର ମୁହଁ ମହଳଣ ଦିଶିଲା ? ନିର୍ବନ୍ଧ ପରେ ତମେ କାନ୍ଦିଲ ? ଭାବିଲି–

 

ଆଉ କହନା ମୋର ସୁନା-ଭାଉଜ, ତମକୁ ଭୁଲ୍ ବୁଝି ମୁଁ ଅପରାଧ କରିଛି । ଦୁଃଖ କରୁଥିଲି, କାରଣ ମୁଁ ବେଦନା ସହିପାରୁନଥିଲି ।

 

ବେଦନା ?

 

ସେ ବେଦନା ଏବେଯାଏଁ ଦୂର ହୋଇନାହିଁ । ମନ ଭୁଲାଇ ତା’ ପାଖରୁ ପରିତ୍ରାଣ ପାଇବାକୁ ଏଣୁତେଣୁ ବହି ପଢ଼ୁଛି । ଧୀରେ ଧୀରେ ରେଡ଼ିଓ ଚଳାଉଛି; କିନ୍ତୁ ସେ ବେଦନା ପାଖରୁ ପରିତ୍ରାଣ ମିଳୁନାହିଁ । ସେ ମତେ କାମୁଡ଼ି ଧରିଛି ।

 

କ’ଣ ଘଟଣା, ମନଖୋଲି ମୋ ଆଗରେ ତମେ ନିର୍ଭୟରେ କହ । ମୁଁ ନିଶ୍ଚୟ ତା’ର ପ୍ରତିକାର କରିବି ।

 

ମମତା କାନ୍ଦିଉଠିଲା । କହିଲା, ମୁଁ ଲୁଚାଇ ରଖିଥିଲି । ନିଜର ଦୁଃଖ ନିଜେ ମୁଁ ଅଙ୍ଗରେ ଭେଦାଇ ଦେହ କାଠ କରି ରହୁଥିଲି । ମାସଟିଏ ହେବ ପରା ! କହିଲେ ସମସ୍ତେ ଜାଣନ୍ତେ । କାଳେ ପ୍ରଚାର ହୁଅନ୍ତା । ସେମାନେ ଜାଣନ୍ତେ, ମହାପ୍ରସାଦ ନିର୍ବନ୍ଧ କରିନଥାନ୍ତେ । କାଳେ ସମ୍ୱନ୍ଧ ଭାଙ୍ଗି ଦେଇଥାନ୍ତେ ।

 

ପାଷାଣ ପ୍ରତିମା ପରି ଲତିକା କେବଳ ସ୍ଥିର ଦୃଷ୍ଟିରେ ଚାହିଁ ରହିଥିଲେ । ଛାତି ଥରଥର କମ୍ପିତ ହେଉଥିଲା । ତୁଣ୍ଡରୁ ବାକ୍ୟ ସ୍ଫୁରୁନଥିଲା । ଭାବୁଥିଲେ, କହିବାକୁ ଯେତେବେଳେ ସେ ଆରମ୍ଭ କରିଛନ୍ତି, ଆହା ହତଭାଗିନୀ ମମତା, କ’ଣ ଲୁଚାଇ ରଖିଥିଲେ ଯେଉଁଥିପାଇଁ ସେମାନେ ବାହାଘର ଭାଙ୍ଗି ଦେଇଥାନ୍ତେ । ନିର୍ଲଜ୍ଜ ମୁହଁରେ ନିଜେ ସେ ତାଙ୍କ ମନକୁ କହିବେ । ବାଧାଦେଲେ କଥା ଢୋକିଦେବେ ।

 

ଆଉ ଲୁଚାଇପାରିବି ନାହିଁ ଭାଉଜ । ଦିନୁଦିନ ବେଦନା ଅଧିକରୁ ଅଧିକ ହେଉଛି । ଦେହ ଯେତେ କାଠ କଲେ ସମ୍ଭାଳି ହେଉନାହିଁ । ଯେତେ ପ୍ରତିକାର ମତେ ଜଣାଥିଲା କରିସାରିଲିଣି । ବିଫଳ ହେଲାଣି । ଏଥର ମୁଁ ଜହର ଖାଇବି ।

 

ଲତିକା ଚମକିଉଠିଲେ । ବିଳିବିଳେଇଲା ପରି କହିଲେ, ଜହର ଖାଇବ ?

 

ଆଉ କ’ଣ କରିବି ଭାଉଜ ! ଦେଖ, ତମେ ଦେଖ । ସମସ୍ତେ ଦେଖିଲେ ଦେଖନ୍ତୁ, ଜାଣନ୍ତୁ ଏଣିକି ସେମାନେ ବାହାଘର ନ କରନ୍ତୁ । ମୋ ମନକୁ ମୁଁ ତ ବାହା ହୋଇସାରିଛି ଗୋ ଭାଉଜ, ମଲେ ମୋ ମନକୁ ମୁଁ ଅହିଅରାଣୀ ହୋଇ ମରିବି ।

 

ଛି ଛି ।

 

ମମତା ଧୀରେ ଧୀରେ ତା’ର ବାମ ଗୋଡ଼ଟିକୁ ପଲଙ୍କ ଉପରେ ଲମ୍ବାଇଲା । ଉପରକୁ ବସନ ଟାଣିଲା । ଆଖିରେ ଲୁହଭରି କହିଲା, ଏଇଠି ଦେଖ ଭାଉଜ ! ଆଣ୍ଠୁତଳ ନଳି ଗୋଡ଼ ଉପରେ । ବୋଧହୁଏ ଗୋଟିଏ ବର୍ଷ ହେବଣି । ବେଳେବେଳେ ଟିକିଏ ଦରଜ ହୁଏ । ସାମାନ୍ୟ ଫୁଲେ । ଆୟୋଡ଼େକ୍ସ ଥରେ ଦିଅର ମାଲିସ କରିଦିଏ । ତା’ ମନକୁ ଭଲ ହୋଇଯାଏ । ଚାରିମାସ ତଳେ ଥରେ ବେଶୀ କଷ୍ଟ ହେଲା । ବିନ୍ଧା ଛିଟିକା ହେଲା । ତମେ ତ ପାଖରେ ନଥିଲ, କାହାକୁ କହନ୍ତି ?

 

ବୋଉଙ୍କୁ କହିଲ ନାହିଁ ?

 

ତମେତ ଜାଣ, କାହାର ଦେହ ସାମାନ୍ୟ ଖରାପ ହେଲେ ସେ କିପରି ବ୍ୟସ୍ତହୁଏ ? ଖିଆପିଆ କରେ ନାହିଁ । ପାଖରେ ଜଗି ବସିଥାଏ । ଅନିଦ୍ରା ରହେ । ତାକୁ ଲୁଚାଇ ମୁଁ ଗରମ ପାଣିରେ ଫୋମେଣ୍ଟ କଲି । ଅମୃତାଞ୍ଜନ ଘସିଲି । ବିକଳ ହୋଇ ଆୟୋଡ଼େକ୍ସ ବି ଘସିଲି । ତିନି ଚାରିଦିନରେ ଆରାମ ହେଲା । ତଥାପି ସାମାନ୍ୟ ଦରଜ ରହିଥିଲା ଯେ ଚିପିଲେ ଜଣାପଡ଼େ । ତା ଉପରେ ଗୁରୁତ୍ୱ ଦେଉନଥିଲି ।

 

ଭଲ କରିନ ମମତା ! କୌଣସି ରୋଗକୁ ଲୁଚାଇ ରଖିବା ମୋଟେ ଉଚିତ ନୁହେଁ । ଡାକ୍ତରଙ୍କୁ ଡକାଇ ଦେଖାଇଥିଲେ, କେବେଠାରୁ ଏଇ ସାମାନ୍ୟ ରୋଗଟା ଭଲ ହୋଇସାରନ୍ତାଣି ।

 

ସାମାନ୍ୟ ବୋଲି ଭାବିଥିଲି ତ, କିନ୍ତୁ ଏଥର ମୁଁ ଯେଉଁ ଯନ୍ତ୍ରଣା ଭୋଗିଲି ଭାଉଜ, କେମିତି ଭାଷାରେ ପ୍ରକାଶ କରିପାରେ ? ମରଣ ଯନ୍ତ୍ରଣାରୁ ବଳେଇପଡ଼ିଲା । ଶତ୍ରୁକୁ ନ ହେଉ । ନା, ନା, ଜୋରରେ ଚିପ ନାହିଁ । ଭାରି ଦରଜ ଏବେବି ରହିଛି । ବେଳେବେଳେ ହାଡ଼ ଭିତରେ କି କ’ଣ ଚାଇଁକରି ବିନ୍ଧିଉଠୁଛି । ତମେ ବ୍ୟସ୍ତହୁଅନା । ଥରେ ଗରମ ପାଣିରେ ଫୋମେଣ୍ଟ କରିଦେଲେ ଭଲ ହୋଇଯିବ । ତମକୁ ରାଣ ଅଛି । ମୋ ସୁନା ଭାଉଜ, ତମର ଶରଣ ପଶୁଛି, ମୋ ବୋଉକୁ କେବେ କହିବ ନାହିଁ ।

 

ଦୁଇ ତିନିଦିନ ଗରମ ପାଣିର ଫୋମେଣ୍ଟ ଓ ଏଣୁତେଣୁ ମାଲିସ କରାଗଲା । ବିଶେଷ କିଛି ଉପକାର ହେଲାନାହିଁ । ମମତା କାନ୍ଦିବାକୁ ଲାଗିଲା । ଘଟଣାଟି ଲତିକା ଲୁଚାଇ ପାରିଲେ ନାହିଁ । ସୁରଭୀଙ୍କୁ ଜଣାଇଲେ । ସୁଦର୍ଶନ ବି ଜାଣିଲେ । ତାଙ୍କର କୁଟୁମ୍ବରେ ଗୋଟାଏ ଦୁଃଖର ଛାୟା ଘୋଟିଗଲା । ତେବେ ରୋଗବଇରାଗ ଅଚାନକ ଏମିତି ଆସେ । ପ୍ରାରବ୍ଧ କର୍ମର ଫଳ । କିଏ ବାରଣ କରିବ ? ପିଲାଟା ଲାଜରେ ଲୁଚାଇ ଦୁଃଖ ପାଇଲା । ଚିକିତ୍ସା କରିଥିଲେ କେବେଠାରୁ ଆରୋଗ୍ୟ ହୋଇ ସାରନ୍ତାଣି ।

 

ସହରର ବଡ଼ ଡାକ୍ତର ଆସିଲେ । ରୋଗ ପରୀକ୍ଷା କଲେ । ଦେହର ଉତ୍ତାପ ବି ସାମାନ୍ୟ ବଢ଼ିଛି । ସେହି ଫୁଲାର ପ୍ରକୋପ । କହିଲେ, କିଛି ନୁହେଁ, ଭଲ ହୋଇଯିବ । ନିଅନ୍ତୁ ସୁଦର୍ଶନ ବାବୁ, ଏଇ ଔଷଧ କିଣିଆଣନ୍ତୁ । ଦିନକୁ ତିନିଥର ଖାଇବ । ଆଉ ଏ ପେନ୍‍ସିଲିନ୍, ଇଞ୍ଜେକ୍‍ସନ୍ ପ୍ରତିଦିନ ଗୋଟାଏ ନେବା । ବାରଟା ନେଉ । ଫୁଲା ଉପରେ ଦିନକୁ ଦି’ଥର ଫୋମେଣ୍ଟ କରିବେ । ଏଇ ରିଲାକ୍‍ସିଲ ଅଏଣ୍ଟମେଣ୍ଟ ଘସିବେ ।

 

ଚିକିତ୍ସା ଆରମ୍ଭ ହେଲା । ରିଷ୍ଟ ଖଣ୍ଡନ ପାଇଁ ଶିବ ବରଣ, ମଙ୍ଗଳାଙ୍କ ମନ୍ଦିରରେ ପୂଜା ଓ ଚଣ୍ଡୀପାଠ । ସୁରଭୀଙ୍କର ଦୈନଦିନ ପୂଜା ଓ ପୁରାଣପାଠ ତ ରହିଛି । ଝିଅକୁ ଶୀଘ୍ର ଆରୋଗ୍ୟ କରିଦେବାକୁ ଠାକୁରମାନଙ୍କ ସମାପରେ ତାଙ୍କର ବାରମ୍ବାର ଆବେଦନ । ଲତିକା ତ ଲାଗିଥାନ୍ତି ମମତା ପଛରେ । ସେ ଆଗ, ଉଲିଆ ଜଲିଆ ପଛ । କେତେ କେତେ ମଜାର କଥା କହି ଲତିକା ମମତାର ମନକୁ ପ୍ରଫୁଲ୍ଲ ରଖିବାକୁ ଚେଷ୍ଟା କରୁଥାନ୍ତି । ପାଦ ଉପରେ ଚାପ ପଡ଼ିଲେ କାଳେ ଆହୁରି କଷ୍ଟ ହେବ, ତେଣୁ ସେ ହୋଇଥାନ୍ତି ମମତାର ବାହନ ।

 

ସରୋଜର ମୁଣ୍ଡରେ କୌଣସି ଦୁଃଖର ଭାବନା ପଶେନାହିଁ । ଭାଉଜ ଅପାକୁ କାଖକଳରେ ପରି ନେଉଛନ୍ତି ଦେଖି ସେ କିରି କିରି ହସେ । ମମତା ବି ହସୁଥାଏ ।

 

ପରିଚିତ କମ୍ପାଉଣ୍ଡର ନିତି ଆସି ଇଞ୍ଜେକ୍‍ସନ୍ ଦେଇଯାଆନ୍ତି । ଭଲ ହୋଇଆସୁଛି ବୋଲି ସମସ୍ତଙ୍କୁ ସାନ୍ତ୍ୱନା ଦିଅନ୍ତି । ଡାକ୍ତର ବି ଆଉ ଦୁଇଥର ଆସି ଦେଖିଗଲେଣି । ଖାଇବା ଔଷଧ ପ୍ରତିଥର ବଦଳାଇ ଆଶାର ବାଣୀ ଶୁଣାଇ ଯାଉଛନ୍ତି ।

 

ବାହାଘରର ଆୟୋଜନ ଚାଲିଛି । ଅବଶ୍ୟ ଟିକିଏ ଧିମେଇ ଯାଇଛି । ସୁଦର୍ଶନ ବାବୁ ଧୈର୍ଯ୍ୟବାନ୍ ଲୋକ । ତାଙ୍କର ପ୍ରକୃତି ଗମ୍ଭୀର । ଜଣେ ଡାକ୍ତର ଚିକିତ୍ସା କରୁଥିଲେ ବି ସେ ଆଉ କେତେକଙ୍କୁ ପଚାରିଲେଣି । କିଏ କେତେ ପ୍ରକାର ସନ୍ଦେହ କରି କହୁଛନ୍ତି । ହାଡର ଆବୁ ହାଡର ଯକ୍ଷ୍ମା । ଏକ୍ସ-ରେ କରାଇନେବା ଭଲ । ଛାତିରେ ଛନକା ପଶୁଛି । ନିଜକୁ ନିଜେ ସାନ୍ତ୍ୱନା ଦେଉଛନ୍ତି, ସେମାନେ ସେମିତି ଅନ୍ଧାରରେ ବାଡ଼ି ବୁଲାନ୍ତି । ବିନା ଉଦ୍ଦେଶ୍ୟରେ ଡରାଇ ଦିଅନ୍ତି । ଦେଖାଯାଉ କ’ଣ ହେଉଛି । ଘରକୁ ଆସିଲେ ଖାଲି ହସ ହସ ।

 

କ’ଣ ହୋଇଛି କି, ଏମିତି କେତେ ହୁଏ । ଟିକିଏ କଷ୍ଟ ଦିଏ, ସେ ତ ଠାକୁରଙ୍କର ଇଚ୍ଛା-। ପୂର୍ବଜନ୍ମର କର୍ମଫଳ । ଟିକିଏ ଭୋଗାଇବ, କଷ୍ଟ ଦେବ । ଦିନ କେଇଟାରେ ପୁଣି ଭଲ ହୋଇଯିବ ମା’, ତୁ ମୋଟେ ଚିନ୍ତା କରନା ।

 

ଝିଅର ମୁଣ୍ଡ ଆଉଁସିଦିଅନ୍ତି ।

 

ଚିଠି ପାଇ ଭୁବନେଶ୍ଵରରୁ ସୁକୁମାର ଆସି ପହଞ୍ଚିଲା । କେତେଜଣ ଡାକ୍ତରଙ୍କ ସଙ୍ଗେ ସେ କଟକରେ ପରାମର୍ଶ କରିଆସିଥିଲା । ତା’ର ଗେହ୍ଲା ଭଉଣୀର ଅବସ୍ଥା ଦେଖି ସେ ମର୍ମାହତ ହେଲା । ପିଲାଟା ମଉଳି ଗଲାଣି । ଭାଇର ଆହ୍ଲାଦରେ ମମତା ହସିଲା ଯେ ସେ ହସରେ ସରାଗ ନଥିଲା ।

 

କାନ୍ଦ କାନ୍ଦ ହୋଇ ସୁକୁମାର ତା’ର ବାକ୍ୟରେ ତା’ର ପିତାଙ୍କୁ ଆକ୍ରମଣ କଲା, କଟକ ନ ନେଇ ମମତାକୁ ଏଠାରେ ଚିକିତ୍ସା କରାଇ ରୋଗ ବଢ଼ାଉଛନ୍ତି କାହିଁକି ଏକ୍ସପର୍ଟମାନଙ୍କୁ ଦେଖାଇବା ଉଚିତ ଥିଲା । ରୋଗଟା ବର୍ଷକର, ଅବା ତା’ଠାରୁ ଅଧିକ ପୁରୁଣା, ଏକଥା ଜାଣନ୍ତି ତ-? ଲାଜରେ ମମତା ଲୁଚାଇ ରଖିଥିଲା ।

 

ଜାଣେରେ ବାପ, ଏବେ ଜାଣିଲି, ବୋହୂ କହୁଥିଲେ । ତୁ ପାଟିକରନା । ଏଠି କାନ୍ଥ ବାଡର କାନ ଅଛି । ସେମାନେ ଖବର ପାଇଲେ ଆହୁରି ଏଣୁତେଣୁ ଗପି ଆମ ଉପରକୁ ଦୋଷ ଟାଳିଦେବେ, ଆଉ ବାହାଘର ଭାଙ୍ଗିଦେବେ । ପରେଶ ବାବୁ ଯେପରି ଅର୍ଥଲୋଭୀ ଜାଣିଛୁ ତ ? ତାଙ୍କର ସ୍ତ୍ରୀ ଓ ଦୁଇ ଝିଅ ଏବଂ ମନୋଜ ଯଦି ମମତାକୁ ଦେଖି–

 

ବୁଝିଲି ବାପା, ସେଗୁଡ଼ା ଆଉ ଗପନ୍ତୁ ନାହିଁ । ଗୋଟାଏ ଆର ଦେଖାଇ ରାଢ଼ ପରେଶବାବୁ ଯଦି ବାହାଘର ଭାଙ୍ଗିଦେବେ ତ ଦେବେ । ବାହାଘର ବଡ଼ ନା ମୋ ଭଉଣୀ ମମତାର ଜୀବନଟା ବଡ଼ ? ଛାର ମାଷ୍ଟରଟାଏ ତ ମନୋଜ୍, ଆଉ କ’ଣ ? ତା’ଠାରୁ ବଳି ଢେର ଭଲ ଭଲ ପାତ୍ର ମତେ ମିଳିବେ ।

 

ହଉ ହେଲାରେ ପୁଅ, ତୁ ପାଟି କରନା । ଡାକ୍ତର କହୁଛନ୍ତି ଭଲ ହୋଇଯିବ । ଦିନ ପାଞ୍ଚଟା ଆଉ ଅପେକ୍ଷା କରାଯାଉ । ଯଦି ଭଲ ହୋଇଯାଏ କଥା ଏ କାନରୁ ସେକାନ ଜାଣିବ ନାହିଁ । ସବୁ ସୁରୁଖୁରୁରେ ହୋଇଯିବ ତରତର ହୋଇ କଟକ ବାହାରିଲେ ପ୍ରଘଟ ହେବ । ଝିଅଟି ପରା !

 

ସୁକୁମାର କଥା ବଢ଼ାଇଲା ନାହିଁ । ସେ ସହସା ସଚେତନ ହେଲା ଯେ ସେମାନଙ୍କର କଥାଭାଷା ପାଖଘରେ ଥିବା ଲତିକା ଓ ମମତାଙ୍କର କାନରେ ପଡ଼ୁଥିବ ।

 

ସନ୍ଧ୍ୟା ହୋଇସାରିଥିଲା । ବିଜୁଳି ଆଲୁଅ ଜଳୁଥିଲା । ମଝି ଘରର ପଲଙ୍କ ଉପରେ ମଶାରି ତଳେ ଜଳିଆ ଶୋଇଛି । ଡଲିଆ ରୋଷାଇଘରେ ସୁରଭୀଙ୍କ ପାଖରେ କ’ଣ ଗାଡ଼ୁରୁ ଗାଡ଼ୁରୁ ହେଉଛି । ବାରଣ୍ଡା ଉପରେ ଟେବୁଲ ପାଖରେ ସରୋଜ ବସି କ’ଣ ଲେଖୁଛି । ସୁଦର୍ଶନବାବୁ ପଦାକୁ ବାହାରିଗଲେଣି । ସୁକୁମାର ମଧ୍ୟ ତାଙ୍କର ଅନୁଗମନ କଲା । ବିଚାରିଲା, ତା’ର ବାପାଙ୍କର ପୋଖତ କଥାର ନିଶ୍ଚୟ ମୂଲ୍ୟ ଅଛି । ଅଧୀର ଭାବପ୍ରବଣ ହେବା ଉଚିତ ନୁହେଁ-। ଏତେଦିନ ତ କଟିଯାଇଛି, ଦିନ ପାଞ୍ଚଟା କେତେ ?

 

ବାପ ପୁଅଙ୍କର ଉତ୍ତେଜିତ ଆଲୋଚନା ଲତିକା ଓ ମମତାଙ୍କର କାନରେ ପଡ଼ିଥିଲା । ସେମାନେ ଚାଲିଯିବା ପରେ ମମତା ପଢ଼ୁଥିବା ବହିଟି ଟେବୁଲ ଉପରେ ଓଲଟାଇ ରଖିଲା । ଦୀର୍ଘଶ୍ୱାସ ଛାଡ଼ିଲା ।

 

ଲତିକା ପାଖ ଚଉକିରେ ବସିଥିଲେ । କହିଲେ, ଅଧାରୁ କାହିଁକି ବନ୍ଦ କରିଦେଲ ? କେଡ଼େ ସୁନ୍ଦର ଗଳ୍ପଟି ! କାମୁକ ବୃଦ୍ଧ ସନ୍ୟାସୀର ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରି ଭୁବନମୋହିନୀ ଚମ୍ପକବଲ୍ଳରୀ ତା’ର ଅଭିଶାପରେ ଅଣ୍ଟାଯାଏ ପଥର ପାଲଟି, ସେହି ଅଗନାଗ୍ନି ବନସ୍ତରେ ଅପନ୍ତରାରେ ନିଦାଘ-ମଧ୍ୟାହ୍ନରେ ବଟବୃକ୍ଷ ତଳେ ଅଚଳ ହୋଇ ଠିଆହୋଇ ରହିଲା ତ, ତା’ର ମନର ମଣିଷ ବିକ୍ରମ କେଶରୀ କ’ଣ ଜଳ ନେଇ ଫେରିବ ନାହିଁ କି, ଫେରିଲେ ତା’ ପ୍ରେୟସୀର ଅବସ୍ଥା ଦେଖି ସେ କି ବୁଦ୍ଧି କରିବ ମମତା ?

 

ମମତା କହିଲା, ଜାଣେ ନାହିଁ ଭାଉଜ ! ଦୁର୍ଭାଗ୍ୟର କଥା ଯେ ଏହି ନୂଆ ଗଳ୍ପ-ବହି ‘ମନୋରମ-କାହାଣୀ’ରୁ ଆଠୋଟି ପୃଷ୍ଠା ନାହିଁ । ଚଉଷଠୀ ପୃଷ୍ଠା ପରେ ବାସ୍ତରି ପୃଷ୍ଠା ଆରମ୍ଭ । ଗଳ୍ପଟି ଅଧା ରହିଲା । କ’ଣ ହେବ, ଅନୁମାନ କରି ତମେ ନିଶ୍ଚୟ ମତେ କାଲି କହିବ । ହଉ ହେଲା । ତମେବି ଅନୁମାନ କରିବ, ମତେ କହିବ ମମତା, ସେଇଠୁ ଆଲୋଚନା କରିବା ।

 

ମୁଁ ରାଜି, ଭାଉଜ ।

 

ଟିକିଏ ରହି ମମତା କହିଲା, କଥାଟିଏ ପଚାରିବାକୁ ମତେ ଲାଜମାଡ଼ୁଛି ଭାଉଜ !

 

ମୋ ପାଖରେ ଲାଜ ? ଆଉ ତେବେ କାହାକୁ ପଚାରିପାରିବ ? ମୋ ଆଗରେ ସିନା ତମେ ଛୁଆଟା, ସାତ ପଛର ସାନ ଭଉଣୀ ପରି, ମୋ କୋଳରେ ଶୋଇଛ, ଛାତିରେ ଡଲିଆ ଜଲିଆଙ୍କ ପରି ମୁହଁ ଗେଞ୍ଜିଛ, ହେଲେ ତମେ ମୋର ନଣନ୍ଦଟି ! କାଲି ଶାଶୁଘରକୁ ଯିବ । ଆଉ ଚଉଠି ରାତିରେ ମନୋଜ ଯେବେ ଆସି କବାଟ କିଳି ତମର ହାତଟି ଧରିବ, ତମେ କ’ଣ କରିବ, ମୁଁ କ’ଣ ପଦ ପଦ କରି ତମକୁ ଆଗରୁ ଶିଖାଇ ଦେଇନଥିବି ?

 

ଲତିକା ହସିଲେ; କିନ୍ତୁ ମମତାର ଆଖିରେ ଲୁହ ଛଳ ଛଳ । ସ୍ତମ୍ଭିତ ହୋଇ ଲତିକା ପଚାରିଲେ, ପୁଣି କ’ଣ ହେଲା, କହୁଥିଲ ପରା ଆଜି ଆଉ ବେଦନା ନାହିଁ ?

 

ସେମାନେ କ’ଣ ଭାଙ୍ଗିଦେବେ ? ମୋ ଆଙ୍ଗୁଠିରୁ ଏ ସୁନ୍ଦର ମୁଦିଟି କାଢ଼ିନେବେ ? ତମେ ସେଦିନ ମୋ କପାଳରେ ଯେଉଁ ମଙ୍ଗଳା ଠାକୁରାଣୀଙ୍କର ସିନ୍ଦୁର ଠୋପାଟି ପିନ୍ଧାଇ ଦେଇଥିଲ ଆଜି ସିନା ସେ ନାହିଁ, ସେଇଟି ମୋ ମୁଣ୍ଡର ଖପୁରି ଭେଦି ଭାବନା-ଘରେ ଉଠିଛି ଭାଉଜ, ତାକୁ ତ ନେଇପାରିବେ ନାହିଁ ।

 

ମମତାର ଆଖିରୁ ଲୁହ ଝରିଲା ।

 

ଲତିକା ପଚାରିଲେ, ବାଇଆଣୀଟା, କାହିଁକି ଏପରି ଏଣୁତେଣୁ ତମେ ଭାବୁଛ ?

 

ବାପା କହୁଥିଲେ–

 

ମମତା ମନରୁ ଆଶଙ୍କା ଦୂର କରିବାକୁ ଲତିକା ହସି ହସି କହିଲେ, ଓ ଏଇ କଥାକୁ ? ପାଗଳୀ ଝିଅଟା । ତମ ଭାଇ କ’ଣ କହିଲେ ଶୁଣିଲ ନାହିଁ କି ? ସତେ ଯଦି କ’ଣ କୂଟକପଟ କରି ଧନଲୋଭୀ ପରେଶବାବୁ ସେମିତି କିଛି କାଣ୍ଡ ଭିଆନ୍ତି, ହଁ ଦେଖୁନ, ଅର୍ଥ-ପିଶାଚଗୁଡ଼ାଙ୍କର ଢଙ୍ଗ, କେତେ ଜାଗାରେ ଘଟିଛି । ଦେଣନେଣ ଭିଡ଼ା ଓଟରା ହୋଇ ବେଦୀ ଉପରୁ ଗୋ ମମତା, ବର ବାହୁଡ଼ାଇ ନେଇଛନ୍ତି । ଆଉ ସେ ପାଠୁଆ ମାଇଚିଆ ବରଗୁଡ଼ିକ, ତାଙ୍କ ମୁହଁରେ ଥୁ କର । ନିର୍ଲଜ୍ଜ ପଣରେ ଲାଙ୍ଗୁଡ଼ ଜାକି ପଳେଇଛନ୍ତି । ଚୁଲିରେ ପଶୁ ସେମିତିକା ମାଇଚିଆଙ୍କର ପାଠ ଓ ବୁଦ୍ଧି ବିବେକ । ତେବେ, ମୋ ମମତା ରାଣୀପାଇଁ ତହୁଁ ବଳି, ବର ଛାଏଁ ଆସି ଜୁଟିବେ । ମୁଁ ତ ଭାବୁଛି, ତମ ହାତରେ ଗୋଟାଏ ବରଣମାଳା ଧରାଇଦେଇ କହିବି କିଏ ତମ ମନକୁ ପାଉଛି ଦବଟି ତା’ ବେକରେ ଗଳାଇ ।

 

ମମତା ହସିଲା ।

 

ସାମାନ୍ୟ ମୁଦିଟାଏ କଥା ଭାବୁଛ ? ସେ କାହିଁକି ଫେରାଇନେବେ ? ପରେଶବାବୁ ଯଦି କ’ଣ ମେଖଡ଼ା ବାହାର କରି ବାହାଘର ଭାଙ୍ଗନ୍ତି, ଆଉ ସେଥିରେ ଯଦି ତାଙ୍କର ମାଷ୍ଟରପୁଅଟି ରାଜିହୁଏ, ଉଁ-ଚୁ ପାଟି ନ ଫିଟାଏ, ମୁଁ ନିଜେ ତ ତମ ଆଙ୍ଗୁଠିରୁ ସେଇଟା ଟାଣିଆଣିବି । ତମ ଭାଇଙ୍କୁ ଦେଇ କହିବି, ନେଇଯାଅ ତାଙ୍କ ଉପରକୁ ଫୋପାଡ଼ି ଦେବା; ହେଇ ନିଅ ଟଙ୍କା, କଟକ ଟିକେଟ କାଟିବ । ଇପାରି-ଗୋବିନ୍ଦ ଦୋକାନରୁ ୟାଠୁ ବଳି ସୁନ୍ଦର, ଡବଲ ଦାମର ମୁଦି ମୋ ମମତା ପାଇଁ କିଣି ଆଣିବ । ହେଲା ? ତମେ ଶକୁନ୍ତଳା ନୁହେଁ, କି ମନୋଜ ଦୁଷ୍ମନ୍ତ ନୁହେଁ । ଏ ମୁଦି ସେ ତମକୁ ପିନ୍ଧାଇ ଦେଇ ନାହିଁ । ଆଉ ତମ ଭିତରେ, ଭରତଟି ସେ ପିଲାର ନାମ, ଆଗ ଗଳ୍ପରେ ପଢ଼ୁଥିଲ–

 

ଲତିକା ଦୋହଲି ଦୋହଲି ହସିଲେ ।

 

ମମତା କହିଲା, ଛି ! ତମେ ଭାରି ଦୁଷ୍ଟ ! ମୋ ଗୋଡ଼ର ବେଦନା ଭଲ ହୋଇଗଲାଣି-। କାଲିଠାରୁ ମୁଁ ଆଉ କାହାରି ଆଶ୍ରା ଧରି ଚାଲିବି ନାହିଁ । ଦେଖିବ ରହ । ମତେ କଟକ ଯିବାକୁ ପଡ଼ିବ ନାହିଁ ।

 

ମୁଁ ଜାଣେ ମମତା, ଯେଉଁ ଟିକିଏ ଦରଜ ଅଛି, ଆଉ ପାଞ୍ଚଟା ଇଞ୍ଜେକ୍‍ସନ୍ ନେଲାପରେ ଏକାବେଳକେ ଭଲ ହୋଇଯାଇଥିବ । ସତ କହିବି ? ମନୋଜ କେବେ ମାଇଚିଆ ନୁହେଁ । ତମକୁ ଦେଖି, ତମ ସଙ୍ଗେ କଥାଭାଷା ହୋଇଗଲା ପରେ, ପରେଶବାବୁଙ୍କର ଅର୍ଥ ଲୋଭର ମୁଣ୍ଡରେ ସେ ପାହାରେ ଥୋଇଥିଲା । ବୁଢ଼ା ପଚିଶି ଜାଗାରେ ବନସୀ ଖେଳାଉଥିଲା ପରା ! ରହ, କାହାର ସବୁ ପାଟି ଶୁଭିଲାଣି । କେଉଁମାନେ ସବୁ ଆସିଛନ୍ତି । ଜଲିଆ କାହିଁକି କୁଁ କୁଁ ହେଉଛି । ଯାଇଁ ଦେଖେ ।

 

ଲତିକା ମୁଣ୍ଡରେ ଓଢ଼ଣା ଦେଇ ମଝି ଘରକୁ ଚାଲିଗଲେ ।

 

କିଛି ସମୟ ପରେ ପହଞ୍ଚିଗଲେ ନିଜେ ଭାରତୀ ଓ ତାଙ୍କର ଦୁଇଝିଅ ସୁରମା ଓ ସୁଷମା-। ଭାରତୀ କହି କହି ଆସୁଛନ୍ତି, ପିଲାଟା ଏତେସରି ହେଲାଣି ସମୁଦୁଣୀ, ମତେ ଟିକିଏ ଖବର ଦେଲା ନାହିଁ ? ରୋଗ ବଇରାଗ କଥା, ସେଥିରେ ମଣିଷର କି ଚାରା ? ମମତା ଆଉ କ’ଣ ତମର-? ସେ ମୋର ଦରବ । ହାତଗଣ୍ଠି ପଡ଼ିନାହିଁ ବୋଲି ସେ ତମ ଘରେ ରହିଛି । ନଇଲେ ତାକୁ କାଖ କରି ମୁଁ ମୋ ପାଖକୁ ନେଇଯାଇଥାନ୍ତି ।

 

ସମସ୍ତେ ମମତା ଥିବା ଘରେ ପଶିଲେ ।

 

ମମତା ଉଠି ଠିଆହେଲା ।

 

ସୁରଭୀ ସେମାନଙ୍କୁ ମମତାର ପଲଙ୍କ ଉପରେ ବସାଇ ନିଜେ ଠିଆହୋଇ କହିଲେ, କେଉଁଠି କ’ଣ ବାଜି ନାଲିଗଡ଼ରେ ଦରଜ ହୋଇଥିଲା । କହିଥିଲେ ସିନା ହୋଇଥାନ୍ତା ? ତା’ର ଲାଜ ଯେ ଦୁନିଆଁ ବାହାର ସମୁଦୁଣୀ । ପିଲାଟା ଭାରି କଷ୍ଟ ପାଇଲା । ଔଷଧ ଖାଇ, ଇଞ୍ଜେକ୍‍ସନ୍ ନେଇ ପ୍ରାୟ ଭଲ ହୋଇଗଲାଣି ।

 

ହଁ, କମ୍ପାଉଣ୍ଡରବାବୁ ଆମଘର ପାଖରେ ରହନ୍ତି ଯେ, ଆଜି ସେ ଦିପହରେ ମନୋଜର ବାପାଙ୍କୁ କହୁଥିଲେ । କିଏ ଖବର ଦେଲା କେଜାଣି, ସବୁ କଥା ଲେଖି ମନୋଜ ବ୍ୟସ୍ତହୋଇ ମୋତେ ଚିଠି ଲେଖିଛି । ମମତାକୁ ଥରେ କଟକ ନେଇ ବଡ଼ ଡାକ୍ତରଙ୍କୁ ଦେଖାଇବାକୁ ସେ ପରାମର୍ଶ ଦେଇଛି । ଝିଅ ଦୁଇଟା ତ କାନ୍ଦି ଅସ୍ଥିର । ସେମାନେ ମତେ ଏଠାକୁ ଘୋସାରି ଆଣିଛନ୍ତି-

 

ସୁରଭୀ କହିଲେ, ଭଲ ତ ହୋଇଗଲାଣି, ଆଉ କଟକ ନେବା ଦରକାର ପଡ଼ିବ ନାହିଁ ସମୁଦୁଣୀ । ମୁଁ ଏଣେ ପଞ୍ଚାନନ ମେଳା କରୁଛି । ଠାକୁରେ ତାକୁ ଭଲ କରିଦେବେ ।

 

ହଁ ସେଇଆ କର । ମୁଁ ପୁଅକୁ ଲେଖିଦେଉଛି, ସେ ବ୍ୟସ୍ତ ହେବ ନାହିଁ । ଖବର ନ ପାଇଲେ ନିଜେ ସେ ଧାଇଁଆସିବ । ସେ ପିଲାଟା ସେମିତିଆ । କେଉଁ ଛାତ୍ରର ଦେହ ଟିକିଏ ଇସ୍ କରି ହେଲେ, ଖବର ପାଇଲେ ସେ ଯାଇ ତା’ ଘରେ ପହଞ୍ଚିବ । ଜାତି ଅଜାତି, ଧନୀ ଦରିଦ୍ର ସେ ଯିଏ ହୋଇଥାଉ, ଅଖିଆ ଅପିଆ ରାତି ଅନିଦ୍ରା ହୋଇ ତା’ର ସେବା କରିବ । ଜଗି ବସିଥିବ ।

 

ଶୁଣିଛି ସମୁଦୁଣୀ, ପିଲା ଯାକରେ ସେ ସାର ।

 

ହଁ ବା, ପିଲାଟିଦିନରୁ ତା’ର ସେଇ ଖୋଇ । ତା’ ବାପାଙ୍କର ପସନ୍ଦ ହୁଏ ନାହିଁ । କହନ୍ତି, ସେଇଟା ଧର୍ମବେଠିଆ । ପିଲାଙ୍କୁ ପାଠ ପଢ଼ାଇବ ଯେ କାହାରି ପାଖରୁ ପଇସାଟିଏ ନେବା ନାହିଁ । ଓଲଟି ହାତରୁ ଧନ ଖରଚ କରି ଗରିବ ପିଲାଙ୍କୁ ବହିପତ୍ର କିଣିଦେବା, ଔଷଧ କିଣି ଆଣିଦେବ । ମମତାର ଦେହ ଖବର ଶୁଣିଲେ ସେ କ’ଣ ସମ୍ଭାଳି ହୋଇ ରହିବ କି ? ଆଜି ରାତିରେ ମୁଁ ଚିଠି ଲେଖିବି ।

 

ମମତାର ନଳିଗୋଡ଼ ଟଣକି ଉଠୁଥାଏ । ସାରା ଦେହରେ ବିଜୁଳିର ଚମକ ଖେଳି ଯାଉଥାଏ । ଅସହ୍ୟ ଯନ୍ତ୍ରଣାକୁ ସେ ଦେହ କାଠ କରି, ଦାନ୍ତ ଚିପି ଆଖିବୁଜି ସହି ଯାଉଥାଏ । ବେଳେବେଳେ ଘଡ଼ିକେ ପହରକେ ଏପରି ହୁଏ । ଆଗପରି ସଦାବେଳେ ନୁହେଁ । ତଥାପି ସେ ଅନୁଭବ କରୁଥାଏ ଯେ ସେ ସୁସ୍ଥ ହୋଇଉଠୁଛି । ଦିନ ପାଞ୍ଚଟା ପରେ ଝାଡ଼ିଝୁଡ଼ି ହୋଇ ବସିବ ।

 

ଭାରତୀ ପଲଙ୍କ ଉପରୁ ଉଠିଲେ । ମମତା ପାଖକୁ ଗଲେ । ମମତାର ମୁଣ୍ଡ ସାଉଁଳି କହିଲେ, ମାଆଟି ମୋର କେତେ ଶୁଖିଗଲାଣି !

 

ସୁରଭୀ କହିଲେ, ଖାଉଛି କି ? ଏତେ ଡର ଯେ ପର ଘରକୁ ଯିବବୋଲି ଏବହୁଁ ଖାଲି ଦିନ ରାତି ସେ କାନ୍ଦୁଛି । ମୋ ବୋହୂ ଯେ ତା’ ଉତିଆଣି ଛୁଆକୁ ପଛ କରି ମମତାର ଅର୍ଦୋଳିରେ ଲାଗିଛି । ରାଣ ନିୟମ ପକାଇ ସେହି ତାକୁ ହସାଇ ମଜାଇ ଯାହା ଚାରିଗୁଣ୍ଡା ଖୋଇଦେଉଛି ସେତିକି ।

 

ଭାରତୀ କହିଲେ, ଶୁଣିଛି ତମ ବୋହୂର ଗୁଣ, କୋଟିକେ ଗୋଟିଏ ମିଳନ୍ତି । ଦେଖିବା ରହ, ମମତା ତହୁଁ ବଳିବ, ଲତିକାର ଶିକ୍ଷା । ପରଘର ବୋଲି ବିଚାରିବ କାହିଁକି ? ଏ ଘର କ’ଣ ଲତିକାର ପର ଘର, ନା ତମର ପର ଘର ? ସବୁ ମା’ ଆଉ କେଉଁ ଘରେ ଜନମିଥାନ୍ତି, ବଢ଼ିଥାନ୍ତି ଗୋ ସମୁଦୁଣି !

 

ଭାରତୀ ଦୀର୍ଘଶ୍ଵାସ ଛାଡ଼ିଲେ । ମମତାର ସେହି ହାତଟି ଧରିଲେ, ଯେଉଁ ହାତର ପରିଆଂଗୁଠିରେ କନିଆଁ ଦେଖାବେଳେ ସେ ପିନ୍ଧାଇ ଦେଇଥିବା ସୁନା ମୁଦିଟି ଆଲୁଅରେ ଝଟକୁଥିଲା । କହିଲେ, ନଳିଗୋଡ଼ ଉପରେ ସାମାନ୍ୟ ଟିକିଏ କେବକାର ଆଘାତ ଆଉ ଫୁଲା । ଏମିତି କ’ଣ ହୋଇଛି ଯେ ଏତେ ଡର, ଖିଆପିଆ ଛାଡ଼ି ଦୁର୍ବଳ ହେଉଛୁ ? ଦେଖେ ମା’–

 

ସେମାନେ ଘଣ୍ଟାଟିଏ ରହିଥିଲେ । ସୁରଭୀ କେତେ ନାଲି ଛାଲି ହୋଇ କେତେ ନିଉଛାଳି କରି ଭାରତୀଙ୍କର ଚର୍ଚ୍ଚା କରିଥିଲେ । ନିଜ ହାତରେ ସୁରମା ଓ ସୁଷମାଙ୍କର ପାଟିରେ ମିଷ୍ଟାନ୍ନ ଦେଇଥିଲେ । ଗେହ୍ଲେଇ କହିଥିଲେ, ଲାଜ କାହିଁକି କରୁଛରେ ଝିଅ, ମୁଁ କ’ଣ ତମର ମା’ ନୁହେଁ ? ମମତାକୁ ପାଖରେ ବସାଇ ତା’ର ପାଟିରେ ମିଷ୍ଟାନ୍ନ ଦେଇ, ଆର ହାତରେ ତା’ର ପିଠି ଆଉଁସି ଭାରତୀ ମଧ୍ୟ ସ୍ନେହରେ କହିଥିଲେ, ଖାଇଦେ ମୋର ମା’ଟି, କ’ଣ ତୋର ଏମିତି ହୋଇଛି ଯେ ତୁ ମନ କଷ୍ଟ କରି କାନ୍ଦୁଛୁ, ଦେହ ଶୁଖାଉଛୁ ? ଭଲହେଲାଣି ତ !

 

ମମତାର ନଳିଗୋଡ଼ ବିନ୍ଧି ଉଠୁଥିଲା । ଦେହର ଶିରା ପ୍ରଶିରାରେ, ମୁଣ୍ଡ ଭିତରେ ବେଦନାର ବିଦ୍ୟୁତ୍ ଚମକି ଉଠୁଥିଲା । ସେ ଦେହ କାଠ କରି ସବୁ ଦୁଃଖ ସହିବାକୁ ପ୍ରାଣପଣେ ଚେଷ୍ଟା କରୁଥିଲା । ସମଗ୍ର ଦେହ ଚିପୁଡ଼ି ହୋଇ ଆଖିରୁ ଠପଠପ ଲୁହ ଝରିପଡ଼ୁଥିଲା । ସେ ଲୁହକୁ ଲୁଚାଇବାକୁ ସେ ମଥା ନୋଇଁ ଲତିକାଙ୍କର ପିଠି କଡ଼କୁ ଘୁଞ୍ଚି ଆସିଥିଲା ।

 

ଦେହର ବେଦନା ସତ୍ତ୍ୱେ ତା’ ଜୀବନରେ ଅତି ଆନନ୍ଦମୟ ଥିଲା ସେ ରଜନୀ । ଅଭିନବ ଅନୁଭୂତି । ସେ ଆନନ୍ଦ, ସେ ଦୁଃଖ, ଦୁଇଟିର ସଙ୍ଗମ ଭବିଷ୍ୟତ ଜୀବନର ସୁଖ-ସ୍ଵପ୍ନ, ଆଜି ସାତ-ସପନ ହୋଇଛି । ସାତଟି ମୁହୂର୍ତ୍ତ ପରି ଲୁଚିଲୁଚିକା ଜୀବନ କାଳରୁ ସାତୋଟି ବର୍ଷ ଖସି ପଳାଇଛି । ମମତା ଆଜି ମନେକରୁଛି, ଚବିଶି ବର୍ଷ ବୟସରେ ସେ ହୋଇସାରିଛି ଦରବୁଢ଼ୀ । ଦେହରେ ନୁହେଁ, କେବଳ ମନରେ ।

 

ସେମାନେ, ତା’ର ସହକର୍ମିଣୀମାନେ, ତା’ର ମୁହଁକୁ ଦେହକୁ ଚାହିଁ କହନ୍ତି, ମମତା ଚହଟଚମ୍ପା । ସେମାନେ ତା’ର ମୁହଁର ଗଠଣ, କପାଳ, ଭ୍ରୂଲତା, ଆଖି, ନାକ, ଓଠ, ଦାନ୍ତ, ଚିବୁକ, ଗ୍ରୀବା, କାନ, ବାହୁ, ପାପୁଲି, ଆଙ୍ଗୁଠିକୁ ଭଞ୍ଜୀୟ ଉପମା ଖଞ୍ଜି ପ୍ରଶଂସା କରନ୍ତି । ମମତା ହସେ, ସେ ହସରେ ବି ବିଜୁଳି ଚମକେ । ସେହି ବାନ୍ଧବୀମାନଙ୍କର ଆଖି ତଳକୁ ତଳକୁ ଓହ୍ଲାଇଆସେ ।

 

ଅତି ସାଧାରଣ ସୁସଂଯତ ବେଶ । ଆଖିରେ ଦି’ଧାର ସରୁ କଜଳ ପିନ୍ଧିବାର ତାକୁ କେହି ଦେଖିନାହିଁ । ମୁହଁରେ ପୋମେଡ଼ ସ୍ନୋ, ପାଉଡ଼ର ଅବା ଓଠରେ ରଙ୍ଗ ବୋଳିବାର ପ୍ରଶ୍ନଉଠେ ନାହିଁ । କପାଳ ମଝିରେ ଠୋପା ଲଗାଏ ନାହିଁ । କାନରେ ଦିଓଟି ଛୋଟ ଛୋଟ ମୋତି-। ବେକର ସରୁଚେନ୍‍ଟି ବ୍ଲାଉଜ ଭିତରେ ପ୍ରାୟ ହଜି ଯାଇଥାଏ । ହାତରେ ମାତ୍ର ପଟିଏ ପଟିଏ ସୁନାର କାଚ । ଡାହାଣ ହାତର ପରି ଆଙ୍ଗୁଠିରେ ପଥର ବସା ସୁନାର ମୁଦି । ସେତିକି ତା’ର ବ୍ୟତିକ୍ରମ ।

ଆଖି ଓହ୍ଲାଇଆସେ ଚହଟଚମ୍ପା ମମତାର ଗୋଡ଼ ଆଡ଼କୁ । କ୍ଲାସରୁମରେ ହାତ ନଥିଲା କାଠର ଚଉକି ଉପରେ ସେ ବସିଛି । ଗୋଡ଼ ଲମ୍ବାଇଦେଇଛି ତଳକୁ । ଦଶମ ଶ୍ରେଣୀର ଝିଅଟିମାନଙ୍କୁ ବୀଜଗଣିତ ବୁଝାଉଛି । ପାଟିତୁଣ୍ଡ ନାହିଁ, ସତେଇଶଟି ଝିଅ । ସମସ୍ତେ ମନଦେଇ ଶୁଣୁଛନ୍ତି । କେହି କେହି ପଦେ ପଦେ ପ୍ରଶ୍ନ ପଚାରି ଦେଉଛନ୍ତି । ଧୈର୍ଯ୍ୟ ଧରି ସେ ପୁଣି ବୁଝାଇଦେଉଛି ।

ସର୍ବସାଧାରଣଙ୍କ ଉଦ୍ୟମରେ ନୂଆ ହୋଇ ଛାତ୍ରୀମାନଙ୍କ ପାଇଁ ଖୋଲା ହୋଇଥିବା ଉଚ୍ଚ-ବିଦ୍ୟାଳୟର ମମତା ଜଣେ ସହକାରୀ ଶିକ୍ଷୟିତ୍ରୀ । ଦୁଇବର୍ଷରୁ ଅଧିକ କାଳ ହେଲାଣି ତା’ର ନିଯୁକ୍ତି । ବଡ଼ ବଡ଼ଙ୍କର ସ୍ନେହ ଶ୍ରଦ୍ଧା, ସହାନୁଭୂତି ସେ ପାଇଆସିଛି । ଆଦର୍ଶ ଶିକ୍ଷୟିତ୍ରୀ ବୋଲି ସେ ପ୍ରଶଂସା ଶୁଣିଆସିଛି ।

ପାଠ ପଢ଼ାଉଛି ସେ, କେବଳ ଦିଶୁଛି ପାଦ ଦିଓଟି । ଦୃଷ୍ଟିପଡ଼େ ବାମ ପାଦରେ । ମନ ହା-ହା କରିଉଠେ । ଆହା ବିଚାରୀ, ସବୁ ତା’ର ଅଛି । ରୂପ, ଲାବଣ୍ୟ, ଯୌବନ, ବିଦ୍ୟାବୁଦ୍ଧି, ଧନ ଓ ଆତ୍ମୀୟ-ସ୍ଵଜନ । ହତଭାଗିନୀର ନାହିଁ ଗୋଟିଏ ଗୋଡ଼ ।

 

ସାତବର୍ଷ ତଳେ କଟକ ବଡ଼ ହାସ୍‍ପାତାଲରେ ସେଇ-ଗୋଡ଼ଟିକୁ ଆଣ୍ଠୁ ଉପର ଜଙ୍ଘ ପାଖରୁ ଚ୍ଛେଦନ କରାହୋଇଥିଲା । ଛଅଟି ମାସ ପଡ଼ି ସେ ଭଲ ହୋଇଆସିଲା ସିନା, ଚିରଦିନ ପାଇଁ ଅକର୍ମଣ୍ୟ ହେଲା । ଚଳାଚଳ ପାଇଁ ବିଚାରୀ ପ୍ଲାଷ୍ଟିକର ଗୋଡ଼ଟିଏ ଖଞ୍ଜିଛି ଯେ ଆଶାବାଡ଼ିଟିକୁ ବାମ କାଖ ତଳେ ନ ରଖିଲେ ଯିବ ଆସିବ କିପରି ?

 

ଆରେଇ ଗଲାଣି ।

 

କି ପାପ ସେ କରିଥିଲା ଗୋ ଭଉଣୀ କେଜାଣି, ଠାକୁରେ ତାକୁ ଏଇ ଦଣ୍ଡଦେଲେ । ସବୁ ଦେଇ ତାକୁ ଭଣ୍ଡିଲେ, ପୁଣି ତାକୁ ଡହଳବିକଳ କରାଇଲେ । ଶୋଷିଲା ପ୍ରାଣୀକି ନୌକାରେ ବସାଇ, ସବୁ ସରଞ୍ଜାମ ଖଞ୍ଜି ନୁଣିଆଁ ଦରିଆକୁ ପେଲିଦେଲେ । ଭଣ୍ଡାଇ କହିଲେ, ଚାରିଆଡ଼େ କାଚକେନ୍ଦୁ ପରି ପାଣି ଲହଡ଼ି ଭାଙ୍ଗୁଛି । ପିଉଥାରେ ଧନ, ପିଉଥା ତୋର ମନଇଚ୍ଛା ।

 

ଥୋକେ ବି ନିଜ ନିଜ ଭିତରେ ମମତାକୁ ଶୁଣାଇ ଶୁଣାଇ, ନ ଶୁଣାଇବାର ଛଳନା କରି ଏପରି କୁହାକୁହି ହୁଅନ୍ତି । ପୁଣି ସହାନୁଭୂତି ଦେଖାଇ କହନ୍ତି, କିପରି ସେ ବିତାଇବ ତା’ର ଯୁବାବୟସ । କିପରି ଛନଛନ ମନକୁ ସେ ଆକଟ କରିବ ଗୋ ! ଜାଣିଶୁଣି କେହିତ ତା’ର ବୋଝକୁ ମୁଣ୍ଡରେ ବୋହି ପସ୍ତାଇ ହେବାକୁ ସମ୍ମତ ହେବନି ।

 

ମମତାର କାନରେ ବାଜେ । ସେ କିଛି କହେ ନାହିଁ । ସେ ଜାଣେ ତା’ର ଦେହ ଓ ମନ ପଥର ପାଲଟି ସାରିଛି । କାମନା ବାସନାର କମ୍ପନ କେବେ ସେ ପଥରକୁ ହଲାଇ ଦୋହଲାଇ ଟଳାଇ ପାରିବ ନାହିଁ । ସ୍ଖଳନର ବଜ୍ରପାତ ହେବ ନାହିଁ ସେହି ଅଭେଦ୍ୟ ଅଚଳରେ । ସେ ଅଙ୍ଗରେ ବହିଛି ବଜ୍ରବାରଣ ମୁଦ୍ରିକା ଯାହାର କିମିଆଁ-ପ୍ରଭାବ ତା’ର ରକ୍ତରେ ଭେଦିଛି, ସ୍ନାୟୁରେ ଚରିଛି । ତା’ର ହୃଦୟର ସ୍ପନ୍ଦନକୁ ସମତଳ କରିଛି ।

 

ମମତା କଣେଇ ଚାହେଁ ତା’ର ପରି-ଆଙ୍ଗୁଠିକୁ । ମୁଦ୍ରିକା ଉପରର ପଥର ଖଣ୍ଡିକ ଝଟକିଉଠୁଛି । ମନକୁମନ ସେ ସାମାନ୍ୟ ହସେ । ମନେପକାଏ ସେହି ସୁ-ପୁରୁଷଙ୍କୁ ଯିଏ ତା’ପରି ଅକର୍ମଣ୍ୟ ଅଥର୍ବଟିର ବୋଝକୁ ମୁଣ୍ଡରେ ବୋହିବାକୁ ନିର୍ବିକାର ଚିତ୍ତରେ ଅପେକ୍ଷା କରି ରହିଥିଲେ ।

 

କଟକର ବଡ଼ ଡାକ୍ତରଖାନାକୁ ଶେଷରେ ତାକୁ ଯିବାକୁ ପଡ଼ିଲା । ସଙ୍ଗରେ ଯାଇଥିଲେ ତା’ର ବାପା ଓ ବୋଉ । ପରେଶବାବୁଙ୍କୁ ଖବର ଦିଆଯାଇଥିଲା । ନିଜେ ସୁଦର୍ଶନବାବୁ ନିଉନ ହୋଇ ଅନୁରୋଧ କରି କହିଥିଲେ, ଦେଖୁଛ ତ ସମୁଦି ଝିଅଟିର ଅବସ୍ଥା ! ତେବେ ବାହାଘର ତିଥି ପାଖାପାଖି ମାସଟିଏ ଅଛି, କଟକରୁ ଫେରିଆସିଲେ ଆୟୋଜନ କରିବାକୁ ଦିନ ଦଶଟା ଲାଗିବ । ଦୁର୍ଯ୍ୟୋଗ ଉପରେ କାହାର ହାତ ଅଛି ?

 

ପରେଶବାବୁ କହିଲେ, ଚିନ୍ତାନାହିଁ । ଆଗ ଝିଅଟିକୁ କଟକରୁ ଭଲ କରି ଆଣ ।

 

ଦୟାମୟୀ ଭାରତୀ ବିଦାୟ ଦେବାକୁ ଆସି, ଆଖିରୁ ଲୁହ ଗଡ଼ାଇ ମମତାର ଓଠରେ ହାତଦେଇ କହିଲେ, କି ସରି ହେଲାଣି ମୋର ମାଆଟି । କ’ଣ ହୋଇଛି କି ? ଦିନ ସାତଟାରେ ଭଲ ହୋଇ ଫେରିଆସିବୁ ଯେ । ମୁଁ କଲ୍ୟାଣ କରୁଛି ।

 

ଦୁଇସପ୍ତାହ ବିବିଧ ପ୍ରକାର ପରୀକ୍ଷା କରି ଡାକ୍ତରମାନେ ଦୃଢ଼ ମତଦେଲେ ଯେ ହାଡ଼-ଉପରେ ଆବ୍‍ସିସ୍ । ଶୀଘ୍ର ଅପରେସନ୍ ନ କଲେ ବିପଦ । ହାଡ଼ ଭିତରେ ସଢ଼ିଯିବାର ସମ୍ଭାବନା ଅଛି । ଅପରେସନ୍ ସଫଳତାର ସହିତ ହେଲା । ମମତା ଜାଣିପାରିନଥିଲା । ସେ ୱାର୍ଡ଼କୁ ଆସିଲା-। ତା’ର ଖଟିଆ ପାଖରେ ବାପ, ମା’ ଓ ଭାଇଙ୍କ ପାଖରେ ଯେଉଁମାନେ ରୁଣ୍ଡ ହୋଇଥିଲେ ସେମାନଙ୍କ ମଧ୍ୟରେ ମମତା ଦେଖିବାକୁ ପାଇଥିଲା ମନୋଜକୁ । ଗର୍ବ ଓ ଆନନ୍ଦରେ ମମତାର ମନ ପ୍ରଫୁଲ୍ଲ ହୋଇଥିଲା ।

 

ମନୋଜ ବାବୁ ପାଖକୁ ଆସିଥିଲେ । ତାକୁ ଉତ୍ସାହିତ କରିବାକୁ ସେ କହିଥିଲେ ଭଲ ହେଲା, ରୋଗର ମୁଳୋତ୍ପାଟନ କରାଗଲା । ଡାକ୍ତରମାନେ କହୁଛନ୍ତି, ଦିନ ଦଶଟା ପରେ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇ ରୋଗୀ ଚାଲିଯିବ ।

 

ମମତା ଜଳଜଳ କରି କେବଳ ଚାହିଁ ରହିଥିଲା ।

 

ପନ୍ଦରଦିନ ପରେ ବି ଦେହର ଉତ୍ତାପ କମିଲା ନାହିଁ । ଶୁଖିବା ପରିବର୍ତ୍ତେ ସବୁ ପ୍ରକାର ଯତ୍ନ ସତ୍ତ୍ୱେ ଘାଆ ମାତିବାକୁ ଲାଗିଲା । ଦଲ୍ ଦଲେଇଲା । ଅସହ୍ୟ ଯନ୍ତ୍ରଣାରେ ମମତା ଛଟପଟ ହେଲା । ବ୍ୟସ୍ତ ଅସ୍ଥିର ହୋଇ କାନ୍ଦିଲା । ବହୁ ପରୀକ୍ଷା ନିରୀକ୍ଷା ପରେ ସେମାନେ ବୁଝିଲେ ଯେ ହାଡ଼ ଭିତରେ ସଢ଼ି ସଢ଼ି ବହୁଦୂର ଯାଏଁ ମାଡ଼ିଗଲାଣି । ଆଣ୍ଠୁଉପରୁ ଗୋଡ଼ଟିକୁ କାଟି ଫୋପାଡ଼ି ନଦେଲେ ଜୀବନ ଉପରକୁ ଆଘାତ ଆସିବ ।

 

ହାହାକାର ଭିତରେ ମମତାର ବାପା, ବୋଉ, ଭାଇ ଓ ଭାଉଜ ସମ୍ମତ ଦେଲେ । ସବୁ ଘଟଣାର ସୁରାକ ପାଇ ମମତା ଜିଦି ଧରିଲା ଯେ ସେ ବରଂ ମରିବ, ଗୋଡ଼ କଟାଇ ଛୋଟୀ ହୋଇ ବଞ୍ଚି ରହିବ ନାହିଁ । ସେ କାହାରି ଗଳଗ୍ରହ ହେବାକୁ ଚାହେଁ ନାହିଁ । ଦିନୁଦିନ ଅବସ୍ଥା ଆହୁରି ଖରାପ ହେଲା । ଖବର ପାଇ ମନୋଜ ଆସି ପହଞ୍ଚିଲା ।

 

କପାଳ ଉପରେ ତା’ର ସ୍ନେହଶୀଳ ହାତର ପରଶ, ଓଠର ମଧୁର ହସ ଓ କୋମଳ ଅନୁରୋଧ ଏବେଯାଏଁ ମମତାର ମନରେ ସତେଜ ହୋଇ ରହିଛି । ସେ କହିଥିଲା, ଏମିତି ଅବୁଝା ହୁଅନା ମମତା, ମଣିଷ ଜୀବନର ମୂଲ୍ୟ ବୁଝ । ତମର ଜୀବନଟା ତମପାଇଁ ଆଲୋଡ଼ା ଭାବ ନାହିଁ, ସେତକ ଅନ୍ୟମାନଙ୍କ ପାଇଁ ମଧ୍ୟ ଲୋଡ଼ା । ମୁଁ କହୁଛି, ତମେ ନିଶ୍ଚୟ ରାଜିହୁଅ ।

 

ଦୁଇଆଖିରୁ ଲୋତକର ଧାର ଗଡ଼ାଇ ସେ ପଦଟିଏ ଉଚ୍ଚାରଣ କରିଥିଲା, ହଉ !

 

ତା’ପରେ ସେ ଆଖିବୁଜି ଦେଇଥିଲା ।

 

ସେତେବେଳେ ସେ ତା’ର ତୀବ୍ର ଯନ୍ତ୍ରଣା ଭିତରେ ମଧ୍ୟ ଭାବିଥିଲା ଓ ତା’ର ଭାବନା ତାକୁ ସାନ୍ତ୍ୱନା ଦେଇଥିଲା ଯେ ଯାହାଙ୍କର ସ୍ମୃତିର ପରଶ ଦେହରେ ଓ ମନରେ ଧାରଣ କରି ସେ ଶେଷ ନିଶ୍ୱାସ ତ୍ୟାଗ କରିଥାଆନ୍ତା, ତାଙ୍କର ଆଗ୍ରହ ସେ ଭାଙ୍ଗିବ ନାହିଁ । ଗୋଡ଼ କଟାହେଲେ ବି ସେ ନିଶ୍ଚୟ ମରିବ । ଯେଉଁ ସୁଦକ୍ଷ ଡାକ୍ତରମାନେ ଆଜିଯାଏଁ ଚିକିତ୍ସା କରି ତା’ର ସାମାନ୍ୟ ରୋଗଟାକୁ ଭଲ କରିପାରିଲେ ନାହିଁ, ସେମାନେ ତା’ର ଗୋଡ଼ କାଟି ମଧ୍ୟ ତାକୁ ବଞ୍ଚାଇ ପାରିବେ ନାହିଁ । କେବଳ ମନୋଜ ବାବୁଙ୍କର ନୁହେଁ, ବାପା ମା’, ଭାଇ ଓ ଭାଉଜଙ୍କର ଉତ୍କଣ୍ଠା ଲାଘବ କରିବାକୁ, ସେମାନଙ୍କର ସବୁ ସ୍ନେହର ରୁଣରୁ ଏ ଜନ୍ମରେ କାଣିଚାଏ ପରିଶୋଧ କରିବାକୁ ସେ ସମ୍ମତ ହେବ ।

 

ମମତାର ମରଣ ହେଲା ନାହିଁ । ହଟ ଦେଖିବାକୁ ହଟିଆ ବିଧାତା ତାକୁ ବଞ୍ଚାଇ ରଖିଲେ ।

 

ଏ ଛୋଟୀ ହୋଇଛି । ସେ ଅକର୍ମଣ୍ୟ ହୋଇଛି । କେତେ ଦହଗଞ୍ଜ ଭଗବାନ ତା’ର ଭାଗ୍ୟରେ ଲେଖିଛନ୍ତି । ଜୀବନ ଦୁର୍ବାହା ହୋଇଛି । ସେ କେବେ କାହାର କୌଣସି ଉପକାରରେ ଆସିବ ନାହିଁ । ଆତ୍ମୀୟ-ସ୍ଵଜନଙ୍କ ଉପରେ ମରିବାଯାଏଁ ସେ ଗୋଟାଏ ଅନାବଶ୍ୟକ ବୋଝ ହୋଇ ଘୃଣିତ ଦାୟିତ୍ୱ ହେବ । ବୋଧହୁଏ କର୍ତ୍ତବ୍ୟବୋଧର ଦୟନୀୟ ଆହା-ବିଚାରୀ ହୋଇ ଲଦାହେବ ।

 

ଲୋତକର ବନ୍ୟାରେ ଉବୁଟବୁ ହୋଇ ସେହି ବଡ଼ ଡାକ୍ତରଖାନାରେ ଦିଓଟି ମାସ ସେ କଟାଇଲା । ପାଖେ ପାଖେ ଅଶ୍ରୁମୁଖୀ, ବିଷାଦ-ବଦନୀ ସ୍ନେହମୟୀ ଜନନୀ । ଦିନୁଦିନ ସେ କ୍ଷୀଣ ହେଉଛନ୍ତି । ଖିଆପିଆ ଭୁଲି, ରାତିରେ ଅନିଦ୍ରା ହୋଇ ଜଗି ରହୁଛନ୍ତି । ଅତି କ୍ଳାନ୍ତ ହେଲେ ଚଟାଣରେ ମଶାବଣରେ ଶୋଇପଡ଼ୁଛନ୍ତି । ଚିହିଁକି ଉଠୁଛନ୍ତି ରୋଗୀମାନଙ୍କର ଆର୍ତ୍ତଚିତ୍କାରରେ, ଅବା କେଉଁ ହତଭାଗ୍ୟର ମରଣ ପାଇଁ ଆତ୍ମୀୟମାନଙ୍କର ଆକାଶଫଟା ରୋଦନ, ଧାଇଁଆସିଛନ୍ତି ମମତାର ଖଟିଆ ପାଖକୁ । କପାଳରେ ହାତ ଥାପିଛନ୍ତି ।

 

ମମତା ଜୁଳୁଜୁଳୁ ଚାହିଁଛି । ନିଶ୍ୱାସ ଛାଡ଼ୁଛି । ସେ ବଞ୍ଚିଛି । ହାତଯୋଡ଼ି କପାଳରେ ଲଗାଇଛନ୍ତି ତା’ର ଜନନୀ । ଭୁଟୁ ଭୁଟୁ ହୋଇ ପ୍ରାର୍ଥନା କରିଛନ୍ତି । କାହିଁକି ହତଭାଗିନୀ କନ୍ୟାର ଜୀବନ ପ୍ରତି ତାଙ୍କର ମମତା ? କି ସୁଖ ସେ ତା’ ପାଖରୁ ଆଶା କରନ୍ତି ? କି ସୁଆଦ ଅଛି ସେହି ଝିଅଟାର ଅବାଞ୍ଛିତ ଅଭିଶପ୍ତ ବ୍ୟର୍ଥ ଜୀବନରେ ? ସତେ ସେ ମନୋଜବାବୁ ତା’ର ଭାରା ସହିବାକୁ ହାତଧରି ଦୁନିଆଁର ଦାଣ୍ଡରେ ଚଳାଇ, ଉପହସିତ ହୋଇ, ମୁଣ୍ଡ ସଳଖି ଚାଲିବାକୁ ସାହସ କରିପାରିବେ ? ଏପରି ଦୁରାଶା ତା’ର ମାତା ମନରେ ପୋଷଣ କରିଛନ୍ତି ?

 

ସେ ଦେଖିଥିବେ, ଶୁଣିଥିବେ–

 

ଗୋଡ଼ କଟା ହେଲାପରେ ମନୋଜବାବୁ ତିନି ଚାରିଥର କେତେ ଜାତିର ଫଳ ଓ ହର୍ଲିକ୍ସ, ଓଭାଲ୍‍ଟିନ୍ ନେଇଆସିଥିଲେ । ପାଖରେ ଠିଆହୋଇ ଚାହିଁ ରହିଥିଲେ । ଥରେ ହସ ହସ ହୋଇ ସେ କହିଥିଲେ, ତମେ ଭଲ ହୋଇଆସିଲଣି । ମନରେ ପ୍ରଫୁଲତା ଆଣ । ମୁଁ ଭଲକରି ବୁଝିସାରିଲିଣି, ନୂଆ ଗୋଡ଼ କଅଁଳିବ ନାହିଁ ସିନା, ହଜିଲା ଗୋଡ଼ ଫେରିପାଇବ ।

 

ସଢ଼ାପଚା ପୋକ ଭଣ ଭଣ ଦୁର୍ଗନ୍ଧ ଗୋଡ଼ ମୋର କ’ଣ ହେବ ?

 

ନାହିଁ ମମତା, ସେଇ ବିଷାକ୍ତ ଗୋଡ଼ଟା ନୁହଁ, ଗୋଟିଏ ସୁନ୍ଦର ପ୍ଲାଷ୍ଟିକ୍‍ର ଗୋଡ଼ । ବମ୍ବେରୁ ଅଣାହେବ । ତମର ଭାଇଙ୍କ ସଙ୍ଗେ ଆଲୋଚନା ହୋଇଛି । ତଫାତ୍ ଜାଣିହେବ ନାହିଁ ।

 

ସତେକି ପୁଅ ?

 

ହଁ, ମାଉସୀ ।

 

ଆଶାର ଆଲୋକ ଜଳାଇ ମନୋଜବାବୁ ଚାଲିଯାଇଥିଲେ । ଶେଷଥର ଆସି ସେ ମମତାର ସେହି ହାତଟି ଧରିଥିଲେ, ଯହିଁରେ ତାଙ୍କର ମାତୃଦତ୍ତ ଉପହାର ମୁଦ୍ରିକା ଝଟକୁଥିଲା । ସେହି ହାତ, ଯାହାକୁ ପୁଣ୍ୟବେଦୀ ଉପରେ କୁଳ ପୁରୋହିତଙ୍କର ନିର୍ଦ୍ଦେଶରେ ଧରିଥାଆନ୍ତେ । କହିଲେ, ତମେ ପଢ଼ିବ, ନିଶ୍ଚୟ ପଢ଼ିବ । କି ସୁନ୍ଦର ନମ୍ବର ତମେ ରଖିଛ ! ସରୋଜ ଦେଖାଉଥିଲା-। ତମର ପ୍ରତିଭା ବ୍ୟର୍ଥ କରାହେବ ନାହିଁ । ତା’ର ବିକାଶ ହେଲେ ସମାଜ ତମଠାରୁ ନିଶ୍ଚୟ ଉପକୃତ ହେବ ।

 

ପଢ଼ିପାରିବି ?

 

ସଂକଳ୍ପବଦ୍ଧ ହେଲେ ନିଶ୍ଚୟ ପାରିବ ।

 

ସଂକଳ୍ପବଦ୍ଧ ହୋଇ, ମନରେ ଆଶାର ବୀଜ ରୋପଣ କରି ସେ ଗ୍ରାମକୁ ଫେରିଆସିଲା-। ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିଲା । ମାତ୍ର ଚାରୋଟି ମାସରେ ସେ ସାମାନ୍ୟ ମୋଟେଇ ଯାଇଥିଲା । ଆସନ୍ନ-ପ୍ରସବା ଭାଉଜ ଲତିକା ତା’ର କେଶ ପ୍ରସାଧନ କରି ସଜାଇଦେଉଣୁ ସେହିକଥା କହିଥିଲେ-

 

ଅଚଳ ମମତାକୁ ଚଳପ୍ରଚଳ କରାଇବାକୁ ଲତିକା ଅକ୍ଷମ ହେଉଥିଲେ । ଦୁଃଖପ୍ରକାଶ କରୁଥିଲେ । ସାହା କେବଳ ତା’ର ବୋଉ, ବେଳେବେଳେ ଠିକା ଚାକରାଣୀ ମରୁଆ, ପାଖରେ କେହିନଥିଲେ ସାନଭାଇ ସରୋଜ । ଅପାର ଦୁଃଖରେ ପିଲାଟା ଛାନିଆ ହୋଇଗଲା । ସବୁ ଫୁର୍ତ୍ତି ଛାଡ଼ି ସେ ମମତାର ପାଖେପାଖେ ରହୁଥିଲା ।

 

ନିଜର ଦୂରାବସ୍ଥାକୁ ସେ ଭଲକରି ଉପଲବ୍ଧି କରିସାରିଥିଲା । ଯେଉଁଦିନ ସେ ଖବର ପାଇଲା ଯେ ସୁଦର୍ଶନବାବୁ ଏଠାର ବାହାଘର ପ୍ରସ୍ତାବକୁ ଭାଙ୍ଗିଦେଇ ଅନ୍ୟ କେଉଁ ଧନୀ ଘରର ବେଶୀ ପାଠ ପଢ଼ିଥିବା ଝିଅ ସାଙ୍ଗରେ ମନୋଜବାବୁଙ୍କର ବାହାଘର ସ୍ଥିର କରିଛନ୍ତି ଓ କନ୍ୟା ଦେଖାପରେ ବାହାଘରର ଦିନବାର ସ୍ଥିର ହୋଇସାରିଛି, ମମତାର ଆଶାର କ୍ଷୀଣ ପ୍ରଦୀପ ନିର୍ବାପିତ ହେଲା । ପାଠ ପଢ଼ିବାର ସଂକଳ୍ପ ମନଭିତରେ ଦୋହଲିଉଠିଲା ।

 

ଆଗରୁ ସେ ଏହା ଅନୁମାନ କରିସାରିଥିଲା, କାରଣ ତାକୁ ଦେଖି ଭଗବାନଙ୍କୁ ତା’ର ଜୀବନରକ୍ଷା ପାଇଁ ଧନ୍ୟବାଦ ଦେବାକୁ ଯେଉଁମାନେ ଶଂଖୋଳି ଆସିଥିଲେ, ସେମାନଙ୍କ ମଧ୍ୟରେ ଭାରତୀ, ତାଙ୍କର ଦୁଇଝିଅ, ଅବା ତାଙ୍କର କୁଟୁମ୍ବର ଅନ୍ୟ କେହିନଥିଲେ ।

 

ପ୍ରଥମ ଆଘାତ ପାଇଲାପରେ ଧୀରେ ଧୀରେ ସେ ମନକୁ ଦୃଢ଼ କରିଥିଲା, ପଥୁରିଆ ପାଲଟାଇଥିଲା । ଯେଉଁ ମନୋଜବାବୁ ତାକୁ ଏତେ ଆଶା ଆଶ୍ୱାସନା ଦେଇଥିଲେ, ଭୁଲରେ କେବେ ସେ ପତ୍ର ଖଣ୍ଡେ ଦେଲେ ନାହିଁ । କେଉଁ ସାହସରେ, କେଉଁ ଦମ୍ଭ, କେଉଁ ଭରସାରେ ସେ ତାଙ୍କ ପାଖକୁ ଲେଖନ୍ତା ? ତାଙ୍କର ନାମ ଘରେ କାହାରି ତୁଣ୍ଡରୁ ବାହାରେ ନାହିଁ ।

 

ଖବର ପାଇଲା, ମନୋଜବାବୁ କେଉଁଠି ଏବେ ବିବାହ କରିବାକୁ ରାଜି ନୁହନ୍ତି, ଯଦି ସେ ବିବାହ କରିବେ, ଛୋଟୀ ମମତାକୁ ହିଁ ବିବାହ କରିବେ, ସେତକ ପୁଣି ଦୁଇବର୍ଷ ପରେ । ତୁମୁଳ କାଣ୍ଡ । ପରେଶବାବୁଙ୍କ ଘରେ ଆଲୋଡ଼ନ । ରେରେକାଚ କରି ପରେଶ ସୁଦର୍ଶନଙ୍କ ଘରକୁ ଧାଇଁଆସିଥିଲେ । ତାଙ୍କର ସନ୍ଦେହ ହୋଇଥିଲା ଯେ ମମତା କିମ୍ବା ଆଉ କେହି ମନୋଜଙ୍କୁ ପତ୍ରଲେଖି ପ୍ରଭାବିତ କରିଛନ୍ତି ।

 

ସୁଦର୍ଶନବାବୁ ତାଙ୍କୁ ଟାଣକଥା ଶୁଣାଇଥିଲେ । ଶେଷରେ କହିଲେ, ଆପଣଙ୍କ ପୁଅ ମନୋଜବାବୁଙ୍କୁ ଆପଣ ମୋ ପାଇଁ ଲେଖିଦିଅନ୍ତୁ, ମୋର ଅପାରଗ ଝିଅଟିକୁ କାହାରି ଗଳଗ୍ରହ କରି ଦୁହିଁଙ୍କୁ ଆଜୀବନ ଦୁଃଖ ଦେବାକୁ ମୁଁ ଚାହେଁ ନାହିଁ । ସାରାଜୀବନ ସୁଖରେ, ଅନ୍ୟର ଦୟାର ପାତ୍ର ନ ହୋଇ ଚାଲିବାକୁ ମୁଁ ଆଗ ମମତା ପାଇଁ ବ୍ୟବସ୍ଥା କରିବି । ତା’ପରେ; ଆଉ ଯଦି କିଛି ବେଳେ, ସେତକ ରହିବ ମୋ’ର ଦୁଇପୁଅଙ୍କ ପାଇଁ । ହେଲାତ ? ଏଥର ଯାଆନ୍ତୁ ।

 

ମମତା ଶୁଣିଥିଲା । ଝରକାବାଟେ ଚାହିଁ ରହିଥିଲା । ଦେଖିଲା, ପରେଶବାବୁ ବୋଧହୁଏ ରକ୍ତ-ଚାଉଳ ଚୋବାଇ, ରାଗରେ ଫଁ ଫଁ ହୋଇ, ମୁଣ୍ଡ ଝୁଙ୍କାଇ, ସାମାନ୍ୟ ଟଳିଟଳିକା ଖଞ୍ଜା ଭିତରୁ ବାହାରି ଯାଇଥିଲେ । ତାଙ୍କୁ ବଳାଇଦେବାକୁ ତାଙ୍କ ପଛେ ପଛେ ସୁଦର୍ଶନବାବୁ ପଦାକୁ ଗଲେ । କିଛି ସମୟ ପରେ ସେ ଫେରିଆସିଲେ ମମତା ପାଖକୁ ।

 

ଶୁଣିଲୁକି ମା’ ?

 

ବାପା, ଏ ବର୍ଷ ପରା ଏଠାରେ ନୂଆହୋଇ କଲେଜ ଆରମ୍ଭ ହେଉଛି ?

 

ଏ ବର୍ଷ ଆୟୋଜନ କରାହେଉଛି ମା’, ଆସନ୍ତା ଜୁଲାଇ ମାସରୁ ଖୋଲିବ ।

 

ମୁଁ ପଢ଼ିବି ବାପା, କଲେଜ ନ ଖୋଲିଲେ ବି ମୁଁ ଘରେ ଘରେ ପଢ଼ି ପରୀକ୍ଷା ଦେବି ।

 

ସୁଦର୍ଶନ ଖୁସିହେଲେ ।

 

ସୁକୁମାର ବହୁ ଅର୍ଥ ବ୍ୟୟ କରି ମମତାକୁ ଓ ତା’ର ବୋଉକୁ ସଙ୍ଗରେ ନେଇ ବମ୍ବେ ଯାଇଥିଲେ । ସେଠାରୁ ମମତା ପାଇଁ ପ୍ଳାଷ୍ଟିକ୍‍ର ଗୋଡ଼ ଓ ଚାଲିବାର ସୁବିଧା ହେବ ବୋଲି ଆଶ୍ରାବାଡ଼ିର ବ୍ୟବସ୍ଥା କରି ଆଣିଥିଲେ ।

 

ମମତା କଲେଜରେ ନାମ ଲେଖାଇ ପାଠ ପଢ଼ିଲା ।

 

ବର୍ଷ ପରେ ବର୍ଷ କଟିଲା । ସେ ସୁନାମର ସହିତ ଆଗେଇ ଚାଲିଲା । ଜାଣ ଗୋଟାଏ ତପସ୍ୟା । ତା’ର ସଂକଳ୍ପ ଓ ଅଧ୍ୟବସାୟ ପାଇଁ ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇଉଠିଲା । ପ୍ରଥମ ଦଳରେ ସେ ନଅ କଲେଜରୁ ସମ୍ମାନର ସହିତ ବି. ଏ. ପାସ୍ କଲା । ନିଜର ସଂକଳ୍ପ ସିଦ୍ଧି ଓ ଭାବିଷ୍ୟତ୍ ଜୀବନ ପାଇଁ ସଂସ୍ଥାନ ମନରେ ଆଣିଲା ଆତ୍ମ-ପ୍ରତ୍ୟୟ । ସେ ହେଲା ପିତାମାତାଙ୍କର ଆନନ୍ଦ ଓ ଗର୍ବର ଧନ, ପଡ଼ୋଶୀ ଓ ଆତ୍ମୀୟମାନଙ୍କର ବିସ୍ମୟ ।

 

ନୂଆ ଖୋଲା ହୋଇଥିବା ବାଳିକାମାନଙ୍କର ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ରୂପେ ନିଯୁକ୍ତି ଲାଭକଲା । ଏମ୍. ଏ ପଢ଼ିବାକୁ ଆଗ୍ରହୀ ହେଲାଣି । ସମସ୍ତେ ସନ୍ତୁଷ୍ଟ, ସମସ୍ତେ ଆନନ୍ଦିତ; କିନ୍ତୁ ଗୋଟିଏ କୁଟୁମ୍ବ ସତତ ମମତାର ଓ ସୁଦର୍ଶନଙ୍କ କୁଟୁମ୍ବର ପ୍ରତ୍ୟେକଙ୍କର ନାମରେ କୁତ୍ସାରଟନା କରିବାରେ ମୁଖର । ସେମାନେ ମନକୁମନ ଶତ୍ରୁତା ଆଚରଣ କରୁଥିଲେ, କାରଣ ତାଙ୍କର ପୁତ୍ର ମନୋଜ ପ୍ରତ୍ୟେକ ବିବାହ ପ୍ରସ୍ତାବରେ ଖୁଣ କାଢ଼ି ପସନ୍ଦ କରୁନଥିଲା ଓ ବିବାହ ପ୍ରସ୍ତାବକୁ ନାକଚ କରିଦେଉଥିଲା । ପରେଶବାବୁ ଅପଦସ୍ଥ ହେଉଥିଲେ । ଭାରତୀ କେବଳ ଲୋତକ ଗଡ଼ାଉଥିଲେ ।

ସବୁ ରାଗ ରୋଷ, ମାନାଭିମାନ ଦୂରକୁ ଫିଙ୍ଗି ସେ ଦିନେ ମରୁଆ ସଙ୍ଗରେ ସଞ୍ଜ ପହରେ ସୁଦର୍ଶନଙ୍କ ଘରେ ଉପସ୍ଥିତ ହେଲେ । ପାଞ୍ଚବର୍ଷ ପରେ ତାଙ୍କର ଆଗମନ ।

ଲତିକା ତାଙ୍କର ଚାରୋଟି ପୁତ୍ର ସନ୍ତାନଙ୍କୁ ନେଇ ଚାରିମାସ ଆଗରୁ ସୁକୁମାର ପାଖକୁ ଭୁବନେଶ୍ୱର ଚାଲିଯାଇଥିଲେ । ଘରେ ମମତା ପାଖରେ ସରୋଜ ପାଠ ପଢ଼ୁଥିଲା ।

ମଝିଘରେ ସୁରଭୀଙ୍କ ସଙ୍ଗେ ଭାରତୀଙ୍କର ଆଲୋଚନା । ମରୁଆ ଦୁରେଇ ବସିଥାଏ ।

ମୋର ଦୁଃଖ ମୁଁ ସବୁ କହିସାରିଛି ଗୋ ସମୁଦୁଣୀ, ଦୋଷ ମାଗିନେଇଛି । ବୁଢ଼ୀ ହେଲି, ଆଉ କେତେଦିନ ବଞ୍ଚିବି ? ସବୁଠେଇଁ ସେ ମନା କରିଦେଲା । ତା’ର ମନ ମୁଁ ଜାଣିଛି । ତମେ ହଁ କଲେ ତା’ ବାପାଙ୍କ ବାଧା ମୁଁ ମାନିବି ନାହିଁ । ନିଶ୍ଚେ ସେ ବାଟକୁ ଆସିବେ । ତମର ହାତ ଧରୁଛି । ତମେ ହଁ କହ ।

କେମିତି କହିବି ? ମମତାର ବାପା, ଭାଇ, ଭାଉଜଙ୍କୁ ପଚାରିବି ନାହିଁ ?

ମହାପ୍ରସାଦ ଫେରାଫେରି ହୋଇନାହିଁ । ପାଞ୍ଚବର୍ଷ ପାଞ୍ଚଦିନ ପରି ମଣ । ଆଗ ତମେ ହଁ ଭର । ମୋର ଯାନି-ଯୌତୁକ ଲୋଡ଼ା ନାହିଁ । ମୁଁ ଚାହେଁ ମୋର ବୋହୂକୁ ମମତାକୁ । ମୁଁ ବଞ୍ଚିଥିବାତକ ତା’ର ସେବାଯତ୍ନ କରିବି–

ମମତାକୁ ପଚାରିବି ନାହିଁ ?

ମୁଁ ତା’ ମନ ଜାଣିଛି । ସବୁ ସେ ଶୁଣିଛି । ସେ କ’ଣ ମନାକରିପାରିବ ?

ମମତାର ଛାତି ତଳେ ତୀବ୍ର କମ୍ପନ । ଆଖିରେ ଲୁହ ଧରୁ ନାହିଁ । ସରୋଜକୁ ସେ କହିଲା ଥରିଲା ସ୍ଵରରେ, ତୁ ପଦାକୁ ଚାଲିଯା ବାବୁ !

ଅପାର ଆଦେଶ ସରୋଜ ମାନିଲା ।

ଭାରତୀ ନିଜେ ଆସିଲେ ମମତା ପାଖକୁ । ତାଙ୍କ ପଛେ ପଛେ ସୁରଭୀ । ମମତା ନମସ୍କାର କଲା । ଆଖିରେ ତା’ର ଲୁହ ଛଳଛଳ ହେଉଥାଏ ।

ଭାରତୀ ମୁହୂର୍ତ୍ତେ ଚାହିଁ ରହିଲେ ମମତାର ମୁହଁକୁ । ସେ ଆହୁରି ସୁନ୍ଦର, ଆହୁରି ସ୍ୱାସ୍ଥ୍ୟବତୀ ଦିଶୁଛି । ମୁହଁଟି ଗମ୍ଭୀର । ସାଧାସିଧା ବେଶ । ଆଖିରେ କଜ୍ଜ୍ଵଳ ଧାରେ ଲଗାଇ ନାହିଁ । କପାଳ ଉପରେ ରଙ୍ଗଠୋପା ନାହିଁ । କ’ଣ ସେ ପଚାରିବେ କିଛି ବୁଝିପାରିଲେ ନାହିଁ । ମୁହଁ ଉପରକୁ ହସ ଓଟାରି, କିଛି ନ ବୁଝି ନ ବିଚାରି ସେ ପଚାରିଦେଲେ, ମନୋଜ ଚିଠି ଦେଇଥିଲା କି ମା’ ?

ଆହତ ନାଗିନୀ ପରି ମମତା ଚିହିଁକିଉଠିଲା । ଭାବିଲା, ଚୋଟେ ହାଣିବ । ବିସ୍ମିତା ଜନନୀଙ୍କର ବିଚଳିତ ମୁହଁକୁ ଚାହିଁ ସେ ଆଖିବୁଜି ତା’ର କ୍ରୋଧକୁ ଆୟତ୍ତ କଲା । ଅଞ୍ଚଳରେ ଆଖିରୁ ଲୁହ ପୋଛିଲା । ଆଖି ଖୋଲି ମୁହଁ ରଙ୍ଗକରି କହିଲା, ଆପଣଙ୍କର ପୁଅଙ୍କୁ ନ ପଚାରି ମୋତେ କାହିଁକି ପଚାରୁଛନ୍ତି ? ସେ ଆମର କିଏ ଯେ ଏଠାକୁ ଚିଠି ଦେବେ ?

 

ନାଇଁ ମା’ ସେମିତି ପଚାରିଦେଲି ନା–

 

ହଉ, ଭଲ କଲେ । ବୁଝିଯିବେ । ଚାରିଆଡ଼େ ମୋର ଯେଉଁ ଦୁର୍ନାମ ରଟାଇଛନ୍ତି, ତା’ର ଜବାବ ଶୁଣିଯିବେ ।

 

ଦୁର୍ନାମ କିଏ ରଟାଇଛି ?

 

ଯେଉଁମାନଙ୍କର ଧାରଣା ଯେ ମନୋଜବାବୁ ମୋ ପାଖକୁ ଚିଠି ଦିଅନ୍ତି ଆଉ ମୁଁ ତାଙ୍କୁ ଉତ୍ତର ଦିଏ । ଆପଣମାନଙ୍କର ଧାରଣା ଯେ ଆପଣମାନଙ୍କର ସବୁ ପ୍ରସ୍ତାବ ଭାଙ୍ଗିଦେବାକୁ ମୁଁ ତାଙ୍କୁ ପ୍ରବର୍ତ୍ତାଉଛି । ଏ ଦୁର୍ନାମ ମୁଁ ବହୁବର୍ଷ ହେଲା ଶୁଣିଆସୁଛି ।

 

ସୁରଭୀ ପଚାରିଲେ, ସତେ କି ମା’ ?

 

ହଁ, ବୋଉ । ତୋ’ ମନରେ କାଳେ ଦୁଃଖ ହେବ, ତେଣୁ ମୁଁ ତତେ କହି ନାହିଁ । ତୁ ମନ କଷ୍ଟ କରନା, ବୋଉ ତତେ ମୋ ରାଣ । ମନୋଜବାବୁ କେବେ ଭୁଲରେ ହେଲେ ମୋ ପାଖକୁ ପତ୍ର ଦେଇନାହାନ୍ତି । ମୁଁ ବା ତାଙ୍କୁ ଦେବି କାହିଁକି ?

 

ସୁରଭୀ ମନକୁମନ କହିଲେ, ଏଡ଼େ ସାହସ ! କାହିଁକି ମୋ ଅଭିଆଡ଼ୀ ଝିଅଟି ନାମରେ ଏଡ଼େବଡ଼ ଦୁର୍ନାମ ରଟାଇବେ ? ତୋ ବାପା ଭାଇଙ୍କୁ କହିଲେ-

 

ତୋର ଗୋଡ଼ତଳେ ପଡ଼ୁଛି ବୋଉ । କେବେ ସେ ବୁଦ୍ଧି କରିବୁ ନାହିଁ । ତୁ ମନକଷ୍ଟ କରନାହିଁ, କାହିଁକି ସେ ଦୁର୍ନାମା ରଟାଇଛନ୍ତି ମୁଁ ଜାଣିଛି ।

 

କ’ଣ ଜାଣିଛୁ ମା’ ?

 

ଆଖିରୁ ଲୁହର ଧାର ପୋଛି, ମମତା ଛାତିର କୋହ ଅଟକାଇ କହିଲା, ଏଇ ମାଉସୀ, ତାଙ୍କର ଦୁଇଝିଅ ସୁରମା ଓ ସୁଷମା ଏବଂ ତାଙ୍କର ପୁଅ ମନୋଜବାବୁଙ୍କର ସ୍ନେହ କ’ଣ ଏ ଜୀବନରେ ଭୁଲିହେବ ବୋଉ ?

 

ଭାରତୀ ଆଖିରୁ ଲୁହ ଗଡ଼ାଉଥିଲେ, ଶୁଣ ସମୁଦୁଣୀ, ମୋର ଲକ୍ଷ୍ମୀ ବୋହୂର କଥା !

 

ମମତା କହିଲା, ତୁ କ’ଣ କେବେ ଗୋଟାଏ ଗୋଡ଼କଟା ଅକାମୀ ଝିଅକୁ ତୋର ବୋହୂ କରି ଆଣିଥାଆନ୍ତୁ କି ? ସେଇଟା କାହାର କେଉଁ କାମକୁ ପାଆନ୍ତା ? ନିଜେ ତ ନିଜର ଓ ସମସ୍ତଙ୍କ ବୋଝ ହୋଇ ରହିଥାନ୍ତା !

 

ସୁରଭୀ କହିଲେ, ସତ ଯେ–

 

ହଁ ବୋଉ ସତ । ତୋର ମନକୁ ପଚାର । କଥା ଏତେଦୂର ଯାଇନଥାନ୍ତା ଯଦି ମନୋଜବାବୁ ତାଙ୍କ ବାପା ମାଆଙ୍କ କୁହା ମାନି ଅନ୍ୟ କାହାକୁ ବିବାହ କରିବାକୁ ରାଜି ହୋଇଥାନ୍ତେ-

 

ଭାରତୀ ମମତାର ହାତ ଉଠାଇ ଅତି ଖୁସିରେ କହିଲେ, ଶୁଣିଲ ସମୁଦୁଣୀ ମୋ ବୋହୂ, ମମତାରାଣୀର କଥା ? ମୋ ମାଆର କେତେ ବୁଦ୍ଧି ଦେଖ । ଆଗୋ ସମୁଦୁଣୀ, ବଞ୍ଚିଥିବା ଯାଏଁ ମୋ ମାଆଟିକୁ କାଖେଇ କୁଣ୍ଢାଇ, ହାତରେ ଘଷିମାଜି ଝଟକାଇ ରଖିବି । ଦାସୀ ପରିବାରୀ ଖଞ୍ଜିଦେବି ଗୋ, ତା’ ଗୋଡ଼ରେ ପାଣି କାଦୁଅ ଲଗାଇଦେବି ନାହିଁ । କି ଅଭାବ ଅଛି କି ତା’ର ଶ୍ଵଶୁରର ? ତମେ କୁଣ୍ଠିତ ହୁଅନା ସମୁଦୁଣୀ, ପଦଟିଏ କହ-ହଁ । ଦେଖିଲ, ସେଇ ମୁଦିଟି ଆଙ୍ଗୁଠିରେ ତ ମାଉଁଶକୁ ଦବାଇ ବସି ଗଲାଣି, ତେବେବି ଝଟକୁଛି । ହୀରାକଣିବସା ଆଉ ମୁଦିଟିଏ ପିନ୍ଧାଇଦେବି ।

 

ଭାରତୀ ଭାବବିହ୍ୱଳ ହୋଇଥିଲେ । ସୁରଭୀ ତନ୍ମୟ ହୋଇ ଚାହିଁଥିଲେ । ମମତାର ହୃତ୍‌କମ୍ପ ହେଉଥିଲା । ମନରେ କେଉଁ ଅବୋଧ୍ୟ ତୀବ୍ର ଯନ୍ତ୍ରଣା ସେ ଅନୁଭବ କରୁଥିଲା । ଛେପ ଢୋକି ସେ ଆତ୍ମସଂଯମ କରି କହିଲା, ବୋଉଲୋ, ମନୋଜବାବୁଙ୍କର ଦୋଷ ତୁ ଦେଏନା ।

 

ଭାରତୀ କହିଲେ, ମୋ ପୁଅର ଦୋଷ ତମେ ଦିଅନା ସମୁଦୁଣୀ, ତା’ର ମନ ସୁନାରେ ଗଢ଼ା । ତା’ର ମନ ପୁଣି ଭାରି କଅଁଳ । ସେ ଅନ୍ୟର ଦୁଃଖ ସହିପାରେ ନାହିଁ । ସତଛଡ଼ା ମିଛର ପାଖ ପଶେ ନାହିଁ । ଦୁନିଆଁ ପ୍ରଳୟ ହେଲେ ବି ତୁଣ୍ଡରୁ ଖସିଲା ବଚନ ସେ ଅନ୍ୟଥା କରେ ନାହିଁ ।

 

ଜାଣେ, ଜାଣେ ଗୋ ସମୁଦୁଣୀ, ମୁଁ–

 

ସମୁଦୁଣୀ ବୋଲି ଡାକିଲ ? ମୋର ସବୁ ଅପରାଧ କ୍ଷମିଲ ? ମୋର ଏଇ ସୁନା କଣ୍ଢେଇକୁ ମୋ ହାତକୁ ଟେକିଦେବାକୁ ସମ୍ମତ ହେଲ ?

 

ଭାରତୀଙ୍କ ହାତରୁ ନିଜର ହାତ ଖସାଇନେଇ, ଦୁଇହାତରେ ମୁହଁ ଘୋଡ଼ାଇ ମମତା କଇଁକଇଁ ହୋଇ କାନ୍ଦିଉଠିଲା । ଭାରତୀ ତା’ର ପିଠି ଆଉଁସି କହିଲେ କାନ୍ଦନା ମୋର ମାଆଟି, ମୁଁ ବଞ୍ଚିଥାଉଣୁ ତୋର କାନ୍ଦ ସହିପାରିବି ନାହିଁ ।

 

ସୁରଭୀ ବାଷ୍ପରୁଦ୍ଧ କଣ୍ଠରେ କହିଲେ, ସବୁ ମାନ ଅଭିମାନ ସରିଗଲା ଲୋ ମା’, ସବୁ ରାଗ ରୋଷ ତୁଟିଗଲା । ସମାଧାନ ହୋଇଗଲା । ଆଉ କାହିଁକି ତୁ ମନକଷ୍ଟ କରି କାନ୍ଦୁଛୁ ? ତୁନି ହଁ ମା’ !

 

ମମତା ତୁନି ହୋଇଥିଲା । ମୁହଁରୁ ଲୁହର ସବୁ ଦାଗ କାନିରେ ରଗଡ଼ି ପୋଛିଦେଲା । କହିଲା, ହେଇଟି ବୋଉ, ସବୁ ଲୁହ ମୁଁ ଆଖିରୁ ପୋଛିଦେଲି । ଛାତି ଭିତରୁ ସବୁ କୋହ ମୁଁ ମୁଞ୍ଚି ସାରିଲିଣି । ଜୀବନରେ ଆଉ ଦିନେ କେବେ କାନ୍ଦିବି ନାହିଁ, ମନ ମଉଳାଇବି ନାହିଁ । ମୋ ମନରେ ସବୁ ସମାଧାନ ହୋଇସାରିଛି । ମୋ ଜୀବନରେ ଚଳନର ସବୁ ମିମାଂସା ମୁଁ କରିସାରିଛି ।

 

ଖୁସିହୋଇ ସୁରଭୀ କହିଲେ, ଭଲ କରିଛୁ ମା’ ।

 

ତାଙ୍କର କଥାକୁ ଶୁଣି ନ ଶୁଣିଲା ପରି ମମତା ତା’ର ବୋଉଙ୍କର ମୁହଁକୁ ଚାହିଁ କହିଲା, ନିଜ ପାଇଁ ମୁଁ କାନ୍ଦୁନଥିଲି । ସେହି ସାଧୁ, ସତ୍ୟନିଷ୍ଠ, ସୁନାର ମଣିଷ ମନୋଜବାବୁଙ୍କର ସ୍ନେହପ୍ରବଣ ମନ ମତେ ଆପେଆପେ କନ୍ଦାଇଦେଲା ।

 

ଭାରତୀ କହିଲେ, ସେମିତିକା ପିଲା ସେ ।

 

ମମତା କହିବାକୁ ଲାଗିଲା, ମୋର ଦୁଃଖ ପାଇଁ ତାଙ୍କର କରୁଣା, ତାଙ୍କର ସହାନୁଭୂତି, ତାଙ୍କର ବାପା ମାଆଙ୍କର ସବୁ ପ୍ରସ୍ତାବକୁ ଆଡ଼େଇ ଦେଉଥିଲା । ବହୁବର୍ଷ ହେଲା ମୁଁ ଏହା ଜାଣିଛି, ଦୁଃଖ କରିଛି । କେତେଥର ଭାବିଛି, ଚିଠିଖଣ୍ଡିଏ ଲେଖି ତାଙ୍କର ଭ୍ରମ ତାଙ୍କୁ ବୁଝାଇଦେବି, କିନ୍ତୁ କେବେ ଲେଖିବାକୁ ସାହସ କରି ନାହିଁ । କେମିତି କ’ଣ ଲେଖିବି ନିଜେ ସ୍ଥିର କରିପାରି ନାହିଁ ।

 

ଭାରତୀ କହିଲେ, ଏଥର ଖଣ୍ଡିଏ ଲେଖିଦେଉନୁ ମା’, ସେ ବାଇଆ ଭାରି ଖୁସିହେବ । ମନକଥା ତୋର ଲେଖିଦେବୁ । ଆଜିସବୁ ସମାଧାନ ହେଲା । ତୁ ମୋ ବୋହୂ ହେବାକୁ ରାଜି ହେଲୁ । କାହାର ଜିଭରେ ହାଡ଼ ଅଛି ପଦେ କହିବ ? ମୁଁ କହୁଛି, ଲେଖ ।

 

ମମତା କହିଲା, ଲେଖିବି ମାଉସୀ, ନିଶ୍ଚୟ ଲେଖିବି । ତାଙ୍କ ପାଖକୁ ମୋ ଜୀବନର ପ୍ରଥମ ଓ ଶେଷ ଚିଠି ଖଣ୍ଡି ଲେଖିବି । ମୋର ଲାଜ ସରମର ପ୍ରଶ୍ନ ନାହିଁ । ମୁଁ ପଥର ହେଲିଣି । ନିନ୍ଦା ଅପବାଦ ମୋର ଦେହରେ, ମନରେ ଓ ଆତ୍ମାରେ କେବେ ଆଉ ଭେଦିବ ନାହିଁ । ବାଜିଲେ ଚୁନା ହେବ । ନୋହିଲେ ବାହୁଡ଼ିବ । ମୋ ଚିଠି ପାଇଲେ ସେ ଆଉ ଆପଣଙ୍କର ଆମାନିଆଁ ହେବେ ନାହିଁ । ଆପଣ ଯେଉଁଠି ସ୍ଥିର କରିବେ ସେଇଠି ବାହାହେବାକୁ ସେ ମଙ୍ଗିବେ । ଏତିକି ବିଶ୍ୱାସ କରିବାକୁ ମୁଁ ସାହସୀ ହେଉଛି ।

 

ମୁଁ ସ୍ଥିର କରିସାରିଛି ମା’; କେବେଠାରୁ ସ୍ଥିର କରିସାରିଛି, ତୁ ମୋର ବୋହୂ ହେବୁ ।

 

ମାଉସୀ, ଦିନେ ଆପଣ ସ୍ନେହରେ ମୋତେ ବୋହୂ କରିବାକୁ ଆସିଥିଲେ । ଆଜି ଆସିଛନ୍ତି ଆପଣଙ୍କ ମନର ବାଧ୍ୟବାଧକତାରେ, କେବଳ ଘୃଣାରେ, କେବଳ ଆପଣଙ୍କର ପୁଅଙ୍କର ଜିଦ୍ ପାଇଁ ।

 

ନାଇଁ ମା’, ନାହିଁ–

 

ମନୋଜ ବାବୁ ଯଦି ରାଜି ହୋଇଥାନ୍ତେ, କେବେଠାରୁ ଆଉ କିଏ ଆସି ଆପଣଙ୍କ ଘରର କୁଳବଧୂ ହୋଇସାରନ୍ତେଣି । କାହିଁକି ଆପଣ କଷ୍ଟ କରି ଆଜି ଏଠାକୁ ଆସିଥାନ୍ତେ ? ଆସିଲେ ଭଲହେଲା । ଯେଉଁ ଭଗବାନ ମତେ ମୋର କେଉଁ ପୂର୍ବଜନ୍ମର ପାପ ପାଇଁ ଦଣ୍ଡ ଦେଇଛନ୍ତି, ସେହି ମତେ ମଣିଷ ଚିହ୍ନାଇଁ ମୋର ଶେଷ ନିଷ୍ପତ୍ତି କରିବାକୁ ସୁଯୋଗଦେଲେ ମାଉସୀ, ମୁଁ ଆପଣଙ୍କୁ ନମସ୍କାର କରୁଛି ।

 

ମମତା ଦୁଇହାତ ଯୋଡ଼ି କପାଳରେ ଲଗାଇଲା ।

 

କାହିଁକି ମା’ ?

 

ଯଦି ଆପଣଙ୍କ ପାଖରେ ଅଜାଣତରେ ମୁଁ କୌଣସି ଅପରାଧ କରିଥାଏ, କ୍ଷମା କରନ୍ତୁ-। ମୁଁ ବିବାହ କରିବି ନାହିଁ । ମୋର ବୋଝ ନିଜେ ମୁଣ୍ଡାଇ ମୁଁ ଜୀବନ ବିତାଇବାକୁ ସକ୍ଷମ ହୋଇଛି-। ଆଉ କାହାର ଅନୁତାପର ବସ୍ତୁ ହୋଇ ତିଷ୍ଠି ରହିବାକୁ ମୁଁ ଚାହେନାହିଁ ।

 

ସୁରଭୀ ପାଟି କରି ଉଠିଲେ, ମମତା !

 

ହଁ ବୋଉ, ସତ କହିଲି । ମୋର ଶେଷ କଥା । ମୋ ପାଇଁ ତମେମାନେ ନିଶ୍ଚିନ୍ତ ହୁଅ । ବୋଉଲୋ, ଦେଖ ମୋର ହାତରେ ଏଇ ମୁଦିଟି କେମିତି ବସିଛି । ତାକୁ କାଢ଼ିବି ବୋଲି ଏଇ ପାଞ୍ଚବର୍ଷ ଭିତରେ କେଜାଣି ସହସ୍ରଥର ମୁଁ ଚେଷ୍ଟା କରିଛି । ବାହାରୁ ନାହିଁ । ମୁଁ କ’ଣ କରିବି ? ଆଙ୍ଗୁଠିକୁ ଖଣ୍ଡିଆଖାବ୍ରା କରିବାକୁ ଭାରି କଷ୍ଟ ହେଉଛି । ମନ ବଳୁ ନାହିଁ ।

 

ହଁ ମା’ !

 

ମୋର ବାହାଘର ପାଇଁ ସେ ଯେଉଁ ସୁନ୍ଦର ମୁଦିଟି, ୟାଠାରୁ ସୁନ୍ଦର ୟାଠାରୁ ଢେର ଅଧିକ ଦାମିକା, ମୋ ପସନ୍ଦ ପ୍ରକାରେ ବାପା ଗଢ଼ାଇ ରଖିଥିଲେ, ତୋ ପାଖରେ ସାଇତିଛୁ । ତତେ ମୋ ରାଣ, ତାକୁ ତୁ ୟା ବଦଳରେ ତାଙ୍କୁ ଫେରାଇଦେ । ମତେ ତୁ ଧାରୁଆ ରଖନା । ତାହେଲେ ମୁଁ ବଞ୍ଚିଥିବା ଯାଏଁ କାନ୍ଦୁଥିବି ବୋଉ ।

 

ଫେରାଇଦେବି ମା’ !

 

ହଁ ସେ ତାଙ୍କର ବୋହୂକୁ ଦେବେ ।

 

ସେଥିରେ ତୋର ନାମ ଲେଖାହୋଇଛି ଯେ ।

 

ମୁଁ ନେବି ନାହିଁ ଗୋ, ମନୋଜ ରାଗିବ ।

 

ମୋ ନାମ ବୋଲି କେହି ଜାଣିବେ ନାହିଁ । ତା’ର ଆଉ ଗୋଟାଏ ଅର୍ଥ ଅଛି । କହନ୍ତି ନାହିଁକି ସ୍ନେହ-ମମତା, ମାୟା-ମମତା ! ସମସ୍ତେ ସେଇଆ ବୁଝିବେ । ମନୋଜବାବୁ ବି ସେଇଆ ବୁଝିବେ ଯେ, ରାଗିବେ ନାହିଁ ।

 

ନାହିଁ, ନାହିଁ ଗୋ ଭଉଣୀ, ସେ ମୁଦି ମୁଁ ସ୍ନେହରେ ମମତାଙ୍କୁ ପିନ୍ଧାଇ ଦେଇଥିଲି । ତା’ ବଦଳ ଆଉ ଗୋଟାଏ ନେଇ ଏ ଘରୁ ମୁଁ ବାହୁଡ଼ିବି ନାହିଁ ।

 

ହଉ ବୋଉ, ସେ ନ ନିଅନ୍ତୁ । ସେମାନେ ତତେ ନିମନ୍ତ୍ରଣ କରନ୍ତୁ ଅବା ନ କରନ୍ତୁ, ସେମାନେ ପଛେ ତତେ ଅପମାନ ଦିଅନ୍ତୁ, ତୁ ବୋହୂଦେଖା ଦିନ ଯାଇ ତାଙ୍କର ବୋହୂଙ୍କ ଆଙ୍ଗୁଠିରେ ପିନ୍ଧାଇ ଦେବୁ ।

 

ମତେ ତୁ ଅପମାନ ଦେଉଛୁ ମମତା ?

 

ସେପରି ଭାବନା ମାଉସୀ ! ଯାହା କହୁଛି ମୁଁ ସତ କହୁଛି । ମନ ଦୁଃଖରେ, ହତାଶ ହୋଇ, ଯେଉଁ ଛୋଟୀଟାକୁ ଘୃଣା କର ତା’ଉପରେ ଦାଉ ସାଧିବାକୁ ଧାଇଁ ଆସିଥିଲା । ଏବେ ମନ ଆନନ୍ଦରେ ପୂର୍ଣ୍ଣ ଆଶା ଧରି, ଯାହାକୁ ପାଇଲେ ତମେ ସୁଖୀ ହେବ, ସ୍ନେହ ସୋହାଗରେ କୁଳବୋହୂ କରି କୋଳରେ ବସାଇ ଖେଳ ଖେଳାଇପାରିବ, ତାଆରି ବିଚାର ମନରେ ଧରି ଫେରିଯାଅ । ତମ ପୁଅଙ୍କୁ ପ୍ରସ୍ତାବ ପଠାଅ । ମୁଁ ନିର୍ଭର ଜବାବ୍ ଦେଉଛି, ସେ ନିଶ୍ଚୟ ସମ୍ମତ ହେବେ ।

 

ଯଦି ନ ହୁଏ ?

 

ତମକୁ ମୁଁ କୋଟି ନମସ୍କାର କରି କହୁଛି, ସେ ରାଜି ନହେଲେ ଦୟାକରି ଆଉ ଥରେ ଆସିବ । ଖାଲିହାତରେ ନୁହେଁ, ସଙ୍ଗରେ ଜହର ଧରି । ତମରି ଆଗରେ ତାକୁ ଢୋକି ପ୍ରାଣ ହାରିବି-। ଆଗ ଲେଖିଦେଇଥିବି ଯେ ମୋ ମରଣ ପାଇଁ ଏକା ମୁଇଁ ଦାୟୀ ଆଉ କେହି ନୁହେଁ ।

 

ଭୟତ୍ରସ୍ତ ସୁରଭୀ କହିଲେ, ଏଗୁଡ଼ାକ ତୁ କ’ଣ ଏଣୁତେଣୁ ଗପୁଛୁ, ପାଗଳ ହେଲୁକି ?

 

ଏଣୁତେଣୁ ନୁହେଁ ଲୋ ବୋଉ ! ଡାକ୍ତରଖାନା ଘଟଣା ତୁ ହେଏଜେ । ଗୋଡ଼ର ହାଡ଼ ସଢ଼ି ସଢ଼ି ଯାଉଥିଲା । ଡାକ୍ତରମାନେ କହିଲେ, ଗୋଡ଼ ନ କାଟିଲେ ମରଣ ହେବ । ଛୋଟୀ ଗୋଡ଼କଟୀ ହୋଇ ବଞ୍ଚି ରହିବା ଅପେକ୍ଷା ମରଣ ଭଲ ବୋଲି ମରିବାକୁ ପଣ କରିଥିଲି । କିଏ ମୋର ସେ ପଣ ଭାଙ୍ଗିଲା ? କିଏ ମତେ ମନାଇଁ ଗୋଡ଼ କଟାଇ ଛୋଟୀ ହୋଇ ବଞ୍ଚି ରହିବାକୁ ପ୍ରବର୍ତ୍ତାଇଥିଲା ?

 

ହଁ ଲୋ ଝିଅ, ମନେପଡ଼ୁଛି, ମନୋଜ !

 

ବୁଝିଲ ମାଉସୀ ? ତାଙ୍କରି ପାଇଁ ମୁଁ ଜୀବନ ଧରିଥିଲି । ଆବଶ୍ୟକ ହେଲେ ତାଙ୍କରି ପାଇଁ ମୁଁ ଜୀବନ ଦେବି । ମୋର ସେଥିରେ ଦୁଃଖ ନାହିଁ । ପାଞ୍ଚବର୍ଷ ତଳେ ଯେଉଁମାନେ ଦୁଃଖ କରିଥାନ୍ତେ, କାନ୍ଦିଥାଆନ୍ତେ, ଏବେ ଥରେ ସେମାନେ ସେଇଆ କରିବେ । ଥରେ ତ, ମୋଟେ ଥରେ-

 

ଅଜାଣତରେ, ଉତ୍ତେଜନାରେ ମମତା ହସିଥିଲା ।

 

ଭାରତୀ ଥକ୍କା ହୋଇ ଚାହିଁ ରହିଥିଲେ । ସୁରଭୀ କେବଳ କାନ୍ଦୁଥିଲେ ।

 

ସହସା ଭାରତୀ ମମତାକୁ କୋଳାଗ୍ରତ କଲେ । କାନ୍ଦି କହିଲେ, ମନୋଜ କାହିଁକି ଝାଙ୍କ ଧରିଛି ମୁଁ ଏବେ ଭଲକରି ବୁଝିଲି ଲୋ ମୋର ସୁନା କଣ୍ଢେଇ ! ଯାହା ତୁ କହିଲୁ ଆଉ କେହି ଜାଣନ୍ତି ନାହିଁ । ସବୁ ଦୋଷ ମୋର ହୋଇଛି । ତୁ ଥରେ ହଁ କହ ଲୋ ମା’, ତୁ ଥରେ ହଁ କହ । ତୁ ନାହିଁ କଲେ ମୋର ସେ ପୁଅଟା ଭାଙ୍ଗିପଡ଼ିବ । ଆଉ କାହାର ହାତ ଧରିଲେ ବି ସେ ବାହାରେ ନହେଲେ ତା’ର ମନଭିତରେ ଚିରଦିନ କାନ୍ଦୁଥିବ । ମା’ ହୋଇ କେମିତି ମୁଁ ସହିବି ?

 

ମମତା ଭାରତୀଙ୍କ କୋଳରୁ ମୁକ୍ତହୋଇ ନିର୍ବିକାର ଚିତ୍ତରେ କହିଲା, ମନୋଜବାବୁ ଭାଙ୍ଗିପଡ଼ିବାର ଲୋକ ନୁହନ୍ତି ମାଉସୀ, ସେ କାନ୍ଦିବାର ମଣିଷ ନୁହନ୍ତି । ଆପଣଙ୍କର ପୁଅ, ଆପଣ ତ ନିଶ୍ଚୟ ଜାଣନ୍ତି । ମଶା ମାଛିଟିଏ ମାରିବାକୁ ସେ ହାତ ବଢ଼ାଇବାର ବ୍ୟକ୍ତି ନୁହନ୍ତି । ମତେ ମରିବାକୁ ସେ ଅନୁମତି ଦେବେ ? ସେ ଆପଣ ପଠାଇଥିବା ପ୍ରସ୍ତାବରେ ନିଶ୍ଚୟ ରାଜି ହେବେ । ଆପଣ ଆପଣଙ୍କର ପୁଅଟିର ସୁଖସୌଭାଗ୍ୟ ଦେଖି ସୁଖୀ ହେବାକୁ ଚାହାନ୍ତି । ବୋହୂଟିଏ ଆପଣ ଆପଣଙ୍କ ପୁଅପାଇଁ ଚାହାନ୍ତି ସେହି ଉଦ୍ଦେଶ୍ୟରେ । ମୋ ପରିକା ବୋହୂ ସେ ଉଦ୍ଦେଶ୍ୟ ସଫଳ କରିପାରିବ ନାହିଁ । ତାଙ୍କୁ ଲେଖି ମୁଁ ବୁଝାଇପାରିବି ।

 

ସେହି ପାଷାଣ ପ୍ରତିମା ମମତା ନିର୍ବିକାର ଓ ନିର୍ବେଦନ ନ ହୋଇ ମନୋଜ ପାଖକୁ ପତ୍ର ଖଣ୍ଡିଏ ଲେଖିଥିଲା । ସେ କେବଳ ନିବେଦନ କରିଥିଲା, ତାଙ୍କ ନିକଟରୁ କୌଣସି ଉତ୍ତର-ପତ୍ର ପାଇଁ ସେ ବାରଣ କରିଥିଲା । ଜଣାଇଥିଲା ଯେ ମନୋଜ ଯଦି ତା’ ପାଇଁ ତାଙ୍କ ପିତା ମାତାଙ୍କ ମନରେ ଆହୁରି ଅଧିକକାଳ ଆଘାତ ଦେଇ ତା’ ପ୍ରତି ସେମାନଙ୍କ ମନରେ ସନ୍ଦେହ ଜାଗ୍ରତ କରନ୍ତି, ଯେଉଁ ଆତ୍ମାଟିକୁ ଗୋଟିଏ ଅକର୍ମଣ୍ୟ ଶରୀରରେ ଅଟକାଇ ରଖିବାକୁ ସେ ମନୋଜ ଦିନେ ତାକୁ ପ୍ରବର୍ତ୍ତାଇଥିଲେ, ସେହି ଆତ୍ମାଟିକୁ ମମତା ମୁକ୍ତ କରିଦେବ ।

 

ତା’ର ଜନନୀ ପ୍ରାୟ ଦୁଇବର୍ଷ ତଳେ ‘‘ମମତା’’ ଲେଖା ହୋଇଥିବା ମୁଦ୍ରିକାଟିକୁ ନବବଧୂର ଆଙ୍ଗୁଠିରେ ପିନ୍ଧାଇ ଦେଇଥିଲେ । ଘରକୁ ବାହୁଡ଼ି ଆଖିରେ ଅଶ୍ରୁଭରି ମମତାକୁ ସେ ସମ୍ବାଦଟି ଜଣାଇଥିଲେ । ବୋହୂଟିର ରୂପ ଗୁଣର ବର୍ଣ୍ଣନା କରିବାକୁ ଆରମ୍ଭ କରୁନୁ ମମତା ମୃଦୁ ହସି କହିଥିଲା, ଥାଉ ବୋଉ, ଆଉ କହନା, ଆମକୁ ସେଥିରୁ କ’ଣ ମିଳିବ ? ତୁ ସେମାନଙ୍କର ଋଣ ସୁଧମୂଳ ସହ ଶୁଝି ଦେଇଆସିଛୁ, ସେଥିପାଇଁ ଖୁସି ହଁ । କାନ୍ଦୁଛୁ କାହିଁକି ?

 

ହଁ ଲୋ ମା’ ! ହେଇଟି ମୁଁ ମୋର ଲୁହ ପୋଛିଦେଉଛି । ତୋ ମୁହାଣରେ ହସ ଦେଖି ମୁଁ ଖୁସିହେଉଛି । ତୋ ଅଙ୍ଗୁଠିରୁ ସେ ମୁଦିଟା କାଢ଼ିପକାଉନୁ, ଆହୁରି ସୁନ୍ଦର ମୁଦି ମୁଁ ପିନ୍ଧାଇଦେବି-

 

ବାହାରୁ ନାହିଁ । ଓଟାରିଲେ କାଟୁଛି । ଅଛି ତ ଥାଉ । ଏ ମୁଦିଟି ଆଜିଠାରୁ ତ ମୋର ହେଲା ବୋଉ, କହିଲିପରା ଏ ମୁଦିର ଋଣ ତୁ ଆଜି ଶୁଝାଇ ଆସିଛୁ ?

 

ସତ ଲୋ ମମତା !

 

ମମତା ପାଠ ପଢ଼ାଉଛି । ସେ ମୁଦିଟି ଏବେବି ଆଖିରେ ପଡ଼ୁଛି । ମନରେ ସ୍ମୃତି ଜଗାଉଛି ସେହି ଡାକ୍ତରଖାନାର ଦୃଶ୍ୟଟି । ହାତଟିଏ ଧରି ମନୋଜବାବୁ ଯାହା କହିଥିଲେ ସାତବର୍ଷ ପରେ ଏବେବି ସତେକି କାନରେ ବାଜୁଛି–ତମର ପ୍ରତିଭା ବ୍ୟର୍ଥହେବ ନାହିଁ...ସମାଜ ତମଠାରୁ ନିଶ୍ଚୟ ଉପକୃତ ହେବ ।

 

ମମତା ଆନମନା ହେଲା । ସକାଳର ଘଟଣାଟି ତା’ର ମନେପଡ଼ିଲା । ଚାକରାଣୀ ମରୁଆ ତା’ର ବୋଉକୁ କହୁଥିଲା, ହଁ ପିଲାଟି ବେଶ୍ କୋଦକା ହୋଇଛି ମା’, କେଡ଼େ ସୁନ୍ଦର ଜୁଳୁଜୁଳୁ କରି ଚାହୁଁଛି । ଟିକି ମୁଣ୍ଡଟିର କଳା ମିଚିମିଚି ଘଞ୍ଚ ବାଳ । ବୁଢ଼ୀ ତ ଭାରି ଖୁସି । ଆଜି ସେ ଛୁଆର ଏକୋଇଶା । ଯେ ବୁଢ଼ୀ କହୁଥିଲେ ବୁଢ଼ାବାବୁଙ୍କୁ, ମୋ ଟିକି ନାତୁଣୀର ନାମ ମୁଁ ଦେବି ।

 

ବୁଢ଼ା ବାବୁ ପଚାରିଲେ, କଅଣ ଦେବ ?

 

ବୁଢ଼ୀମା କହିଲେ, ମମତା । ମାୟାର ଡୋରି ତ ସେହି ଲଗାଇଛି !

 

ଆଖିରୁ ଲୁହ ପୋଛି ମରୁଆ ଆଗରୁ ତା’ର ବୋଉ ଚାଲିଯାଇଥିଲା ।

 

ସେହି ଦଶମ ଶ୍ରେଣୀର ଶିକ୍ଷୟିତ୍ରୀ-ଚୌକିରେ ଅନ୍ୟମନା ମମତାର ମନେହେଉଥିଲା, ତା’ର ଅନ୍ତର ତଳେ ଯେପରି ସେ ସେହି ଛୋଟ ଶିଶୁଟିର ସ୍ପର୍ଶ ଅନୁଭବ କରୁଥିଲା । ଦେଖିପାରୁଥିଲା ଘଞ୍ଚକେଶଭରା ଟିକି ମୁହଁଟିର ଜୁଳୁଜୁଳୁ ଉଜ୍ଜ୍ଵଳ ଆଖିଦିଓଟି ।

 

ସହସା ସଚେତନ ହୋଇ ମମତା ଶିହରିଉଠିଲା । ଆଗକୁ ଚାହିଁଲା । ଅନ୍ତର ତଳର ସେହି ଶିଶୁଟି ବଡ଼ ହୋଇଛି । କେତେ ରୂପରେ, କେତେ ବେଶ, କେତେ ଢଙ୍ଗରେ ସେହି ଶିଶୁଟି ତା’ରି ଆଗରେ ବସି ଜୁଳୁଜୁଳୁ କରି ତା’ରି ମୁହଁକୁ ଚାହିଁଛି ।

✽✽✽

 

ମାନମୟୀ

 

ଜରୁରୀ କାମରେ ମୁଁ ଭୁବନେଶ୍ୱର ଆସୁଥିଲି ।

 

ଧୀରେନ୍ଦ୍ର ବାବୁ ମୋର କଲେଜ ଜୀବନର ସହପାଠୀ । ଅନ୍ତରଙ୍ଗ ବନ୍ଧୁ ବୋଲି କହିପାରିବି ନାହିଁ । ସେ ଭଲ ଛାତ୍ର ଥିଲେ । ଭଦ୍ର ଥିଲେ । ବାକ୍ୟରେ ସଂଯତ । ତାଙ୍କର ତିନିବର୍ଷ ଆଗରୁ ମୁଁ ଚାକିରି କରିଥିଲି । ସେ ଆହୁରି ଅଧିକ ପଢ଼ି, ଏମ୍. ଏ, ବି.ଏଲ୍. ହେଲେ । କଂପିଟିସନରେ ଉଚ୍ଚସ୍ଥାନ ରଖିବାର ଗୌରବ ଲାଭ କରିଥିଲେ । ଅଫିସର ହୋଇ କାର୍ଯ୍ୟରେ ଯୋଗ ଦେଇଥିଲେ ।

 

ଷୋଳ ସତର ବର୍ଷ ବିତିଗଲାଣି । ସେ ଜଣେ ବଡ଼ ଅଫିସର ହୋଇସାରିଲେଣି । ସେ ଗସ୍ତରେ ଯାଉଥିଲେ । ତାଙ୍କର ବାହୁଡ଼ା-ଯାତ୍ରା ବେଳେ ମୁଁ ତାଙ୍କର ସଙ୍ଗରେ ଆସୁଥିଲି ।

 

ତାଙ୍କ ଭିତରେ ଓ ମୋ ଭିତରେ ସ୍ଥିତି ଏବଂ ଧନର ଆକାଶ-ପାତାଳ ତଫାତ୍ ହୋଇସାରିଥିଲେ ମଧ୍ୟ ଦୁହେଁ ଦୁଇଟି ଡିପାର୍ଟମେଣ୍ଟର କର୍ମଚାରୀ । ତେଣୁ ଅଧସ୍ତନତ୍ୱର ହୀନମ୍ମନ୍ୟତା ମୋର ନଥିଲା । ତାଙ୍କର ଗାଡ଼ି ସେ ଚଲାଉଥିଲେ । ପାଖରେ ବସି ମୁଁ ଗପୁଥିଲି । ସେ ଶୁଣୁଥିଲେ । ବେଳେବେଳେ ହସୁଥିଲେ ।

 

ପଛ ସିଟରେ ବସିଥିଲେ ତାଙ୍କର ଡ୍ରାଇଭର, ଷ୍ଟେନୋ ଓ ପିଅନ । ଫାଇଲପତ୍ର ଓ ଅନ୍ୟାନ୍ୟ ଖୁନ୍ଦି ହୋଇଥିଲା । ତାଙ୍କର ପ୍ରୋଗ୍ରାମ୍ ଥିଲା ଯେ ରାତିରେ ସେ ଚିଲିକା କୁଳର ବରକୁଳବଙ୍ଗଳାରେ ରହିବେ । ପରଦିନ ସକାଳେ ସେଠାରୁ ବାହାରିଲେ ଯଥା ସମୟରେ ଭୁବନେଶ୍ଵରରେ ପହଞ୍ଚି ହେବ । କାମକୁ ପାଇବ ।

 

କହିଲେ, ଶୁଣ କେଶବ ! ଚାକିରି ଓ ଗୃହର ଜଞ୍ଜାଳରୁ ମୁକ୍ତ ହୋଇ ଅନ୍ତତଃ ଗୋଟିଏ ରାତି ନିରୋଳାରେ ସେହି ମନୋରମ ବଙ୍ଗଳାରେ କଟୁ । ଚମତ୍କାର ପାଗ । ନିର୍ମଳ ନୀଳ ଆକାଶ । ଜହ୍ନରାତି । ଚିଲିକା କୂଳରେ ବସି ଦିହେଁ ମନଖୁସିରେ ଗୀତ ଗାଇବା ।

 

ଆଜିକାଲି ଆଉ ମୁଁ ଗୀତ ଗାଉ ନାହିଁ ଧୀରେନ୍ ବାବୁ ! ସେ କାମଟି ଏବେ ମୋର ଗୃହିଣୀ ଆଦରି ନେଇଛନ୍ତି । ମୁଁ ଖାଲି ଶୁଣେ । ବେଳେବେଳେ ତାଳ ଦିଏ । ତାଳି ନୁହେଁ, ପଦେ ପଦେ ତାଳ । ସେ ଆହୁରି ଜୋରରେ ବୋଲନ୍ତି ।

 

ଭାଗ୍ୟବାନ୍ ! କିନ୍ତୁ ତାଳି ନ ଦିଅ କାହିଁକି ?

 

ବୀର ରସରୁ କରୁଣ ରସକୁ ତାଙ୍କର ଗୀତ ଓହ୍ଲାଇଆସେ । ତା’ପରେ ତୁନ୍‍ତାନ୍ । କଥାର ତାଳ ସଙ୍ଗେ ହାତର ତାଳି ଦେଲେ, ଯଦି ନୂତନ ପଦ୍ଧତିରେ ଓଡ଼ିଶୀ-ନାଟ ଆରମ୍ଭ ହେବ ନା-ବୁଝିଲଟି ? ନିଅଣ୍ଟିଆ ବଜେଟ । ମୋଟେ ସାତଟିର ମା’ । କାଳେ କ’ଣ ଘଟିବ ବୋଲି ଜନ୍ମ-ବିରୋଧର ବ୍ୟବସ୍ଥା ପାଇଁ ସେ ପ୍ରସ୍ତୁତ ନୁହନ୍ତି । ସବୁବେଳେ ଅଭାବ । ସେ ଚାହାନ୍ତି ଓପନ୍-ମାର୍କେଟର ଋଣ । ମୁଁ କହେ, ବଂଶବୃଦ୍ଧିର ପକ୍ଷପାତି ହେଉଛ ତ ଚୂନାକୁ ଚାହିଁ ପିଠା କର । ସଙ୍ଗୀତର ଏଇ ହେଲା ଆଳାପ । ସେଇଠୁ ଚାଲେ–

 

ଧୀରେନ୍ ବାବୁ ହସି କହିଲେ, ଘର ଘରର ମିଉଜିକ୍ । ଅନ୍ୟମାନଙ୍କୁ ବିଶେଷତଃ ସାହିପଡ଼ିଶାଙ୍କୁ ଭାରି ଭଲଲାଗେ । ବିନା ଖର୍ଚ୍ଚରେ ସେମାନେ ବେଶ୍ ଆମୋଦିତ ହୁଅନ୍ତି । ମୋ କଥା ଭିନେ । ମୁଁ ମୋର ଧନ ଜନ (ମାନେ, ତିନି ପୁଅ, ଚାରି ଝିଅ)ଙ୍କୁ ଦେବୀଙ୍କ ପାଖରେ ସମର୍ପଣ କରିଛି । ବ୍ରହ୍ମଚାରୀ ହୋଇଛି । ତେବେ ଯଦି କେବେ କରଯୋଡ଼ି ଗୀତ ପଦେ ବୋଲେ–

 

ତୁନି ରହିଲ ଧୀରେନ୍ ବାବୁ ! କି ଗୀତ ବୋଲ ?

 

ସମସ୍ତେ ରେଡିଓରେ ଶୁଣୁଛନ୍ତି କେଶବ ! ଗୁଣୁଗୁଣୁ ହୋଇ ବୋଲୁଛନ୍ତି । ମୁଁ ଯଦି ଦୀର୍ଘ ସ୍ଵରରେ ଭକ୍ତି ଗଦ୍‍ଗଦ୍ ହୋଇ ବୋଲେ ସେ ଫଣାଟେକି ଉଠନ୍ତି । ଫକ୍ କରି ପଲଙ୍କରୁ ଡେଇଁ ଛଉନାଟର ମୁକ ଅଭିନୟ କରନ୍ତି ।

 

ଗୀତଟି କ’ଣ ?

 

ପଦଟିଏ ମ, ‘‘ଧନ ମାଗୁନାହିଁ, ଜନ ମାଗୁ ନାହିଁ, ମାଗୁଛି ଶରଧା ବାଲିରୁ ଟିକେ ।’’

 

ମୁଁ ଦୋହଲି ଦୋହଲି ହସିଲି । ତାଙ୍କର ହସ ଥମିବା ଆଗରୁ ଧୀରେନ୍ଦ୍ର ବ୍ରେକ୍ ଦେଇ ଗାଡ଼ିକୁ ଅଟକାଇଲେ ।

 

ଗୋଟାଏ ଭୟଙ୍କର ଦୁର୍ଘଟଣାରୁ ସମସ୍ତେ ଅଳ୍ପକେ ରକ୍ଷା ପାଇଗଲେ । ସେଇଠି ରାସ୍ତାର ଡାହାଣ ଆଡ଼କୁ ମୋଡ଼ । ମୋଡ଼ କଡ଼େ କଡ଼େ ସେଇ ଡାହାଣ ପାଖରେ ପୋଖରୀଆଡ଼ି । ଆଡ଼ି ମଝିରେ ରାସ୍ତାକଡ଼ରୁ ଉଠିଛି ପୋଖରୀ-ଘାଟର ପାହାଚ ଶ୍ରେଣୀ । ରାସ୍ତାର ବାମପାଖରେ ଖଣ୍ଡେଦୂର ଛାଡ଼ି କୋଠା ଅବା ଆସବେସ୍‍ଟରର୍ ଓ ଖପର ଘରର ଧାଡ଼ି । ପଛକୁ ପଛକୁ ଦୋତାଲା ଘର ଥିବାର ଦେଖା ଯାଉଛି । ବାମ କଡର ସେହି ଘର ଧାଉଡିରେ ଦୋକାନ ମାଳ । ଗୋଦାମ ଘର ବି ଅଛି । କେତେଗୁଡ଼ିଏ ବଳଦ ଗାଡ଼ି ବୋଝେଇ ହୋଇଛି ।

 

ସେହି ଗାଡ଼ିମାଳର ଦ୍ୱିତୀୟ ଗାଡ଼ିର ଯୋଡ଼ିବଳଦ ଫିଡ଼ିକି ପାହାଚ ସେପାଖେ ହଠାତ୍ ବୁଲିପଡ଼ିଲେ । ଗାଡ଼ି ରାସ୍ତା ଅବରୋଧ କଲା । କାର୍ ଖଣ୍ଡି ଅବଶ୍ୟ ଧୀର ଗତିରେ ଚାଲିଥିଲା; କିନ୍ତୁ ବାମ ପାଖରେ ଶଗଡ଼ଗାଡ଼ି ଥିବାରୁ ଡାହାଣ ପାଖକୁ ସାମାନ୍ୟ ମାଡ଼ି ଚାଲିଥିଲା । ଅଟକିଗଲା ଠିକ୍ ପୋଖରୀର ପାହାଚ ପାଖରେ । ଯେଉଁଠିକୁ ପାଞ୍ଚ ଛଅବର୍ଷର ସୁନ୍ଦର ସ୍ୱାସ୍ଥ୍ୟବାନ ପୁଅଟିଏ ପାହାଚ ଓହ୍ଲାଇ ଧାଇଁଆସିଥିଲା ଏକାଥରେ କାରର୍ ଆଗକୁ । ହାତେ ବା ଚାଖଣ୍ଡେ ବ୍ୟବଧାନ ପାଇଁ ଦୁର୍ଘଟଣାରୁ ବଞ୍ଚିଗଲା ସେ ପିଲାଟି ।

 

ମୁହଁବୁଲାଇ ସେ ପୁଣି ପାହାଚ ଚଢ଼ିବାକୁ ଆରମ୍ଭ କରୁଣୁ ଉପର ପାହାଚରୁ ପ୍ରାୟ ନଅବର୍ଷର ଫ୍ରକ୍ ପିନ୍ଧା ଝିଅଟିଏ ହାତରେ ଧରିଥିବା ଓଦାଜାମା ଗୁଡ଼ିକର ପୁଡ଼ାଟିକୁ ତଳେ ପକାଇ ତରତର ହୋଇ ପାହାଚ ଡେଇଁ ପିଲାର ପାଖକୁ ଆସିଲା । ତାକୁ କାଖ କଲା ।

 

ପିଲାଟି କାନ୍ଦୁ ନଥିଲା ।

 

ଧୀରେନ୍ଦ୍ରବାବୁ ଗାଡ଼ିରୁ ଓହ୍ଲାଇ ସାରିଥିଲେ । ଆସନ୍ନ ବିପଦରୁ ପିଲାଟି ରକ୍ଷା ପାଇପାରିଛି, ସେ ନିଜେ ହଇରାଣ ହେବା ଦୁର୍ଯ୍ୟୋଗରୁ ଓ ମନସ୍ତାପରୁ ଉଦ୍ଧାର ପାଇଛନ୍ତି । ସେଥିପାଇଁ ସେ ଭଗବାନଙ୍କୁ ମନେମନେ ଧନ୍ୟବାଦ ଜଣାଇଥିବେ । ମୁଁ ଦୁର୍ଗାନାମ ସ୍ମରଣ କରି ଗାଡ଼ିରୁ ଓହ୍ଲାଇ ତାଙ୍କ ପାଖକୁ ତଳ ପାହାଚକୁ ଉଠିଲି । ମନେମନେ ମା’-ମଙ୍ଗଳାଙ୍କୁ କହିଲି, ତମରିପାଇଁ ଗୋ ମାତା, ମୋର ପ୍ରୋଗ୍ରାମ ବିଫଳ ହେବନାହିଁ ।

 

ଯୁବତୀ ଜଣେ । ମୁଣ୍ଡରେ ବସନ ନାହିଁ । ଆଗୁଆ ପାତଳ ଖରାରେ ତାଙ୍କର ସୁନ୍ଦର ଗୋଲଗାଲିଆ ମୁହଁଟି ଉଜ୍ଜ୍ଵଳ ଦିଶୁଛି । ପାହାଚ ଅଧା ଓହ୍ଲାଇ ଭୀତିଭରା କଣ୍ଠରେ ପଚାରିଲେ, କ’ଣ ହେଲା ମା’ କମଳିନୀ ! ହରନାଥଙ୍କୁ କାଖ କରିଛୁ କାହିଁକି ?

 

ସେ ପାଖେଇ ଆସୁଥିଲେ । ଦେହରେ ମଣ୍ଡି ହୋଇଥିବା ସୁନା ଗହଣାର ବୋଝ ସୂଚାଇ ଦେଉଥାଏ ଯେ ସେ କେଉଁ ସମ୍ଭ୍ରାନ୍ତ ଧନୀ ଘରର ବୋହୂ । ରଙ୍ଗୀନ୍ ଶାଢ଼ି ଖଣ୍ଡିଏ ପିନ୍ଧିଥାନ୍ତି । କପାଳ ମଝିରେ ଓ ସୀମାନ୍ତରେ ସିନ୍ଦୁର ଝଟକୁଥାଏ । ଆଖିରେ ଗହଳ କଜଳ ।

 

କମଳିନୀ ଉତ୍ତର ଦେଲା, କିଛି ହୋଇନାହିଁ ମା’ ! ଡରରେ ଖାଲି ଥରୁଛି । ଏ ବାବୁ ଯଦି ସଙ୍ଗେସଙ୍ଗେ ଗାଡ଼ି ଅଟକାଇନଥାନ୍ତେ, ଯେମିତି ସେ ଆଖିବୁଜା ଛୁଟି ଥିଲା, ଆଜି ଗାଡ଼ି ତଳେ-

 

ମନାକରୁଛି, ଆମାନିଆଁ ପିଲା କଥା ନ ମାନି ଧାଉଁଛି

 

ହରନାଥ ତା’ର ଅପା କୋଳରୁ ଖସି ତା’ର ମାଆର ପଛଆଡ଼େ ଲୁଚିଲା ।

 

ଧୀରେନ୍ଦ୍ରବାବୁ ଅଭଦ୍ର ମଣିଷଟିଏ ପରି ବଲବଲ କରି ଭଦ୍ରମହିଳାଙ୍କ ମୁଖମଣ୍ଡଳକୁ ଚାହିଁ ରହିଥିଲେ । ସତେକି ସେ ମନ୍ତ୍ର-ମୁଗ୍ଧ ।

 

ଛାତ୍ର-ଜୀବନରେ ସେ ଏପରି ନଥିଲେ । ବୋଧହୁଏ ଅଧିକ ପାଠ, ଚାକିରିର ଆସନ, ସୁଖରେ ସଂସାର ଚଳନ ପାଇଁ ଯେତିକି ଆବଶ୍ୟକ ତା’ ତୁଳନାରେ ଯଥେଷ୍ଟ ଅଧିକ ଧନ ଉପାର୍ଜନ, ପାକଳ ପ୍ରୌଢ଼ତ୍ୱ ଏବଂ ଶରଧାବାଲିର କଣିକା ଲାଭ ନ କରିବାରୁ ପ୍ରବଳ ବୁଭୁକ୍ଷା ତାଙ୍କର ଅଜାଣତରେ ତାଙ୍କୁ ନିର୍ଲଜିଆ କାଙ୍ଗାଳ କରିଛି । ମୁଁ ଏପରି ମଣିଲି ।

 

ମହିଳା କୃତଜ୍ଞନ୍ତା ପୂର୍ଣ୍ଣ ନେତ୍ରରେ ତାଙ୍କୁ ଚାହିଁ, ମୄଦୁହସି କହିଲେ ଆପଣ ସତର୍କ ହୋଇନଥିଲେ ମୋର ଏଇ ଗୋଟିଏ ପୁଅର କି ଅବସ୍ଥା ଆଜି ହୋଇଥାନ୍ତା । ଆପଣ ଯିଏ ପଛେ ହୋଇଥାନ୍ତୁ ଆପଣଙ୍କ ପାଖରେ ମୁ ଋଣୀ ହୋଇ ରହିଲି । ଆପଣ ଯାଆନ୍ତୁ ।

 

ତୁଣ୍ଡରେ ଏତିକି ସେ କହିଲେ, କିନ୍ତୁ ଧୀରେନ୍ଦ୍ରବାବୁଙ୍କୁ ସେ ଦୃଷ୍ଟିରେ ବିଦାୟ ଦେଲେ ନାହିଁ । ନିବିଷ୍ଟ ନେତ୍ରରେ ନିରେଖି ରହିଲେ । ତାଙ୍କର ଗୌରବକୁ ଗୌର ମୁଖର ବିସ୍ତୀର୍ଣ୍ଣ କପାଳ, ଘଞ୍ଚ ଭ୍ରୂଲତା ଓ ଲମ୍ବ ନାସିକରେ ମହିଳାଙ୍କର ଆଗ୍ରହୀ ଦୃଷ୍ଟି ଶ୍ରୀଚରଣ କରୁଥିଲା ।

 

ମୁଁ ତ୍ରସ୍ତ ହୋଇ ଭାବୁଥିଲି, ପ୍ରକୃତ ଦୁର୍ଘଟଣା ଏଇଠି ହେଲାପରା । ଏତେ ରୂପ ଏତେ ପ୍ରାଚୁର୍ଯ୍ୟ ସତ୍ତ୍ୱେ ମହିଳା ମଧ୍ୟ ମନେମନେ ଗୀତ ବୋଲୁଛନ୍ତି-ଧନ ମାଗୁନାହିଁ, ଜନ ମାଗୁନାହିଁ ମାଗୁଛି ଶରଧାବାଲିରୁ ଟିକେ- । ହେ ଭଗବାନ, ପ୍ରୋଗ୍ରାମ କ’ଣ କଟିବ ?

 

ମୋତେ ବେକୁଫ୍ ବନାଇ, ମୋତେ ତାଜୁବ କରି ମୋର ପ୍ରିୟବନ୍ଧୁ ମୁଗ୍ଧ-ମାଧବ ଧୀରେନ୍ଦ୍ର ଚନ୍ଦ୍ର ଅତି ବିହ୍ଵଳିତ ମତିରେ ଯୋଡ଼ହସ୍ତ ହେଲେ । ଯୁଗ୍ମ ହସ୍ତକୁ କପାଳରେ ଲଗାଇଲେ । ଅଣ୍ଟାପାଖରୁ ଅଳପ ନଇଁ, ବେକକୁ ଅଧିକ ନୁଆଁଇ ପ୍ରଣାମ କଲେ ।

 

ମୁଁ ଭାବିଲି ସରିଗଲା କଥା । ଏଥର ମୋର ଏକଚାଳିଶି ବର୍ଷ ବୟସ୍କ ଭାବଭୋଳା ବନ୍ଧୁ ନିଶ୍ଚୟ କହିବେ, ଦେହି ମୋ ପଦପଲ୍ଲବମୁଦାରଂ—

 

ହାତ ହୁଗାଳି ମୁଣ୍ଡଟେକି ଧିରେନ ବାବୁ ପଚାରିଲେ, ମାଇଁ !

 

ମୁଁ ତ ମାନମୟୀ ଧୀରଭାଇ ! ତମେ ମାନି ଡାକୁଥିବ । ଅନେକ ବର୍ଷ ପରେ ଦେଖାହେଲା । ତମେ କେତେ ବଦଳିଯାଇଛ । ଚିହ୍ନନ୍ତି କେମିତି ? ତେବେ ତମର କପାଳ, ଭ୍ରୂଲତା, ନାକ, ଆଉ ଚିବୁକ କହିଦେଲା, ତମେ ନିଶ୍ଚୟ ଧୀରଭାଇ !

 

ରହ ହିସାବ କରେ-ମନେପଡ଼ିଲା । ଚଉଦବର୍ଷ ତଳେ ମହିମାମୁଁ ଗୋଡ଼ିପଦର ମୁକାମରେ କାମ କରୁଥିଲେ । ମୋର ନୂଆ ଚାକିରି । ଗସ୍ତରେ ଯାଇଥିଲି । ଦିନଟିଏ ରହିଥିଲି । ପେମି ଓ ସ୍ନେହ, ସେତେବେଳେ ଏଇ କମଳିନୀ ଓ ହରନାଥଙ୍କ ପରି ହୋଇଥିଲେ ।

 

ମହିଳା ଟିକିଏ ଅଶ୍ୱସ୍ତି ଅନୁଭବ କଲାପରି ମନେହେଲା । ସେ ତାଙ୍କର କନ୍ୟାକୁ ଚାହିଁ କହିଲେ, ଆଲୋ ମା’, ତୋ ମାମୁ ହେବେ ମ । ଓଳଗି ହ ।

 

କମଳିନୀ ପ୍ରଣତି ହେଲା । ତା’ ଦେଖାଦେଖି ହରନାଥ । ମହିଳାଙ୍କର ନ ଯଯୌ-ନ ତସ୍ଥୌ ଅବସ୍ଥା ।

 

ମତେ ଲାଗୁଥାଏ ପ୍ରହେଳିକା ପରି । ମାଇଁ, ନା ଭଉଣୀ ?

 

ଧିରେନ୍ ବାବୁ କହିଲେ, ମନେପଡ଼ିଯାଉଛି । କାଲିପରି ଲାଗୁଛି ମାଇଁ । ରାତି ଏଗାରଟାରେ ସାତ ତିଅଣ ନଅ ଭଜା କରି ନିଜ ହାତରେ ଖୋଇଥିଲ । କହୁଥିଲ, ସେହି ଅଘୋରୀ ପ୍ରେମାନନ୍ଦ ବାବାଜୀ ମାଛ ମାଂସର ତରକାରୀ ରାନ୍ଧିଥିଲେ । ସେ କୁଆଡ଼େ ଜ୍ଞାନୀଲୋକ । ସେ ସୁଦକ୍ଷ କବିରାଜ ବୋଲି ତମେ ମତେ ଚିହ୍ନାଇଦେଲ । ତମେ ବଦଳି ନାହଁ ମାଇଁ ! ସାମାନ୍ୟ ଅଧିକ ମୋଟେଇଯାଇଛ ।

ଜାମାରେ ସାବୁନ ଦେବାକୁ ଏ ଟୋକାଟା ପୋଖରୀକୁ ଆସିଥିଲା ଭାଇ । ଉପରବେଳା ତ, ଚାକରବାକର ବିଲକୁ ଯାଇଛନ୍ତି । ୟା’ ବାପା ତାଙ୍କର ଚାଉଳ କଳକୁ ଯାଇଛନ୍ତି । ନ ଜଗିଲେ ଗୁମାସ୍ତା ଓ କାର୍‍ପଟଦାର ସଲା ହୋଇ ସବୁ ଖାଇଯିବେ । କ’ଣ ହେଲାବୋଲି ଟୋକିକୁ ଦେଖିବାକୁ ଆସିଲି । ପୁଅ ବି ଆସିଲା–ହଁ ମାଇଁ । କେତେ କଥା ମନେପଡ଼ୁଛି । ଜାଣିଥିବ ତ, ତିନିବର୍ଷ ତଳେ ପେମି ଜଣେ ଶିକ୍ଷକଙ୍କୁ ବାହା ହୋଇଥିଲା । ଗତ ଦଶହରାକୁ ସେ ଆସିଥିଲା ଆମ ଗାଁକୁ ବୋଲି ଖବର ପାଇଲି-। ତା’ର ଚାରିମାସର ପୁଅଟିଏ ଥିଲା । ଏ ବର୍ଷ ସ୍ନେହର ବାହାଘର ଏଇ ଚାରି ପାଞ୍ଚମାସ ତଳେ ଜଣେ ଜଙ୍ଗଲ ବିଭାଗର ରେଞ୍ଜରଙ୍କ ସଙ୍ଗେ ହୋଇଗଲା । ଦିହେଁ ଭଲରେ ଅଛନ୍ତି ।

ଭଦ୍ରମହିଳାଙ୍କୁ ତାଙ୍କର ଝିଅ ହଲାଇ ପଚାରିଲା, ମାମୁଁ ଯେଉଁମାନଙ୍କର ନାମ କହିଲେ ସେମାନେ କିଏ ?

ଆଲୋ ମା’, ପାଣି ଘାଟଟାରେ ଠିଆହୋଇ ଆଉ କେତ ସମୟ ଗପିବା ? ଲୋକେ, ମାଇପେ କେତ ଯା-ଆସ କଲେଣି । କ’ଣ ଭାବିବେ ? ତୋ ବାପାଙ୍କ ନାମ କହ । ନାମ କହ । ଆମ ଘର ଦେଖାଇଦେ । ଆମ ଘରକୁ ଟିକିଏ କଫି ଖାଇବାକୁ ମାମୁଁଙ୍କୁ ଡାକ–

 

ମହିଳା ହସିବାକୁ ଲାଗିଲେ ।

 

ଝିଅଟି ଧୀରେନ୍ଦ୍ର ବାବୁଙ୍କ ପାଖକୁ ଆସି କହିଲା, ଏଇ କ’ଣ ଆମ ଘର ରାସ୍ତା ସେପାଖେ, ଏଇ ଯେଉଁ ଦି’ତାଲା କୋଠାଟି ଦିଶୁଛି ।

 

ସେ ହାତ ବଢ଼ାଇ ଦେଖାଇଲା । ଘର ଓ ଦୋକାନ । ତଳେ ଗୋଦାମ ଆଗରେ ବଳଦ ଗାଡ଼ିରେ ଭିତରକୁ ମୁଲିଆମାନେ ବସ୍ତା ଆଣି ବୋଝେଇ କରୁଛନ୍ତି । ଗୋଦାମ ଉପରେ ଗୋଟାଏ ଲମ୍ବା ଟିଣ ପ୍ଲେଟରେ ଇଂଗ୍ରେଜୀ ଓ ଓଡ଼ିଆର ବଡ଼ବଡ଼ ଅକ୍ଷରରେ ଲେଖାହୋଇଛି ଶ୍ରୀ ପ୍ରେମାନନ୍ଦ ସାହୁ, ଧାନ ଚାଉଳ ବ୍ୟବସାୟୀ ।’’

 

ମୁଁ ପାଟିକରି ପଢ଼ିଲି । ଧିରେନ ବାବୁ ଶୁଣିଲେ ଓ ନିଜେ ପଢ଼ିଲେ । ପଚାରିଲେ କାହାର ନାମ ଲେଖାହୋଇଛି ?

 

ମୋ ବାପାଙ୍କର । ଦି’ ବଡ଼ବାପାଙ୍କର ଘର ଓ ଗୋଦାମ ଉପରେ ବି ଲେଖାହୋଇଛି ଯେ ଆଉ ଟିକିଏ ଆଗକୁ ସେ କୋଠା ଦି’ଟା । ସେମାନେ ବାପାଙ୍କୁ ଭିନେ କରିଦେଇଛନ୍ତି । ଏଡ଼େ ହିଂସିକା, ଆମକୁ ଘର ମନାକରିଛନ୍ତି ।

 

ବୁଝିଲ ।

 

ଧୀରେନ୍ଦ୍ର ଚିନ୍ତାମଗ୍ନ ହେଲେ ।

 

ମହିଳା ହସୁଥିଲେ । କହିଲେ, ବୁଝିଲ କି ଭାଇ ? ସେହି ନିର୍ଭୟ ପୁରୁଷ, ଚଉଦବର୍ଷ ତଳେ ଗୋଡ଼ିପଦର ରାତିରେ ଯିଏ ଆଲୁଅ ଓ ଠେଙ୍ଗା ଧରି ପାଏ ବାଟ ଡାକବଙ୍ଗଳାକୁ ତମକୁ ଛାଡ଼ିବାକୁ ଯାଇଥିଲେ । ପଲ ପଲ ଭାଲୁ । ଫେରିଲାବେଳକୁ ଯେଉଁଟା ତାଙ୍କୁ ଆକ୍ରମଣ କରିଥିଲା-

 

ମନେପଇଲା । ବାବାଜୀ ପ୍ରେମାନନ୍ଦ କବିରାଜ ତାକୁ ପିଟିପିଟି ମାରିଦେଇଥିଲେ । ନିଜେ ବି ସାମାନ୍ୟ ଖଣ୍ଡିଆଖାବରା ହୋଇଥିଲା ।

 

ଦେହରୁ ତାଙ୍କର ଦାଗ ହଜିନାହିଁ ଭାଇ । ସେ ସେମିତି ବଳିଷ୍ଠ ରହିଛନ୍ତି । ଚାଲନ୍ତୁ ଘରକୁ, ଟିକିଏ ଚା’ ବା କଫି ଖାଇଯିବେ । ଯେଡ଼େ ଧନୀମାନି ହେଲେବି ଗାଁ-ଦାଣ୍ଡର ଧୂଳିଖେଳ କଥା ମନେପକାନ୍ତୁ । ମୁଁ ସୁଖରେ ଅଛି ଭାଇ ! ମୋ ମନରେ ଅବଶୋଷ ନାହିଁ ।

 

ଦେଖି ମୁଁ ବିସ୍ମିତ ହେଲି । ଭଦ୍ରମହିଳାଙ୍କର ଆଖିରେ ଲୁହ ଢଳଢଳ ହେଲା । କେଉଁ ମାରାତ୍ମକ ସଂକ୍ରାମକ ପରି ସେ ଲୁହ ଡେଇଁପଡ଼ିଥିଲା ଧୀରେନ୍ଦ୍ର ବାବୁଙ୍କ ଆଖି ଦିଓଟିକୁ ।

 

ଭାବିଲି, ସହାନୁଭୂତି ଦେଖାଇବାକୁ ମୁଁ ଯଦି କୌଣସି ଉପାୟରେ ଦି’ ବୁନ୍ଦା ଜଳ ଆଣିପାରନ୍ତି ! ସେହି ଦୁଇଜଣଙ୍କ ମଧ୍ୟରେ ଅଲକ୍ଷରେ କେଉଁ ଭାବର ଆଦାନପ୍ରଦାନ ହେଲା ନ ଜାଣିଲେ ପଛେ ନାହିଁ, ପରିସ୍ଥିତିକୁ ସେତକ ବେଶ୍ ସଙ୍ଗତ ହୁଅନ୍ତା । କିନ୍ତୁ ଆହାରେ କପାଳ, ସେତକ କ’ଣ କେବେ ମୋପରି ହତଭାଗ୍ୟ ପକ୍ଷରେ ସମ୍ଭବ ହେବ ?

 

ଗୋଲକଧନ୍ଦାରେ ଧନ୍ଦି ହେଉଥିଲି । କି ଭୟଙ୍କର ସଂଘର୍ଷ ! ଧୀରେନ୍ଦ୍ର ସେହି ଶୋଭାଙ୍ଗି ତରୁଣୀଙ୍କୁ ମାଇଁର ସମ୍ମାନ ଦେଲାବେଳେ ସେହି ବୁଦ୍ଧିମତୀ ମନ୍ଦହାସିନୀ ମହିଳା ଧୀରେନ୍ଦ୍ରଙ୍କୁ ପୂଜ୍ୟ ବଡ଼ଭାଇ ଆସନରେ ପ୍ରତିଷ୍ଠିତ କରିବାକୁ ବ୍ୟଗ୍ର । କେହି କାହାପାଖରେ ପରାଜିତ ହେଉନାହାନ୍ତି । ଟଗ୍-ଅଫ୍-ୱାର ଚାଲିଛି । ଏକ ଆରକର ପ୍ରଶ୍ନର ଉତ୍ତର ନ ଦେଇ ପରସ୍ପରକୁ ଭ୍ରମର-ଗୁମ୍ଫାରେ ଭ୍ରମାଇଲା ପରି ମନେହେଉଛି । ତଥାପି ଚିନ୍ତାର ସଙ୍ଗମ ହେଲା କିପରି ? କିଏ ପରାଜିତ ହେବ ?

 

ଓହୋ, ଡେରିହେଉଛି । ପାହାଚ ଉପରେ ଆଲୋଚନା, ଲୋକଙ୍କର ଦୃଷ୍ଟି ଓଟାରି ସାରିଲାଣି । ଏହି ମହିଳା ସହିବ ସମାଲୋଚନାର ବାଣୀ । ଧୀରେନ୍ଦ୍ର ତ ଖସି ପଳାଇବେ ।

 

ଲିପିବଦ୍ଧ କଲେ ଅନେକ ହୁଏ, କିନ୍ତୁ ଭାବନା ବିଜୁଳି ଗତିରେ ଚାଲେ । ମୋ’ର ଭାବନାର ଉତ୍ତର ଦେଲାପରି ଧୀରେନ୍ଦ୍ର କହିଲେ, ମାନି ! ସତେ ତିରିଶବର୍ଷ ତଳକୁ ମୁ ଫେରିଯାଇ, ଗୋଟିଏ ଖେପାରେ ଆକସ୍ମାତ୍ ଆଜି ତୋ ଆଗକୁ ଡେଇଁଆସିଛି । ମୋ ମନରୁ ଅତୀତକୁ ପୋଛିଦେଇଛ । ତୋତେ ଓ ତୋର ଏଇ ପିଲା ଦୁଇଟିକୁ ଦେଖି ମୁଁ ଭାରି ଖୁସିହୋଇଛି ଭଉଣୀ !

 

ବାଷ୍ପଗଦ୍‍ଗଦ କଣ୍ଠରେ ମାନନୀୟ ଭଣିଲେ, ଭାଇ !

 

ଧୀରେନ୍ଦ୍ର କହିଲେ, ବେଳେବେଳେ ମୁଁ ଏବାଟେ ଗସ୍ତରେ ଯା-ଆସ କରେ । ଆଜି ଡେରି ହୋଇଗଲାଣି । ଆଉ କେବେ ଏହି ବାଟରେ ଫେରିଲାବେଳେ ମୁଁ ନିଶ୍ଚୟ ତୋ’ ଘରକୁ ଯିବି ମାନି ! ଖାଲି ଚା’ ଖାଇବି ନାହିଁ ।

 

କମଳିନୀ କହିଲା, ବାପା ଜାଣିଲେ ଭାରି ବ୍ୟସ୍ତ ହେବେ । ମତେ କହିବେ ତୋ ବୋଉଟା ସିନା ଓଲାମି, ତୁ କେମିତି ତୋ ମାମୁଁଙ୍କୁ ନ ଖୋଇ ଛାଡ଼ିଲୁ ?

 

ଧୀରେନ୍ଦ୍ର ପିଲାଟିର ଚିବୁକରେ ଟିପ ଛୁଇଁ କହିଲେ, ମୋ ପାଇଁ ତୁ କହିବୁ, ମାମୁଁ ଆଉଦିନେ ଆସିବେ । ତାଙ୍କ ସଙ୍ଗେ ତାଙ୍କ ଝିଅ ସୋହାଗିନୀକୁ ଆଣିବେ । ସାତ ତିଅଣ ନଅଭଜା ଖାଇଯିବେ ।

 

ସୋହାଗିନୀ କ’ଣ ମୋଠାରୁ–ବଡ଼ କି ମାମୁଁ ?

 

ଟିକିଏ ସାନ ହେବ । ହଉ ମୁଁ ଆସୁଛି ।

 

ସେହି ପାହାଚ ଉପରେ ମାନମୟୀ ତଳେ ମୁଣ୍ଡ ଲଗାଇ ପ୍ରଣାମ କଲେ । ତାଙ୍କ ଦେଖାଦେଖି କମଳିନୀ ।

 

ଗାଡ଼ି ଷ୍ଟାର୍ଟ କଲାବେଳକୁ ଆଉ ଗୋଟିଏ ସୁନ୍ଦର ନୂଆ ଆମ୍ବାସାଡର କାର୍ ପଛରୁ ଆସି ଗୋଦାମ ଘର ପାଖରେ ରହିଲା । ପଛ ସିଟ୍‍ର ଦରଜା ଖୋଲି ତଳକୁ ଓହ୍ଲାଇଲେ ଜଣେ ଚାରିହାତିଆ ପୁରୁଷ । ପ୍ରୌଢ଼ ।

 

ତାଙ୍କର ବଳିଷ୍ଠ ସୁନ୍ଦର ଲମ୍ବାଳିଆ ଗୌର ମୁହଁଟିକୁ ବୁଲାଇ ଆମର ଗାଡ଼ିକୁ ଚାହିଁଲେ । ସେ ଧୋବା ଫଡ଼ଫଡ଼ ଖଦଡ଼ର ଲୁଗା ଓ ପଞ୍ଜାବୀ ପିନ୍ଧିଥିଲେ । ପଞ୍ଜାବୀ ଉପରେ ହାତ ନଥିଲା ଡୋରିଆ ଜାମା । ମୁଣ୍ଡରେ ଖଦଡ଼ର ବାଙ୍କୁଲି-ଟୋପି । କପାଳ ଉପରେ ଲମ୍ବା ସିନ୍ଦୁରକଲି ।

 

ଧୀରେନ୍ଦ୍ର ବାବୁ ତାଙ୍କୁ ହିଁ ଚାହିଁ ରହିଲେ । ତାଙ୍କ ଦେଖାଦେଖି ମୁଁ । ଭାବିଲି, କିଏ ଜଣେ ନିଷ୍ଠାପର ଦେଶକର୍ମୀ । ନେତାଫେତା ହୋଇଥିବେ । ଦେଶର କେଉଁ ଶୋଚନୀୟ ପରିସ୍ଥିତିର ମୁକାବିଲା କରିବାପାଇଁ ପରମାନନ୍ଦ ସାହୁ ଓ ଅନ୍ୟାନ୍ୟ ମହାଜନମାନଙ୍କ ଦ୍ୱାରକୁ ନିଶ୍ଚୟ ଭିକ୍ଷା କରିବାକୁ ଆସିଛନ୍ତି ।

 

ମୋତେ ନିର୍ବୋଧ ପ୍ରମାଣ କରାଇବାକୁ ଦୈବୀବାଣୀ ହେଲା ।

 

ହେଇଟି ମା’, ଆମ ନୂଆ ଗାଡ଼ିରେ ବାପା ମିଲ୍‍ରୁ ଫେରିଲେଣି । ମାମୁଁଙ୍କୁ ଅଟକା–

 

ଧୀରେନ୍ଦ୍ର କମଳିନୀ ଓ ମାନମୟୀଙ୍କ ଆଡ଼କୁ ମୁହଁ ବୁଲାଇଲେ । ସେଇଠୁ, କ୍ଲଚ୍ ହୁଗାଳି ଗାଡ଼ି ଚଲାଇଲେ । ରାସ୍ତା ପରିସ୍କାର ଥିଲା । ସୂର୍ଯ୍ୟ ପଶ୍ଚିମ ଆକାଶରେ ବେଶ୍ ତଳକୁ ଖସିଥିଲେ । ହାତଘଣ୍ଟାକୁ ଚାହିଁଲି । ପାଞ୍ଚଟା ବାଜିବାକୁ ମୋଟେ ପନ୍ଦର ମିନିଟ୍ ବାକିଥିଲା ।

 

ବରକୁଳ ବଙ୍ଗଳାରେ ପହଞ୍ଚିଲା ବେଳକୁ ରାତି ହୋଇଥିଲା ।

 

ବାଟସାରା ଧୀରେନ୍ଦ୍ରବାବୁଙ୍କର ଗୁମ୍‍ସୁମ୍ ମୁଡ଼୍ ଦେଖି ମୁଁ ମନେମନେ ଦୁଃଖିତ ହେଉଥିଲି-। ତାଙ୍କ ପାଇଁ ନୁହେଁ, ମୋ ପାଇଁ । ଭାବୁଥିଲି, ଗୋଟିଏ ପାଖର ବସ୍ ଭଡ଼ା ବଞ୍ଚାଇବାକୁ ଯାଇ କାହିଁକି ମୁଁ ଉଚ୍ଚପଦସ୍ଥ କର୍ମଚାରୀଙ୍କର ଦୟାର ପାତ୍ର ହେଲି ? ବିରକ୍ତିର ବି କାରଣ ହୋଇଥାଇପାରେ, ଯେହେତୁ ତାଙ୍କର ଗୋଟିଏ ଘରୋଇ ‘ମାଇଁ-ଭଉଣୀ’ ପ୍ରହସନର ପ୍ରତ୍ୟକ୍ଷଦ୍ରଷ୍ଟା ହେଲେ ଏବଂ ଚଢ଼ା-ଉତରା ବଚନିକା ଶୁଣିଲି । ବାଟଯାକ ସେ ହୁଏତ ନିଜେ ଅନୁତାପ କରୁଥିବେ ଯେ ମୋତେ ସାଙ୍ଗରେ ବସେଇ ଆଣିବାର ଭ୍ରମ ସେ କରିଥିବାରୁ ତାଙ୍କର ପରାଜୟର ଦୃଶ୍ୟ ମୋ ଆଖିରେ ପଡ଼ିଲା ।

 

ତାଙ୍କର ଜୀବନର ଏହି ଗୋଟିଏ ପ୍ରହସନର ମଝିଦୃଶ୍ୟଟି ସମ୍ବନ୍ଧରେ ଆଉ ଅଧିକ କିଛି ଜାଣିବାକୁ ମୁଁ ଆଗ୍ରହୀ ନୁହେଁ, ମୁଁ ଏକାଥରେ ବିତିସ୍ପୃହ, ଏ ଧାରଣା ତାଙ୍କ ମନରେ ଆଣିବାକୁ ମୁଁ ତାଙ୍କୁ କିଛି ପଚାରିନଥିଲି ।

 

ଚା’ ବିସ୍କୁଟ୍ ପର୍ବ ସରିଲାପରେ, ସେହି ଉଜ୍ଜ୍ୱଳ ଜହ୍ନରାତିରେ ଏକାକୀ ଚିଲିକାର କୂଳରେ ବୁଲୁଥିଲି । ତା’ର ସୁ-ବିସ୍ତୃତ ଜଳରାଶୀକୁ ବାରମ୍ବାର ଚାହିଁ ଅର୍ଦ୍ଧମୃତ ଅବା ସୁପ୍ତ ମୋର ସ୍ମୃତିକୁ ଆଲୋଡ଼ନ କରୁଥିଲି । ଅତୀତ–ଉତ୍କଳର ସୁଖ-ଦୁଃଖର ଇତିହାସ ମନେପକାଉଥିଲି ।

 

ଷ୍ଟେନୋବାବୁ ପାଖକୁ ଆସିଲେ । ଖବରଦେଲେ ଯେ ତାଙ୍କର ସାହେବ ଅର୍ଥାତ ଧୀରେନ୍ଦ୍ରବାବୁ ମତେ ଡାକୁଛନ୍ତି । ମୁଁ ବଙ୍ଗଳାରୁ ଫେରିଲି । ବାରଣ୍ଡାରେ ସେ ବସିଥିଲେ । ତାଙ୍କ ଆଗରେ ଆଉ ଗୋଟିଏ ଚଉକିରେ ବସିଲି । ତାଙ୍କର ନିର୍ଦ୍ଦେଶରେ ପେଟ୍ରୋମାକ୍ସ ଆଲୁଅଟିକୁ ବରଣ୍ଡାରୁ ଅନ୍ତର କରାଗଲା ।

 

କହିଲେ, କେଶବ ! ବିନା ଟର୍ଚ୍ଚ-ଲାଇଟରେ ହ୍ରଦ କୂଳରେ ରାତିରେ ବୁଲିବା ନିରାପଦ ନୁହେଁ । କେତେଥର ମୁଁ ବିଷାକ୍ତ ସାପ ଦେଖିଛି ।

 

କହିଲି, ଏକୁଟିଆ ମତେ ଭଲଲାଗିଲା ନାହିଁ ।

 

ଜାଣେ । ମୁଁ ଭାରି ଦୁଃଖିତ । ହାଲିଆ ହୋଇପଡ଼ିଥିଲି । ତା’ ଛଡ଼ା ଯେଉଁ ଘଟଣାଟି ଘଟିଲା, ତା’ର ପ୍ରଭାବ ମୋ ମନର ନିକିତିକୁ ଏପରି ଭାବରେ ଦୋହଲାଇ ଦେଇଥିଲା ଯେ ମୁଁ ବାଟଯାକ ନିର୍ବାକ ହୋଇ ତାକୁ ସ୍ଥିର କରିବାକୁ ଚେଷ୍ଟା କରୁଥିଲି । ସେ ବେଶୀ ବେଶୀ ଦୋହଲୁଥିଲା । ଏଠାରେ ପହଞ୍ଚି ଟିକିଏ ବିଶ୍ରାମ ନେଲାରୁ ମୋ ମନର ଦ୍ଵନ୍ଦ୍ୱ ସ୍ଥିର ହୋଇପାରିଲା ।

 

କହିଲି, ମଧୁରେଣ ସମାପ୍ତ ହେଲା । ଆରଥର ରାସ୍ତାରେ ଆସି ଫେରିଲା-ବେଳେ ଭଉଣୀଙ୍କ ଘରେ ମିଷ୍ଟମୁଖ କରିବାର ଯୋଜନା କରିଛ ।

 

କରିଛି । କାର୍ଯ୍ୟକାରୀ ହେବାର ସମ୍ଭାବନା ନାହିଁ । ମାନମୟୀ, ଅର୍ଥାତ୍ ମାନିର ସୁଖର ସଂସାର ଭିତରକୁ ମୁଣ୍ଡ ଗଳାଇବାକୁ ମୁଁ ଚାହେଁ ନାହିଁ । ମୋଠାରୁ ସେ ଚାରି ପାଞ୍ଚବର୍ଷ ସାନ । ବୟସ ପଇଁତ୍ରିଶି କି ଛତିଶ ହେବ । ମୁଁ ତାକୁ ଗୋଟିଏ ଜୀବନ୍ତ ବିସ୍ମୟ ରୂପରେ ଦେଖିଆସିଲି । ସେ ଗୋଟାଏ ଜ୍ୱଳନ୍ତ ବିଦ୍ରୋହ ! ସମାଜର ସବୁ ଜଘନ୍ୟ ଅନ୍ୟାୟକୁ ଗୋଡ଼ରେ ଦଳି ମକଚି ସେ ତା’ର ଦ୍ଵିତୀୟ ସଂସାର ଗଢ଼ିପାରିଛି ।

 

ଦ୍ଵିତୀୟ ସଂସାର !

 

ହଁ, କେଶବବାବୁ । ପ୍ରଥମ ସଂସାରରେ ସେ ମୋର ଦୂର–ସମ୍ପର୍କୀୟ । ମାଇଁଥିଲେ । ସେହି ଜୀବନକୁ ମାନମୟୀ ଏକାଥରେ ତାଙ୍କର ସ୍ମୃତିର ପରଦାରୁ ପୋଛି ଦେଇଛନ୍ତି । ଅନ୍ତତଃ ସେଇଆ କରିବାକୁ ସେ ଚାହାନ୍ତି । ପ୍ରଥମ-ସଂସାର କାଳରେ ମୋର ଜଣେ ଦୂର-ସମ୍ପର୍କୀୟ ମାମୁଁ ଲେଖା ହେବେ, ତାଙ୍କ ନାମ ମହେନ୍ଦ୍ର, ତାଙ୍କର ଔରସରେ ମାନମୟୀ ମାଇଁଙ୍କ ଗର୍ଭରୁ ଦିଓଟି କନ୍ୟାରତ୍ନ ସଂସାରକୁ ଆଣିଥିଲେ । ପ୍ରେମମୟୀ ଓ ସ୍ନେହମୟୀ ।

 

ଏବେ ମୁଁ ବୁଝିଲି ଧିରେନବାବୁ, ଯାହାଙ୍କ କଥା ତାଙ୍କୁ କହୁଥିଲ । ତାଙ୍କୁ ଜଣାଇ ଦେଉଥିଲ ଯେ ସେ ଆଈ-ବୁଢ଼ୀ ହୋଇସାରିଲେଣି । ତମର କଥା ସେ ଶୁଣି ମଧ୍ୟ ଶୁଣିଲେ ନାହିଁ । ଜାଣି ଜାଣି ଅସଂପୃକ୍ତ ରହିବାର ଛଳନା କଲେ ।

 

ଶୁଣିଛ ତ ! ପ୍ରାୟ ବାରବର୍ଷ ତଳେ ଆମର ମହେନ୍ଦ୍ର ମାମୁଁ ସ୍ୱର୍ଗା-ରୋହଣ କଲେ । ସେହି ଗୋଡ଼ିପଦର ମୁକାମରେ । ରାତିଅଧରେ ସେ ଟଳିଟଳି ଫେରୁଥିଲେ । ପ୍ରଚୁର ମଦ ଖାଇଥିଲ । ତାଙ୍କ ସଙ୍ଗରେ ଅବଶ୍ୟ ଦୁଇଜଣ ଲୋକ ଥିଲେ । ମାମୁଁଙ୍କର ଅଧସ୍ତନ କର୍ମଚାରୀ । ଶୁଣିଛି ଜଣେ ମାମୁଁଙ୍କୁ ଧରି ଧରି ଚଲାଉଥିଲା । ଆରକ ଆଲୁଅ ଓ ଠେଙ୍ଗାଧରି ଆଗରେ ଚାଲିଥିଲା-। ପଡ଼ିଗଲେ ଭାଲୁ ହାବୁଡ଼ରେ ।

 

ଓଃ, କି ଭୟଙ୍କର !

 

ନିଶ୍ଚୟ ଭୟଙ୍କର । ଶୁଣୁଛି, ଆର ଦୁଇଜଣ କୌଣସି ମତେ ଅଳ୍ପ ବହୁତ ଖଣ୍ଡିଆ ଖାବରା ହୋଇ ବର୍ତ୍ତିଗଲେ । ମାମୁଁ ମହେନ୍ଦ୍ରଙ୍କର ଆଖି, ନାକ, କାନ ସବୁ ଯାଇଥିଲା । ଦେହଯାକରୁ ମାଂସ ଖସିଥିଲା । ସୁକୁସୁକୁ ହେଉଥିଲେ । ଡାକ୍ତରଖାନାରେ ତାଙ୍କର ପ୍ରାଣ ଛାଡ଼ିଲା । ତାଙ୍କର ବୟସ ସେତେବେଳେ ସତଚାଳିଶ ହୋଇଥିଲା । ମାଇଁଙ୍କର ବୟସ ହେବ ପଚିଶ ଅବା ଛବିଶ ।

 

ମାନମୟୀ ଅଳ୍ପ ବୟସରେ ବିଧବା ହେଲେ ? କିନ୍ତୁ, ଧିରେନବାବୁ ! ମହେନ୍ଦ୍ରବାବୁଙ୍କଠାରୁ ସେ ଏକୋଇଶି ବାଇଶ ବର୍ଷ ସାନ । ତାଙ୍କର ବାପ ମା’ ସୁବର୍ଣ୍ଣ ପ୍ରତିମା ଝିଅଟିକୁ ଜଣେ ଦରବୁଢ଼ା ମଦ୍ୟପର ହାତକୁ ଟେକିଦେଲେ କିପରି ? ପୂର୍ବାପର ସମ୍ବନ୍ଧ ଯୋଡ଼ି ମୁଁ ହିସାବ କରି ଦେଖୁଛି ଯେ ତାଙ୍କର ପ୍ରଥମ କନ୍ୟା ପ୍ରେମମୟୀ ନିଶ୍ଚୟ ତାଙ୍କର ଷୋଳବର୍ଷରେ ଜନ୍ମିଥିବ !

 

ତମେ ଠିକ୍ ହିସାବ କରିଛ କେଶବ ! ତମର ପ୍ରଥମ ଧାରଣାକୁ ମୁଁ ଆଗ ପରିଷ୍କାର କରିଦିଏ । ମାନମୟୀ ବୈଧବ୍ୟ ସ୍ୱୀକାର କଲା ନାହିଁ । ନଅବର୍ଷର ଝିଅ ପ୍ରେମମୟୀ ତା’ର ପିତାଙ୍କର ମରଣ ସମ୍ବାଦ ଅତି କରୁଣ ଭାଷାରେ ତା’ର ମାମୁଁଙ୍କ ପାଖକୁ ଆମ ଗ୍ରାମକୁ ଲେଖି ଜଣାଇଥିଲା । ମୋରି ବସାବାଟେ ସେ ଗୋଡ଼ିପଦର ଯାଇଥିଲେ । ସେ ମୋର କୁଟୁମ୍ବର ଭାଇ । ବୟସରେ ଦୁଇବର୍ଷ ବଡ଼ । ସଂଗତି-ସମ୍ପନ୍ନ ମାନ୍ୟଗଣ୍ୟ ବ୍ୟକ୍ତି । ମାନମୟୀର ବିବାହର ଦୁଇବର୍ଷ ମଧ୍ୟରେ ଅତି ଦୁଃଖରେ ବୁଢ଼ାବୁଢ଼ୀ ଦିହେଁ ଚାଲିଯାଇଥିଲେ ।

 

ଅତି ଦୁଃଖ କାହିଁକି ?

 

ସାନଝିଅର ବାହାଘରର ଦୁଇମାସ ଆଗରୁ ତାଙ୍କର ବଡ଼ଝିଅ ସୁଧାମୟୀଙ୍କର ମରଣ ହୋଇଥିଲା । ସେହି ବିଷୟ ଟିକିଏ ପରେ କହିବି । ସେହି କୁଟୁମ୍ବିଭାଇ ସୁଧାନିଧି ମୋତେ ମାନିର ଝିଅ ପ୍ରେମୀର ପତ୍ର ଦେଖାଉଥିଲେ । ସୁଧାଭାଇ ମାମଲତକାରିଆ ଲୋକ । ସରପଞ୍ଚ । ବ୍ୟବସାୟୀ । ବୁଡ଼ି ବୁଡ଼ି ପାଣି ପିଅନ୍ତି । ବହୁତ କଥା ପେଟରେ ସାଇତି ରଖନ୍ତି; କିନ୍ତୁ ପ୍ରକାଶ କରନ୍ତି ଅଳପ । ପରେ ଖବର ପାଇଲେ ଯେ ତାଙ୍କର ଦୁଇଭାଣିଜୀ ପ୍ରେମମୟୀ ଓ ସ୍ନେହମୟୀଙ୍କୁ ସଙ୍ଗରେ ଧରି ଫେରିଲେ । ପ୍ରଚାରିତ ହେଲା, ବୈଧବ୍ୟର ଦୁଃଖ ସହିନପାରି ଆହା ବିଚାରି ମାନମୟୀ, ଏପୁରରୁ ଚାଲିଗଲା ।

 

ମାନେ ?

 

ଆଜି ତାକୁ ନ ଦେଖିଲେ ତମେ ଯାହା ବୁଝିଥାଆନ୍ତ ଲୋକେ ସେଇଆ ବୁଝିଥିଲେ । କିନ୍ତୁ, କଥା ଅନ୍ତତଃ ଆମର କୁଟୁମ୍ବ ଭିତରେ ଛପି ରହିଲା ନାହିଁ । ପେମି ଓ ସ୍ନେହଙ୍କୁ ତାଙ୍କର ମାଇଁ ଅର୍ଥାତ ସୁଧାଭାଇଙ୍କ ସ୍ତ୍ରୀ, କ’ଣ ବୁଝୁଛ ତା’ କେଶବ, ଆମ ଭାଉଜ କାନ କାନ କରି ଶିଖାଇଥିଲେ ଯେ ଯଦି କେହି ପଚାରେ ସେମାନେ କହିବେ, ତାଙ୍କର ବୋଉ ଜହର ଢୋକି ସେପୁରକୁ ଗଲେ । ସୁଧାଭାଇ ବୋଧହୁଏ ସେଇଆ ଶିଖାଇଥିଲେ । ଅଦ୍ୟାପି ଝିଅ ଦିଓଟି ସେପରି କହନ୍ତି । ନିଜକୁ ଭାରି ଚତୁର ମାନୁଥିବା ନିର୍ବୋଧ ଭାଉଜଙ୍କ ପେଟରୁ ସତକଥା ତାଙ୍କର ଅସାବଧାନ ବେଳରେ ଖସିପଡ଼ିଥିଲା ।

 

କ’ଣ ସତ କଥା ?

 

ତମେ ଆଜି ଯାହା ଦେଖିଲ । କିନ୍ତୁ, ରଟିଥିଲା ଯେ ସେହି ମାନମୟୀ ବାବାଜୀ ପ୍ରେମାନନ୍ଦ କବିରାଜ, ଯିଏ-ସିଦ୍ଧ ପୁରୁଷ ଥିଲେ ଅଲୌକିକ ବିଭୂତି ଦର୍ଶାଉଥିଲେ, ସାମାନ୍ୟ ଜଡ଼ିବୁଟିରେ ଅସାଧ୍ୟ ରୋଗ ହରଣ କରିପାରୁଥିଲେ, ସେହି ମହାତ୍ମାଙ୍କଠାରୁ ଦୀକ୍ଷା ନେଇ, ମାତା ହୋଇ, ପ୍ରଭୁଙ୍କର ସେବା କରିବାକୁ ଦେଶାନ୍ତରୀ ହୋଇଛନ୍ତି । ପ୍ରେମାନନ୍ଦ ତାଙ୍କୁ ଗତିମୁକ୍ତି ଦେବେ ।

 

ମୁଁ ହସ ରୋକିପାରିଲି ନାହିଁ ।

 

କାହିଁକି ହସିଲ କେଶବ ?

 

କହିବ ? କିଛି ମନେକରିବ ନାହିଁ ?

 

ନିଶ୍ଚୟ ମନଖୋଲି କହିବ ।

 

ପ୍ରଚାର ତ ନିରାଟ ସତ୍ୟ !

 

ନିଶ୍ଚୟ ସତ । ଯେଉଁମାନେ ପ୍ରଚାର କରିଥିଲେ, ଯେଉଁମାନେ ଶୁଣିଥିଲେ, ମୁଁ ବି ଆଜିଯାଏଁ ତା’ର ସତ୍ୟତା ଅନୁଭବ କରିପାରିନଥିଲି । ଆଜି ଆମର ଚକ୍ଷୁରେ ଜ୍ଞାନାଞ୍ଜନ ବୋଳାହେଲା । ବାଟଯାକ ଗାଡ଼ି ଚଲାଇଲାବେଳେ ମୁଁ ସେହି କଥା ଭାବୁଥିଲି । ବାରମ୍ବାର ଚଉଦବର୍ଷ ତଳକୁ ମୁଁ ଫେରିଯାଉଥିଲି । ମାଇଁ ମାନମୟୀଙ୍କ ପାଖରେ ଗୋଟିଏ ସନ୍ଧ୍ୟାର ପାଞ୍ଚଟି ଘଣ୍ଟା କଟାଇଥିଲି । ଠିକେ ଠିକେ ସବୁ କହିବି ।

 

ଧୀରେନ୍ଦ୍ର ବାବୁ ନିରବ ହେଲେ ।

 

କେଉଁଠୁ ସେ କିପରି ଆରମ୍ଭ କରିବେ ବୋଧହୁଏ ସେହି କଥା ବିଚାର କରୁଥିଲେ । କେତୋଟି ଦୀର୍ଘଶ୍ୱାସ ଛାଡ଼ି ସେ ଆରମ୍ଭ କଲେ । କହିଲେ, ଆଗ ବାବାଜୀ ପ୍ରେମାନନ୍ଦଙ୍କ କଥା ଶୁଣି-। ତାଙ୍କ ମୁହଁରୁ ଶୁଣିଛି–ପିଲାଦିନେ ସେ ଅତି ଚଗଲା ଥିଲେ । ଧନୀ ପିତା-ମାତାଙ୍କର ତୃତୀୟ ଓ ଶେଷ ସନ୍ତାନ । କଲେଜରେ ପଢ଼ୁଥିଲାବେଳେ କେଉଁ ପାଞ୍ଚବର୍ଷ ପାଇଁ ସେ ବହିଷ୍କୃତ ହୋଇଥିଲେ-। ଗୋଟିଏ ଅଶୋଭନୀୟ ଲଜ୍ଜାକର ଘଟଣା, ଯହିଁରେ ପ୍ରକୃତିରେ ତାଙ୍କ କହିବା ମତେ ସେ ସମ୍ପୃକ୍ତ ନଥିଲେ । ସେ ଘରେ ନିର୍ଯ୍ୟାତିତ ହେଲେ । ଉଣେଇଶ ବର୍ଷ ବୟସରେ ସେ ଗୃହତ୍ୟାଗୀ ହେଲେ-

 

ପୂରା ଆଠୋଟି ବର୍ଷ ଆକୁମାରୀ ହିମାଳୟ ପର୍ଯ୍ୟଟନ, ବହୁ ସାଧୁ ସନ୍ଥଙ୍କର ସଙ୍ଗ ଲାଭ, ସେମାନଙ୍କର ସେବା, ଉପଦେଶ ଗ୍ରହଣ, ଭିକ୍ଷା, ଯୋଗସାଧନା, ସିଦ୍ଧିଲାଭ । ତାଙ୍କର ସିଦ୍ଧାନ୍ତ ହେଲା–ନରନାରାୟଣଙ୍କର ସେବା । ତାଙ୍କର ଶିକ୍ଷା ହେଲା–ଆତ୍ମ-କୁଶଳେ ସର୍ବସିଦ୍ଧି । ଆଗେ ଭୋଗ ତା’ପରେ ବିକାର । ଆଗେ ସାକାର ଆସିଲେ ଯାଇଁ ପରେ ନିରାକାର । ଶକ୍ତି ଥିବାଯାଏଁ । ଭେକ, ଶକ୍ତି ରହିତ ହେଲେ ଯାଇଁ ଭିକ ।

 

ମୁଁ ପଚାରିଲି, ଏ ସବୁର ଅର୍ଥ କ’ଣ ଧିରେନବାବୁ ?

 

ଧୀରେନ୍ଦ୍ରବାବୁ ପାଟିକରି ହସିଉଠିଲେ । ହସ ଥମିବାରୁ ସେ କହିଲେ, ମୁଁ ସେହି ପ୍ରଶ୍ନ ପଚାରିଥିଲି । ପ୍ରେମାନନ୍ଦ ବାବାଜୀ ଉତ୍ତର ଦେଲେ, ଗହନ ବିଦ୍ୟା । ନିଜେ ବିଚାର କଲେ ବୁଝିବ ।

 

ସେ ସବୁ ମୂଲ୍ୟବାନ ଶବ୍ଦ ପ୍ରୟୋଗର ଗୂଢ଼ ଅର୍ଥ ମୁଁ ବୁଝିପାରିନଥିଲି । ଏତେବର୍ଷ ପରେ ଆଜି ଭଲଭାବରେ ବୁଝିଲି । ମାଇଁ କିନ୍ତୁ ମହାତ୍ମାଙ୍କର ସେବା କରି ସେତେବେଳେ ନିଶ୍ଚୟ ବୁଝିସାରିଥିଲେ ?

 

ବୁଝିସାରିଥିଲେ ?

 

ମତେ ସେ ସେଇଆ କହିଲେ । ସେଦିନ ତାଙ୍କୁ ଯେଉଁ ବେଶରେ ଓ ରୂପରେ ମୁଁ ଦେଖିଥିଲି, ଅଶ୍ଳୀଳତା ରୂପାୟିତ ହୋଇଥିଲା ବୋଲି ମନେକରୁଥିଲି କେଶବ ! ଅତି ଉତ୍ତେଜକ । ଦିଓଟି କନ୍ୟାର ସେ ଜନନୀ–ଛଅବର୍ଷର ହୋଇଥିଲା ପ୍ରେମମୟୀ ଓ ଦୁଇ ବା ଅଢ଼େଇ ବର୍ଷର ହୋଇଥିଲା ସ୍ନେହମୟୀ । ମାଇଁ ମୋର ମାତୃମୂର୍ତ୍ତି !

 

ସେଇ ମାଇଁ ଦିନେ ଥିଲେ ମୋର ଗାଁ ଭଉଣୀ ମାନି । ବୋଧହୁଏ ଦଶବର୍ଷ ବୟସରେ ସେ ଗ୍ରାମ ଛାଡ଼ିଥିଲେ । ତାଙ୍କଠାରୁ ଚଉଦ ପନ୍ଦରବର୍ଷ ବଡ଼ ହେବେ ତାଙ୍କର ବଡ଼ ଭଉଣୀ ସୁଧାମୟୀ । ଆହା ବିଚାରି ସୁଧା ଅପା, ମାନମୟୀକୁ ଅତି ସ୍ନେହରେ ସଙ୍ଗରେ ନେଇଯାଇଥିଲେ । ତାଙ୍କର ସ୍ୱାମୀଙ୍କର ଚାକିରି ମୁକାମକୁ । ମହି ମାମୁଁ ବି ଗ୍ରାମକୁ ଆସିଥିଲେ ଯେ, ମାନିକୁ କନ୍ୟାଠାରୁ ବଳି ଅଧିକ ସ୍ନେହ କରୁଥିଲେ !

 

ଦଶବର୍ଷର ଝିଅଟି ।

 

କନ୍ୟା ନୁହେଁ ଆଉ କ’ଣ ? ତିରିଶ ଏକତ୍ରିଶ ବୟସର ଯୁବକ । ଆଠବର୍ଷର ବିବାହିତ ଜୀବନ । ସନ୍ତାନ ହୋଇନଥିଲେ ।

 

ପଚାରିଲି, ମହିବାବୁ ଆପଣଙ୍କର ନିଜର ମାମୁଁ ?

 

ଧୀରେନ୍ଦ୍ରବାବୁ କହିଲେ, ନା । ଆମ କୁଟୁମ୍ବରେ ଜଣେ ବଡ଼ ମା’ଙ୍କର ସେ ଭାଇ । ସେ ଦୁଶ୍ଚରିତ୍ର ଓ ମଦ୍ୟପ ଥିଲେ । ତାଙ୍କର ଯଥେଷ୍ଟ ପୈତୃକ ସମ୍ପତ୍ତି ଥିଲା । ତାଙ୍କ ତଳେ ଆଉ ଦୁଇଭାଇ ମଧ୍ୟ ଥିଲେ । ସେ ତାଙ୍କର ଚରିତ୍ର ସ୍ୱଭାବ ସମ୍ବନ୍ଧରେ ଅନୁସନ୍ଧାନ ନ କରି ସତରବର୍ଷ ବୟସରେ ସୁଧାଅପାଙ୍କୁ ତାଙ୍କ ହାତରେ ଅର୍ପଣ କରିଥିଲେ । ସୁଧାଅପା ବିଶେଷ ସୁନ୍ଦରୀ ନଥିଲେ ।

 

ମୁଁ ପଚାରିଲି, ନଥିଲେ କ’ଣ ହେଲା ?

 

ହେବ ଆଉ କ’ଣ ? ମଦ୍ୟପ ଦୁଶ୍ଚରିତ୍ର ସ୍ୱାମୀଙ୍କ ପାଖରୁ ବହୁ ନିର୍ଯ୍ୟାତନା ସହି ମଧ୍ୟ ସେ ସ୍ୱାମୀଙ୍କର ସେବା ଛାଡ଼ି ଚାଲି ଆସିପାରୁନଥିଲେ । ଭାବିଥିଲେ ପରା, ସନ୍ତାନସନ୍ତତି ହେଲେ ସ୍ୱାମୀଙ୍କର ସ୍ୱଭାବ ବଦଳିବ । ଆଠବର୍ଷର ତପସ୍ୟାରେ ତାଙ୍କର ଭାଗ୍ୟ ଫେରିଲା ନାହିଁ । ସେଇଥିପାଇଁ ମାନିକୁ ସେ ସାଙ୍ଗରେ ନେଲେ । ତା’ର ସେବା କରି, ତାକୁ ପଢ଼ାଇ ବଢ଼ାଇ ସେ ନିଜେ ଆନନ୍ଦ ପାଇଲେ । ସୁନ୍ଦର ପିଲାଟିକୁ ସ୍ନେହ କଲେ ସ୍ୱାମୀଙ୍କର ପ୍ରକୃତି ବଦଳିବ । ଏହି ଆଶା ସେ କରିଥିଲେ ।

 

ସତେ କେଶବବାବୁ ! ସୁଧା ଅପା ବେଳେବେଳେ ତାଙ୍କ ବାପାଙ୍କ ପାଖକୁ ଯେଉଁ ପତ୍ରମାନ ଲେଖନ୍ତି, ସେମାନେ ଆନନ୍ଦରେ ସମସ୍ତଙ୍କୁ ଦେଖାନ୍ତି । ସେଥିରୁ ଜଣାଯାଏ, ତାଙ୍କର ଭାଗ୍ୟ ବଦଳିଛି । ମହିମାମୁଁ ତାଙ୍କୁ ଭଲପାଇଲେଣ । ମଦ ଖାଇ ପିଟା-ପିଟି କରୁନାହାନ୍ତି । ମାନିକୁ ବହୁତ ଭଲପାଉଛନ୍ତି । ନିଜେ ତା’ର ଯତ୍ନ ନେଉଛନ୍ତି । ତାକୁ ପଢ଼ାଉଛନ୍ତି । ଭଲ ଭଲ ଲୁଗା ଜାମା କିଣି ଦେଉଛନ୍ତି । ସୁନାର ହାରଟିଏ କିଣିଦେଲେଣି ଇତ୍ୟାଦି ।

 

ମାନିର ବୁଢ଼ାବାପା ଓ ଭାଇ କେତେଥର ସୁଧା ଅପାଙ୍କ ପାଖକୁ ଯାଇ ତାକୁ ଦେଖିଆସନ୍ତି । ଗ୍ରାମରେ ଆସି ଖୁସିହୋଇ ଗପନ୍ତି ଯେ ମହିମାମୁଁ ବଦଳିଗଲେଣି, ବେଶୀ ମଦପାଣି ଖାଉନାହାନ୍ତି । ସୁଧାଅପାଙ୍କୁ ମାରଧର କରୁନାହାନ୍ତି, ଭଲ ବ୍ୟବହାର କରୁଛନ୍ତି, ଏହିପରି ପ୍ରଚାର କରନ୍ତି । ମାନି ସ୍କୁଲରେ ଭଲ ପଢ଼ୁଛି ଓ ଭଲ କରୁଛି, ଏ କଥା ବି ମୁଁ ଶୁଣିଛି । ମାନି କେତେଥର ଗ୍ରାମକୁ ଆସିଲା, ପୁଣି ଫେରିଗଲା । ମୋ ସଙ୍ଗେ ତା’ର କେବେ ଦେଖା ହୋଇନାହିଁ । ସାହି ଲୋକେ ତା’ର ରୂପ, ଗୁଣ, ବୁଦ୍ଧି ଓ ଢଙ୍ଗର ପ୍ରଶଂସା କରନ୍ତି ।

 

ବି.ଏ. ପରୀକ୍ଷା ଦେବାପାଇଁ ଆମେ ବଛା ହେଲା ପରେ ମୁଁ ଟଙ୍କା ଆଣିବାକୁ ଗ୍ରାମକୁ ଯାଇଥିଲି । ଗୋଟିଏ ବିଚିତ୍ର ଘଟଣା । ମାନମୟୀକୁ ସେତେବେଳେ ପନ୍ଦରବର୍ଷ ହେବ । ସେ ସୁଧା ଅପାଙ୍କ ପାଖରେ ଥାଏ । ଦଶମ କ୍ଳାସରେ ସେଇଠି ପଢ଼ୁଥାଏ ।

 

ଧୀରେନ୍ଦ୍ରବାବୁ ଟିକିଏ ନୀରବ ରହିଲେ ।

 

ମୁଁ ପଚାରିଲି, କଅଣ ସେ ଘଟଣା ?

 

କହିବାକୁ ଦୁଃଖ ଲାଗୁଛି କେଶବବାବୁ ! ମନେପଡ଼ିଲେ ଏ ବୟସରେ ମଧ୍ୟ ଛାତି ଥରିଉଠୁଛି । ଏହି ମଣିଷ ଭିତରେ ବାଘ, ଭାଲୁ, ସାପ ଓ ଅନ୍ୟ ଯେତେ ଜାତିର ଭୟଙ୍କର ପ୍ରାଣୀ, ତମେ ଦେଖିଛ, ଅବା ଦେଖିନାହଁ, ସମସ୍ତେ ଲୁଚିଛପି ରହିଛନ୍ତି । କେତେବେଳେ ତା’ର କେଉଁ ପ୍ରକୃତି ନିଜ ରୂପ ଧରେ । ବିଶ୍ୱାସ ତ କରିବାକୁ ହେବ । ଆଶା ରଖିବାକୁ ହେବ । ମୋହବତକୁ ଏଡ଼ାଇଦେଇ ହେବ ନାହିଁ । ସମାଜରେ ଥାଇ ସଂସାରରେ ନୋହିଲେ ଚଳିବ କିପରି ? କିନ୍ତୁ କିଏ କେତେବେଳେ ତମର ବିଶ୍ୱାସରେ ବିଷ ଦେବ ଆଗରୁ ତମେ ଜାଣିବ କିପରି ?

 

ମୁଁ ଭୁକ୍ତଭୋଗୀ ଧୀରେନ୍ ବାବୁ !

 

କିଏ ନୁହେଁ ? ତମର ଆଶାର କୁସୁମ ପ୍ରସ୍ଫୁଟିତ ହୋଇଆସୁଥିବାବେଳେ କିଏ ତାକୁ ଛିଣ୍ଡାଇ ପାଦରେ ଦଳିଦେବ ।

 

ସେପରି ଆଶା ଭଙ୍ଗର ବିଷମ ଜ୍ୱାଳା ମୁଁ ବହୁବାର ଅଙ୍ଗରେ ଲିଭାଇଛି ଧୀରେନାବାବୁ । ମନେପଡ଼ିଲେ ପୁରୁଣା କ୍ଷତଗୁଡ଼ିକ ଏବେବି ହାକୁ ହାକୁ ହୋଇ ଜଳିଉଠୁଛି ।

 

କିଏ ଭୁକ୍ତଭୋଗୀ ନୁହେଁ କେଶବବାବୁ ? ପୁଣି ମୋହବତ୍, ତାକୁ ବି ଆଡ଼େଇଦେଇ ହେବ ନାହିଁ । ସମାଜରେ ଘର କରିଥାଇ । ପରସ୍ପର ପ୍ରତି ସହାନୁଭୂତି ରହିବା ସ୍ୱାଭାବିକ । ତା’ର ସୁଯୋଗ ଅନ୍ୟମାନେ ନେଇ ମୁହଁ ପୋଛିଦିଅନ୍ତି ।

 

ଦିଅନ୍ତି ତ, ମୋହବତ–ମିଛୁଆ ହୋଇ ଲୁଚି ବୁଲନ୍ତି ।

 

ଏତକ କହି ମୁଁ ନିଜେ ଚିନ୍ତାକଲି, ଯେଉଁମାନେ ଭୁକ୍ତଭୋଗୀ, ସେମାନେ କ’ଣ ନିଜେ ଜାଣିଜାଣି, ଅବା ଅଜାଣତରେ ଅନ୍ୟ କେଉଁମାନଙ୍କର ବିଶ୍ୱାସ, ଆଶା ଓ ମୋହବତ୍ ଭଙ୍ଗର କାରଣ ହୋଇନଥିବେ ? ନିଜର ଆତ୍ମାପୁରୁଷ ପାଖରେ ‘ମନେନାହିଁ’ କୈଫତ୍ ଦେଉନଥିବେ ?

 

ଲୁଚକାଳି ଖେଳ ଚାଲିଛି ।

 

ମୋର ତୁଣ୍ଡରୁ ଏ ବାକ୍ୟଟି ଖସିଆସିଥିଲା ପରା ।

 

ଧୀରେନ୍ଦ୍ର ବାବୁ ହସିଉଠିଲେ । କହିଲେ, ତମେବି ସେହି କଥା ବିଚାର କରୁଥିଲ କେଶବ-? ସତେ, ସେମାନେ ଲୁଚକାଳି ଖେଳୁଥିଲେ । ସେ ଖେଳ ଭୟଙ୍କର । ସେ ଖେଳ ବିଶ୍ୱାସଯୋଗ୍ୟ ନୁହେଁ । ଅସ୍ୱାଭାବିକ ପରି ମନେହେବ । ଜାଣ ଉଜ୍ଜ୍ୱଳ ଦିବାଲୋକରେ ସେ ଖେଳ ସମ୍ଭବ ହୋଇଥିଲା । ସମସ୍ତଙ୍କର ଆଖିଆଗରେ । ପିତା ଓ ପୁତ୍ରୀ ସେମାନେ ନୁହନ୍ତି, କିନ୍ତୁ ସେହି ବୟସର-। ପାଖରେ ଜନନୀ ସଦୃଶା ବଡ଼ ଭଉଣୀ ସୁଧାଅପା ।

 

ମାନେ ?

 

ତମେ ନିର୍ବୋଧ ନୁହଁ କେଶବ ! ଏତେବେଳଯାଏଁ କ’ଣ ବୁଝି ପାରିନାହଁ ? ମୁଁ ଜାଣେ, ଯାହା ବିଶ୍ୱାସ କରିବାକୁ ଡରମାଡ଼େ, ଯାହା ସ୍ଵପ୍ନରେ ବି ଭାବିହୁଏ ନାହିଁ, ତାହା ବୁଝି ମଧ୍ୟ ମଣିଷ ବୁଝିବାକୁ ହଠାତ୍ ରାଜି ହୁଏନାହିଁ । ଘଟଣାଟି ଘଟିଥିଲା । ମଣିଷ ଭିତରର ପଶୁତ୍ୱ ସେଠାରେ ନିଜରୂପ ଧରିଥିଲା ।

 

ସୁଧାଅପାଙ୍କ ଜୀବନର ଶେଷ ପତ୍ରଟି ମୁଁ ନିଜେ ପଢ଼ିଛି କେଶବ ! ବୁଢ଼ାବୁଢ଼ୀ ଓ ତାଙ୍କର ପୁଅ ଅସ୍ଥିର ହୋଇ ସେ ଚିଠିଖଣ୍ଡି ତାଙ୍କର ବିଶ୍ୱାସ ଭାଜନମାନଙ୍କୁ ପଢ଼ିବାକୁ ଦେଉଥିଲେ । ତା’ର ଅର୍ଥ କ’ଣ ହୋଇପାରେ, ବୁଝି ବୁଝାଇବାକୁ ନେହୁରା କରୁଥିଲେ । ସେମାନେ ସୁଧାଅପାଙ୍କ ପାଖକୁ ଯିବାକୁ ପ୍ରସ୍ତୁତ ହେଉଥିଲେ ।

 

ଚିଠିଟି ଛୋଟ କେଶବବାବୁ ! ଆଖିର ଲୁହରେ ସେଇଟି ଭିଜିଥିଲା । ସୁଧାଅପା ତାଙ୍କର ବାପା ଓ ବୋଉଙ୍କ ପାଖକୁ ଲେଖିଥିଲେ–

 

ଏ ଚିଠି ପାଇଲା ବେଳକୁ ମୁଁ ନଥିବି । ତମର କୋଳରୁ ତମର ଅତି ଗେଲବସର ଅଲିଅଳ ସୁନା କଣ୍ଢେଇକୁ ମୁଁ ମାଗି ଆଣିଥିଲି । ପାଞ୍ଚଟି ବର୍ଷ ତାକୁ ମୁଁ ଖେଳାଇଛି । ମୋର ଦୁଃଖ ମୁଁ ଭୁଲିଛି । ମୁଁ ଭୁଲ୍ କରିଥିଲି । ତମମାନଙ୍କ ପାଖରେ ଓ ଭଗବାନଙ୍କ ପାଖରେ ମୁଁ କ୍ଷମା ଚାହୁଁଛି । ଆଉତ ରହିପାରିବି ନାହିଁ କି କହିପାରିବି ନାହିଁ, ଯେତେଶୀଘ୍ର ପାରୁଛ ମାନିକୁ ସେହି ପଶୁଟା ବେକରେ ଟାଣ ଫାଶରେ ଝୁଲାଇଦିଅ । ନୋହିଲେ ତାକୁ ବି ହରାଇ ବସିବ ।

 

ଧୀରେନ୍ଦ୍ର ବାବୁ ତୁନି ହେଲେ ।

 

ମୋର ଛାତି ଥରଥର ହୋଇ କମ୍ପୁଥିଲା । କୋହ ଉଠୁଥିଲା । ଆଖିବୁଜି ମୁହଁରେ ହାତ ଘୋଡ଼ାଇଲି । ମୁଣ୍ଡ ଝୁଙ୍କାଇ ବୋଧହୁଏ କାରୁଣ୍ୟ କରୁଥିଲି । କେତେବେଳ ଯାଏଁ ମୁଁ ଜାଣିପାରିଲି ନାହିଁ ।

 

ମୋର ଆଖିର ଅନ୍ଧାର ତଳେ ସହସା ସେହି ସୁବର୍ଣ୍ଣପ୍ରତିମା, ଜ୍ଵଳନ୍ତ ଦେବୀମୂର୍ତ୍ତି, ହାସ୍ୟମୟୀ, ସୌଭାଗିନୀ ମାନମୟୀ ଠିଆ ହୋଇଗଲେ । ପାଖରେ କନ୍ୟା କମଳିନୀ ଓ ପୁତ୍ର ହରନାଥ ।

 

ମୁଁ ଚିହିଁକିଉଠିଲି । ଭାବିଲି, ମୁଁ କେଡ଼େ ନିର୍ବୋଧ ! କାହାପାଇଁ ଆଖିରୁ ଦି’ଧାର ତତଲା ଲୁହ ଝରିଲା ? ଧୀରେନ୍ଦ୍ରବାବୁ କହିପାରିବେ ।

 

ସେ କିନ୍ତୁ ନଥିଲେ । ମୋ ଆଗରୁ ଉଠି ଚାଲିଯାଇଥିଲେ ।

 

ମୁଁ ଆଗକୁ ଚାହିଁଲି । ଚିଲିକାର ଜଳରାଶି ଦିଗ୍‍ବଳୟ ଯାଏଁ । ବିସ୍ତୃତ ହୋଇଛି । ତାଆରି ଉପରେ ଖେଳୁଛି ଉଜ୍ଜ୍ଵଳ ଶୀତ ଜ୍ୟୋତ୍ସ୍ନା ମେଘମୁକ୍ତ ନୀଳ ଆକାଶରେ ଜହ୍ନ ହସୁଛି । ଦେହରେ ଟିକିଏ କଳଙ୍କ; ଠିକ୍ ଠିକ୍-ଠ ବର୍ତ୍ତୃଳ ଚନ୍ଦ୍ରାନନୀ, ସହାସ୍ୟବଦନୀ ପତିସୋହାଗିନୀ ମାନମୟୀଙ୍କ ପରି ।

✽✽✽

 

Unknown

ଶସ୍ତା ଓ ସୁବିଧା

 

ବାହାଘର ସ୍ଥିର ହୋଇଗଲା । ଦିନବାର ଧାର୍ଯ୍ୟ ହୋଇଗଲା । ବରଟାଳଟୁଳ କରିବାର ଆଉ ପ୍ରଶ୍ନଉଠିବ ନାହିଁ । ବରଙ୍କ ପିତା ତାଙ୍କ ପାଖରେ ପହଞ୍ଚିଥିବା କନ୍ୟାମାନଙ୍କର ଟିପଣା ଓ ଫଟୋଗୁଡ଼ିକୁ ବିଡ଼ାବାନ୍ଧି ରଖିଦେବେ । ଶୁଝାଇବା ଲୋଡ଼ା ହେବନାହିଁ । ଶୁଝିଥିଲେ ଟିକିଏ କ’ଣ ସାମାନ୍ୟ ଅସୁବିଧା ଅଛି ବୋଲି ମଧ୍ୟସ୍ଥଙ୍କ ଜରିଆରେ ଯୌତୁକର ପରିମାଣ ବଢ଼ାଇବାକୁ ଚେଷ୍ଟା କରିବେ ନାହିଁ । ସବୁ ଆଶା ତାଙ୍କର ବିଫଳ ହେଲା । କାରଣ, ସେହି କନ୍ୟାଛଡ଼ା ଅନ୍ୟ କାହାକୁ କରିବାକୁ ପୁଅ ମନା କରିଦେଲା ।

 

ପାଠୁଆ ପୁଅ । ଚାକିରିଆ ପୋଷଣାହାରୀ ବୟସ୍କ ପୁଅ । ତାକୁ ଶାସନ କରିହେବ ନାହିଁ । ପ୍ରତ୍ୟକ୍ଷରେ ନ ହେଲେ ପରୋକ୍ଷରେ ତାକୁ ଗାଳିଦେଇ କହିହେବ ନାହିଁ ଯେ ସେଇଟା ଅବାଧ୍ୟ କୁଳାଙ୍ଗାର ପୁଅ । ତା’ କାନରେ ପଡ଼ିଲେ ସେ ଯଦି ବିଦ୍ରୋହ କରି ପ୍ରକୃତରେ ସେଇଆ ହୋଇଯାଏ କଥା ସରିଲା । ତେଣୁ, ଦିନେଶବାବୁ ବାଧ୍ୟହୋଇ ମନଖୁସିରେ କନ୍ୟାର ପିତା ବିମ୍ବାଧରଙ୍କୁ ଜବାବ ଦେଲେ । ପାଞ୍ଜି ଦେଖି ଦିନବାର ସ୍ଥିର ହେଲା ।

 

କନ୍ୟାଦେଖା ଲୋଡ଼ା ହେଲାନାହିଁ ।

 

କନ୍ୟାର ନାମ ସୁରମ୍ୟା । ସେ ଉଚ୍ଚ ଶିକ୍ଷିତା । ସରକାରୀ ଚାକିରି କରେ । ଶହ ଶହ ଟଙ୍କା ଦରମା ପାଏ । ପୁଅ ଦିବାକର ସମାନସ୍କନ୍ଧ । ସବୁ ଦିଗରୁ ସୁନ୍ଦର । ମନ୍ଦ କ’ଣ ?

 

ମହାପ୍ରସାଦ ନିର୍ବନ୍ଧର ପ୍ରଶ୍ନଉଠିଲା ନାହିଁ । ଦିନେଶବାବୁ ଅବା ତାଙ୍କର ସ୍ତ୍ରୀ ସୁକାନ୍ତି ଝିଅକୁ ଆଖିରେ ଦେଖିନାହାନ୍ତି । ଶୁଣାଶୁଣାରେ, ଝିଅର କିଛି ଖୁଣ ନାହିଁ । ସେତେ ସୁନ୍ଦର ନୁହେଁ, ରଙ୍ଗ ଗୌର ହେଲେ କି ହେଲା ?

 

ଘରପୋଡ଼ିରୁ କୁଟାଖିଅ ସାର । ଏହି ନୀତିକାବ୍ୟ ସ୍ମରଣ କରି ଦିନେଶବାବୁ ବିମ୍ବାଧରଙ୍କୁ କହିଲେ, ବାହାଘର ଖରଚ ପାଇଁ ଅନ୍ତତଃ ପାଞ୍ଚହଜାର ଟଙ୍କା ଲୋଡ଼ା ହେବ । ନୁହେଁ କି ସମୁଦି ?

 

ହସି ହସି କଂସାରୀ ଘର ପାରା ବିମ୍ବାଧର କହିଲେ, ତିନି ଝିଅଙ୍କୁ ବାହା କରାଇ ସାରିଲାଣି । ଜାଣନ୍ତି ତ, ଝିଅମାନେ ମୋର ଉଚ୍ଚ-ଶିକ୍ଷିତା । ଜୋଇଁମାନେ ତହୁଁ ବଳି ପଦସ୍ଥ । ତିନି ସମୁଦି ମୋର କିଏ କେତେ ଖରଚ କରିଛନ୍ତି ମୋତେ ଅଜଣା ନାହିଁ । ସୁରମ୍ୟା ମୋର ଚତୁର୍ଥ କନ୍ୟା । ତା’ ତଳେ ପୁଣି ଆଉ ଦିଓଟି । ପୁଅ ଚାରୋଟି ଛୋଟ ଛୋଟ । ସମସ୍ତେ ପଢ଼ୁଛନ୍ତି । ରୋଜଗାର ଅନ୍ୟମାନଙ୍କ ଆଖିକୁ ଅଧିକ ଦିଶୁଛି ଯେ, ଚାରିଆଡ଼କୁ ବାଣ୍ଟିକୁଣ୍ଟି ଦେଲେ ହାତ ଶୂନ୍ ।

 

ହଁ, ଯେଡ଼େ ବାଉଁଶ ସେଡ଼େ ପୋଲ । କ’ଣ କହୁଥିଲିକି, ପାଠ ପଢ଼ିଲାବେଳେ ଆମ ଦିବାକର ସରକାର ଘରୁ ଯେଉଁ କରଜ କରିଥିଲା ଚାକିରି କଲାପରେ ଦରମାରୁ ସେ ସେତକ କଟାଉଛି । ମୋତେ ବି କରଜ କରିବାକୁ ପଡ଼ିଥିଲା । ଯାହା ସେ ମୋତେ ଦିଏ ସେଥିରୁ ବେଶୀ ଭାଗ କରଜ ଶୁଝିବାରେ ବ୍ୟୟ ହୁଏ । ମୋର ଗୁଡ଼ିଏ ପିଲା । ଯାହା କହନ୍ତି, ମୁଁ ବହୁକୁଟୁମ୍ବୀ । ପିଲାଗୁଡ଼ିକ ପଢ଼ୁଛନ୍ତି ।

 

ପଢ଼ିବେ ନାହିଁ କ’ଣ ମୂର୍ଖ ହେବେ ? ସେଇଗୁଡ଼ିକ ଆପଣଙ୍କର ଭବିଷ୍ୟତର ଆସେଟ । ଭଗବାନ୍ ସେମାନଙ୍କୁ ଦୀର୍ଘାୟୁ କରନ୍ତୁ ! ମୋ ଝିଅ ସୁରମ୍ୟା ତା’ ଦରମାରୁ କରଜ ଶୁଝୁଛି । ମୁଁ ବି ଶୁଣନ୍ତୁ ଦିନେଶବାବୁ ! ବଳ ପାଇଲେ ପୁଅ ବାହାଘରରେ ଆପଣ ପଚିଶ ହଜାର ବି ଖରଚ କରିପାରନ୍ତି, ବଳ ନ ପାଇଲେ ଯେତିକି ଯୋଗାଡ଼ କରିପାରିବେ ସେତିକିରେ କରନ୍ତୁ । ମୁଁ ପ୍ରସ୍ତୁତ ।

 

ମୁଁ କ’ଣ କହୁଥିଲିକି, ଟଙ୍କା ପାଞ୍ଚ ହଜାର ରାସ୍ତା-ଖର୍ଚ୍ଚ ଆପଣ ମୋତେ ଦିଅନ୍ତୁ ।

 

ମୋତେ କରଜ କରିବାକୁ ପଡ଼ିବ ? ଦିଓଟି ଟ୍ୟାକ୍ସି ଭଡ଼ା କଲେ ବାରଜଣ ଆସିପାରିବେ-। ଚାରୋଟି ଏବେ ହେଉ । ସେଥିରେ କେତେ ଖରଚ ଯେ ଆପଣ ଓ ଦିବାକର ସେତକ ଯୋଗାଡ଼ ନ କରି ମୋଠାରୁ ନେବେ, କାଳକାଳକୁ କଥା ରଖିବେ ?

 

ଛାଡ଼ନ୍ତୁ । ଆପଣ ଦୁଇହଜାର ଦିଅନ୍ତୁ । ଚଉଠି ଭୋଜିର ଖରଚ ତ ଅଛି !

 

ନିଶ୍ଚୟ ଅଛି । ଆପଣ ଅଭାବଗ୍ରସ୍ତ ଲୋକ । ଏତେ ଆଡ଼ମ୍ବର କରିବେ କାହିଁକି ? ଆପଣଙ୍କର ପିଲାଙ୍କ ତୁଣ୍ଡରୁ ଆହାର ଛଡ଼ାଇ ବାହାବାହା ପ୍ରଶଂସା ଶୁଣିବେ କାହିଁକି ? ମୁଁ କହୁଛି, ଚା, ନିମ୍‍କି, ବୁନ୍ଦିଆ ଓ ପାନ-ସିଗାରେଟ୍ ଦେଇ ବନ୍ଧୁମିଳନ କରାଇ କାମ ଫତେ କରନ୍ତୁ ।

 

ସେଥିପାଇଁ ଧନ ଲୋଡ଼ା ସମୁଦି । ସେତକ ଯୋଗାଡ଼ କରିବାକୁ ସମୟ ଲାଗିବ । ବାହାଘର ତାରିଖ ଘୁଞ୍ଚାଇବାକୁ ମତେ ପଡ଼ିପାରେ ।

 

ଘୁଞ୍ଚୁ । ଆପଣଙ୍କୁ ଅସୁବିଧାରେ ପକାଇ ମୁଁ ତରତର ହେବିନାହିଁ । ତେବେ, କାମଟି ଠିକ୍ ସମୟରେ ସାରିଲେ ଭଲ । ଆପଣ ଯଦି ନିତାନ୍ତ ଅକ୍ଷମ ହୁଅନ୍ତି, ମୁଁ ଆପଣଙ୍କୁ ଏକହଜାର ଟଙ୍କା ଦେବି । ମନେରଖନ୍ତୁ, ଝିଅ ଜୋଇଙ୍କୁ ମୁଁ ଯାହା ଦେଇଥାନ୍ତି ସେଥିରୁ ମତେ କାଟ୍‍କୁଟ୍ କରିବାକୁ ପଡ଼ିବ । ଭାବି ବିଚାରି ଆପଣ ଯେବେ ଖବର ପଠାଇବେ ମୁଁ ଟଙ୍କା ଧରି ହାଜର ଦେବି ।

 

ହଉ ହେଲା, କହି ଦିନେଶବାବୁ ମନ ଦୁଃଖରେ ବାହୁଡ଼ିଲେ ।

 

କାହାର ଦୋଷ ଦେବେ । ନିଜ ସୁନା ଭେଣ୍ଡି । ପୁଅର ବାପ ହୋଇ ସେ ମୁଣ୍ଡ ନୁଆଇଁ ଫେରିଲେ, ଅଥଚ ଝିଅର ବାପଟା କେଡ଼େ ଟାଣରେ କଥା କହୁଛି ହୋ ! ସେ ଖବର ବୁଝିସାରିଲେଣି ଗୁପ୍ତରେ ଯେ ବିମ୍ବାଧରଙ୍କର ବାହାହେଲା ଝିଅମାନେ ନିଜର ଇଚ୍ଛାନୁସାରେ ନିଜ ନିଜ ପାଇଁ ବର ବାଛି ନେଇଛନ୍ତି । ସେଥିପାଇଁ ସେମାନଙ୍କୁ କୁଆଡ଼େ ବିମ୍ବାଧର ଓ ତାଙ୍କର ପତ୍ନୀ ପୂର୍ଣ୍ଣ ସ୍ୱାଧୀନତା ଓ ସୁଯୋଗ ଦେଇଥିଲେ । ଲଜ୍ୟାର କଥା । ପରିତାପର ବିଷୟ ।

 

ଦିବାକର ସେଇଆ ହୋଇଥିବ । ସେ ନିଶ୍ଚୟ ବିମ୍ବାଧରଙ୍କ ଘରକୁ ଯା-ଆସ କରୁଥିବ । ସେଘରେ ଆଦର ଅଭ୍ୟର୍ଥନା ପାଉଥିବ । ସୁରମ୍ୟା ସଙ୍ଗରେ ଘନିଷ୍ଠତା ବଢ଼ିଥିବ । ପରସ୍ପରକୁ ସ୍ନେହ କରିବାର ସୁଯୋଗ ସେମାନେ ପାଇଥିବେ । ଛାତ୍ର ଜୀବନରେ, ପୁଣି ଚାକିରି ଜୀବନରେ ।

 

ଦୁଃଖରେ ଦିନେ ଦିନେଶବାବୁ ଜନାର୍ଦ୍ଦନ ବାବୁଙ୍କୁ ଏ କଥା କହୁଥିଲେ । ଜନାର୍ଦ୍ଦନ ତାଙ୍କର ବହୁଦିନର ପରିଚିତ ବନ୍ଧୁ । ଅନ୍ତରଙ୍ଗ କହିଲେ ଚଳିବ । କାରଣ, ଦୁହେଁ ଜଣେ ବାବାଙ୍କର ଭକ୍ତ । ବାବାଙ୍କୁ ସେମାନେ ଭଗବାନଙ୍କର ଅବତାର ବୋଲି ଗ୍ରହଣ କରନ୍ତି ।

 

ଜନାର୍ଦ୍ଦନଙ୍କର ଦ୍ଵିତୀୟା କନ୍ୟା ଚନ୍ଦ୍ରିକା ବିଷୟରେ ଦିବାକର ସମ୍ବନ୍ଧ ପଡ଼ିଥିଲା । ଟିପଣା ଭଲ ଶୁଝିଥିଲା । ଚନ୍ଦ୍ରିକା କୁଆଡ଼େ ଅତି ସୁନ୍ଦରୀ । ବେଶୀ ପାଠ ପଢ଼ିନାହିଁ । କିନ୍ତୁ ଗୃହ କର୍ମରେ ନିପୁଣା । ଜନାର୍ଦ୍ଦନ ଭଲ ଦେଇଥାନ୍ତେ । ପାଞ୍ଚ ହଜାର ଦେବାକୁ ରାଜି ହୋଇଥିଲେ । ଏହି ସମ୍ବନ୍ଧରେ ବାବା ରାଜି ହୋଇଥିଲେ, କିନ୍ତୁ ଦିବାକର ନାନାଦି ଆଳ ଦେଖାଇ କରଛଡ଼ା ଦେଲା ।

 

ବାଧ୍ୟହୋଇ ଜନାର୍ଦ୍ଦନ ବର୍ଷକ ତଳେ ପୁଣି ଗୁରୁଦେବଙ୍କର ଆଶୀର୍ବାଦ ନେଇ ଚନ୍ଦ୍ରିକାକୁ ଅନ୍ୟ ପାତ୍ରରେ ଅର୍ପଣ କଲେ । ସେହି ପାତ୍ରଟି ଖୋଜି, ବହୁ ଅର୍ଥ ବ୍ୟୟ କରି, ଦୈହିକ ଓ ମାନସିକ କ୍ଳେଶ ସହି, ଆଖିରେ ଓ ନାକରେ କାନ୍ଦି, ସେ କନ୍ୟା ଦାୟରୁ ମୁକ୍ତ ହେଲେ । ତାଙ୍କର ଆହୁରି କେତୋଟି ଝିଅ ଅଛନ୍ତି । ପଢ଼ୁଛନ୍ତି । ସେମାନଙ୍କର ବୟସ ବି ବଢ଼ୁଛି । ସେମାନଙ୍କୁ ଦେଇନେଇ ପରଘରେ ଥୋଇବା କାଠିକର ପାଠ । ଗୋଟିଏ ଝିଅର ବାହାଘରରେ ଅଣ୍ଟା ନଇଁଯାଇଛି । ତଥାପି ମନରେ ଶାନ୍ତି ନାହିଁ ।

 

ମଠରୁ ଫେରିବା ବାଟରେ ଜନାର୍ଦ୍ଦନବାବୁ ଏ ସବୁ ବିଷୟ ଦିନେଶବାବୁଙ୍କୁ ବୁଝାଇଲେ । ପୁଣି କିହଲେ, ଶକ୍ତିଠାରୁ ଅଧିକ ଦେଲି । ପୁଣ୍ୟପର୍ବରେ ବେଭାର ପାଇଁ କରଜ କରିବାକୁ ପଡ଼ିଲା । ତଥାପି ଦିନେଶବାବୁ, ଚନ୍ଦ୍ରିକାର ଆଖିରୁ ଲୁହ ଶୁଖୁ ନାହିଁ । ପ୍ରତ୍ୟେକ ଜିନିଷ ଯାହା ମୁଁ ଦେଇଛି ତାକୁ ସେମାନେ ବାଛୁଛନ୍ତି । ମୋତେ ବାରକଥା କହି ୟା ତା’ ଆଗରେ ଧିକ୍କାରୁଛନ୍ତି । ମୋ ଝିଅକୁ ଖୁଣ୍ଟା ଦେଉଛନ୍ତି ।

 

ଦିନେଶବାବୁ କହିଲେ, ଏଇଟା ବଡ଼ ଅନ୍ୟାୟ । ଆପଣଙ୍କର ଜୋଇଁ କ’ଣ କରନ୍ତି ?

 

ବିକ୍ରୀକର ଇନ୍ସପେକ୍ଟର । ଏମ୍. ଏ, ପାଶ୍ । ନିନ୍ଦା ଓ ଦୁର୍ନାମ ଶୁଣି ମୁଁ ପିଠିଆ ହୋଇଗଲିଣି । ଏଣେ ଗୃହିଣୀ କାନ୍ଦି ବୋବେଇ ଅସ୍ଥିର ଆଜ୍ଞା ! ରାତି ପାହିଲେ ଆମ ଘରେ କଜିଆ । କହୁଛନ୍ତି, ମୁଁ କୁଆଡ଼େ ଝିଅଟାକୁ ବୁଡ଼େଇଦେଲି ।

 

ଦିନେଶ କହିଲେ, ଜାତକ ଯଦି ଭଲ ଶୁଝିଥାନ୍ତା, ଦିବାକର ନିଶ୍ଚୟ ଆପଣଙ୍କର ଜୋଇଁ ହୋଇଥାନ୍ତା ।

 

ଆପଣ ବି ପାଞ୍ଚହଜାର ନେଇଥାନ୍ତେ । ଚନ୍ଦ୍ରିକା ଆପଣଙ୍କର ବୋହୂ ହୋଇସାରିଲା ପରେ କିଏ ଜାଣେ, ଆପଣ ମୋର ନିନ୍ଦା ଗାଇ ବୁଲିଥାଆନ୍ତେ କି ନାହିଁ । ଆପଣମାନେ, ଯେଉଁମାନଙ୍କର ଅର୍ଥର ଲୋଭ ଅତ୍ୟଧିକ ସେମାନଙ୍କ ଉପରେ କି ବିଶ୍ୱାସ ଅଛି ? ଆପଣମାନେ, ଅର୍ଥାତ୍ ପୁଅ-ବେପାରୀମାନେ କ’ଣ ଭାବିଛନ୍ତି ଯେ ବିନା ବୋହୂରେ ବଂଶରକ୍ଷା ହୋଇପାରିବ ?

 

ଦିନେଶ ଚିଡ଼ିଉଠିଲେ । କହିଲେ, ହାତରେ ମାଳା କୋଥଳୀ ଧରି ଆପଣ ଭାଷା ହୁଡ଼ନ୍ତୁ ନାହିଁ ଆଜ୍ଞା ! ନଗଦ ପାଞ୍ଚହଜାର ଦେଇଥିବାରୁ ଆପଣ ନିଶ୍ଚୟ ଆପଣଙ୍କର ଝିଅ ଜୋଇଁକୁ ଠକି ଦେଇଛନ୍ତି । କାହିଁକି ସେମାନେ ଆପଣଙ୍କ ଝିଅକୁ ଖୁଣ୍ଟା ଦେଉଛନ୍ତି, ଆପଣଙ୍କୁ ଛୋଟଲୋକ ବୋଲି କହୁଛନ୍ତି, ଏବେ ବୁଝାପଡ଼ିଲା । ଭାଗ୍ୟକୁ ଦିବାକର ବିଷୟରେ ଜାତକ ଶୁଝିଲା ନାହିଁ–

 

ଜନାର୍ଦ୍ଦନ କହିଲେ, ଅତି ଦୁଃଖରୁ ମୋ ଭାଷାଟା ଟିକିଏ ଅଖାଡ଼ୁଆ ହୋଇଗଲା । ମାଳା କୋଥଳୀର ଦୋଷ ନାହିଁ । ଦୋଷ ହେଉଛି ମୋର ନିର୍ବୋଧ ଘରଣୀଙ୍କର । ଆଗ ତିନିଟା ଝିଅ ଜନ୍ମକଲା ପରେ ଆଉ ପୁଞ୍ଜାଏ ପୁଅ ଜନ୍ମ କରିଛନ୍ତି । ଆପଣ କୁହନ୍ତୁ, ଝିଅ ସଂଖ୍ୟା କମ କରିଥିଲେ କ’ଣ ଚଳିନଥାନ୍ତା ?

 

ଦିନେଶ କହିଲେ, ତାଙ୍କୁ ପଚାରିଲେ ନାହିଁ ?

 

ଜନାର୍ଦ୍ଦନ କହିଲେ, ଏବେ ପଚାରି କି ଲାଭ ମିଳିବ ? ଆଜ୍ଞା, ଏ ମାଳା କୋଥଳୀ ଆଶ୍ରାକରି ମୋର ମନ ବିଭୁପଦରେ ସମର୍ପିଦେଇଛି । ସଂସାରର ଜଞ୍ଜାଳରୁ ମୁକ୍ତିଲାଭ କରିଛି, କିନ୍ତୁ ସେ ଜଞ୍ଜାଳ ବେଳୁବେଳ ମତେ ଚାରିଆଡ଼ୁ ଘେରିଯାଉଛି । ବଡ଼ଚିନ୍ତା ହେଲା, ଝିଅ ଦୁଇଟିଙ୍କର ବାହାଘର । ଆମ ପ୍ରଥମ ସମୁଦୀ, ସମୁଦୁଣୀ, ତାଙ୍କର ଜ୍ଞାତିକୁଟୁମ୍ବ, ବନ୍ଧୁବାନ୍ଧବ ଯେପରି ମୋର ନିନ୍ଦା ଗାଇବାକୁ ଆରମ୍ଭ କଲେଣି, ଝିଅ ଦୁଇଟାଙ୍କର ବାହାଘର ହୋଇପାରିବ ନାହିଁ ।

 

ଦିନେଶ କହିଲେ, ଠାକୁରଙ୍କର ଦୟାଥିଲେ, ଗୁରୁଦେବଙ୍କର ଆଶୀର୍ବାଦ ଲାଭ କଲେ ସବୁ ଭଲରେ ଭଲରେ ହୋଇଯିବ ।

 

ଦିନେଶଙ୍କ ଭାଷାରେ ଆକ୍ଷେପ ଥିଲା । ସେ ନମସ୍କାର କରି ବାଟ ଭାଙ୍ଗିଲେ । ସେ ମନେମନେ ତାଙ୍କର ଯୋଗ୍ୟପୁତ୍ର ଉପରେ ରକ୍ତ ଚାଉଳ ଚୋବାଉଥିଲେ । ମନେମନେ ତାକୁ ସେ କହୁଥିଲେ, ଆମ କାନକୁ ଆମ ହାତରେ ଧରାଇଲା ପୁଅ ! ପୁଞ୍ଜିଏ ଭଉଣୀ କିପରି ପରଘରକୁ ଯିବେ ବିଚାରିଲ ନାହିଁ ? ଦାୟିତ୍ୱକୁ ଦୂରେଇ ଦେବାକୁ ସେମାନଙ୍କୁ ଅଧିକରୁ ଅଧିକ ପାଠ ପଢ଼ାଇଲେ କ’ଣ ନିଷ୍କୃତ ମିଳିବ ? ଚାକିରି ମିଳିବ ନାହିଁ । ଶେଷକୁ ସେମାନେ ତମରି ମୁଣ୍ଡରେ ବୋଝ ହେବେ ପୁଅ, ଝିଅପିଲାର ବୋଝ ଯେ ଅସମ୍ଭାଳ ।

 

ଗୋବର୍ଦ୍ଧନବାବୁ ଆସୁଛନ୍ତି । ଭାରି ତରତର ଥିଲା ପରି ଜଣାଯାଉଛନ୍ତି । ହଁ, ସେ ଭାଗ୍ୟବାନ୍ ସହପାଠୀ ଥିଲେ । କେତେ ଉପାୟରେ ଅଜସ୍ର ଟଙ୍କା ଅର୍ଜନ କଲେ । ଲୋକେ ତାଙ୍କୁ ଚୋର, ଚୋଠା, ବଦମାସ୍, କଳାବଜାରୀ ଯାହା କହିବାର କହୁଥାନ୍ତୁ, ସେ ଭଲରେ ଅଛନ୍ତି । ଝିଅ ପୁଞ୍ଜିଙ୍କୁ ଯଥେଷ୍ଟ ଦେଇ ଭଲ ଭଲ ପାତ୍ରରେ ଉଠାଇଦେଇଛନ୍ତି । ପୁଅମାନେ ବିଶେଷ ଯୋଗ୍ୟ ନହେଲେ ନାହିଁ, ବାପାଙ୍କର ବିଭିନ୍ନ ବ୍ୟବସାୟର ଦାୟିତ୍ୱ ହାତକୁ ନେଲେଣି । ଆଉ ଗୋଟିଏ ଝିଅ ତାଙ୍କର ଅଛି ।

 

ଆରେ ଦିନେଶ ! ହଜିଲା ବଳଦ ଖୋଜିଲା ଠେଇଁ । ଦିବାକର ବିଷୟରେ ଟିପଣା ପଠାଇଥିଲି, କ’ଣ ହେଲା ?

 

ଦିନେଶବାବୁଙ୍କର ହାଲୁକ ଶୁଖିଲା । ସେ ଜାଣନ୍ତି, ଗୋବର୍ଦ୍ଧନବାବୁ ଆଶାତୀତ ଭାବରେ ଦେବେ, କିନ୍ତୁ ସେ ନାଚାର । ଆତ୍ମରକ୍ଷା କରିବାକୁ ସେ ଠିକେ ଠିକେ ବନ୍ଧୁଙ୍କୁ ସବୁ କହିଲେ ।

 

ଦିବାକର ପ୍ରେମରେ ପଡ଼ିଗଲା । ସେ ଭଲପିଲା । ମୁଁ ଏହା ଜାଣେ । କିନ୍ତୁ, ବିଚରା କରିବ କ’ଣ ? ପ୍ରଲୋଭନରେ ବୁଡ଼ିଗଲା ।

 

ଶୁଣିସାରି ଗୋବର୍ଦ୍ଧନ କହିଲେ, ବୁଝିଲି ।

 

ଦିନେଶବାବୁଙ୍କର ମୁହଁ ଲାଜରେ ଜଳିଯାଉଥିଲା । ସେ ଉତ୍ତର ଦେଇପାରୁନଥିଲେ । ଗୋବର୍ଦ୍ଧନ ତାଙ୍କର ମନର ଅବସ୍ଥା ବୁଝିପାରିଲେ । ସାନ୍ତ୍ୱନା ଦେବା ଛଳରେ ଟିକିଏ ଚେଙ୍ଗାଇ କହିଲେ, ପୁଳାଏ ପାଇବାକୁ ତମେ ଅନେକ ଜାତକ ସଂଗ୍ରହ କରି ଦର କସାକସିରେ ବ୍ୟସ୍ତ ରହିଥିଲ । ନେଡ଼ିଗୁଡ଼ କହୁଣୀକୁ ବୋହିଗଲାଣି ବୋଲି ଜାଣିପାରିନଥିଲ ।

 

ନା, ନା-

 

ମୁଁ ଏପରି ଶୁଣିଥିଲି । ମୋ ଝିଅ ପାଇଁ ତଥାପି ଖଣ୍ଡେ ଦରଖାସ୍ତ ତମକୁ ଦେଇଥିଲି । ମୋର ଶେଷ କନ୍ୟାର ନିମିତ୍ୟ । ମୁଁ ତମର ମନ ଖୁସିକରି ଦେଇଥାନ୍ତି । ଛାଡ଼, ଯାହା ହେବାର ହୋଇସାରିଛି । ଏବେ ନିମିତ୍ୟ ଉଠାଇଦିଅ । ହଜାର ଟଙ୍କା ବିମ୍ବାଧରଙ୍କ ପାଖରୁ ଆଣନା କହୁଛି । ଜାତି ଯିବ, ପେଟ ପୁରିବ ନାହିଁ । କାଳକାଳକୁ କଥା ରହିବ ।

 

ସେଇଆ କରିବି ଭାଇ, କାହିଁକି ହାତ ପାତିବି ?

 

ଠିକ୍ । କନ୍ୟାରତ୍ନଟିଏ ପାଇବ । ମୁଁ ଶୁଣିଛି, ସୁରମ୍ୟା ସବୁ ବିଷୟରେ ଭଲ । ଆରେ ଭାଇ, ଏକାଠି ହୋଇ କାରବାର । ଆଳାପ, ହସଖୁସି । ଝିଅ ପୁଅଙ୍କର ପାଠପଢ଼ା । ଚାକିରି, ପରସ୍ପରର ଘରକୁ ଗମନାଗମନ । ସିନେମା, ଥିଏଟର, ଭେରାଇଟି–ସୋ । ଏକ୍ସକରସନ୍, ପିକନିକ୍-। ପରସ୍ପରକୁ ଜାଣିବା ଚିହ୍ନିବାର ସୁଯୋଗ । ଝିଅପୁଅ ପରସ୍ପରକୁ ଭଲପାଇବା ସ୍ୱାଭାବିକ ନୁହେଁ କି ?

 

ସୁଦର୍ଶନ କଥାଟି ବୁଝିଲେ ।

 

ନିପଟ ମଫସଲରେ ତାଙ୍କର ବାଲ୍ୟ-ଜୀବନ କଟିଥିଲା । ଏବେ ମଧ୍ୟ ମଫସଲ ସଙ୍ଗେ ତାଙ୍କର ସମ୍ପର୍କ ତୁଟି ନାହିଁ । ଆଡ଼ଉଢ଼ୁଆଳ, କଡ଼ା ଶାସନ । ସହସ୍ର ଆଖିର ପହରା । ଟିକିଏ ବେଆଡ଼ା ଢଙ୍ଗ ପାଇଁ ଛି-ଛି-କରା ସମାଲୋଚନାର କୋରଡ଼ା ମାଡ଼ । ଏସବୁ ସତ୍ତ୍ୱେ ଯେଉଁସବୁ ବେଢ଼ଙ୍ଗିଆ ମହତସରା ଘଟଣା ଘଟେ, ଶୁଣିଲେ ତାଟକା ଲାଗେ । କେତେ ମରଣ । ଆତ୍ମହତ୍ୟାର ଦ୍ୱାହି !

 

ଶିକ୍ଷା ବଢ଼ିଲା । ପରଦା ଘୁଞ୍ଚିଲା । ସ୍ୱାଧୀନତା ମିଳିଲା । ନୀତିଶିକ୍ଷା ପରିବର୍ତ୍ତରେ ଜନ୍ମନିରୋଧ ଶିକ୍ଷା ଦିଆଗଲା । ଉପକରଣମାନ ହାଟବଜାରରେ ମିଳିଲା । ଲାଜଭୟ, ସଙ୍କୋଚ ସଙ୍କୁଚିତ ହେଲା !

 

ଗୋବର୍ଦ୍ଧନବାବୁ ସତ କହିଛନ୍ତି, କିନ୍ତୁ ଭଲପାଇବା ମାନେ ଯେ ବିବାହ କରିବା, ଏକଥା ମାଇଚିଆଗିରି । ବାପା ଦାଦିଙ୍କ ସମ୍ମାନ ହାନି । ଯୌତୁକ ଛୁ । ଏହା କ’ଣ ପୁଏ ବୁଝନ୍ତି ନାହଁ ?

 

ଗୋବର୍ଦ୍ଧନ କହିଲେ, ତମେ ତୁନି ରହିବାର କାରଣ ମୁଁ ବୁଝିସାରିଲିଣି । ଭାରି ଅଡ଼ୁଆ ଲାଗୁଛି ନା ? ମୋତେ ଲାଗୁଥିଲା । ଏବେ ଯେ ନ ଲାଗୁଛି ତା'ନୁହେଁ । ସହିବା ଓ ସବୁ ପରିବର୍ତ୍ତନକୁ ଆପଣାର କରିବା ପାଇଁ ଅଭ୍ୟାସ କରିବାକୁ ହେବ । ଯେଉଁ ସବୁ ଘଟଣା ଶୁଣି ତମେ ଆମେ ନାକ ଟେକୁଥିଲୁଁ, ନିନ୍ଦା ଗାଇ ବୁଲୁଥିଲୁଁ, ସେସବୁ ଘଟଣା ଆମ ଘରଭିତରକୁ ପାଦ ବଢ଼ାଇଲେଣି । କ’ଣ ବୁଝୁଛନା ?

 

ବୁଝିପାରୁ ନାହିଁ ଗୋବର୍ଦ୍ଧନବାବୁ !

 

ରାସ୍ତାକଡ଼ରେ ଠିଆହୋଇ ସେଗୁଡ଼ା କ’ଣ ମୁଁ ବୁଝାଇପାରିବି ? ତମେ ସବୁ ଜାଣିଛ । ଖାଲି ଟିକିଏ ସୂଚାଇ ଦେଲେ ଯଥେଷ୍ଟ ହେବ । ଏଇ କେତେବର୍ଷ ମଧ୍ୟରେ ତମେ କେତେ ରାଜିରୁଜାର ବାହାଘର କଥା ଶୁଣିଛ, ଜାଣିଛ, ଖବର ପଢ଼ିଛ ଓ ସେଥିପାଇଁ ନିନ୍ଦା ରଟାଇ ନାକ ଟେକିଛ ମନେପକାଅ । ବିଭିନ୍ନ ଧର୍ମାବଲମ୍ବୀ ଭାଷାଭାଷୀ ଓ ଜାତିର ପୁଅଝିଅଙ୍କ ମଧ୍ୟରେ ମଧ୍ୟ କେତେ ସେପରି ଘଟିଛି ।

 

ହଁ, କେତୋଟି ମନେପଡ଼ୁଛି ।

 

ଆହୁରି ଭାବିଲେ ଅଧିକ ମନେପଡ଼ିବ । ସେଥିପାଇଁ ସେହି ଦୁଃସାହସିକମାନେ ଅନେକ ଗଣ୍ୟମାନ୍ୟ ବ୍ୟକ୍ତିଙ୍କଠାରୁ ପ୍ରଶଂସା ଓ ଆଶୀର୍ବାଦ ପାଇଛନ୍ତି । ବେଳୁବେଳ ଏପରି ବିବାହ ବଢ଼ୁଛି । ଏଣିକି ସେସବୁ ଘଟଣା ଆଉ ବିଶେଷ ଘଟଣାହୋଇ ରହିବ ନାହିଁ । ସ୍ୱାଭାବିକ ହେବ । ଯୌତୁକର ସ୍ଵପ୍ନ ଗୋଟାଏ କୌତୁକର କାହାଣୀହେବ । ବୁଦ୍ଧିମାନ ବିମ୍ବାଧରଙ୍କର ଏ ଦିଗରେ ଦୂରଦୃଷ୍ଟି ଥିଲା ।

 

ସତେ ?

 

ସେ ମୋର ବହୁଦିନର ପରିଚିତ ବନ୍ଧୁ । କେତେବର୍ଷ ତଳେ ସେ ଥଟ୍ଟାରେ ମୋତେ କହୁଥିଲେ–ବୁଝିଲ ଜନାର୍ଦ୍ଦନ, ଝିଅଟିମାନେ ମୋର ଭଲ ପଢ଼ୁଛନ୍ତି, କିନ୍ତୁ ତାଙ୍କୁ ଅଧିକ ପାଠ ନ ପଢ଼ାଇ ପରଘର, ସାଧାରଣ ଖୁସିବାସିଆ କୁଟୁମ୍ବର ଅଳ୍ପ ରୋଜଗାରିଆ ପୁଅଟିମାନଙ୍କ ହାତରେ ଦେବାକୁ ମୁଁ ମନସ୍ଥ କଲି । ସେମାନେ କନ୍ଦାକଟା କଲେ । ଆମର ପୁରୁଣାକାଳିଆ ଅଧାପାଠୁଆ ଘରଣୀ ସେମାନଙ୍କୁ ଅଧିକ ପଢ଼ାଇବାକୁ ମୋ ଆଗରେ ଦିନରାତି ଓକିଲାତି କଲେ ।

 

ସେଇଠୁ ?

 

ବିମ୍ବାଧର ମଙ୍ଗିଥିଲେ ଗୋଟିଏ ସର୍ତ୍ତରେ । ତା’ର କାରଣ ମଧ୍ୟ ସେ ଦର୍ଶାଇଥିଲେ । ସେ ତାଙ୍କ ଗୃହିଣୀଙ୍କୁ ବୁଝାଇ କହିଲେ-ଅଧିକ ପାଠ ମାନେ ଅଧିକ ଖର୍ଚ୍ଚ, ଝିଅଙ୍କର ବୟସ ବୃଦ୍ଧି । ତେଣୁ ତାଙ୍କଲାଗି ବର ଖୋଜି ବରପକ୍ଷଙ୍କୁ ମଙ୍ଗାଇବା ଅଧିକ କଷ୍ଟ । ବୁଝୁଛ ତ, ଆମର ଗହମ ଗୋଟିଗଣିତା । ପାତ୍ରକୁ ଚାହିଁ ତା’ ବାପର ସର୍ତ୍ତ ରଖିବା ଅର୍ଥ ଅଧିକ ଯୌତୁକ । ଏବେ ଯାହା ଦେଇପାରନ୍ତି ପାଠରେ ଖର୍ଚ୍ଚକଲା ପରେ ସେଥିରୁ ଯଥେଷ୍ଟ କମିଥିବ । ଝିଅ ବାହାଘର ହେବ କିପରି ?

ଦିନେଶ କହିଲେ, ବିମ୍ବାଧରଙ୍କର ସେକାଳର ଚିନ୍ତା ନିର୍ଭୁଲ ଜନାର୍ଦ୍ଦନବାବୁ ! ଆମପରିକା ଢୋକେ ପିଇ ଦଣ୍ଡେ ଜୀଇଁବା ଝିଅ ବାପମାନଙ୍କର ମନର କଥା ସେ କହିଥିଲେ । ଦୁଃଖର ବିଷୟ ଯେ ତାଙ୍କର ମହତ ଚିନ୍ତାକୁ ସେ କାର୍ଯ୍ୟକାରୀ କଲେ ନାହିଁ । ସେତକ ସେ କରିଥିଲେ, ଆଜି ମୁଁ ଏପରି ହତାଶ ହୋଇନଥାନ୍ତି । ତମପରିକା ସମୁଦି ମୁଁ ପାଇଥାନ୍ତି ।

ଜନାର୍ଦ୍ଦନ କହିଲେ, ସେ କଥା ଏବେ କିଏ କହିପାରିବ ? ଯଥା ସମୟରେ ଦିବାକରର ବାହାଘର କଲ ନାହିଁ । ତମଠାରୁ ଯାହା ଜାଣିଲି, ସୁରମ୍ୟା, ମାନେ ବିମ୍ବାଧରଙ୍କର ଝିଅ ସଙ୍ଗରେ ତା’ର ଭେଟ ନ ହୋଇଥିଲେ ସେ ଆଉ କାହାକୁ ସ୍ନେହ କରିପାରିଥାନ୍ତା ! ତମର ଭାଗ୍ୟ ଭଲ ଦିନେଶ ! ତମେ ସ୍ଵଧର୍ମ ସ୍ଵଭାଷୀ ଓ ସ୍ଵଜାତିର ଶିକ୍ଷିତା ରୋଜଗାରିଆ ବୋହୂଟିଏ ପାଇବ !

ଯାହା କହିଲ !

ଶୁଣ, ବିମ୍ବାଧରଙ୍କର ସ୍ତ୍ରୀ ଦୁଇଦିନ ପରେ ତାଙ୍କୁ କ’ଣ ଜବାବ ଦେଲେ ଜାଣ ?

କଅଣ ?

କହିଲେ, ଝିଅମାନଙ୍କର ବିଭାଘରର ଦାୟିତ୍ୱ ସେମାନେ ନିଜେ ମୁଣ୍ଡକୁ ନେଇଛନ୍ତି । ସେମାନେ ବିବାହ ନ କଲେ ପଛେ ନାହିଁ, ପାଠ ନିଶ୍ଚୟ ପଢ଼ିବେ । ତାଙ୍କର ଆଉ ଗୁଡ଼ିଏ ସର୍ତ୍ତ ଥିଲା ଦିନେଶ !

ବିମ୍ବାଧରଙ୍କର ?

ନା, ତାଙ୍କର ସ୍ତ୍ରୀଙ୍କର । ସର୍ତ୍ତ ହେଲା-ବିମ୍ବାଧର ଝିଅମାନଙ୍କ ପାଇଁ ବର ଖୋଜିବେ ନାହିଁ, ସେମାନଙ୍କର ଚାଲିଚଳନ ସମ୍ବନ୍ଧରେ ବୃଥାରେ କୁତୂହଳୀ ହେବ ନାହିଁ, ସେସବୁ ବିଷୟ ତାଙ୍କର ସ୍ତ୍ରୀ ବୁଝିବେ । ବୁଝିଲ ଦିନେଶ ! ବିମ୍ବାଧର ରାଜି ହୋଇଥିଲେ । ଏବେ ଦେଖିଲତ, ସୁରମ୍ୟା ନିଜେ ନିଜର ବର ବାଛିନେଇଛି ? ସେ ବରଟି ହେଉଛି ତୁମର ପୁଅ ଦିବାକର । ଆଜି ତମ ପାଖରୁ ଯାହା ମୁଁ ଜାଣିଲି ଆଗରୁ ଖବର ପାଇଥିଲେ ମୋ ଝିଅର ଟିପଣା ତମ ପାଖକୁ ପଠାଇନଥାନ୍ତି ।

ଦିନେଶ କିହଲେ, ଚିନ୍ତା ନାହିଁ । ତମ ଝିଅର ଟିପଣା ମୁଁ ନିଜେ ଫେରାଇଦେଇ ଆସିବି-। ସାଙ୍ଗରେ ମୋ ବଡ଼ଝିଅର ଟିପଣା ଓ ଫୋଟୋ ନେଇଯାଇଥିବି । ମୋ ଅବସ୍ଥା ତ ଜାଣିଛ ଭାଇ-!

ତମ ଝିଅର ଟିପଣା କାହିଁକି ନେବ ଦିନେଶ ? ପୁଅ ଆମର ବେପାର ସମ୍ପର୍କରେ କଲିକତା ବାରମ୍ବାର ଯା-ଆସ କରନ୍ତି । ତାଙ୍କ ପାଇଁ ସେ ଆମର ବଡ଼ବୋହୂଙ୍କୁ ବାଛି ସାରିଛନ୍ତି । ମୋର ଭାଗ୍ୟଭଲ ଯେ ସେହି ଝିଅଟି ସୁନ୍ଦରୀ, ଧନୀଘରର ଝିଅ । ଅନ୍ୟ ଭାଷାଭାଷୀ ଓ ଜାତିର ପିଲା ହେଲେ ବି ଅନ୍ୟ ଧର୍ମର ନୁହେଁ ।

ଏଁ-ଏଁ– ।

ସେଇଥିପାଇଁ ଆଗ ଝିଅର ବାହାଘର କରିବାକୁ ମୁଁ ବ୍ୟଗ୍ର ଥିଲି । ନିଶ୍ଚୟ କରିବି । ତା’ ନହେଲେ ପୁଅ ବାହାଘର ପରେ ଲୋକେ ବାଛିବେ ।

 

ଦିନେଶ ହସିଉଠିଲେ । କହିଲେ, ବାଛିବେ ? ଯାହାର ଧନ ଅଛି, ତାକୁ ସୁପାତ୍ରର ଅଭାବ ହେବ ନାହିଁ ।

 

ଗୋବର୍ଦ୍ଧନ କହିଲେ, ସେଇଟା ସତ ଯେ, ଦିବାକର ମୋ ପୁଅର ଅନ୍ତରଙ୍ଗ ବନ୍ଧୁଥିଲା । ଆମ ଘରେ ପୁଅ ପରି ସେ କାରବାର ହେଉଥିଲା । ମୋ ସ୍ତ୍ରୀ ଓ ପିଲାମାନେ ତାକୁ ସ୍ନେହ କରୁଥିଲେ । ମୋ ସ୍ତ୍ରୀଙ୍କର ତା’ ସମ୍ବନ୍ଧରେ ଭାରି ଉଚ୍ଚ ଧାରଣା ଥିଲା । ସେ ଆଶା କରିଥିଲେ, ତମେ ରାଜି ହୋଇଥିଲେ ମୋ ଝିଅ ଗାରିମାକୁ ବିବାହ କରିବାକୁ ସେ ନିଶ୍ଚୟ ସମ୍ମତ ହୋଇଥାନ୍ତା । ତମେ ତ ଜବାବ ଦେଇସାରିଛ ।

 

ଦିନେଶ କିହଲେ, ତେବେ ଟିପଣାଟି ମୋ ପାଖରେ ଥାଉ । ଏ ମଧ୍ୟରେ ପୁଅ କଟକ ଆସିବ । ନୋହିଲେ ମୁଁ ରାଉରକେଲା ତା’ ପାଖକୁ ଚିଠି ଦେବି । ସୁରମ୍ୟା ଅବଶ୍ୟ ସେଇଠି କାମ କରୁଛି; ତଥାପି ମୁଁ ଲେଖେଁ ।

 

ଚିଠି ଲେଖିବା ଦରକାର ନାହିଁ ଦିନେଶ, ସେ ଟିପଣା ବି ଫେରାଇବ ନାହିଁ । ସେଇଟା ଗୋଟାଏ ବରାଦି ଟିପଣା ।

 

ମାନେ ?

 

ତମେ କଂସାରୀ ଘର ପାରା । ତମକୁ ମୁଁ କୁଲା ଢାଉଁ ଢାଉଁ ଶୁଣାଇବି ? ତମ ପୁଅ ଦିବାକରର ରାଶି ନକ୍ଷତ୍ର ମୋ ସ୍ତ୍ରୀଙ୍କୁ ଜଣାଥିଲା । ଗାରିମାର ଟିପଣା ସଙ୍ଗେ ତାକୁ ଶୁଝାଇଥିଲେ ନିଶ୍ଚୟ ରାଜଯୋଟକ ହୋଇଥାନ୍ତା ।

 

ରାସ୍ତାକଡ଼ରେ ଠିଆହୋଇ ବହୁତ ଦୁଃଖସୁଖ ହୋଇଗଲା । ଏତିକି କହି ବିଦାୟ ନେଉଛି ଦିନେଶ, ଏ ଯୁଗକୁ ଯଦି ଜିତିବାକୁ ଚାହୁଁଛ, ଝିଅମାନଙ୍କ ବାହାଘର ଚିନ୍ତାରୁ ଯଦି ରକ୍ଷା ପାଇବାକୁ ଚାହୁଁଛ ଓ ମନଖୁସିରେ ବେଳ କଟାଇ ଅର୍ଥତଣ୍ଡରୁ ଉଦ୍ଧାର ପାଇବାକୁ ଇଚ୍ଛା କରିଛ, ମୋର ସାନ କୁହା ରଖ । ବିମ୍ବାଧରଙ୍କୁ ଗୁରୁ କରି ମାନ । ମୁଁ ବି ଭାବୁଛି ସେଇଆ କରିବି ।

 

ଦିନେଶଙ୍କୁ ଭକୁଆ କରି, ରାସ୍ତାକଡ଼ରେ ଠିଆହୋଇ ତାଙ୍କୁ ଚିନ୍ତା କରିବାକୁ ଛାଡ଼ି ଗୋବର୍ଦ୍ଧନ ଆଗେଇଗଲେ ।

 

ବିମ୍ବାଧର, ଜନାର୍ଦ୍ଦନ ଓ ଗୋବର୍ଦ୍ଧନଙ୍କର କଥା ସେ ବିଚାରିଲେ । ବସାକୁ ଫେରିବା ବାଟରେ ସେ ତାଙ୍କର ଭବିଷ୍ୟତ ଯୋଜନା ସମ୍ବନ୍ଧରେ ଚିନ୍ତା କରିଥିଲେ ।

 

ଏ ଯୁଗରେ ସବୁ କ୍ଷେତ୍ରରେ ପ୍ରଗତି ଚାଲିଛି । ପିଲାଏ ଦୁଇପତ୍ରରୁ ବାସିଲେଣି । ଗୋଟିଏ ନୁହେଁ କୋଟିଏ । ବାପା ମା’ଙ୍କୁ ପଛରେ ଛାଡ଼ି, ପଛକୁ ନ ଚାହିଁ, ଆଗକୁ ମାଡ଼ି ଚାଲିଛନ୍ତି । ଲକ୍ଷ୍ୟ କ’ଣ କେବଳ ସେମାନଙ୍କୁ ଜଣାଥିବ, ଅବା ବକ୍ତୃତା ଦେଇ, ନୂଆ ଆଇନମାନଗଢ଼ି ଯେଉଁମାନେ ସେମାନଙ୍କୁ ଟେହି ଦେଉଛନ୍ତି, ତାଳିମାରି ପାରା ଶୂନ୍ୟରେ ଚକର ଦେଇ ଉଡ଼ାଉଛନ୍ତି, ସେମାନେ ନିଶ୍ଚୟ ଜାଣିଥିବେ ।

 

ଏ ଦୁନିଆ ସେହି ଟୋକାଟୋକୀଙ୍କ ପାଇଁ । ତାଙ୍କ କଥା ସେମାନେ ବୁଝିବେ । ବାପା ମା’ଙ୍କ କର୍ତ୍ତବ୍ୟ ହେଲା ସେମାନଙ୍କୁ ପାଳି ବଢ଼ାଇବା । ପଢ଼ାଇବାକୁ ଚେଷ୍ଟା କରିବା । ତାଙ୍କ ପଛରେ ଗୋଡ଼ାଇ ବୁଢ଼ାବୟସରେ ଅଧାବାଟରେ କଚାଡ଼ି ହୋଇ ପଡ଼ି ଗୋଡ଼ହାତ ଭାଙ୍ଗି ବୋବାଳି ଛାଡ଼ିବା ଆବଶ୍ୟକ ନାହିଁ ।

 

ପଛରେ ଥାଇ ସେମାନଙ୍କର କରାମତିକୁ ଚାହିଁ ରହିବା ବେଶ୍ ନିରାପଦ । ପ୍ରତିବାଦ କରି ନାତୁଆ ବଳଦଙ୍କର ଲାଞ୍ଜରେ ହାତ ମାରିବା ଉଚିତ ନୁହେଁ । ସମର୍ଥନ କଲେ, ବାଟ ହୁଡ଼ି ଅଡ଼ୁଆରେ ପଡ଼ି ରଡ଼ି ଛାଡ଼ିଲା ବେଳେ ସେହି ଯୋଗ୍ୟବାଳକମାନେ ଦୋଷ ଟାଲିଦେବେ ବୁଢ଼ାଙ୍କ ମୁଣ୍ଡକୁ । କହିବେ, ତମେ ସମର୍ଥନ କରିଥିଲ । ତମେ ଉତ୍ସାହିତ କରିଥିଲ । ଏବେ ସମ୍ଭାଳ, ଏବେ ଉଦ୍ଧାର । ସୁଯୋଗ୍ୟ ପିତାର କର୍ତ୍ତବ୍ୟ ସାଧନ କର ।

 

ହେଲାରେ ବାପ ଦିବାକର ! ତମର ସ୍ଥିରିକୃତ ଶାଶୁଶଶୁରଙ୍କୁ ଆଜିଠାରୁ ଗୁରୁ ମାନିନେଲି । ଆହାରେ ଯୁଗଳମୂରତି ! ତମର କର୍ମ ଓ ଚିନ୍ତାରେ ଭେଦାଭେଦ ନାହିଁ । ରାଧାମାଧବ ଜୟତୁ । ଆଉ ତମର ମା’, ସୁଦକ୍ଷା ଗୃହିଣୀ ବୋଲି ମଣିଥିଲି । ସେ ଅପଦାର୍ଥ ବୋଲି ଏବେ ଜାଣିଲି । ଏବେବି ସେ ସୁଦକ୍ଷା ହୋଇପାରିବେ । କନ୍ୟାମାନଙ୍କର ଭବିଷ୍ୟତ୍ ସେମାନେ ନିଜେ ସ୍ଥିର କରିବାକୁ ତାଙ୍କୁ ସୁବିଧା ସୁଯୋଗ ସେ ଦେବେ । ଉପାୟଟା ସେ ଶିଖିନେବେ ତମର ଶାଶୁଙ୍କ ପାଖରୁ ।

 

ସମାଧାନ ହୋଇଗଲା । ଆମେ ଏଥର ନିରାଲମ୍ବ ନିଶ୍ଚିନ୍ତ ହୋଇପାରିବା । ହସିପାରିବା ।

 

ଦିନେଶ ଦୁଇଟି ଘଣ୍ଟା ଗୃହିଣୀଙ୍କୁ ଦୁନିଆର ହାଲ୍‍ଚାଲ୍ ବିଷୟରେ ବୁଝାଇଥିଲେ । ତାଙ୍କର କୌଣସି ପ୍ରତିବାଦ ସେ ଘେନା କଲେ ନାହିଁ ।

 

ଗୃହିଣୀଙ୍କର ଆଖିର ଲୁହକୁ ଉପେକ୍ଷା କରି ସେ କହିଲେ, ଶୁଣିଲି ଯୁଗର ବେଭାର ! ସେମାନଙ୍କର ପାଠପଢ଼ା ବନ୍ଦ କର । ସମସ୍ତେ ଗ୍ରାମକୁ ଯାଅ । ଖୁସିବାସିଆ ଘର ଦେଖି ପରଘରକୁ ତାଙ୍କୁ ଶୀଘ୍ର ବିଦା କରିବା ।

 

ମୋ ଝିଅମାନଙ୍କୁ ମୁଁ ଯେଉଁଠିପାରିବି ସେଠି ମାଡ଼ିଦେଇପାରିବି ନାହିଁ । ଅଧାପାଠୁଆ କରି ଛାଡ଼ିବି ନାହିଁ । ଗହଣା ଗାଣ୍ଠି ଯାହା ଅଛି ସବୁ ବିକିବି । ସେମାନଙ୍କୁ ପଢ଼ାଇବି ।

 

ମୁଁ ଖୁସିହେଲି । ଆଗରୁ ସତର୍କ କରିଦେଉଛି ତାଙ୍କ ପାଇଁ ସୁପାତ୍ର ଖୋଜିବାରେ ଦାୟିତ୍ୱ ତମର ହେବ । ଯୌତୁକ ଦେବାକୁ ମୋର ଧନ ନାହିଁ । କରଜ କରିବି ନାହିଁ । ପୈତୃକ ସମ୍ପତ୍ତିରୁ ହାତେ ବି ବିକିବି ନାହିଁ ।

 

ବାହାଘର କେମିତି ହେବ ତେବେ ?

 

ଯେମିତି ହେବାକୁ ଯାଉଛି ବିମ୍ବାଧରବାବୁଙ୍କ ଝିଅ ସୁରମ୍ୟାର ତମର ଆଶାଭରସା କୁଳଚନ୍ଦ୍ରମାର ଅଲିଅଳ ପୁଅ ଦିବାକର ସାଙ୍ଗରେ । ମୁଁ ଜାଣେ, ସେ ସବୁ ପାଠ ବହିରେ ଲେଖାହୋଇ ନାହିଁ । ବେଶ୍ କଷ୍ଟ । ଅଭ୍ୟାସ ଲୋଡ଼ା । ପୁଅଙ୍କ ଶାଶୁ ତମକୁ ଶିଖାଇପାରିବେ । ତାଙ୍କର ଗୁଣବତୀ କନ୍ୟା ବଢ଼ାଇଦେବେ ତାଙ୍କର ନଣନ୍ଦମାନଙ୍କୁ ।

 

ପରଦିନ ବିମ୍ବାଧରଙ୍କୁ ଦିନେଶବାବୁ ପତ୍ର ଲେଖି ଜଣାଇଦେଲେ ହଜାରେ ଟଙ୍କା ମୋର ଲୋଡ଼ା ନାହିଁ । ଦିଓଟି ଟ୍ୟାକ୍ସିରେ କାମ ଚଳିବ । ଭାବିଛି, ଚତୁର୍ଥୀ ଦିନ ବନ୍ଧୁମିଳନରେ କେବଳ ପାନ ଓ ସୁପାରିର ବ୍ୟବସ୍ଥା କରିବି । ଏହି ଦୁଇଟି ପଦାର୍ଥ ଶୁଭକର୍ମର ଉପକରଣ । ଶସ୍ତା ଓ ସୁବିଧା-

✽✽✽

 

ଗୋଟିଏ ଭୁଲ୍

 

ଛାତ୍ରଜୀବନରେ ପୁରୁଣାବନ୍ଧୁ ବିଶ୍ଵମ୍ୱର ଆସିଛନ୍ତି । ବହୁବର୍ଷ ପରେ ଦେଖା । ହରିଚରଣ ଦୋ-ଦୋ ଚିହ୍ନା ହେଲେ । ବିଶୁବାବୁ ନିଜର ପରିଚୟ ଦେଲେ । ହରିଚରଣ ଆବାକାବା ହୋଇ ମୁହୂର୍ତ୍ତେ ତାଙ୍କର ଦୁର୍ବଳ ମୁହଁକୁ ଚାହିଁଲେ । ଗୋଟିଏ ଉଦ୍ୟମ ଉତ୍ତେଜନାରେ ଉଠି ତାଙ୍କୁ ଆଲିଙ୍ଗନ କରି କହିଲେ, କେତେ ବଦଳିଯାଇଛୁରେ, ତୋର ବଳିଷ୍ଠ ଦେହ ହାଡ଼ୁଆ ହୋଇଛି । ମୁଣ୍ଡ ଚନ୍ଦା । ପାଟିରେ ତ ଗୋଟିଏ ବୋଲି ଦାନ୍ତ ନାହିଁ । ପରିଚୟ ଦେଇନଥିଲେ ଚିହ୍ନନ୍ତି କେମିତି ?

ଆଲିଙ୍ଗନଫାଶରୁ ଦୁଇବନ୍ଧୁ ହୁଗୁଳି ଅଲଗା ହେଲେ । ଟେବୁଲର ଦୁଇପାଖରେ ମୁହାଁମୁହିଁ ହୋଇ ଦୁହେଁ ବସିଲେ ।

ସଞ୍ଜ । ହରିବାବୁଙ୍କର ଉପର ମହଲାର କଣିକିଆ ଲେଖାପଢ଼ା କୋଠରୀରେ ବିଜୁଳି ଆଲୁଅ ଜଳୁଛି । ବିଜୁଳି ପଙ୍ଖା ଚାଲିଛି । ଆଲମାରିଗୁଡ଼ିକ କାନ୍ଥକୁ ଲାଗି ରଖାହୋଇଛି । ସେଗୁଡ଼ିକରେ ଓ କାନ୍ଥ ଆଲମାରିଗୁଡ଼ିକରେ କେତେ ଜାତିର ପୁସ୍ତକ । ଘରର ଚାରିକୋଣରେ ଚାରୋଟି ଟୁଳଉପରେ ରଖାହୋଇଛି ଚାରୋଟି ମାଟିର କୁଣ୍ଡ । ସେଥିରେ ରଜନୀଗନ୍ଧା ଗଛ । ବୁଦାଭିତରୁ ତିନିଫୁଟ ଉପରଯାଏଁ ମୁଣ୍ଡ ଟେକିଛନ୍ତି ପତରଘୋରା ଡେମ୍ଫ । ସେଇଠୁ ଛଅ ସାତ ଘୋରା ଧୋବ ଫରଫର ସୁନ୍ଦର ଛ’ ପାଖୁଡ଼ିଆ ଫୁଲଗୁଡ଼ିଏ ।

ବିଶୁବାବୁ ଚାରିଆଡ଼କୁ ଚାହିଁଲେ । ମନେହେଲା, ସେ ଆନନ୍ଦିତ ହେଲେ । ପାକୁଆ ପାଟିରେ ମୁରୁକିହସା ଦେଇ କହିଲେ, ତୋର ଚେହେରା ବି ବେଶ୍ ବଦଳିଯାଇଛି ଯେ ! ତୁ ଦୁର୍ବଳ ହୋଇଛୁ । ମୁଣ୍ଡର କେଶ ପାଚି । ଝୋଟ ହେଲାଣି । ତେବେ ତୋର ସେହି ଲମ୍ବ ଗୋଜ ମୁନିଆଁ ନାକ, ଆଉ ତୋର ଦାନ୍ତ ଦି’ ଧାଡ଼ି ସେମିତି ଚିକ୍‍ଚିକ୍ ଧୋବ ଦିଶୁଛି । ସେତକ ଦେଖିଲେ ବେଶ୍ ଚିହ୍ନିହେଉଛି ।

ହରିବାବୁ କହିଲେ, ଅଛି ସିନା ସେ ଦାନ୍ତ ଦି’ ଧାଡ଼ି, ବଡ଼ କଷ୍ଟ ମତେ ହେଲାଣି । ରାତି ପାହିଲା ବେଳକୁ ଯଦି ଦେଖନ୍ତି ଯେ ସେଗୁଡ଼ିକ ଝଡିପଡ଼ିଛନ୍ତି, ଓଃ କେତେ ଖୁସି ମୁଁ ହୁଅନ୍ତିରେ ବିଶୁ-! ଛାଡ଼ ସେ କଥା । ଛାତ୍ର ଜୀବନ ସରିଲା ପରେ ଆମେ ସମସ୍ତେ ଛଡ଼ାଛଡ଼ି ହେଲେ-। ପେଟପାଟଣା ପାଇଁ କିଏ କେଉଁ ବୃତ୍ତି ଧରିଲା । କାଁଭାଁ କେବେ କେଉଁଠି ଅକସ୍ମାତ୍ କାହା ସାଙ୍ଗରେ ଦେଖା । ଗୋଟିଏ ନମସ୍କାର, ଟିକିଏ ହସାହସି, ଦି ଚାରିପଦ ଏଣୁତେଣୁ କଥାଭାଷା । ସେଇଠୁ ଧର ନିଜ ନିଜର ରାସ୍ତା । ବହୁବର୍ଷ ପରେ ତୋ ସଙ୍ଗରେ ଦେଖାରେ ବିଶୁ, ଭାରି ଖୁସି ହେଲି ।

ବିଶ୍ଵମ୍ୱର ମୁଣ୍ଡ ହଲାଇଲେ । ମୁହଁରେ ସେମିତି ହସ ଲାଖି ରହିଛି । ସେ କହିଲେ, କଳିଷଠା ଷାଠିଏ ଆମକୁ ଡେଇଁଗଲାଣି । କେବଳ ତୁ ନୁହଁ କି ମୁଁ ନୁହେଁ, ଆମେ ସମସ୍ତ ସଂସାରର ବୋଝ ବୋହି ଆଗେଇଆସିଛୁ । ବୋଝ ବଢ଼ାଇଛୁ, ତା’ ସଙ୍ଗେ ଦାୟିତ୍ୱ । ଘାଣ୍ଟି ଚକଟି ହୋଇଛୁଁ । ତାରି ଭିତରେ ଆନନ୍ଦ, ଦୁଃଖ, ନୂଆ ନୂଆ ଆଶା, ଉଦ୍ୟମ, ସଫଳତା, ବିଫଳତା । ଅନ୍ୟମାନଙ୍କର ଉନ୍ନତି ଦେଖି, ଅବା ଖବର ପାଇ ମନରେ ଟିକିଏ ପ୍ରଚ୍ଛନ୍ନ ଈର୍ଷା, କିନ୍ତୁ ବାହା-ବାହାର ଆନନ୍ଦ । ଅନ୍ୟମାନଙ୍କର ଦୁର୍ଦ୍ଦଶାର ମନରେ ଛପିଲା ସନ୍ତୋଷ, କିନ୍ତୁ ଉପରେ ଆହା-ଆହାର ସମବେଦନା । ନା, କ’ଣ କହୁଛୁ ହରି ?

ହରିଚରଣ କାବାହୋଇ ବିଶ୍ଵମ୍ୱରଙ୍କ ମୁହଁକୁ ଚାହିଁଲେ । ସହସା ମନରେ ଭାବନା ଖେଳିଲା, ବିଶ୍ଵମ୍ୱର ଯାହା କହିଲେ କେତେକ କ୍ଷେତ୍ରରେ କେତେ ବ୍ୟକ୍ତିଙ୍କ ପାଖରେ ଏହା ସତ୍ୟ ହୋଇପାରେ, କିନ୍ତୁ ସମସ୍ତେ ଯେ ଉଦାରତା ବିହୀନ ପଶୁ ଏପରି ଧାରଣା ହୁଏତ ଠିକ୍ ନୁହେଁ । କର୍ମମୟ ଜୀବନରେ ସେ କେଉଁଠି କି ପ୍ରକାର ପରାଭବ ପାଇଛନ୍ତି, ନିଜ ଦୋଷରୁ ହେଉ, ଅବା ଅନ୍ୟ କେଉଁମାନଙ୍କର ଚକ୍ରାନ୍ତ ପାଇଁ ହେଉ, ଯେଉଁଥିପାଇଁ ମନରେ ଏପରି ଅନୁଦାର ଧାରଣା ଆଣିଛନ୍ତି ।

ବିଶ୍ଵମ୍ୱରଙ୍କର ଆଖି କହିଦେଉଛି ଯେ ସେ ଆଲୋଚନା କରିବାକୁ ଚାହାନ୍ତି । ଛାତ୍ର ଜୀବନରେ ସେ ଆଲୋଚନାପ୍ରିୟ ଥିଲେ । ତର୍କ କରି ନିଜର ମତକୁ ଅନ୍ୟମାନଙ୍କ ମୁଣ୍ଡରେ ଲଦିଦେବାକୁ ଚେଷ୍ଟା କରୁଥିଲେ । ତାଙ୍କର ପ୍ରକୃତି ବଦଳି ନାହିଁ ।

ସେ ଭଲ ଛାତ୍ର ଥିଲେ; କିନ୍ତୁ ଚାକିରି ଜୀବନରେ ବିଶେଷ କିଛି ଆଗେଇପାରିଲେ ନାହିଁ-। ଏହାର ଅନ୍ତରାଳରେ ହୁଏତ କେତେ ଦୁଃଖପ୍ରଦ ସନ୍ତସନ୍ତିଆ ଅଭିଜ୍ଞତା ଛପି ରହିଥିବ ।

କ’ଣ ଏମିତି ଚାହିଁରହିଛୁ ହରି, ବିଶ୍ଵମ୍ୱର ପଚାରିଲେ, ମୋ ଧାରଣାରେ ତୁ ଏକମତ ନୋହୁଁ ?

ହରିଚରଣ କହିଲେ, ବ୍ୟକ୍ତିର ପ୍ରକୃତି ଓ ଅଭିଜ୍ଞତା ନେଇ ତା’ର ଧାରଣା । ଜଣାକଥା ଯେ ମଣିଷ ଗୋଟିକେ ପ୍ରକୃତି ଗୋଟିଏ ଏ ଦୁନିଆରେ ଭଲମନ୍ଦ ସବୁ ପରିପୂର୍ଣ୍ଣ ରହିଛି । ଚିରଦିନ ଥିଲା । ଚିରଦିନ ରହିବ । ଅସରନ୍ତି ତା’ର କ୍ଷୟକ୍ଷତି ନାହିଁ । ଆଖିକୁ ଦିଶୁଥିବା ବାହାର ଦୁନିଆର କଥା କେବଳ ମୁଁ କହୁନାହିଁ । ଆଖିକୁ ଦିଶୁନଥିବା ପ୍ରତି ମଣିଷର ଭିତର ଦୁନିଆ କଥା ମଧ୍ୟ ମୁଁ କହୁଛି । ମଣିଷ ଭିତରର ଅଦେଖା ଦୁନିଆ ବି ମହାସମୁଦ୍ର ପରି ଅନନ୍ତ । ଦୁଇଟିଯାକ ଦୁନିଆ ଉଦାରତାର ସହିତ ସବୁ ଆମକୁ ଯାଚୁଛନ୍ତି । ଆହରଣ କରି ଭୋଗ କରିବା ମଣିଷର ଉଦ୍ୟମ ଓ ସାହସ ଉପରେ ନ୍ୟସ୍ତ । ମଣିଷର ଆଶା ଓ ତା’ର ସଫଳତା-ବିଫଳତା ମଣିଷର ପ୍ରକୃତିକୁ ବାରମ୍ବାର ଆଘାତ କରେ । ସେହି ତ ଅଭିଜ୍ଞତାର ଅଲିଭା ଛାପା ବ୍ୟକ୍ତିତ୍ୱ ଉପରେ ଆଙ୍କିଦିଏ । ମନରେ ଧାରଣା ଜନ୍ମାଏ । ଧାରଣା ବି ବଦଳେ । ତା’ ସଙ୍ଗେସଙ୍ଗେ ପ୍ରକୃତି । ସେଇଠୁ ବ୍ୟକ୍ତିତ୍ୱ ।

ବିଶ୍ଵମ୍ୱର କହିଉଠିଲେ, ରହ ରହ, ଆଉ କହନା, ତୋ ଜୀବନର ସଫଳତା ତୋତେ ଦାର୍ଶନିକ କରିଦେଇଛି । ତୋର ଦର୍ଶନ-ବଚନ ବିଶେଷ ଅବୋଧ୍ୟ ନହେଲେ ବି ମୋଟେ ଗ୍ରହଣୀୟ ନୁହେଁ । ମୁଁ ଏବେ ଠିକ୍ ବୁଝିପାରିଛି, ତୋର ବାହାର ରୂପ ବେଶୀ ବଦଳି ନାହିଁ; କିନ୍ତୁ ଭିତରର ରୂପ ଏ କଥାରେ ବଦଳିଯାଇଛି ।

ହରିଚରଣ ହସିଉଠିଲେ । କହିଲେ, ଏ ବିଷୟରେ ଆଉ ଆଲୋଚନା ନ କରିବା ଭଲ । ଏମିତି ଆଲୋଚନାରେ ଜୀବନର ବହୁ ସମୟ ବ୍ୟୟିତ ହୋଇଛି । ନିସ୍ଫଳ ଯୁକ୍ତି । କେତେ ଉତ୍ତେଜନା, ରଗାରଗି, ମନ ଫଟାଫଟି ବେଳେବେଳେ ମୁଣ୍ଡ ଫଟାଫଟିର କାରଣ ହୋଇଛି । ଅନୁତାପର ବି ବହୁବର୍ଷ ପରେ ଦେଖା । ଆନନ୍ଦ ଓ ଫୁର୍ତ୍ତିରେ ଘଡ଼ିଏ କଟୁ । ଏବେ ତୋର ଗୃହିଣୀ ଓ ପିଲାଛୁଆଙ୍କର ଖବର କହ । ସବୁ ଦାୟିତ୍ୱ ଶେଷ କରିଛୁ ତ ? ବେଳ ଯେ ରତରତ ।

ବିଶ୍ଵମ୍ୱର ସଳଖି ବସିଲେ । କହିଲେ, ପୁଣି ଗୋଟାଏ ତର୍କର ବିଷୟ ତୁ ଉଠାଇଲୁଣି । ସମସ୍ତଙ୍କର ସବୁବେଳେ ବେଳ ରତରତ । ଏ ସଂସାର ଯେ ମହାକାନ୍ତର ! କେତେବେଳେ କେଉଁଠି କେଉଁ ବଣବୁଦା ଭିତରୁ ମହାବଳ ଝାମ୍ପମାରିବ କିଏ ଜାଣେ ? ସେଥିକି ମୋର ଡର ନାହିଁ । ତୋର ଡରିବା ଉଚିତ ନୁହଁ । ଆଉ ଦାୟିତ୍ୱ କଥା ଯାହା କହିଲୁ, ବହୁବର୍ଷ ହେଲା ମୁଁ ସେଥିରୁ ନିଷ୍କୃତ ଲଭିଛି-। ଜାଣ, ମୁଁ ସନ୍ୟାସ ବ୍ରତ ଗ୍ରହଣ କରିଛି ।

ହରିଚରଣ ଅନିଶ୍ଚିତ କେଉଁ ଆଶଙ୍କାରେ କ୍ଷଣେ ମ୍ରିୟମାଣ ହେଲେ । ବହୁବର୍ଷ ହେଲା କେହି କାହାର ଖବର ରଖିନାହାନ୍ତି । ଆବଶ୍ୟକ ମାନିନାହାନ୍ତି । ଜୀବନର ଆବଡ଼ାଖାବଡ଼ା ବାଟରେ ଯେତେ ବନ୍ଧୁ, ଯେତେ ଶତ୍ରୁ ଓ ଅସଂପୃକ୍ତଙ୍କ ଦେଖାସାକ୍ଷାତ ହୋଇଥିଲା, ପାଖାପାଖି ଖଣ୍ଡେଦୂର ଛଳନାରେ ପାନ ସିଗାରେଟ ଅବା ଚାହାଣିର ଆଦାନପ୍ରଦାନ ହୋଇଥିଲା, ସେମାନେ ନିଜର ରାହାଧରି ବିଭିନ୍ନ ଦିଗକୁ ଆଗେଇ ଯାଇଥିଲେ । କି ବିପଦ ପଡ଼ିଲା ୟାଙ୍କର ଉପରେ ଯେ–

ବିଶ୍ଵମ୍ୱର ହରିଚରଣଙ୍କର ମନର ମନ୍ଥନର କାରଣ ଅନୁମାନ କଲେ । ଅଳପ ହସି କହିଲେ, ତୋ ପାଟି ଆଁ ହୋଇଗଲା ଯେ ? ଆରେ, ମୋର ସବୁ ଦାୟିତ୍ୱ ମୁଁ ମୋର ଗୃହିଣୀ ମହିମାଦେବୀଙ୍କ ମୁଣ୍ଡକୁ ଟେକି ଦେଇଥିଲି ।

ହରିଚରଣ କହିଲେ, ରକ୍ଷାକର ଭାଇ । ତୁ ମନଖୁସିରେ ଟେକି ଦେଇଥିଲୁ କାରଣ ତୋର ଗୃହିଣୀ ଅତି ସୁଦକ୍ଷ ହୋଇଥିବେ, କିନ୍ତୁ ମୋର ଗୃହିଣୀ ଜୟଶ୍ରୀ ଦେବୀ ସବୁ ଦାୟିତ୍ୱ ମୋ ହାତରୁ ଓଟାରି ନେବାକୁ ବହୁବର୍ଷ ହେଲା ପ୍ରାଣପଣେ ଚେଷ୍ଟା କରି ବିଫଳ ହୋଇଛନ୍ତି । ସେ ଅତି ପୁରୁଣାକାଳିଆ, ପଛ ବୁଦ୍ଧିଆ, ଘର କଣରେ ଲୁଚିଲା ନିର୍ବୁଦ୍ଧିଆ ବିର୍ବୋଧ ଜୀବଟିଏ ।

ଛାଡ଼ ସେ କଥାରେ ହରି ! ଟୋକା ବୟସରେ ନିଜ ଗୃହିଣୀଙ୍କର ପ୍ରଶଂସା ଓ ଗୃହିଣୀଙ୍କର ନିନ୍ଦା ଗାଇବାକୁ ଯେପରି ଖୁସିଲାଗେ, ବୁଢ଼ା ବୟସରେ ନିଜ ଗୃହିଣୀଙ୍କର ନିନ୍ଦା, ଆଉ ପର ଗୃହିଣୀଙ୍କର ପ୍ରଶଂସା କରିବାକୁ ସେହିପରି ଭଲ ଲାଗେ । ନିପଟ ହିପୋକ୍ରିସି ମୋର ଅନୁରୋଧ ଯେ ମୋର ଏ ଧାରଣାରେ ତୁ ଅନ୍ତତଃ ମୋ ଆଗରେ ଥରେ ଏକମତ ହୁଅ । ବ୍ୟତିକ୍ରମ ଅଛନ୍ତି, ଅନେକ ଅଛନ୍ତି, ସେଗୁଡ଼ାକ ବ୍ୟତିକ୍ରମ ତ ।

ଆଚ୍ଛା, ମୁଁ ଏକମତ ହେଲି ।

ବେଶ୍ କଲୁ । ମୁଁ ମୋ ଗୃହିଣୀଙ୍କୁ ଅତ୍ୟଧିକ ସ୍ନେହ କରୁଥିଲି । ସେ ବୁଦ୍ଧିମତୀ, ବିଚକ୍ଷଣରେ, ଗୃହ କର୍ମରେ ନିପୁଣା ଓ ହିସାବୀ । ସେ ସାତୋଟି ଝିଅ ଓ ଚାରୋଟି ପୁଅଙ୍କର ଜନନୀ ହେଲେ । ମୋର ସ୍ନେହର ଗତି ମୁଁ ବଦଳାଇଲି, ଅର୍ଥାତ୍ ଭଗବତ୍ ଗୀତା, ଭାଗବତ, ପୁରାଣ, କାବ୍ୟ–କବିତା ପଠନରେ ମନଦେଲି । ମଜିଗଲି ତ । ଯାହାତ ରୋଜଗାର, ପିଲାଗୁଡ଼ାଙ୍କୁ ଖଡ଼ିପାଣି ପେଇ, ପାଠପଢ଼ାଇ ମଣିଷ କରିବା କାଠିକର ପାଠ ହେଲା । ତେଣୁ, ମୋର ରୋଜଗାର ସହିତ ପିଲାଙ୍କର ଦାୟିତ୍ୱ ଓ ମୋର ଦାୟିତ୍ୱ ମଧ୍ୟ ଲଦିଦେଲି ସ୍ନେହମୟୀଙ୍କ ଉପରେ । ସମ୍ଭାଳନ୍ତୁ ସେ ତାଙ୍କର ସଂସାର !

ଆଲୋଚନାଟି ଜମି ଆସୁଥିଲା, ଠିକ୍ ଏହି ସମୟରେ କୋଠରୀ ଭିତରକୁ ପଶିଆସିଲେ ଜୟଶ୍ରୀ । ସେ ଗୌରୀ, ସ୍ୱାସ୍ଥ୍ୟବତୀ, ଗୋଲିଆ ମୁହିଁ, ଝୋଟ ମୁଣ୍ଡୀ । ସେ ସୁଶ୍ରୀ । ସ୍ଵର୍ଣ୍ଣ ଅଳଙ୍କାର ମଣ୍ଡିତା । ଦାନ୍ତ ଡିପାର୍ଟ ତାଙ୍କର ସେମିତି ଅଛି । ବେଶ୍ ଝଟକୁଛି । ନକଲି ହୋଇପାରେ; କିନ୍ତୁ ସେ ହସହସ ହେଉଛନ୍ତି ।

ସେ ଗୋଟିଏ ଦାମିକା ମେଘାମ୍ବରୀ ଶାଢ଼ି ପିନ୍ଧିଥିଲେ । ମୁହଁରେ ପାଉଡ଼ର ବୋଳିଥିଲେ-। ମହକୁଥିଲେ ।

ଘରଭିତରକୁ ପଶିଆସୁଣୁ ସେ ବିଶ୍ଵମ୍ୱରକୁ ନମସ୍କାର କଲେ । ହରିଚରଣଙ୍କୁ କହିଲେ, ମୁଁ ବାହାରକୁ ଯାଉଛି । ବୋହୂ ମୋ ସଙ୍ଗରେ ଯିବେ । ସାନ ନାତି ଶୋଇଛି । ଗୁନୁ ଓ ମୁନୁ ମାଷ୍ଟରଙ୍କ ପାଖରେ ପଢ଼ୁଛନ୍ତି । ସାନ-ମଝିଆଁ ଟୁନୁ ଯେମିତି ଚଗଲା, ମୁଁ ନଥିଲେ ସାନଟାକୁ ଘୋଷାଡ଼ି ଉଠାଇବ । ତାକୁ ମୁଁ ସାଙ୍ଗରେ ନେଇଯାଉଛି । ମୋ ଫେରିବା ଯାଏଁ ତମେ ଘରେ ଥିବ । ପିଲାଙ୍କ ଉପରେ ନଜର ରଖିଥିବ । ଘରଛାଡ଼ି କୁଆଡ଼େ ଯିବ ନାହିଁ, ବୁଝିଲ ?

ହରିବାବୁ କହିଲେ, ବୁଝିଲି । ଏ ହେଉଛନ୍ତି ମୋ ଛାତ୍ର ଜୀବନର ବନ୍ଧୁ ବିଶ୍ଵମ୍ୱର । ବହୁବର୍ଷ ପରେ ଆଜି ତାଙ୍କ ସହିତ ଭେଟ । ତମକୁ ଚିହ୍ନାଇଦିଏଁ ।

ବିଶ୍ଵମ୍ୱରଙ୍କ ଆଡ଼କୁ ମୁହଁ ବୁଲାଇ ଜୟଶ୍ରୀ ଆଉ ଥରେ ନମସ୍କାର କଲେ । ମୃଦୁହସି କହିଲେ, ତାଙ୍କୁ ମୁଁ ଆଗରୁ କେବେ ଦେଖିନଥିଲି । ପରଦା ଉହାଡ଼ରେ ଥାଇ ତମ ଦୁହିଁଙ୍କର ଆଲୋଚନା ଶୁଣି ମୁଁ ତାଙ୍କୁ ଚିହ୍ନିଲି । ବେଶ୍ ଭଲକରି ଚିହ୍ନିଲି ।

ଲୁଚି ଲୁଚି ଆମର ଆଲୋଚନା ଶୁଣି ତମେ ଅନ୍ୟାୟ କରିଛ ଶ୍ରୀ !

ହୁଏତ ଅନ୍ୟାୟ କରିଛି । ସେମିତି ଶୁଣିବା ଆମର ପ୍ରକୃତି । ତୁମର ବ୍ୟସ୍ତହେବାର କାରଣ ନାହିଁ । ଆମେ କୁଲାରେ ପାଛୁଡ଼ି ଚାଉଳ ରଖୁ, ତସୁ ଉଡ଼ାଇଦେଉ । ମୁଁ ଏବେ ବୁଝିଲି, ତମର ଏ ବନ୍ଧୁଟି ମୋର ଜଣେ ମାଉସୀ ଝିଅ ଭଉଣୀ, ତା’ ନାଁ ମହିମା, ତାଙ୍କରି ମୁଣ୍ଡରେ ଏଗାରଟି ସନ୍ତାନର ବୋଝ ଓ ଶେଷକୁ ନିଜର ବୋଝ ଲଦି ଏବେ ସଂସାର-ବିରାଗୀ ସନ୍ୟାସୀ ହୋଇ ଦର୍ଶନ ଚର୍ଚ୍ଚା କରୁଛନ୍ତି ।

ବିଶ୍ଵମ୍ବର ହତବୁଦ୍ଧି ହୋଇ ଚଉକିରୁ ଉଠିଲେ । ଦୁଇହାତ ଯୋଡ଼ି ମୁଣ୍ଡରେ ଲଗାଇ ନମସ୍କାର କଲେ । କହିଲେ, ମୁଁ ମହିମା ଦେବୀଙ୍କର ନିନ୍ଦା କରିନାହିଁ, ବରଂ ହରିଚରଣବାବୁ–ଶୁଣିଛି, ମୁଁ ସବୁ ଶୁଣିଛି । ସେ ଯାହା କହିଲେ ସେତକ ତାଙ୍କ ସାହିତ୍ୟିକ-ଜୀବନର ବେଉଷା । କାହା ଆଗରେ ମୋର ପ୍ରଶଂସା ଗାଆନ୍ତି ଯେ କାନରେ ପଡ଼ିଲେ ମୁଁ ଲାଜରେ ସଢ଼ିଯାଏଁ-। ଯଦି ନିନ୍ଦା ଗାଇବାର ପ୍ରେରଣା ଆସିଥିବ ତ ଅନ୍ତରାଳରେ ଥାଇ ମୁଁ ହସିହସି ନୟାନ୍ତ ହୁଏ-। ସେ କୁଟା ଖଣ୍ଡିତ ଦୁଇଖଣ୍ଡ କରନ୍ତି ନାହିଁ । ସବୁ ରୋଜଗାର ମୋ ଉପରକୁ ଫୋପାଡ଼ି ସେ ନିଶ୍ଚିନ୍ତ ରହନ୍ତି ।

ଆରେ ହରି, ତୁ ଗୋଟିଏ ହିପୋକ୍ରିଟ, ମାନେ ବହୁରୂପୀ । ଜୟଶ୍ରୀ ଦେବୀଙ୍କ ପରି ବିଦୁଷୀ ନାରୀଙ୍କୁ ପତ୍ନୀ ରୂପେ ପାଇ, ମୁଁ ତ କହିବି, ତୁ ନିଶ୍ଚୟ ଅତି ଭାଗ୍ୟବାନ ।

ସେଥିରେ ମୁଁ ଏକମତ । ସେ ମତେ ସ୍ନେହ କରି ମୋପାଖରୁ ଚାରୋଟି ସନ୍ତାନ ଆଦାୟ କରିନେଇଛନ୍ତି । କନ୍ୟାଘରେ ଶନ ହେଲାବୋଲି ମୋ ଉପରେ ତାଙ୍କର ଅଭିମାନ । ନାତୁଣୀଟିଏ ପାଇଁ ତାଙ୍କର ଯେଉଁ ବ୍ୟାକୁଳତା ! ବଡ଼ପୁଅର ଚାରୋଟି ସନ୍ତାନ ହେଲେଣି, କିନ୍ତୁ–

ଜୟଶ୍ରୀ କହିଲେ, ସେଇ କାଠଫଳରୁ ଗୁଡ଼ାଏ । ଆଶା କରିଥିଲି ଏଇ ସାନଟି ଝିଅ ହେବ । ଠାକୁରେ ତାକୁ ଆଇଷ ଦିଅନ୍ତୁ, ସେ ବି ହେଲା ପୁଅ । ମୋର ମହିମା ଅପା ଯେ ସୁଖୀ । ତାଙ୍କର ସାତୋଟି ଝିଅ, ଚାରୋଟି ପୁଅ, ନାତିନାତୁଣୀ–

ବିଶ୍ଵମ୍ୱର ବିଚଳିତ ହେଲେ । ପାକୁଆ ପାଟି ଥରାଇ କହିଲେ, ସେ ତମର ଅପା, ଅର୍ଥାତ ତମେ ମୋର-ହିଁ, ହିଁ–

ଜୟଶ୍ରୀ କହିଲେ, ବୋଉ ଦିନେ କହୁଥିଲା ଯେ ମହିମା ଅପା ମୋଠାରୁ ଦୁଇମାସ ବଡ଼-। ବାପାଙ୍କୁ ସେ ସାନ୍ତ୍ୱନା ଦେଉଥିଲେ ଯେ ଆଗ ମହିମା ଅପାର ବାହାଘର ହେବା ଉଚିତ ମୋର ନୁହେଁ ।

ହରିଚରଣ କହିଲେ, ତୋର ନମସ୍କାରଟା ତ ଆଉ ଫେରିବ ନାହିଁରେ ବିଶୁ, କେଡ଼େ ଭୁଲ୍ ତୁ କରିପକାଇଲୁ ସତେ !

ସେଥିକି ମୋର ଲାଜ ନାହିଁ, ବିଶ୍ଵମ୍ୱର କହିଲେ, ଗୃହିଣୀଙ୍କର ଉପ୍ରୋଧରେ ତାଙ୍କ ସାନ ଭଉଣୀଙ୍କର ସେତେକ ପ୍ରାପ୍ୟ । କିନ୍ତୁ ଜୟଶ୍ରୀ ଦେବୀ, ଆପଣଙ୍କର ବୋଉ ଆପଣଙ୍କର ପିତାଙ୍କ ସାନ୍ତ୍ୱନା ଦେବାରେ ବିଶେଷ କିଛି କାରଣ ଥିଲା କି ?

ଜୟଶ୍ରୀ କହିଲେ, ଯେଉଁ ସମ୍ବନ୍ଧଟି ଜଣାପଡ଼ିଲାଣି ମତେ ଆପଣ ନ ଡାକି ତମେ ଡାକିଲେ ବେଶ୍ ଚଳିବ । ତମ ପ୍ରଶ୍ନର ଉତ୍ତର ମୋ ମୁହଁରୁ ତମେ ଓ ତମର ବନ୍ଧୁ ଶୁଣିଲେ ଭଲହେବ । ତମ ସଙ୍ଗେ ତ ମୋର ରାଜଯୋଟକ ପଡ଼ିଥିଲା, ତମ ବାପା ଓ ମୋ ବାପା ରାଜି ହୋଇଥିଲେ, କିନ୍ତୁ ତମେ କାହିଁକି ମୁହଁ ନେଫେଡ଼ିଦେଲ ?

ବିଶ୍ଵମ୍ୱର ଜୟଶ୍ରୀଙ୍କର ହସହସ ମୁହଁକୁ ଚାହିଁଲେ । ଦୃଷ୍ଟି ଫେରାଇଲେ ହରିଚରଣଙ୍କର କୁତୂହଳୀ ଆଖିକୁ ! ମୁହଁଟେକି କହିଲେ, ତମକୁ ଦେଖିବାର ଦୁର୍ଯ୍ୟୋଗ ଯଦି ଘଟିନଥାନ୍ତା ଶ୍ରୀ ଦେବୀ, ଘଟଣାଟି ଅନ୍ୟରୂପ ଧରିଥାଆନ୍ତା ।

ମତେ ଦେଖିଥିଲ ?

ହଁ ଲୁଚି ଲୁଚିକା । କେହି ଜାଣନ୍ତି ନାହିଁ । ଝରକା ବାହାରେ, ରାସ୍ତାଉପରେ ଠିଆହୋଇ ଚୋର ପରି ଦେଖିଥିଲି । ଛାତି ଦାଉଁ ଦାଉଁ । ଅନ୍ଧାର ରାତି, ଘୋର ଅନ୍ଧାର । ଆମ ଅମଳରେ ରାସ୍ତାରେ ବିଜୁଳି ଆଲୁଅ ନଥିଲା ତ ! ଦେଖିସାରି ଛି ଛି କରି ଏକାଡିଆଁ ମାରିଛୁ । କିନ୍ତୁ ଭାବୁଛି, ମୁଁ ଆଉ କାହାକୁ ଦେଖିଥିଲି, ତମକୁ ନୁହେଁ । ଭାରି ଭୁଲ୍ ହୋଇଗଲା । ଏତେବର୍ଷ ପରେ ମୋର ଭୁଲ୍ ମୁଁ ଏବେ ବୁଝୁଛି ।

ହରିଚରଣ କହିଲେ, ମୁଁ ବି ଏକମତ ଯେ ତୋର ଭାରି ଭୁଲ୍ ହୋଇଯାଇଥିଲା । ଦେଖିବାର ଦୁଃସାହସ ଯଦି କରିନଥାନ୍ତୁରେ ଭାଗ୍ୟବାନ ବିଶୁ, ଏଗାରଟି ସନ୍ତାନଙ୍କର ପିତା ହୋଇ ଜୀବନରେ ବିଜୟକେତନ ଉଡ଼ାଇ ପାରିନଥାନ୍ତୁ !

ବିଶ୍ଵମ୍ୱର କହିଲେ, ପୁଣି ଗୋଟିଏ ବିତର୍କର ନିମନ୍ତ୍ରଣ ତୁ ଦେଲୁଣି । ମୁଁ ନର୍ଭସ୍ ହେଲିଣି-। ଆଉ ତର୍କ କରିପାରିବି ନାହିଁ । ତେବେ ଏତିକି କହି ରହୁଛି, ମୋର କର-କପାଳ-କୋଷ୍ଠୀ ଦେଖାଇ ମୋ ବୋଉ ଆଗରୁ ଜାଣିସାରିଥିଲେ ଯେ ତାଙ୍କର ସାତୋଟି ନାତି, ଆଉ ଚାରୋଟି ନାତୁଣୀ ହେବେ । ହେଲା ସେଇଆ ଯେ, କେବଳ ପୁଅ ସ୍ଥାନରେ ଝିଅ ଓ ଝିଅ ସ୍ଥାନରେ ପୁଅ ହୋଇଗଲା । ତେଣୁ ମହିମା ମୋ ବୋଉଙ୍କର ବୋହୂ ହୋଇ ନ ଆସି ଆଉ ଯେ କେହି ଆସିଥିଲେ କ’ଣ ମୋର କାରକପାଳ କୋଷ୍ଠୀ ବଦଳାଇପାରିଥାନ୍ତେ ?

ଜୟଶ୍ରୀ କହିଲେ, ଯାହାକୁ ତୁମେ ରାସ୍ତାଉପରୁ ଝରକାବାଟେ ଦେଖିଥିଲ ତାକୁ ହିଁ ତମେ ବାହାହେଲ ମ ! ମାଟ୍ରିକ୍ ପରୀକ୍ଷା ଦେବାକୁ ମହିମା ଅପା ଆସି ଦିନକେତେ ଆମ ବସାରେ ଥିଲା । ଆମେ ଦୁହେଁ ଏକାଠି ପଢ଼ୁଥିଲୁ ଓ ପରୀକ୍ଷା ଦେଉଥିଲୁ ! ବିଚାରୀ ଫେଲ ହୋଇଗଲା ସିନା, ବାହାଘର ପରେ ମହିମା ଅପାର ରୂପ ଗୁଣ, ବିଦ୍ୟା ବୁଦ୍ଧିର ପ୍ରଶଂସାର ଯେଉଁ ଖବର ଆସି ଆମ କାନରେ ବାଜିଲା, ସତ କହୁଛି, ମୁଁ ମନେମନେ ତାକୁ ଈର୍ଷା କଲି ।

ବିଶ୍ଵମ୍ୱରବାବୁଙ୍କ ପାଟି ଆଁ ହୋଇଗଲା ।

 

ସେ ଆଜି ସାତ ସପନ

 

ରୋଗରେ ପଡ଼ି ଦିନକେତେ ନିଜେ ଘାଣ୍ଟିହୋଇ ଓ ଆତ୍ମୀୟସ୍ଵଜନଙ୍କୁ ଘଣ୍ଟାଇ କିଏ ସଂସାର ଛାଡ଼ି ଚାଲିଯାଉଛି । ବସୁ ବସୁ, କାଶୁ କାଶୁ କିଏ ଟଳିପଡ଼ୁଛି । କିଏ ସୁଖ-ନିଦ୍ରାରେ ଭବିଷ୍ୟତର ଶୁଭ ସ୍ଵପ୍ନ ଦେଖୁଣୁ ଆତତାୟୀର ହାତରେ ଜୀବନ ଦେଉଛି । ବିବିଧ ଦୁର୍ଘଟଣାର ସମ୍ମୁଖୀନ ହୋଇ କେଉଁମାନେ ଅଚାନକ ସେପୁରକୁ ଚାଲିଯାଉଛନ୍ତି ।

 

ସେମାନେ ସମସ୍ତେ ଆହୁରି ଅଧିକ କାଳ ବଞ୍ଚି ରହିବାକୁ ଆଗ୍ରହୀ ଥିଲେ । କାହାର କେତେ ବୟସ ହୋଇଥିଲା ସେ ଧାରଣା ମନକୁ ଆସୁନଥିଲା । ସାମାନ୍ୟ କେତେଦିନର ଶିଶୁଠାରୁ ଆରମ୍ଭ କରି ବୟସରେ ଶହେଟି ବର୍ଷ ଅତିକ୍ରମ କରିଥିବା ଅତି ବୃଦ୍ଧଙ୍କ ଯାଏଁ କେତେ ଏହିରୂପେ ମୃତ୍ୟୁପଥର ଯାତ୍ରୀ ହୋଇଛନ୍ତି । ଏହି ମୁହୂର୍ତ୍ତରେ ହେଉଛନ୍ତି । କାଲିକୁ ସେମାନେ ହେବେ ଅତୀତ ପୁରୁଷ ।

 

କାହିଁକି କିଏ କେତେଦିନ, ମାସ ଓ ବର୍ଷ ପାଇଁ ସଂସାରକୁ ଆସି ସଂସାର ଛାଡ଼ିଲା, ସେଥିପାଇଁ କେଉଁ ଅଦୃଶ୍ୟ-ଶକ୍ତିର ନିର୍ଦ୍ଦେଶ ଥିଲା, ଅବା ଅପୂର୍ଣ୍ଣ ମାନବର ଅପାରତା ଓ ଅସାବଧାନତା ଦାୟୀ ହୋଇଥିଲା, ସେହି ବିଷୟରେ ମହା ମହା ଦାର୍ଶନିକମାନେ ଓ ବୈଜ୍ଞାନିକମାନେ ସହସ୍ର ସହସ୍ର ବର୍ଷ ବ୍ୟାପି ଅନୁଧ୍ୟାନ କରିଛନ୍ତି ଓ କରୁଛନ୍ତି । ବିବିଧ ମତ ପ୍ରକାଶ କରିଛନ୍ତି ଓ କରୁଛନ୍ତି । ସାଧାରଣ ମଣିଷ ଖାଲି ଏତିକି ଜାଣିଛି ଯେ ମର୍ତ୍ତ୍ୟମଣ୍ଡଳରେ ଜନ୍ମ ଲଭିଲେ ଦେବତା ହେଲେ ବି ସେ ମରିବ । ଜନ୍ମ ହେଲାବେଳେ ସେ ତା’ର ଦେହଟି ଓ ତହିଁରେ ଥିବା ଜୀବନଟି ଛଡ଼ା କିଛି ଆଣିନଥିଲା । ମରଣବେଳେ ସେ ତା’ ସଙ୍ଗରେ କିଛି ପାର୍ଥିବ ନେଇଯିବ ନାହିଁ-

 

ଯେଉଁମାନେ କୌଣସି କାରଣରୁ ନିଜର ଜୀବନକୁ ନିଜ ହାତରେ ଲିଭାଇ ଆତ୍ମଘାତୀ ହୁଅନ୍ତି, କାହିଁକି ସେମାନେ ଏପରି କରନ୍ତି, ଅନୁସନ୍ଧାନ କଲେ କେତେଗୁଡ଼ିଏ କାରଣ ଅବଶ୍ୟ ଆଖିକୁ ଦିଶେ, କିନ୍ତୁ ତତ୍‍କ୍ଷଣାତ୍ କାରଣଟି କ’ଣ ଯେଉଁଥିପାଇଁ ସେ ତା’ର ଜୀବନଦୀପକୁ ନିଜେ ଫୁଙ୍କି ଲିଭାଇଦେଲା, ଯିଏ ସେ ଦୁର୍ବୁଦ୍ଧି କଲା ତା’ ଛଡ଼ା ଆଉ କିଏ କହିପାରିବ ? ଯେଉଁସବୁ କାରଣଗୁଡ଼ିକ ସମଷ୍ଟି ତାକୁ ତା’ର ନିଜର ଜୀବନ, ଆତ୍ମୀୟସ୍ଵଜନଙ୍କର ସମ୍ପର୍କ ଓ ଏହି ସଂସାର ପ୍ରତି ବୀତସ୍ପୃହ କଲା ଏବଂ ତାକୁ ହିତାହିତ ଜ୍ଞାନଶୂନ୍ୟ କରି କ୍ଷଣିକ ଉନ୍ମାଦନାର ଶିକାର କଲା, ସେହିସବୁ କାରଣ ଅନୁମାନ କରାଯାଏ, ବିତର୍କଦ୍ୱାରା ନିର୍ଦ୍ଧାରିତ କରାଯାଏ, କିନ୍ତୁ ଅନୁମାନ ଓ ବିତର୍କର ନିର୍ଧାରଣ କ’ଣ ସତ୍ୟ ?

 

ତା’ ବିନା କିଏ କହିବ ?

 

କହିବାକୁ ସେ ନାହିଁ ! କେହି କେହି ଜୀବନ ହାରିବାର ଅବ୍ୟବହିତ କାଳ ପୂର୍ବରୁ କାହାକୁ କ’ଣ କହିଯାଆନ୍ତି । କାହିଁକି ସେମାନେ ନିଜଉପରେ ଶେଷ ପ୍ରତିଶୋଧ ନେଇଛନ୍ତି ତା’ର କାରଣ ଲେଖିଯାଇଥାନ୍ତି । ତାଙ୍କର କଥନ ଓ ଲିଖନ ଯେ ନିରାଟ ସତ୍ୟ ଏହା ବିଶ୍ୱାସ କରିବା କଠିନ, କାରଣ ସେ କହୁଥିଲାବେଳେ, ଅବା ଲେଖୁଥିଲାବେଳେ, ତାଙ୍କର ଚରମ ଉନ୍ମାଦନା ଆସିନଥାଏ । ମନରେ ବିଚାର ବୁଦ୍ଧି କାର୍ଯ୍ୟ କରୁଥାଏ । କଥିତ କାବ୍ୟ ଓ ଲିଖିତ ଭାଷାକୁ ସେହି ବିଚାରବୁଦ୍ଧି ଉନ୍ମୁକ୍ତ କରିନଥାଏ । ପୁଣି, ମନର ପ୍ରକ୍ରିୟାକୁ ଭାଷାରେ ପ୍ରକାଶ କରିବାର ଦକ୍ଷତାର ଅଭାବ ଥାଇପାରେ । କିଏ କହିବ ସତ୍ୟ କଅଣ ? ଈର୍ଷା, ଲଜ୍ଜା, ଆତ୍ମଗ୍ଲାନି, ଅଭିମାନ ଓ କ୍ରୋଧ, ତା’ର କଥିତ ଭାଷା ଓ ଲିଖିତ କାରଣକୁ ନିରପେକ୍ଷତା ଦେଇ ନ ଥାଇପାରେ ।

 

ଅବୋଧ୍ୟ !

 

ସଂସାର ଛାଡ଼ି ଚାଲିଗଲା ପରେ ସତ୍ୟ ପ୍ରକାଶ ସେ ଫେରିଆସିବ ନାହିଁ । ପ୍ରେତ-ପୁରୁଷର ସ୍ଥିତି ଯଦି ସତ୍ୟ ହୋଇଥାଏ, ଆଉ ସେ ପ୍ରେତ ପୁରୁଷ ଯଦି କେବେ ସତ୍ୟ ପ୍ରକାଶ କରିବାକୁ ଆସୁଥାଏ, ମଣିଷର ଭାଷା ତାକୁ ଜଣାନଥିବ । କହିବ କିପରି ? ପ୍ରେତ ଭାଷାରେ ଏପୁରର ଘଟଣା ପ୍ରକାଶିଲେ ମର-ଦେହ ଭିତର ପ୍ରେତ-ଦେହ ସିନା ଶୁଣୁଥିବ, ସେ ଭାଷା ଗ୍ରହଣ କରିବାର ଶକ୍ତି ନର-ଦେହର ନାହିଁ । ଚଳନ୍ତା ମଣିଷ ଏ ଦିଗରେ ନିରାଶ ଓ ନିଃଶହାୟ ।

 

ପ୍ରେତ-ରୂପରେ ବି କେବେ ତାକୁ ଦେଖିନାହିଁ । ତା’ର ଅସ୍ତିତ୍ୱ ବାହାରେ ଅନୁଭବ କରିନାହିଁ । ସେ ସତକୁସତ ସାତ ସପନ ହୋଇସାରିଛି । ଗୋଟିଏ ସ୍ମୃତି ! ଆନନ୍ଦ ଓ ନିରାନନ୍ଦରେ ରଚିତ ଗୋଟିଏ ସ୍ୱପ୍ନମୟ ପ୍ରତିମାର ଧାରଣା ହୋଇ ସେ ମନରେ ରହିଯାଇଛି ।

 

ମୋଟେ ତିନିବର୍ଷ ତିନିମାସ ପାଞ୍ଚଦିନ ତଳେ, ଉଣେଇଶି ଶହ ସତୁରୀ ସାଲ ଜୁନ୍ ମାସ ସାତ ତାରିଖ ଦିନ ସକାଳେ । ସମୟ ଏଗାରଟାରୁ ବାରଟା ମଧ୍ୟରେ ସେ ତା’ର ଜୀବନ ଦୀପରୁ ନିଜେ ଲିଭାଇ ଦେଇଥିଲା । ସେଦିନ ହୋଇଥିଲା ଶୁକ୍ରବାର । ସାବିତ୍ରୀ ଅମାବାସ୍ୟା । ତା’ର ବୟସ ହୋଇଥିଲା ଷୋଳବର୍ଷ ଦୁଇମାସ ପାଞ୍ଚଦିନ ।

 

ତିନୋଟି ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ପାଠ ପଢ଼ିଥିଲା–ଜୟପୁର, କଟକର ସିଟି-ହାଇସ୍କୁଲ ଓ ରେଭେନ୍ସା କଲେଜିଏଟି । ଶେଷୋକ୍ତ ବିଦ୍ୟାଳୟରୁ ସେ ସେଣ୍ଟଅପ୍ ହୋଇ ମାଟ୍ରିକୁଲେସନ୍ ପରୀକ୍ଷା ଦେଇଥିଲା । ଆଶା କରିଥିଲା ସେ ଅନ୍ତତଃ ଦ୍ୱିତୀୟ ଶ୍ରେଣୀରେ ପାଶ୍ କରିଯିବ । ଏହା ସେ ଅନେକଙ୍କୁ କହିଥିଲା । ପରୀକ୍ଷା ପରେ ସେ ତା’ର ବନ୍ଧୁମାନଙ୍କ ସଙ୍ଗେ ମିଶି ବେଶ୍, ଫୁର୍ତ୍ତିରେ ସମୟ କଟାଉଥିଲା । ଅଧିକାଂଶ ସମୟ ସାଇକଲ ଚଢ଼ି ସେ ବାହାରେ ବୁଲୁଥିଲା-। ଫୁଟବଲ, କ୍ରିକେଟ୍, ଭଲିବଲ, କ୍ୟାରମ୍ ଇତ୍ୟାଦି ଖେଳୁଥିଲା ତା’ର ବନ୍ଧୁମାନଙ୍କ ସଙ୍ଗରେ-। ସେମାନେ ବାଦାମବାଡ଼ି ଅଞ୍ଚଳରେ କେଉଁଠି ଗୋଟିଏ ବ୍ଳକଘର ସ୍ଥିର କରିଥିଲେ ।

 

ତା’ର ଗାଧୁଆ ଓ ଖିଆପିଆ ସମୟରେ ସ୍ଥିରତା ନଥିଲା । କେତେବେଳେ ସେ ଘରକୁ ଆସେ, ଖାଏ, ଶୁଏ, ଉଠି ରେଡ଼ିଓ ବାଯାଏ, ପୁଣି ତା’ର ବନ୍ଧୁମାନେ ଡାକିଲେ ସାଇକେଲ ଖଣ୍ଡି ଧରି ଘରୁ ବାହାରିଯାଏ, ଫେରିଆସେ ସନ୍ଧ୍ୟା ପୂର୍ବରୁ ଉପର ମହଲାକୁ ଯାଇ କଅଣ ସବୁ ପଢ଼ିବସେ । ଇଂରେଜୀ ଶବ୍ଦର ବନାନ ଓ ଓଡ଼ିଆ ଅର୍ଥ ଘୋଷେ । ଘୋଷୁଘୋଷୁ ଟେବୁଲ ଉପରେ ମୁଣ୍ଡରଖି ସେ ଶୋଇପଡ଼େ ।

 

ଗେମ୍ସରେ ତା’ର ସ୍ନେହ । ତା’ ସ୍କୁଲର ବାର୍ଷିକ ଖେଳ ପ୍ରତିଯୋଗିତାରେ ସେ ହୋଇଥିଲା ଚମ୍ପିୟନ୍ ।

 

ତା’ର ଜୀବନକାଳରେ ଶେଷ ଦୁଇବର୍ଷ ସେ ଶୀଘ୍ରଶୀଘ୍ର ବଢ଼ିଉଠିଲା । ମାଟ୍ରିକ୍ୟୁଲେସନ ପରୀକ୍ଷା ଦେବା ଆଗରୁ ସେ ବୋଧହୁଏ ପାଞ୍ଚଫୁଟ ପାଞ୍ଚଇଞ୍ଚ ହୋଇସାରିଥିଲା । ଶ୍ୟାମଳ ଦେହ । ହୃଷ୍ଟପୁଷ୍ଟ ବଳିଷ୍ଠ ଅଙ୍ଗ । କୁଲୁକୁଲିଆ ନିଖୁଣ ସୁନ୍ଦର ମୁହଁଟି । ମୁଣ୍ଡରେ ଚାଖଣ୍ଡେ ଲମ୍ବର ଘଞ୍ଚକେଶ । ତେଲ ଟିକିଏ ମାରି ତାକୁ କୁଣ୍ଡାଇ ସଜାଡ଼ିବାକୁ ସେ ଭୁଲିଯାଉଥିଲା । ଡାକିଲେ ସେ ତ ମାଆଙ୍କର ପାଖ ପଶୁନଥିଲା । ମୁଣ୍ଡର କେଶ ଫୁରୁଫୁରୁ ଉଡ଼ୁଥିଲା । କହରିଆ ନିଶ ସାମାନ୍ୟ ଲୋମଶ ହୋଇଆସୁଥିଲା । ଚିକି ଚିକି ଉଜ୍ଜ୍ଵଳ ଦାନ୍ତ । ଆଖିଦିଓଟି ବି ଉଜ୍ଜ୍ଵଳ । ଦେହରେ ଅଳସ ନାହିଁ । କୌଣସି କାମ କରିବାକୁ ସେ ଘୃଣା କରୁନଥିଲା, ପଛାଉନଥିଲା । ଖରା, ବରଷା ଓ ଶୀତର କୋପକୁ ସେ ଖାତିର କରୁନଥିଲା ।

 

ବୟସ ତୁଳନାରେ ସେ ଦୁଃସାହସିକ କାର୍ଯ୍ୟ ସେ କରିବାକୁ ଚେଷ୍ଟା କରୁଥିଲା, ଅନାବଶ୍ୟକ ସାହସିଆ କାମ । ଝାଉଁଗଛର ଅଗରେ ଚଢ଼ି ବତା ଖଣ୍ଡକରେ କାଉବସା ସେ କେଞ୍ଚୁଥିଲା । ଖାନନଗର ମଶାଣି ପାଖ ପାଣି ଗଣ୍ଡାରେ ସେ ତା’ର ବନ୍ଧୁମାନଙ୍କ ସଙ୍ଗରେ ଦିନ ଦୁଇଟାଯାଏ ପହଁରୁଥିଲା । ପାଣିକୁଆ ପରି ବୁଡ଼ି ବୁଡ଼ି ଆଖି କୁମ୍ଭାଟୁଆର ଆଖିପରି ଲାଲ କରି ସେ ଘରକୁ ଫେରୁଥିଲା ।

 

ପଚାରିଲେ ସେ ଉତ୍ତର ଦେଉନଥିଲା । ଗାଳିଦେଲେ ବିରକ୍ତ ହେଉଥିଲା । ଆଦି ବସୁଥିଲା ଘରେ କଟାଳ କରୁଥିଲା । ଶୁଣିଲି, ବର୍ଷାପାଣିର ନଳା ଧରି ସେ ଦୋତାଲାକୋଠାର ଛାତଉପରକୁ ଉଠୁଥିଲା । ଥରେ କୋଠା ଉପରୁ ତଳର ବାଲିଗଦା ଉପରକୁ ଡେଇଁପଡ଼ିଥିଲା । ଆଉଥରେ ପଡ଼ୋଶୀଙ୍କର ଏକମହଲା କୋଠାର ଛାତଉପରୁ ପାଖରେ ପିଜୁଳିଗଛର ଡାଳକୁ ଡେଇଁଥିଲା କୋଠା ଓ ପିଜୁଳି ଗଛ ମଝିରେ ଖୋଲା ଗଭୀର କୂଅ ।

 

ଥରେ ତା’ର ସେହି ସାଙ୍ଗମାନଙ୍କ ସଙ୍ଗରେ ଯାଇ ମହାନଦୀ କୂଳର କାଳିଆବୋଦାରେ ବିଲୁଆର ଗାତ ଖୋଳି ବିଲୁଆଛୁଆ ଧରିବାର ବ୍ୟର୍ଥଚେଷ୍ଟା କରିଥିଲା । ସେହି ସାଙ୍ଗମାନଙ୍କ ଗହଣରେ ସାଇକେଲ ଚଢ଼ି ଦି’ପହର ଖରାରେ ସେ ଚୌଦ୍ୱାର, ଚନ୍ଦକା ଇତ୍ୟାଦି ସ୍ଥାନକୁ ଯାଉଥିଲା-। ସନ୍ଧ୍ୟାପୂର୍ବରୁ ସେ ଘରକୁ ଫେରିଆସୁଥିଲା-ଶାନ୍ତ, ସୁଧାର କିନ୍ତୁ କ୍ଳାନ୍ତ ପିଲାଟି ହୋଇ ।

 

ଆମକୁ ଓ ସଂସାରକୁ ଛାଡ଼ି ଚାଲିଯିବା ପରେ କ୍ରମେ କ୍ରମେ ଏ ସବୁ ଜଣାପଡ଼ିଲା ।

 

ବର୍ଷକ ଆଗରୁ ମୁଁ ଓଡ଼ିଶା-ସାହିତ୍ୟ ଏକାଡେମୀର ସମ୍ପାଦକ ରୂପେ ଯୋଗଦେଇଥିଲି । କଟକରୁ ନିତି ସକାଳ ନଅଟାରେ ଭୁବନେଶ୍ଵର ଯାଉଥିଲି । ଫେରୁଥିଲି ସନ୍ଧ୍ୟାରେ । କେବେକେବେ ରାତିରେ । ଗଲାବେଳେ ଓ ଫେରିଲାବେଳେ ତାକୁ ମୁଁ ଘରେ ଥାଇ ପାଠ ପଢ଼ିବାର ଦେଖୁଥିଲି । ସନ୍ଧ୍ୟାରେ ଜଣେ ପଣ୍ଡିତ ଆସି ତାକୁ ସଂସ୍କୃତ ପଢ଼ାଉଥିଲେ । ସକାଳେ ଓ ଉପରବେଳା ସେ ଅଙ୍କ ଏବଂ ଇଂରାଜୀ ପଢ଼ିବାକୁ ଆଉ ଦୁଇଜଣ ଶିକ୍ଷକଙ୍କ ପାଖକୁ ନିଜେ ଯାଉଥିଲା । ଟେଷ୍ଟ ପରୀକ୍ଷାରେ ସେ ଭଲ କରିଥିଲା । ମୁଁ ଆଶା କରିଥିଲି, ଶେଷ ପରୀକ୍ଷାରେ ସ୍ୱେ ଦ୍ୱିତୀୟ ଶ୍ରେଣୀ ତ ନିଶ୍ଚୟ ପାଇବା, ଟିକିଏ ପରିଶ୍ରମ କଲେ ପ୍ରଥମ ଶ୍ରେଣୀ ପାଇ ଉତ୍ତୀର୍ଣ୍ଣ ହୋଇପାରେ । ବାପର ଆଶା, ତାକୁ କଳନା କରିବ କିଏ ? ସେଇଥିପାଇଁ ଟେଷ୍ଟ ପରୀକ୍ଷାର ବହୁଆଗରୁ ଏବଂ ଶେଷ ପରୀକ୍ଷାର ସମାପ୍ତି ଯାଏଁ ତିନିଜଣ ଶିକ୍ଷକ ପଢ଼ାଇବାର ବ୍ୟବସ୍ଥା କରିଥିଲି ।

 

କଟକରୁ ଭୁବନେଶ୍ଵର ନିତି ବସରେ ଯାଇ ଆସି କାମ କରିବାଦ୍ୱାରା ମୁଁ କ୍ଳାନ୍ତ ହୋଇପଡ଼ୁଥିଲି । ଏଣୁତେଣୁ ପଚାରିବା ଛଡ଼ା ପିଲାଟିର ପାଠ ମୁଁ ନିଜେ ଦେଖିବାକୁ ଅକ୍ଷମ ହେଉଥିଲି । ମୋର ଅବସନ୍ନତା ପାଇଁ ମୋର ସ୍ତ୍ରୀ ଓ କୁଟୁମ୍ବର ଅନ୍ୟମାନେ ବୋଧହୁଏ ମୋତେ ତା’ର ଦୁଷ୍ଟାମି ସମ୍ବନ୍ଧରେ ଅବହିତ କରିବାକୁ ମନ କରୁନଥିଲେ । ସେମାନେ ଭାବୁଥିଲେ ଯେ ମୋର ଗୋଚରକୁ ଆସିଲେ ମୁଁ ବିରକ୍ତ ହେବି । ଶାସନ କରିବାକୁ ମୁଁ ପ୍ରହାର କରିବି । ତା’ର ଚଗଲାମି, ଅବାଧ୍ୟତା ଓ କୁସଙ୍ଗରେ ପଡ଼ି ପାଠପଢ଼ାରେ ମନ ନ ଦେବାପାଇଁ କେତେଥର ମୁଁ ତାକୁ ଗାଳିଦେଇଛି, ଅତି ବିରକ୍ତ ହୋଇ ପ୍ରହାର କରିଛି ।

 

ତା’ର ଭାଇ, ଭଉଣୀମାନେ ଓ ମା’ ତାକୁ ଦୁଷ୍ଟାମି ନ କରିବାକୁ ବୁଝାନ୍ତି । ତା’ର ଦୁଃସାହସିକ କାମ ପାଇଁ ତାକୁ ତିରସ୍କାର କରନ୍ତି । କେହି ତା’ର ଦେହରେ ହାତଟିପ ଛୋଇଁନାହାନ୍ତି-। ଯେତେ ଗାଳି ଖାଇଲେ ସେ ଉତ୍ତର ଦିଏ ନାହିଁ । ତା’ର ମନରେ ଧାରଣା ହୋଇଥିଲା, ଅବା ସେ ବିରକ୍ତ ହୋଇ ଅଭିମାନ କରି ଅନ୍ୟ ଆତ୍ମୀୟମାନଙ୍କ ଆଗରେ କୁଆଡ଼େ କେବେକେବେ କହୁଥିଲା ଯେ ଘରେ ତାକୁ କେହି ଭଲପାଉନଥିଲେ । ତା’ର ମୃତ୍ୟୁ ପରେ ସେମାନଙ୍କଠାରୁ ଏପରି ଆମେ ଶୁଣିଲୁ ।

 

ସେ ବହୁତ ଡିଟେକଟିଭ ଉପନ୍ୟାସ କାହାଠାରୁ ଯୋଗାଡ଼ କରି ଅବା ନିଜେ କିଣି ପଢ଼ୁଥିଲା । ଓଡ଼ିଆ ବହିଗୁଡ଼ିଏ । ଉପରେ ବିଭିନ୍ନ ପ୍ରକାରର ଛବି-ଅଧିକାଂଶ ବିଭିନ୍ନ ପ୍ରକାରର ମରଣର ଭୟଙ୍କର ଚିତ୍ର । କେବେକେବେ ମୋର ଦୃଷ୍ଟିରେ ପଡ଼ିଛି । ସେ ସବୁ ବହି ପଢ଼ି ସମୟ ନଷ୍ଟ ନ କରି ପଢ଼ା ବହିରେ ମନଦେବାକୁ ମୁଁ ତାକୁ କେତେଥର ଉପଦେଶ ଦେଇଛି । ଗାଳିଦେଇଛି-। ମୋର ହୃଦବୋଧ ହୋଇଛି ଯେ ସେ ମୋର କଥା ମାନିଛି । କିନ୍ତୁ ପୁଣି ମୋର ଦୃଷ୍ଟିରେ ପଡ଼ିଛି ସେହି ଜାତୀୟ ଉପନ୍ୟାସ, ତା’ର ପଢ଼ାବହି ଭିତରେ ।

 

ମୋ ସଙ୍ଗରେ ଯୋଗଦେଇ ସେ ଘରର କେତେ କାମ କରେ । ବାଧ୍ୟବାଧକତା ନୁହେଁ, ତା’ ମନକୁ । ଛୋଟ ବଗିଚାରେ ମାଟିହାଣେ ଘାସ ଉପାଡ଼େ । ଗଛରେ ପାଣିଦିଏ । ମନେପଡ଼ୁଛି ଥରେ ସେ ପାଇଖାନା ସଫା କରିଥିଲା । ତା’ର କୌଣସି କାର୍ଯ୍ୟକୁ ଘୃଣାନଥିଲା । ନୂଆ ଘରର ନିହଁ ଖୋଳାଦିନରୁ, ଘର ସମ୍ପୂର୍ଣ୍ଣ ହେବାଯାଏଁ ବଢ଼େଇ ମିସ୍ତ୍ରୀ ଓ ମୂଲିଆଙ୍କୁ ସେ ସାହାଯ୍ୟ କରିବାକୁ ଚେଷ୍ଟା କରୁଥିଲା । ସବୁ କାମ ନିଜେ ଶିଖିବାକୁ ହାଇଁପାଇଁ ହେଉଥିଲା । ସେମାନଙ୍କୁ ବିରକ୍ତ ବି କରୁଥିଲା ।

 

ମୁଁ ଜାଣିନଥିଲି ଯେ ସେ ଲେଖକ ହେବାକୁ ଚେଷ୍ଟା କରୁଥିଲା । ତା’ର ମୃତ୍ୟୁପରେ ମୁଁ ଏହା ଦେଖିବାକୁ ପାଇଲି । ତା’ର ଗୋଟିଏ ପୂର୍ଣ୍ଣାଙ୍କ ଗଳ୍ପ ମୁଁ ପାଇଲି । ସାଇତି ରଖିଛି । ମଣୁଛି, ସେହିଟି ମୋର ଅମୂଲ୍ୟରତ୍ନ । ଯାହାକୁ ମୁଁ ହରାଇଛି, ଯାହାର ହାତରେ ପରଶ ମୋର ଏହି ଘରେ ପ୍ରତ୍ୟେକ ଅଂଶରେ ବୋଲି ହୋଇଥିଲା, ସେହି ମୋର କୋଳପୋଛା ଅଲିଅଳ ପୁଅର ଭବିଷ୍ୟତରେ ଲେଖକ ହେବାର ବାସନା ସେହି ସମ୍ପୂର୍ଣ୍ଣ-ଗଳ୍ପଟି ଭିତରେ ଜୀବନ୍ତ ରହିଛି । ସେ ନାହିଁ, ତା’ର ଭବିଷ୍ୟତର ପ୍ରଶ୍ନ ଉଠୁନାହିଁ, କିନ୍ତୁ ତା’ର ସେହି ବାସନା ଓ କେତେ ଆଗ୍ରହ ମୋର ମନଭିତରେ ଏବେଯାଏଁ ଜୀବନ୍ତ ହୋଇ ରହିଛନ୍ତି ।

 

ସେ ମୋର ଅଷ୍ଟମ ଓ ଶେଷ-ସନ୍ତାନ ହୋଇ ଜନ୍ମ ଲଭିଥିଲା ।

 

୧୯୪୬ ସାଲ ଅଗଷ୍ଟ ମାସ ତା’ ୧୭ ରିଖରେ ମୋର ପଞ୍ଚମ ସନ୍ତାନ ହୋଇ ଜନମିଥିଲା ଯେଉଁ କନ୍ୟାଟି ମାତ୍ର ତିନୋଟି ଘଣ୍ଟା ରହି ସେପୁରକୁ ଚାଲିଯାଇଥିଲା । ସେତେବେଳେ ମୁଁ ଗଞ୍ଜାମ ଜିଲାର ସିଭିଲ୍-ସପ୍ଲାଇସ୍ ଅଫିସର ଥିଲି । ଛତ୍ରପୁରରେ ଅବସ୍ଥାନ କରୁଥିଲି । ୧୯୫୦ ସାଲରେ ଯେତେବେଳେ ମୁଁ ଜୟପୁରରେ ଆସିଷ୍ଟାଣ୍ଟ ସେଟଲମେଣ୍ଟ ଅଫିସର ଥିଲି, ସେତିକିବେଳେ ବୋଧହୁଏ ମାର୍ଚ୍ଚ-ମାସରେ, ମୋର ସପ୍ତମ ସନ୍ତାନ ହୋଇ ଜନ୍ମହେବା ଆଗରୁ ମାଆର ପେଟଭିତରେ ମାରି ମୃତାପୁତ୍ରଟିଏ ଜନ୍ମ ଲଭିଥିଲା । ଯାହା ବିଷୟରେ ମୁଁ ଆଜି ଲେଖୁଛି, (ତା’ର ମରଣର ତିନିବର୍ଷ ପରେ ଦୋ’ତାଲାର ସେହି ପ୍ରକୋଷ୍ଠରେ, ସେହି ଟେବୁଲ ଉପରେ ଯାହାର ପିଠିରେ ଠିଆହୋଇ ବିଜୁଳି-ପଙ୍ଖା ଲାଗିବାପାଇଁ ଖଞ୍ଜା ହୋଇଥିବା ହ୍ରୁକରେ ଦଉଡ଼ି ବାନ୍ଧି ସେ ଝୁଲିପଡ଼ିଥିଲା, କାରଣ ସେତେବେଳେ ପଙ୍ଖା ଲାଗିନଥିଲା) ସେହି ମୋର ଅଷ୍ଟମ ସନ୍ତାନ ପୁତ୍ରଟି ଜନ୍ମ ଲଭିଥିଲା ୧୯୫୧ ସାଲ ଅପ୍ରେଲ ମାସ ତା’ ୩ ରିଖରେ ଜୟପୁରରେ ।

 

ତା’ର ଜନ୍ମ ମୁଁ ଦେଖିନଥିଲି । ତା’ର ଜନନୀର ଗର୍ଭବେଦନା ଖବର ପାଇଁ ମୁଁ ଅଫିସରୁ ବସାକୁ ଆସି ଦେଖିଲି କୁଲୁକୁଲିଆ ସ୍ୱାସ୍ଥ୍ୟବାନ ସୁନ୍ଦର ଶିଶୁଟିଏ ମୋର ସଂସାରକୁ ଆସିସାରିଛି । ସେ କୁଆଁକୁଆଁ ରଡ଼ିରେ ମୋ ଛୋଟ ବସାଟିକୁ ମୁଖରିତ କରୁଛି ।

 

ରାତି ଆଠଟା । ଶନିବାର ମୁଣ୍ଡଉପରେ ବିଜୁଳିପଙ୍ଖା ଧୀରେଧୀରେ ଚାଲିଛି । ମୁଁ ଲେଖୁଛି ମୋ ଜୀବନର ଅନୁଭୂତିର କାହାଣୀ । ମୁଁ କାନ୍ଦୁନାହିଁ । ସେ କାଳର ଦୁଃଖ ଧୀରେଧୀରେ ମନରେ ଭେଦି ମନକୁ ଆପେଆପେ ପଥର କରିସାରିଛି । ଛାତି କମ୍ପିଉଠୁନାହିଁ । ହାତ ଥରି ଉଠୁନାହିଁ । କିଛି ସମୟ ପୂର୍ବେ ମୁଁ ତା’ର ଜାତକ, ଏଠିସେଠି ଲେଖିବା ଡାଏରୀ (ଧାରାବାହିକ ଲେଖା ହୋଇନାହିଁ), ତା’ର ହାତଲେଖା ଛୋଟ ଗଳ୍ପଟି-‘‘ଯାହା କହିବି ମିଛ କହିବି ନାହିଁ’’ ବିକାରଶୂନ୍ୟ ହୋଇପଡ଼ୁଥିଲି । ପଢ଼ିଲାବେଳେ ପଥର ପାଲଟିଥିବା ମନ ଯେ ସାମାନ୍ୟ ଥରିଉଠିନଥିଲା ତା’ ନୁହେଁ; କିନ୍ତୁ ସେ ଫିଲିଙ୍ଗ୍ସ, ସେ ସେନସେସନ୍ ଅଳ୍ପ ସମୟ ମଧ୍ୟରେ ଚାଲିଯାଇଥିଲା ।

 

ମୁଁ ଲେଖୁଛି ଓ ଭାବୁଛି । ଲୋକେ କହନ୍ତି, ପୁତ୍ରଶୋକଠାରୁ ବଳି ଆଉ ବଡ଼ ଶୋକ ହୋଇପାରେ ନାହିଁ । ନିରାଟ ସତ୍ୟ । ନିଜେ ମୁଁ ଅନୁଭବ କରିଛି ଓ କରୁଛି । ବୋଧହୁଏ ସେହି ଅବରୁଦ୍ଧ ଶୋକକୁ ପଦାକୁ ଫୋପାଡ଼ି ଦେବାକୁ ମୋର ଅଜଣା ପ୍ରେରଣା ମୋତେ ଏହି କାହାଣୀ ଲେଖାଉଛି, କିନ୍ତୁ ମୋର ଶୋକର ଜ୍ଵାଳାମୟ ତୀବ୍ରତା ମୁଁ ଅନୁଭବ କରୁନାହିଁ ।

 

ତଳୁ ପାଟି ଶୁଭୁଛି । ସେମାନେ ତାଆସ ଖେଳୁଛନ୍ତି । ରେଡ଼ିଓ ବାଜୁଛି । ମାଛ ଭଜାର ବାସ୍ନା ନାକରେ ବାଜୁଛି । ଦୁଇମାସର ନବାଗତ ଦ୍ୱିତୀୟ ନାତିଟିକୁ ତା’ର ଜେଜେମା କୋଳରେ ଝୁଲାଇ ଗୀତ ବୋଲୁଛନ୍ତି-ହାତୀ ଝୁଲୁଥାଏ ରଜାବଗିଚାରେ...ସେ ବୋଧହୁଏ ନାତିର ଓଠରେ ମନକୁମନ ହସ ଦେଖି ଆତ୍ମହରା ହୋଇ ନିଜେ ପାଟିକରି ହସିଉଠୁଛନ୍ତି ।

 

ତାଙ୍କରି ଅଷ୍ଟମଗର୍ଭର ସନ୍ତାନ ହୋଇ ଜନ୍ମ ଲଭିଥିଲା । ତା’ର ନାମ ଦେଇଥିଲି ଆଲୋକ ସୁନ୍ଦର । ତା’ର ଡାକନାମ ଥିଲା କୁନ୍‍କି । ଏହି ନାମଟି ଏବେ ଲେଖୁଣୁ ବିଜୁଳି ବେଗରେ ଶିହରଣଟିଏ ଦେହରେ ଖେଳିଯାଉଛି । ଛାତିର ସ୍ପନ୍ଦନ ଷୋଳଟି ବର୍ଷ ତା’ର ଜୀବନକାଳର କେତେ ସ୍ମୃତି ମନକୁ ଦ୍ରୁତ ହେଉଛି । ଆସୁଛି ।

 

ସେ ବି ଦିନେ କୋଡ଼ରେ ବସି ହାତୀ-ଝୁଲ୍ ହେଉଥିଲା । ତା’ର ଟିକି କୁଲୁକୁଲିଆ ସୁନ୍ଦର ମୁହଁରେ ହସ ଚମକାଇ ଜୁଳୁଜୁଳୁ ଚାହିଁ ସେ ଆମର ମନରେ ଅପାର ଆନନ୍ଦ ଭରିଦେଉଥିଲା । କୁନ୍‍କି ପେଟେଇଲାଣି । ଗୁରୁଣ୍ଡୁଛି । ବସୁଛି । କୁନ୍‍କି ଠିଆହେବାକ ଚେଷ୍ଟା କରୁଛି । ଠୁକୁଠୁକୁ ଚାଲିଲାଣି । ଏ କୋଡ଼ରୁ ସେ କୋଡ଼କୁ ଡେଇଁପଡ଼ୁଛି । ହସି ହସି ଗଡ଼ିଯାଉଛି । ଦରୋଟି ବଚନ କହୁଛି । କି ସୁନ୍ଦର ମଧୁର ଶୁଭୁଛି । କୁନ୍‍କି ଧାଇଁଲାଣି । ଆରେଆରେ ଝୁଣ୍ଟିପଡ଼ିବ । ଫୁର୍ତ୍ତି ହୋଇଛି ପିଲାଖଣ୍ଡକ । ବୁଦ୍ଧିଆ ହେବ । ସବୁ ପିଲାଙ୍କ ଅପେକ୍ଷା ଏହି ପିଲାଟି ହେବ ସରସ । କେଡ଼େ ବିଚକ୍ଷଣ । ଥରେ ଯାହା ଶୁଣୁଛି ମନେରଖୁଛି । ସ୍ମରଣଶକ୍ତି ପ୍ରଖର ।

 

ବାପା, ମା’, ଭାଇଭଉଣୀଙ୍କର ସେ ଥିଲା ଖେଳ-କଣ୍ଢେଇ । ସର୍ବଶେଷ ସନ୍ତାନର ଅତ୍ୟଧିକ ସ୍ନେହ ଅତ୍ୟଧିକ ଯତ୍ନ ସେ ପାଇଥିଲା । କୋଡ଼ରେ,...କାଖରେ, ଛାତିରେ, ପିଠିରେ ତାରି ଆସନ । ତା’ର ଦେହର ସ୍ପର୍ଶ, ତା’ର କଅଁଳ କଥା, ଅଜଟପଣିଆଁ, ଆଡ଼ରୁଷା, ଅଭିମାନ, ତା’ର ହସ, ମୋ ଦେହର କେତେ କ୍ଳାନ୍ତି, ମନର କେତେ ଅବସାଦ ଦୂର କରିଛି । ଖେଳନା ଦେଇ ତାକୁ ଖେଳାଇବାରେ, ଭଳିଭଳିକା ପୋଷାକ, ଯୋତା, ଟୋପି ପିନ୍ଧାଇ ତାକୁ ସଜାଇବାରେ, ତାକୁ ରୁଚିଲା ଚିଜ ବାପରେ, ଧନରେ, କହି ବୁଝାଇ ମଣାଇଁ ଖୋଇବାରେ ମନରେ ଯେଉଁ ଆନନ୍ଦ ଆସେ ତା’ର ପଟାନ୍ତର ନାହିଁ ।

 

କେଡ଼େ ଶୀଘ୍ର ସେ ପାଠ ପଢ଼ୁଛି । ସବୁ ମନେରଖୁଛି । ବୁଝିଲଗୋ, କୁନ୍‍କି ଆମର ଗୋଟାଏ ଭାରି ବଡ଼ ମଣିଷ ହେବ । ଦେଖିବ ରହ–

 

ବାପର ଆଶା, ବାପର ସ୍ଵପ୍ନ ! କେମିତି ବଡ଼ ମଣିଷ ସେ ହେବ ? ମନ ଦେଖେ କେତେ ମନୀଷୀଙ୍କର ରୂପ !

 

ଗୃହିଣୀ ଉତ୍ତର ଦିଅନ୍ତି, ଠାକୁରେ ତାକୁ ଆଇଷ ଦିଅନ୍ତୁ ।

 

କୁନ୍‍କି ସ୍କୁଲରେ ନାମ ଲେଖାଇଲା । ସେହି ଜୟପୁରରେ । ଦ୍ୱିତୀୟ ଶ୍ରେଣୀରେ । ଘର ଶିକ୍ଷକ କହିଲେ, ତୃତୀୟ ଶ୍ରେଣୀରେ ନାମ ଲେଖାଇଥିଲେ ବି ଚଳିଥାନ୍ତା । ତେବେ ପଢ଼ୁ । ଘରେଘରେ ତୃତୀୟ ଶ୍ରେଣୀର ପାଠ ପଢ଼ାଇବା ।

 

ସେଇଆ ସେ କଲେ । ଦ୍ୱିତୀୟ ଶ୍ରେଣୀରୁ ସେ ପ୍ରଥମ ସ୍ଥାନ ଲାଭ କରି ଉନ୍ନୀତ ହେଲା-। ଘରୋଇ ଶିକ୍ଷକ ସେହି ଛୋଟ ସ୍କୁଲର ଜଣେ ଶିକ୍ଷକ ଥିଲେ । ନିଜର ବାହାଦୁରି ଦେଖାଇବା ପାଇଁ ତୃତୀୟ ଶ୍ରେଣୀରେ ନ ପଢ଼ାଇ ତା’ର ନାମ ଚତୁର୍ଥ ଶ୍ରେଣୀରେ ଲେଖାଇଦେଲେ ।

 

ଆମର ଅତ୍ୟଧିକ ଆଶା ଓ ଉତ୍ସାହ ହେଲା ତା’ ଜୀବନର ମହାଶତ୍ରୁ । ଆମର ଅତ୍ୟଧିକ ସ୍ନେହ ହେଲା ତା’ର ଉଚ୍ଛରୁଙ୍ଖଳତାର କାରଣ । ବହୁ ଚେଷ୍ଟା ପରେ ଆଉ କେବେ ସେ ଭଲ ଛାତ୍ର ହୋଇପାରିନଥିଲା । କୌଣସି ଶ୍ରେଣୀରେ ଅଟକି ନ ଯାଇ ସେ ଟଳ ଟଳ ହୋଇ ଉପର ଶ୍ରେଣୀକୁ ପାଦ ବଢ଼ାଉଥିଲା, ଚେଷ୍ଟା କରାଯାଉଥିଲା ଯେପରି ସେ ନୂତନ ଶ୍ରେଣୀରେ ଭଲ କରିବ-। କେତେ ପରୀକ୍ଷାରେ ସେ ଭଲ କରିଥିଲା । କିନ୍ତୁ ସମ୍ପୂର୍ଣ୍ଣ ରୂପେ ସେ ନିର୍ଭରଶୀଳ ହୋଇପଡ଼ିଥିଲା ତା’ର ଗୃହଶିକ୍ଷକମାନଙ୍କ ଉପରେ ।

 

ମାସଶେଷରେ ତାଙ୍କର ଦରମା ପାଇଁ ସେମାନେ ବ୍ୟାକୁଳ, ଛାତ୍ରର ପାଠପଢ଼ା ପାଇଁ ନୁହେଁ । କୌଣସିମତେ ତାଙ୍କର ଛାତ୍ର ଉପର ଶ୍ରେଣୀକୁ ଉଠିଲେ ତାଙ୍କର କର୍ତ୍ତବ୍ୟ ଶେଷ ହେଲା ବୋଲି ସେମାନେ ମଣୁଥିଲେ । ଆହୁରି ଛାତ୍ର ଆସି ଘରେ ଜୁଟିବେ, ତାଙ୍କର ଘର-ଚାଟଶାଳିରେ ଛାତ୍ର ସଂଖ୍ୟା ବଢ଼ିବ ଓ ସେମାନେ ଅଧିକରୁ ଅଧିକ ଧନ ଉପାର୍ଜନ କରିପାରିବେ । ପିଲାକୁ ପାଶ୍ କରାଇବାର ବିବିଧ ଉପାୟ ସେମାନଙ୍କୁ ଜଣା । ପିଲା ସେଦିଗରେ ନିଶ୍ଚିନ୍ତ । ପାଠପଢ଼ାରେ ମନ ନ ଦେଇ ଅନ୍ୟ କାର୍ଯ୍ୟକଳାପରେ ମନଦେଲେ କ୍ଷତି ନାହିଁ । ବର୍ଷଶେଷରେ ପାଶ୍ ନିଶ୍ଚୟ ହେବ । ଶିକ୍ଷକ ଅଛନ୍ତି, ଟଙ୍କା ପାଇଲେ ଟିଉସନ୍ କରିବେ । ଟିଉସନ୍ । ପଢ଼ିଲେ ପାଶ୍ କରିହେବ ।

 

ଉଣେଇଶ ଶହ ଶତଷଠି ସାଲ ଜୁନ୍ ମାସ ଛଅ ତାରିଖ ଅପରାହ୍ନରେ ମାଟ୍ରିକୁଲେସନ-ପରୀକ୍ଷାର ଫଳ ବାହାରିଲା । ସକାଳୁ ସଞ୍ଜଯାଏଁ ସାଇକଲ ଖଣ୍ଡିଧରି, ଆହା ମୋର କୁନ୍‍କି ତା’ର ଫଳ ଜାଣିବାକୁ ବ୍ୟଗ୍ର ହୋଇ ଧାଁଧପଡ଼ କରିଥିଲା ।

 

ମୁଁ କଟକରେ ନଥିଲି । ସାହିତ୍ୟ-ଏକାଡେମୀ ଅଫିସରେ କାମ କରିବାକୁ ଭୁବନେଶ୍ଵର ଯାଇଥିଲି । ସନ୍ଧ୍ୟାରେ ଫେରିଲି । ସେ କହିଲା ଯେ ବୋର୍ଡ-ଅଫିସରେ ଯେଉଁ ପାଶ୍ ତାଲିକା ଟଙ୍ଗା ହୋଇଥିଲା ପିଲାମାନେ ତାକୁ ଛିଣ୍ଡାଇ ଦେଇଥିଲେ । ତା’ର ସାଙ୍ଗମାନେ କୁଆଡ଼େ ତାକୁ କହିଲେ ଯେ ସେ ତୃତୀୟ ଶ୍ରେଣୀରେ ପାଶ୍ କରିଛି ।

 

ସେ ବିଷଣ୍ଣ ଦେଖାଯାଉଥିଲା । ଖରାରେ ଧାଇଁଧାଇଁ ମୁହଁ କଳାକାଠ ପରି ଦିଶୁଥିଲା । ମୁଣ୍ଡର ନୁଖୁରା କେଶ ଫୁରୁଫୁରୁ ହୋଇ ବେତାଳିଆ ଦିଶୁଥିଲା । ସମସ୍ତେ ଆମେ ତାକୁ ବୁଝାଇଲୁ, ସାନ୍ତ୍ୱନା ଦେଲୁ, ତୃତୀୟ ଶ୍ରେଣୀ ହେଲା ତ ହେଲା, ଆଉ କଅଣ କରାଯିବ ? କଲେଜରେ ପଢ଼ିଲାବେଳେ ଯେଉଁ ବିଷୟରେ ଭଲ ନମ୍ବର ରଖିଥିବୁ ସେହି ବିଷୟ ପଢ଼ିବୁ ।

 

ସେ ନୀରବ ରହିଥିଲା ।

 

ତା’ର ରୋଲନମ୍ବର ଧରି ‘ସମାଜ’ ଅଫିସକୁ ଲୋକ ଧାଇଁଲେ । ଘଣ୍ଟାଏ ଦୁଇଘଣ୍ଟା ମଧ୍ୟରେ ଖବରକାଗଜ ବାହାରିବାର କଥା, ସେମାନଙ୍କର ଧୈର୍ଯ୍ୟ ରହିଲା ନାହିଁ । ଉଦବେଗକୁ ଅଟକାଇ ରଖିପାରିଲେ ନାହିଁ । ସମାଜ ଅଫିସରୁ ଲୋକ ଫେରିଆସି ସମ୍ବାଦ ଦେଲା ଯେ କୁନ୍‍କି ତୃତୀୟ ଶ୍ରେଣୀରେ ପାଶ୍ କରିଛି ।

 

ମୁଁ ବଜାରକୁ ବାହାରିଗଲି । ସେଇଠି ଖବରକାଗଜ ଦେଖିଲି । ଗୋଟିକ ପରେ ଗୋଟିଏ, ସବୁ ଖବରକାଗଜ । କାହିଁରେ ତା’ର ନାମ ନାହିଁ । ସେ ନିଶ୍ଚିତ ଭାବରେ ଅକୃତକାର୍ଯ୍ୟ ହୋଇଥିଲା ବୋଲି ଜାଣିଲି । ତା’ପାଇଁ ଦୁଃଖିତ ହେଲି । ତା’ର ପାଶ୍ ଖବର ଯେଉଁମାନେ ପ୍ରଚାର କରିଥିଲେ, ବୋଧହୁଏ ମାତ୍ର କେତୋଟି ଘଣ୍ଟା ତାକୁ ସାନ୍ତ୍ୱନା ଦେବାକୁ ସେପରି କହିଥିଲେ !

 

ରାତି ପ୍ରାୟ ଦଶଟାବେଳେ ବସାକୁ ଫେରିଲି । ଖବରକାଗଜ ପଢ଼ି ସେ ଓ ଅନ୍ୟମାନେ ଜାଣିସାରିଥିଲେ ଯେ ସେ ଫେଲ୍ ହୋଇଛି । କୁନ୍‍କି ଖବର ପାଇ ନୀରବ ରହିଥିଲା । ହତୋତ୍ସାହ ନ ହେଲାପରି ଜଣାପଡ଼ୁଥିଲା । ସେ କୁଆଡ଼େ ଦୋତାଲା ଉପରେ ତା’ର ପଢ଼ାଘରେ ବସି କଅଣ ପଢ଼ୁଥିଲା । ମୁଁ ଫେରିଲାବେଳକୁ ସେ ଶୋଇପଡ଼ିଥିଲା ।

 

ପରଦିନ ସକାଳେ ପୁଣି ସେ ତା’ର ପଢ଼ାପଢ଼ିରେ ମନ ଦେଇଥିଲା । ନିତି ଭୁବନେଶ୍ଵର ଯାଇଆସି ମୁଁ କ୍ଳାନ୍ତ ହୋଇପଡ଼ୁଥିଲି । ତେଣୁ ଅପ୍ରେଲ ମାସରେ ମୁଁ ଇସ୍ତଫାପତ୍ର ଦାଖଲ କରିସାରିଥିଲି । କେବେ ରିଲିଭ୍ ହେବି ସେହି ଆଦେଶକୁ ଅପେକ୍ଷା କରି ରହିଥିଲି । ୭ ତାରିଖ ସକାଳ ୯ ଘଣ୍ଟା ବେଳେ ମୁଁ ଭୁବନେଶ୍ଵର ଯିବାକୁ ପ୍ରସ୍ତୁତ ହେଉଥିଲି । ସେ ଦୋତାଲା ଉପରୁ ତଳକୁ ଓହ୍ଲାଇଲା । ସେମିତି ଶୁଖିଲା ମୁହଁ । ବିଷୟ ରୂପ । ଫୁରୁଫୁରୁ ନୁଖୁରା କେଶ ଫୁଲ୍ ପ୍ୟାଣ୍ଟ ପିନ୍ଧିଥାଏ । ଦେହରେ ହାୱାଇନ ସାର୍ଟ ।

 

ପାଖକୁ ଡାକିଲି । କହିଲି, ଆଗ ମାର୍କସିଟ୍ ଆଣିବାକୁ ହେବ । କାହିଁରେ କେତେ ନମ୍ବର ଅଛି ଜଣାଗଲେ ତେଣିକି ବିଚାର କରାହେବ, ତୁ ସପ୍ଲିମେଣ୍ଟାରି ପରୀକ୍ଷା ପାଇଁ ପ୍ରସ୍ତୁତ ହେବୁ, କି ଗୋଟିଏ ବର୍ଷ ଭଲକରି ପ୍ରସ୍ତୁତ ହୋଇ ବାର୍ଷିକ ପରୀକ୍ଷା ଦେବୁ । ମୋର ଇସ୍ତଫାପତ୍ର ଶୀଘ୍ର ଗୃହୀତ ହୋଇଯିବ । ତା’ପରେ ମୁଁ ନିଜେ ତୋର ପଢ଼ାର ଖବର ବୁଝିବି । ଗେମ୍ସରେ ଚାମ୍ପିୟାନ୍ ତ ହୋଇସାରିଛୁ, ସେହି ଖେଳର କପ୍‍ଗୁଡ଼ିକ ଆଲମାରିରେ ବନ୍ଦ କରିଦେ । ପାଶ୍ ନ କରିବାଯାଏ ଆଉ ଖେଳାଖେଳିରେ ମନ ଦେଏନା, ପାଠରେ ମନ ଦେ ।

 

ସେତିକି ତା’ ସଙ୍ଗେ ମୋର ଶେଷ କଥାଭାଷା । ମୋ ଭାଷାରେ ଋକ୍ଷତା ଥିଲା । ତା’ର ଅକୃତକାର୍ଯ୍ୟଟା ପାଇଁ ମୁଁ ଯେ ଅସନ୍ତୁଷ୍ଟ ହୋଇଥିଲି ଓ ଦୁଃଖିତ ହୋଇଥିଲି, ଏହା ସେ ଅବଶ୍ୟ ଅନୁଭବ କରିଥିବ । ସେ ତା’ର ଖେଳରେ ଚାମ୍ପିଆନ୍ ହୋଇ ଲାଭ କରିଥିବା କପ୍‍ଗୁଡ଼ିକ ନେଇ ଟଳଟଳ ହୋଇ ପାଖଘରକୁ ଚାଲିଗଲା । ତରତର ହୋଇ ମୁଁ ଭୁବନେଶ୍ଵର ବାହାରିଆସିଲି ।

 

ସମୟ ମଧ୍ୟାହ୍ନ ଟପିଯାଇଥିଲା । ମୋ ସାନଭାଇ ଗୋପୀନାଥ ମୋତେ ତା’ ଅଫିସରୁ ଫୋନ କରି ଜଣାଇଲା ଯେ ଶ୍ରୀଯୁକ୍ତ ନିଶାମଣି ଖୁଣ୍ଟିଆ ଏମ୍. ଏଲ୍. ଏ. (ତାଙ୍କ ଘରର ପଛଆଡ଼େ ମୋ ଘର) କଟକରୁ ଫୋନ୍ କରି ଜଣାଇଛନ୍ତି ଯେ ମୋ ସ୍ତ୍ରୀଙ୍କର ଦେହ ହଠାତ୍ ଖରାପ ହୋଇପଡ଼ିଛି, ମୋତେ ସଙ୍ଗେସଙ୍ଗେ କଟକ ଯିବାକୁ ପଡ଼ିବ ।

 

ଉଦବିଗ୍ନ ହେଲି । ତଟସ୍ଥ ହେଲି । କ’ଣ ହଠାତ୍ ଏପରି ହେଲା ? ପୁଅଟି ଫେଲ୍ ହୋଇଛି ବୋଲି ତାଙ୍କ ମନରେ ସୁଖ ନ ଥିଲା । କ’ଣ ତାଙ୍କର ହୋଇଥାଇପାରେ । ରକ୍ତର ଚାପ ତ ସାମାନ୍ୟ ଅଧିକ ଥିଲା ! ଦୁଶ୍ଚିନ୍ତାରେ ପଡ଼ିଲି ।

 

ନିଶାମଣିବାବୁ ଗୋପକୁ ଠିକ୍ ସମ୍ବାଦ ଦେଇଥିଲେ । ଗୋପ ମୋତେ ଜାଣିଜାଣି ଅଲଗା ଖବର ଦେଇଥିଲା । ତାଆରି କାରରେ କଟକ-ଘରକୁ ଫେରିଲି ।

 

ଆମ ଦୁହିଁଙ୍କୁ ଦେଖି ସମସ୍ତେ ହାଉ ହାଉ ହୋଇ କାନ୍ଦିଉଠିଲେ । ସେମାନଙ୍କ ମଧ୍ୟରେ ମୋର ସ୍ତ୍ରୀ ବି ଥିଲେ । ଅନୁପସ୍ଥିତ ଥିଲା ଏକା ମୋର ସେହି କୋଡ଼ପୋଛା ଅଲିଅଳ ପୁଅ, ମୋର ସ୍ନେହ-ସୋହାଗର ଅମୂଲ୍ୟ ସଙ୍ଖାଳି ଆଲୋକସୁନ୍ଦର–

 

ଭୟରେ ମୋର ଛାତି କମ୍ପିଉଠିଲା । ମୋର ମୁଣ୍ଡ ଭ୍ରମିବାକୁ ଲାଗିଲା । କଅଣ ଗୋଟାଏ ମହା ବିପଦ ଘଟିଛି ବୋଲି ମୋର ଅପ୍ରକୃତିସ୍ଥ ମନ ଅନୁମାନ କରୁଥିଲା । ସେ ଯେ ଆତ୍ମଘାତୀ ହୋଇ କେତେବେଳୁ ସେପୁରକୁ ଚାଲିଯାଇଥିଲା, ଏହା ମୁଁ ଭାବିପାରୁନଥିଲି ।

 

କୁନ୍‍କି କାହିଁ ?

 

କଟକ ଜେନେରେଲ–ହସ୍ପିଟାଲର ଆମ୍ବୁଲେନ୍ସ ଗାଡ଼ିରେ, କୁନ୍‍କିକୁ ବଞ୍ଚାଇବାକୁ ସେଠାକୁ ସେମାନେ ନେଇଯାଇଥିଲେ । ଡାକ୍ତରଖାନାରେ ପହଞ୍ଚିଥିଲା ଗୋଟିଏ ଜୀବନହୀନ ଦେହ-

 

ମୋର ପ୍ରଶ୍ନର ଉତ୍ତର ସେମାନେ ଦେଉନଥିଲେ । ସେମାନେ କେବଳ ବିକଳ ହୋଇ କାନ୍ଦୁଥିଲେ । ଆମକୁ ସାନ୍ତ୍ୱନା ଦେବାକୁ ଯେଉଁ ବନ୍ଧୁ ଓ ପଡ଼ୋଶୀମାନେ ରୁଣ୍ଡ ହୋଇଥିଲେ, ସେହିମାନେ ଆଖିରୁ ଧାରଧାର ଲୋତକ ଗଡ଼ାଇ ସତ୍ୟ ପ୍ରକାଶ କରିଥିଲେ ।

 

ସତେକି ମୋ ମୁଣ୍ଡରେ ଆକାଶ ଛିଡ଼ିପଡ଼ିଲା । ମୁଁ ଆଉ ଦୁଃଖର କୋହକୁ ନିଜଭିତରେ ଅଟକାଇ ରଖିପାରିଲି ନାହିଁ ।

 

କଅଣ ବା ବର୍ଣ୍ଣିପାରିବି ସେତେବେଳର ବେଦନାର ଚିତ୍ର ? ଭାଷାରେ ପ୍ରକାଶ କରିବା ସମ୍ଭବ ନୁହେଁ । ସଂସାରରେ ବଞ୍ଚି ଆତଯାତ ହେଉଥିବା କେଉଁ ଅନୁଭବୀ ମଣିଷ ନିଜର ଆତ୍ମୀୟ ଓ ପ୍ରିୟଜନଙ୍କର ତିରୋଧାନର ଦୁଃଖ ନ ଭୋଗିଛି ?

 

ତା’ର ମୃତଦେହ ପାଖରେ, ଡାକ୍ତରଖାନାରେ ବହୁସମୟ ମୁଁ ବସିଥିଲି । ଆଖିରୁ ମୋର ଲୁହ ଶୁଖି ସାରିଥିଲା । ତା’ର ନୁଖୁରା ଫୁରୁଫୁରୁ କେଶ, ମହାନିଦ୍ରାରେ ଶାନ୍ତିରେ ଶୋଇଥିବା ତା’ର ବଳିଷ୍ଠ ମୁହଁ, କଠିନ ହୋଇଆସୁଥିବା ତା’ର ଶୀତଳ ଦେହକୁ ଆଉଁସିଲି । ସେହି ଦେହଟିକୁ ସୁନ୍ଦର, ସୁସ୍ଥ ଓ ସବଳ ରଖିବାକୁ ଷୋଳଟିବର୍ଷ ଆମେ ଯତ୍ନ ନେଇଥିଲୁ ।

 

ତାକୁ ଭଲମଣିଷ, ବଡ଼ ମଣିଷ କରିବାକୁ ସେହି ଦେହରେ କେତେଥର ମୁଁ ଆକଟଆଘାତ ଦେଇଥିଲି । କୁନ୍‍କିର ଜୀବନ ନ ଥିଲା ସେହି ଦେହଟି ତା’ର ହତଭାଗ୍ୟ ପିତାର ଶେଷ-ସ୍ପର୍ଶକୁ ଅନୁଭବ କରୁନଥିଲା । ଏହା ମତେ ଅଜଣାନଥିଲା । ପିତାର ଆକୁଳ ମନରେ ବିଚାରବୁଦ୍ଧି ଶକ୍ତିହୀନ ହୋଇସାରିଥିଲା ।

 

ଖାନନଗର ମଶାଣିରେ ତା’ ଜୀବନହୀନ ମୁହଁର ଶେଷ ଦେଖା ।

 

ସେ ଏ ସଂସାରକୁ ଆସିସାରିଲା ପରେ ମୁଁ ତା’ର ସଦ୍ୟ କଅଁଳା ମୁହଁଟି ଦେଖିଥିଲି । ତା’ର କୁଆଁକୁଆଁ କ୍ରନ୍ଦନ ଶୁଣିଥିଲି । ଅନ୍ୟମାନଙ୍କ ସହିତ ମୁଁ ସେଦିନ ହାସ୍ୟମୁଖର ହୋଇଥିଲି ।

 

କେଇଟି ବର୍ଷର ରହଣି ସାରି ଏ ସଂସାର ଛାଡ଼ି ଚାଲିଯିବା ପରେ ମୁଁ ପୁଣି ଦେଖିଲି ତା’ର ଜୀବନହୀନ ରୁକ୍ଷ-କଠିନ ଜଡ଼ ମୁହଁଟି । ସେ ତା’ ଅଶରୀରୀ ଦେହରେ ଥାଇ ହୁଏତ ହସୁଥିବ, ମୋର ହଜିଯାଇଥିବା ସବୁ ଭବିଷ୍ୟତ କଳ୍ପନାକୁ ଉପହାସ କରୁଥିବ । ମୁଁ କିନ୍ତୁ ତା’ର ତିରୋଧାନ ପାଇଁ କାରୁଣ୍ୟ କରୁଥିଲି । ମୋ ଆଖିରେ ତା’ର ଅନନ୍ତ-ବିଚ୍ଛେଦର ଅବାରିତ ଅଶ୍ରୁ ।

 

ସେ ଆଜି ସାତସପନ ।

Image